ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମାକୁମାରୀ ରାଉରକେଲା ତତ୍ତ୍ୱାବଧାନରେ ଦେଶବ୍ୟାପୀ “ନିଶା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ଆଜି ରାଉରକେଲା ଷ୍ଟିଲ୍ ସିଟିରେ ଏକ ଐତିହାସିକ ଓ ପ୍ରେରଣାଦାୟକ ଯୁବ ଜନ-ଜାଗରୁକତା ରାଲି ଭବ୍ୟ ଭାବରେ ଆୟୋଜିତ ହୋଇଥିଲା । ଏହି ବିଶାଳ ରାଲି ସକାଳ ୮ଟା ୩୦ ମିନିଟ ସମୟରେ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ଠାରୁ ରାଉରକେଲା ସହରର ବରିଷ୍ଠ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ପତାକା ଦେଖାଇ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବିପିୟୁଟିର କୁଳପତି ଅମିୟ ଯଜ୍ଞ କୁମାର ରଥ, ଡିଏଫଓ ଯଶୋବନ୍ତ ସେଠୀ, ଅବକାରୀ ବିଭାଗ ମୁଖ୍ୟ ଝସକେତନ ବରିହା, ଆରଏସପି ଖଣି ନିର୍ଦ୍ଦେଶକ ବିପିନ ବିହାରୀ ଗିରି, ରାଜସ୍ଥାନର ମାଉଣ୍ଟଆବୁରୁ ରାଜଯୋଗୀ ବି.କେ. ବନାରସୀ ଲାଲ ଶାହ ଓ ରାଉରକେଲା ସବଜୋନ ମୁଖ୍ୟ ରାଜଯୋଗିନୀ ବି.କେ. ବିମଳା ପ୍ରମୁଖ ଯୋଗ ଦେଇଥିଲେ । ରାଲି ସହରର ପ୍ରମୁଖ ମାର୍ଗ ଦେଇ ଗତି କରି ବସନ୍ତୀ କଲୋନୀ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଓ ଗରିମାମୟ ଭାବରେ ସମାପ୍ତ ହୋଇଥିଲା । ଏହି ରାଲିରେ ମୋଟ ୧,୬୦୬ ଜଣ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ସାମାଜିକ କର୍ମୀ, ସୁରକ୍ଷା ବାହିନୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ପରେ ବାସନ୍ତୀ କଲୋନୀ ସଭାଗୃହରେ ଏକ ବିଶେଷ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରଏସପି ବିତ୍ତ ବିଭାଗର ପ୍ରତିନିଧି, ଅଖିଳ ଭାରତୀୟ ମାରୱାଡ଼ୀ ମହିଳା ମଞ୍ଚର ପ୍ରତିନିଧି ମେଘା ଅଗ୍ରୱାଲ ଓ ମେଡିକାଲ୍ ବିଭାଗ ସଚିବ ରାଜଯୋଗୀ ବି.କେ. ବନାରସୀ ଲାଲ ଶାହ (ମାଉଣ୍ଟ ଆବୁ) ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ “ନିଶା ମୁକ୍ତି ଓ ମୋବାଇଲ୍ ନିର୍ଭରତା ସଚେତନତା” ବିଷୟରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ୬୦ଟି ବିଦ୍ୟାଳୟର ୧୮୦ ଜଣ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ସମସ୍ତଙ୍କୁ ନିଶା-ମୁକ୍ତ ସମାଜ ଗଠନ, ଆତ୍ମଶକ୍ତିର ଜାଗରଣ ଓ ସକାରାତ୍ମକ ଜୀବନମୂଲ୍ୟ ଗ୍ରହଣ କରିବାକୁ ସଶକ୍ତ ଆହ୍ୱାନ ଦିଆଯାଇଥିଲା ।
Prev Post