oom

ମାଟିଆଭଟା ପଞ୍ଚାୟତରେ ମନରେଗା ଯୋଜନା କାମରେ ନକଲି କାର୍ଯ୍ୟାଦେଶ ଦେଇ ନିରୀହ ଚାଷୀଙ୍କୁ ଠକିଛନ୍ତି ସରପଞ୍ଚ ଏବଂ ଜିଆର୍‌ଏସ୍‌ : ସାଧାରଣରେ ଅସନ୍ତୋଷ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଏହି ଯୋଜନା ମାଧ୍ୟମରେ ଅନେକ କାମ ହେଉଥିଲେ ବି ଗରିବ ଚାଷୀ ନିଜ ଜମିରେ ମାଟିକାମ କରିବା ପାଇଁ ଜମି ଉନ୍ନତି କାମ କରାଉଛି । ଏହି କାମ ପ୍ରତି ହିତାଧିକାରୀଙ୍କୁ ୫୦ ହଜାର ଟଙ୍କାର କାମ ଦେବାକୁ ବ୍ୟବସ୍ଥା ରହିଛି । ହେଲେ ଗରିବ ଚାଷୀଙ୍କୁ ଠକି ଜମି ଉନ୍ନତି ଟଙ୍କାକୁ ହରିଲୁଟ କରିଥିବା ଘଟଣା ଖପ୍ରାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭିଯୋଗ ଆସିଛି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ପୂତୁଲାମହୁଲ ଗାଁରୁ । ଅଭିଯୋଗ ଅନୁସାରେ ଗାଁର ଚାଷୀମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷ ଜମିର ଉନ୍ନତି ବାବଦରେ ୱାର୍କକୋଡ଼ ୨୪୦୯୦୦୩୦ ଏଲ୍‌ଡି /୧୦୬୯୪୩୦୦ରେ ଏକ କୋଡ ହୋଇଥିବା ବେଳେ ଟିକୁନୁ ବାଗ, ନୃପ ସାହୁ, ଅଶ୍ଵିନୀ ସାହୁ, ଭାଗ୍ୟବାନ ସାହୁ, ତ୍ରିଲୋଚନ ବାଗ, ଶ୍ୟାମସୁନ୍ଦର ସାହୁ, ଲୋକନାଥ ସାହୁ, ଧନମତି ପଟେଲ, ଚୈତନ୍ୟ ସାହୁ, ସୁମିତ୍ରା ସାହୁ, ହାଡୁ ସାହୁ ପ୍ରମୁଖଙ୍କୁ ମୁଣ୍ଡପିଛା ୫୦ ହଜାର ଟଙ୍କା ଜମି ଉନ୍ନତି ପାଇଁ ମିଳିବ ବୋଲି ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ବରିହା ଏବଂ ଜିଆର୍‌ଏସ୍‌ ସୁଧର୍ମା ବେହେରା ସେମାନଙ୍କୁ ନକଲି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ନିରୀହ ଚାଷୀ ନକଲି କାର୍ଯ୍ୟାଦେଶକୁ ସତ ମନେକରି ଲୋକଙ୍କଠାରୁ ଧାରକରଜ କରି ମାଟି ବୋହି ଥିବା ଶ୍ରମିକମାନଙ୍କୁ ଟଙ୍କା ଦେଇଥିଲେ । ଜମି ଉନ୍ନତି ହୋଇଥିବା ଜାଗାକୁ ଯାଇ ଜିଆର୍‌ଏସ୍‌ ବେହେରା ଜିଓଟେଗିଙ୍ଗ କରିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି । ପରେ ବିଭାଗୀୟ ଜେଇ ଦୀପକ ବେହେରାଙ୍କ ମେଟ ଜମି ଉନ୍ନତି ହୋଇଥିବା ଜାଗାକୁ ଯାଇ ମାଟିକାମ କେତେ ସରିଲା ନାପଯୋଖ କରିଥିବା ମଧ୍ୟ ହିତାଧିକାରୀ କହୁଛନ୍ତି । କିନ୍ତୁ ହିତାଧିକାରୀ ଯେତେବେଳେ ଜିଆର୍‌ଏସ୍‌ ବେହେରାକୁ ଜମି ଉନ୍ନତି ଟଙ୍କା ପାଇଁ କହିଥିଲେ ସେ ସରପଞ୍ଚଙ୍କ ପାଖକୁ ଯାଅ ବୋଲି କହିଥିବା ବେଳେ ସରପଞ୍ଚ ହିତାଧିକାରୀମାନଙ୍କୁ ମିଛ ପ୍ରତିଶୃତି ଦେଇ ଘରକୁ ପଠେଇ ଦେଇଥିବା ଜଣାପଡିଛି । ଏବିଷୟରେ ସରପଞ୍ଚଙ୍କ ସ୍ୱାମୀ ଯିଏକି ଜଣେ ସରକାରୀ ସ୍କୁଲ ଶିକ୍ଷକ ସେ ପ୍ରକ୍ସି ସରପଞ୍ଚ ଭାବରେ ପଞ୍ଚାୟତର ସବୁ କାମ ତୁଲାଉଥିବା ମାଟିଆଭଟା ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏ ବିଷୟରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ପଚାରିବାରୁ ମୁଁ ବ୍ଲକକୁ ନୂଆଁ ହୋଇ ଆସିଛି ଅଭିଯୋଗ ହିସାବରେ ଯଦି କିଛି ଅନିୟମିତତା ହୋଇଛି ତାହେଲେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି । ତେବେ ସରପଞ୍ଚ, ଜିଆର୍‌ଏସ୍‌, ମେଟ ଏମାନେ ସମସ୍ତେ ମିଳିମିଶି ନିରୀହ ଚାଷୀମାନଙ୍କୁ ନକଲି କାର୍ଯ୍ୟାଦେଶ ଦେଇ ଏତେ ବଡ଼ ଧରଣର ଘୋଟଲା କରିଥିବା ବେଳେ ଏମାନଙ୍କୁ ପ୍ରଶାସନ ଆଶ୍ରୟ ଦେବ ନା ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.