ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

  • ଡାକ୍ତରଖାନାରେ ଶବଗୃହ ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ଜଣେ ଯୁବକ ଗତକାଲି ଅପରାହ୍ନ ସମୟରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ଧଣ୍ଡାମୁଣ୍ଡା ଗ୍ରାମର ପ୍ରେମଚନ୍ଦ ଭୋଇଙ୍କ କନିଷ୍ଠ ପୁତ୍ର ସୁକୁମାର ଭୋଇ (୩୮) ଗତକାଲି ଅପରାହ୍ନ ସମୟରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁକୁମାରଙ୍କ ବଡଭାଇ ହେମନ୍ତ କୁମାର ଗତକାଲି ଅପରାହ୍ନ ୪ଟା ସମୟରେ ସାନ ଭାଇ ସୁକୁମାର ସହ କଥାବାର୍ତ୍ତା ହୋଇଥିଲେ । ପରେ ସନ୍ଧ୍ୟା ସମୟରେ ସେ ଦେଖିବାକୁ ପାଇଥିଲେ ସାନ ଭାଇ ସୁକୁମାରଙ୍କ କବାଟ ଟିକେ ଖୋଲା ଥିଲା । ସେ ବାହାରୁ ଡାକିବାରୁ ଘର ଭିତରୁ କୌଣସି ଉତ୍ତର ନଆସିବାରୁ ସେ ଯାଇ କବାଟ ଖୋଲି ଦେଖିବାକୁ ପାଇଲେ ସାନ ଭାଇ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ସଙ୍ଗେ ସଙ୍ଗେ ଖପ୍ରାଖୋଲ ଥାନାକୁ ଘଟଣା ବିଷୟରେ ଜଣାଇଥିଲେ । ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିବା ବେଳେ ରାତି ୮ଟା ୩୦ ହୋଇଥିବାରୁ ଗୁରୁବାର ଦିନ ଶବ ବ୍ୟବଚ୍ଛେଦ କରାହେବ ବୋଲି ଜଣାପଡ଼ିଛି । ଏନେଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ଖପ୍ରାଖୋଲ ଡାକ୍ତରଖାନା ବାରଣ୍ଡାରେ ରାତିସାରା ପରିବାର ଲୋକ ଶବକୁ ଜଗି ରହିଥିଲେ । ଡାକ୍ତରଖାନାରେ ଶବଗୃହ ନାହିଁ କି ବିଜୁଳିର ବ୍ୟବସ୍ଥା ମଧ୍ୟ ନାହିିଁ । ତେଣୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କୌଣସି ବିଶେଷଜ୍ଞ ଡାକ୍ତର, କୌଣସି ଆମ୍ବୁଲାନ୍ସ ସୁବିଧା କିଛି ନାହିଁ ଡାକ୍ତରଖାନାରେ । ଜନସାଧାରଣ ଏମିତି ହଇରାଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିଦା ବିଷ୍ଣୁ ସାଜିଛି । ନେତା ମନ୍ତ୍ରୀ ଡାକ୍ତରଖାନାକୁ ବାରମ୍ବାର ବୁଲିବାକୁ ଆସୁଛନ୍ତି କିନ୍ତୁ ସମସ୍ୟାର ସମାଧାନ ହେଉନାହିିଁ ବୋଲି ଅଭିଯୋଗ ହେଉଛି । ଦେଖିବାକୁ ବାକି ରହିଲା ପ୍ରଶାସନ ଏଦିଗରେ କେତେ ଶୀଘ୍ର ପଦକ୍ଷେପ ନେଇ ସମସ୍ୟାର ସମାଧାନ କରୁଛି ।

Leave A Reply

Your email address will not be published.