ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫ୍ଏଲ୍ଡବ୍ଲୁ) ପାଳନ କରିଆସୁଛି । ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବୃଆରି ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର ଦଶମ ସଂସ୍କରଣ ଅଟେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଏଫ୍ଏଲ୍ଡବ୍ଲୁ ୨୦୨୫ର ବିଷୟବସ୍ତୁ ” ଆର୍ଥିକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ” ରଖାଯାଇଛି । ଏହି ଅଭିଯାନରେ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦେଇ “ଆର୍ଥିକ ଯୋଜନା”, “ସଞ୍ଚୟ ଏବଂ ରିସ୍କ ପରିଚାଳନା” ଏବଂ “ଅଭିବୃଦ୍ଧି ପାଇଁ ଋଣ ନେବା ” ଉପରେ ଗୁରୁତ୍ୱ ଦିଆଯାଇଛି । ଆର୍ବିଆଇ ପ୍ରମୁଖ ଟେଲିଭିଜନ, ରେଡିଓ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଏଫ୍ଏଲ୍ଡବ୍ଲୁ ୨୦୨୫ର ବାର୍ତ୍ତା ଉପରେ ଏକ କେନ୍ଦ୍ରୀଭୂତ ଗଣମାଧ୍ୟମ ଅଭିଯାନ କରୁଅଛି । ଆର୍ବିଆଇ ଭୁବନେଶ୍ୱର ପକ୍ଷରୁ ଏଫ୍ଏଲ୍ଡବ୍ଲ୍ୟୁ ୨୦୨୫ର ଉଦ୍ଘାଟନୀ ଉତ୍ସବ ୨୪ ଫେବୃଆରୀ ୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆର୍ବିଆଇ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ ମହାନ୍ତି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ସେ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ମହିଳାଙ୍କ ବହୁମୁଖୀ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ଥିକ ସାକ୍ଷରତାର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ଆର୍ବିଆଇର ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ ସମାବେଶକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଏସ୍ କେ ତାଲୁକଦାର; ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଡିଆଇଏଫ୍ ଡ. ପ୍ରଜ୍ଞାସ୍ମିତା ସାହୁ ଏବଂ ମହାପ୍ରବନ୍ଧକ ତଥା ଏସ୍ଏଲ୍ବିସି ଆବାହକ ଗୌତମ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଉଦ୍ଘାଟନୀ ଉତ୍ସବରେ ରିଜର୍ଭ ବ୍ୟାଙ୍କ, ରାଜ୍ୟ ସରକାର, ନାବାର୍ଡ, ସିଡ଼ବି ଏବଂ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ତଥା ପ୍ରତ୍ୟେକ ଟାର୍ଗେଟ୍ ଗୃପ (ଗୃହିଣୀ, କର୍ମଜୀବୀ ମହିଳା ଓ ମହିଳା ଉଦ୍ୟୋଗୀ)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ। । ଏହି କାର୍ଯ୍ୟକ୍ରମରେ ମହିଳା ଟାର୍ଗେଟ ଗୃପ ଗୁଡ଼ିକ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବାର ବିଷୟବସ୍ତୁ ଏବଂ ଉପାୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଫ୍ଏଲ୍ଡବ୍ଲୁ ୨୦୨୫ର ବିଷୟବସ୍ତୁ ଏବଂ ଉପ-ବିଷୟବସ୍ତୁ ଉପରେ ଆଲୋକପାତ କରି ଏକ ନୁକ୍କଡ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ସପ୍ତାହରେ ଆର୍ବିଆଇ ଭୁବନେଶ୍ୱର ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବ ।
Prev Post