ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ କାର୍ଯ୍ୟକ୍ରମ ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ରାଉରକେଲା ସମିତି ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୨୧ ତାରିଖ, ରବିବାର ଦିନ, ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍, ବିଶ୍ରା ଛକ ଠାରେ ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ ନାମକ ମାରାଥନ ଏବଂ ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ସତ୍ୟ ସାଇ ବାବଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସମଗ୍ର ଭାରତ ବର୍ଷର ୬୦ଟି ସହରରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଫିଟ୍ ଇଣ୍ଡିଆ ମୁଭମେଣ୍ଟ ସହିତ ସହବନ୍ଧିତ ଅଛି । ରାଉରକେଲା ସହରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୮୦୦ରୁ ଅଧିକ ଲୋକ ପଂଜୀକରଣ କରିଛନ୍ତି । ଡିସେମ୍ବର ୨୧ ତାରିଖ ସକାଳ ୦୬.୩୦ରୁ ଏହି ଗଣଦୌଡ଼ ଏବଂ ସାଇକଲ ଚାଳନା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍‌ରୁ ପ୍ରତିଭାଗୀମାନେ ବାହାରି ୩ କିମି ସେକ୍ଟର ୨୧, ୫କିମି ସେକ୍ଟର ୨, ୧୦କିମି ଆମ୍ବଗାନ ଛକରୁ ପୁଣି ଷ୍ଟାଡିୟମ୍‌କୁ ପ୍ରତ୍ୟାବର୍ତ୍ତନ କରିବା ପରେ କାର୍ଯ୍ୟକ୍ରମ ସମାପନ ହେବ । ବରଗଡ଼ ଜିଲ୍ଲାରୁ ଘୁମୁରା ଏବଂ ଦୁଲ୍‌ଦୁଲି ବାଦ୍ୟ ସହିତ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପରିବେଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଶ୍ରୀ ସତ୍ୟ ସାଇ ସେବା ସଂଗଠନ ରାଉରକେଲା ସହରରେ ଏହିଭଳି ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଥିବା ବେଳେ ସମସ୍ତ ଜନସାଧାରଣଙ୍କୁ ଏଥିରେ ଭାଗ ନେବାକୁ ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମନୋଜ ରଥ, ସମିତିର ଆବାହକ ବିଜୟ କୁମାର ମହାପାତ୍ର, ରାଜ୍ୟ ଯୁବ ପରିଷଦ ସଦସ୍ୟ ପ୍ରସନ୍ନଜିତ ଦାସ, ଉପଦେଷ୍ଟା ପ୍ରଫେସର ହୃଷୀକେଶ ନାୟକ, ସେବାଦଳ ସଂଯୋଜକ କରୁଣାକର ପଟେଲ, ସଂଯୋଜିକା ଲିଲି ପଟେଲ, ଉପଦେଷ୍ଟା ବିଭୂତି ପଟ୍ଟନାୟକ, ସମିତି ଯୁବ ସଂଯୋଜକ ସାହେବ୍ ପଟ୍ଟନାୟକ ଏବଂ ଅନ୍ୟମାନେ ଅନୁରୋଧ କରିଥିବା ବେଳେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.