ସିନାପାଲି, (କେପିଏନ୍ଏସ୍) : ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନୂଆପଡା ଓ ପଞ୍ଚାୟତ ସମିତି ସିନାପାଲି ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ସଚେତନ ପାଇଁ ବିଭିନ୍ନ ପ୍ରକାରର ଷ୍ଟଲ ଲାଗିଥିବା ବେଳେ ଜିଲ୍ଲା ଓ ବ୍ଲକସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନେକ ଡାକ୍ତର ଆସି ଲୋକଙ୍କ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସିନାପାଲି ପୋଲିସ ଦିବ୍ୟାଙ୍ଗ ଭାଇଭଉଣୀ ମାନଙ୍କୁ ଗାଡିରୁ ଓଲ୍ଲାଇ ଶିବିରରେ ପହଞ୍ଚାଇଥିଲେ । ଏହି ଶିବିର ଅବସରରେ ସିନାପାଲି ବିଡିଓ କାର୍ମି ଓରାମଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଲୋଚନ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସିନାପାଲି ଉପାଧ୍ୟକ୍ଷା ଶ୍ରୀମତୀ ମିନା ଘିଭେଲା, ମୁଖ୍ୟ ବକ୍ତା ଡିଏସ୍ଏସ୍ଓ ଅନନ୍ତ କୁମାର ହେମରାମ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ, ଏମ୍ପି ପ୍ରତିନିଧି ମିଥୁନ ବାଗ, ଭିନ୍ନକ୍ଷମ ସଂଘ ଜିଲ୍ଲା ସଭାପତି ଅଚ୍ୟୁତାନନ୍ଦ ସୁନାନୀ ପ୍ରମୁଖ ମଞ୍ଚାସୀନ ଥିଲେ । ସେଠାରୁ ଅତିଥିମାନେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ଉପରେ ସଚେତନ କରିଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ସହଯୋଗ ସହାୟତା ନେଇ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ଶିବିରରେ ସକ୍ଷମ ସଂସ୍ଥା ପକ୍ଷରୁ ମଧ୍ୟ ଦିବ୍ୟାଙ୍ଗ ସହୟତା ସେବା ଷ୍ଟଲ ଲାଗିଥିବା ବେଳେ ଉକ୍ତ ସଂସ୍ଥା ଜିଲ୍ଲା କୋଡିନେଟର ଭକ୍ତବନ୍ଧୁ ଧରୁଆ ରହିଥିଲେ । ଶେଷରେ ସିନାପାଲି ବ୍ଲକ ଦିବ୍ୟାଙ୍ଗ ସଂଘ ସଭାପତି ଦିଲ୍ଲୀପ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଜିପିଓ ସଂଜୟ କୁମାର ମହାନନ୍ଦ, ପୁଣ୍ଡରିକାକ୍ଷ ହୋତା, ସୁନିଲ ସାମଲ, ଠନସୁନ୍ଦର ଚଲାନ, ଓମ୍ ପ୍ରକାଶ ମାଝି, ଦୁଷ୍ମନ୍ତ କୁମାର ନାଗଙ୍କ ସମେତ ପିଇଓ, ଜିଆର୍ଏସ୍, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।