ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଇ ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ମହାନ୍ ପର୍ବ ନୂଆଁଖାଇ । ଆସନ୍ତା ୨୩ ତାରିଖ ଦିନ ନୂଆଁଖାଇ ତିଥି ପଡ଼ୁଥିବା ବେଳେ ଆଜି ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି ଜବର୍ଦସ୍ତ ନୂଆଁଖାଇ ଭିଡ଼ । ଅସମ୍ଭାଳ ଭିଡ଼ ଭିତରେ ଫେଲ୍ ମାରିଛି କରୋନା କଟକଣା । ଅନ୍ୟପଟେ ହୁ ହୁ ହୋଇ ବଢ଼ୁଛି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୧୭୩ ଜଣ ସଂକ୍ରମିତ ହୋଇଥିବା ବେଳେ ଆଜି ୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟ କହୁଛି । ତଥାପି ଲୋକେ କରୋନା ସଂକ୍ରମଣ ପ୍ରତି ସାମାନ୍ୟ ମଧ୍ୟ ଖାତିର କରୁ ନଥିବା ପରିଲକ୍ଷିତ ହେଉଛି ବଜାର ଭିତରେ । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାର ଶୀର୍ଷ ପର୍ବ ଭାବରେ ନୂଆଁଖାଇ ପର୍ବକୁ ଗ୍ରହଣ କରାଯାଏ । ତେବେ ନୂଆଁଖାଇର ଐତିହ୍ୟ, ପରମ୍ପରା ଖୁବ୍ ବଳିଷ୍ଠ । ଏହାକୁ ବେଶ୍ ସମ୍ମାନ ଦିଅନ୍ତି ପଶ୍ଚିମ ଓଡ଼ିଶାବାସୀ । ଯିଏ ଯେଉଁଠି ଥାଉ ନା କାହିଁକି, ନୂଆଁଖାଇ ବେଳେ ନିଜ ଗାଁ ମାଟିକୁ ଆସିବା ପାଇଁ ସଦା ତତ୍ପର । ନିଜ ପରିବାର ସହ ମିଶି ନୂଆଁଖାଇ ପାଳିବ ଏବଂ ବଡ଼ମାନଙ୍କଠୁ ଆଶୀର୍ବାଦ ନେବ ଓ ସାନମାନଙ୍କୁ ଆଶିଷ ଦେବ । ଏଭଳି ଏକ ବିଶାଳ ପରମ୍ପରା ବହନ କରୁଥିବା ନୂଆଁଖାଇ ପର୍ବ କିନ୍ତୁ ଚଳିତ ବର୍ଷ ଆଘାତପ୍ରାପ୍ତ ହୋଇଛି କରୋନା ମାଡ଼ରେ । ତଥାପି ପଶ୍ଚିମ ଓଡ଼ିଶାର ଗାଁ ଠୁ ସହର ଯାଏଁ ଏହି ପର୍ବକୁ ନିଶ୍ଚୟ ପାଳିବେ ଜନସାଧାରଣ, ଏଥିରେ ସନ୍ଦେହ ନାହିଁ । ତେବେ ହାଟ ବଜାର ଭିତରେ ଅସମ୍ଭାଳ ଭିଡ଼ ପ୍ରତି ସମସ୍ତ ନଜର ରହିବା ବି ଏକାନ୍ତ ଆବଶ୍ୟକ । କାରଣ ପର୍ବ ପାଳନ କରିବା ବାହାନାରେ ଆମେ ଯଦି ସଂକ୍ରମଣ ବଢ଼ିବା ପାଇଁ ସୁଯୋଗ ଦେବା, ତେବେ ତାହା ଆମ ସମାଜ ପାଇଁ ଘାତକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି ।
Prev Post
Next Post