ବିଜ୍ଞାନ ଓ ଆଧ୍ୟାତ୍ମିକ ଶୀର୍ଷକ ଜାତୀୟ ସ୍ତରୀୟ ଦ୍ୱିଦିବସୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନସିପାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମାନବ ସଭ୍ୟତା ପାଇଁ’ ବିଜ୍ଞାନ ଓ ଆଧ୍ୟାତ୍ମିକତା ଆଜିର ଆବଶ୍ୟକତା’ ଉପରେ ଏକ ଦୁଇ ଦିନାତ୍ମକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କଲେଜର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ହୋଇଥବାବେଳେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ବ୍ୟାପାରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ, ଓଡିଶା ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର କୁଳପତି ଶ୍ୟାମସୁନ୍ଦର ପଟ୍ଟନାୟକ, ପାନପୋଷ ଉପ-ଜିଲ୍ଲାପାଳ ବିଜୟ କୁମାର ନାୟକ, ଭୁବନେଶ୍ୱରର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । କର୍ମଶାଳାରେ ସମ୍ମିଳିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ କହିଥିଲେ ଯେ, ବିଜ୍ଞାନ ବିଚାର ଓ ଆଧ୍ୟାତ୍ମ୍ୟ ବିଚାର ପରସ୍ପରରେ ପରିପୁରକ । ଆଧାତ୍ମ୍ୟ ବିଚାର ଓ ବିଜ୍ଞାନ ପ୍ରୟୋଗ ବିନା ବ୍ରହ୍ମାଣ୍ଡ ମଧ୍ୟେ ଲୁକ୍କାୟିତ ଥବା ଆଲୌକିକ ଓ ଅଦ୍ଭୁତ ଶକ୍ତି ଗୁଡିକୁ ଖୋଜିବା ଜଟିଳ । ଆମ ବେଦ ପୁରାଣରେ ଯାହା ରହିଛି ତାହାକୁ ତର୍ଜମା କଲେ ଜଣାପଡେ ଯେ, ବିଜ୍ଞାନ ଆଜି ନୁହେଁ କେବେ ଠୁ ସୃଷ୍ଟି । ବିଜ୍ଞାନର ମୂଳ ସିଦ୍ଧାନ୍ତ ହେଉଛି ବ୍ରାହ୍ମାଣ୍ଡ ଏକ ଆଲୋକିକ ଓ ଅଦ୍ଭୁତ ଶକ୍ତିର ସମୁହ । ଏଣୁ ବ୍ରହ୍ମାଣ୍ଡ ମଧ୍ୟେ ଲୁକ୍କାୟିତ ଥିବା ଅଲୌକିକ ଓ ଅଦଭୁତ ଶକ୍ତି ସମୁହ ଉପରେ ଗବେଷଣା କରି ନୂତନ ଉଦ୍ଭାବନ କରିବା ସହ ଉଦ୍ଭାବିତ ଶକ୍ତି ମାନବ କଲ୍ୟାଣ ପାଇଁ ପ୍ରୟୋଗ କରିବା ହେଉଛି ବାସ୍ତବିକ ବିଜ୍ଞାନ । ଏଣୁକରି ଆଧାତ୍ମ୍ୟ ଓ ବିଜ୍ଞାନ ଉଭୟେ ପରିପୂରକ । କୌଣସି ପ୍ରକାରର ବୈଜ୍ଞାନିକ ଗବେଷଣାଗତ ଲକ୍ଷ୍ୟକୁ ବାସ୍ତବିକ କହିବାଟା ଯଥାର୍ଥ ନୁହେଁ । ନୂତନ ମାନବ କଲ୍ୟାଣକାରୀ ବିଜ୍ଞାନ ଧାର୍ମିକ ଅନ୍ଧବିଶ୍ଵାସ ଦ୍ଵାରା ପ୍ରଶସ୍ତ ହୁଏ ନାହିଁ । ତର୍କ ସଙ୍ଗତ ଆଧ୍ୟାତ୍ମ୍ୟ ଜ୍ଞାନ ଦ୍ୱାରା ବିଜ୍ଞାନ ନୂତନ ଉଦ୍ଭାବନ ମାର୍ଗ ପ୍ରଶସ୍ତ ହୁଏ ମାତ୍ର ଦିନକୁ ଦିନ ମଣିଷ ଅଧିକରୁ ଅଧିକ ମାତ୍ରାରେ ବିଜ୍ଞାନକୁ ଯାବୁଡ଼ି ଧରୁଥିବାବେଳେ ଆଧାତ୍ମ୍ୟ ଜଗତରୁ ଦୁରେଇ ଦୂରେଇ ଯାଉଛି । ଫଳରେ ମାନବ ସଭ୍ୟତା ଦିନକୁ ଦିନ ବିଜ୍ଞାନ ମଧ୍ୟରେ ବଶୀଭୂତ ହୋଇ ଚାଲିଛି ଓ ଆଧାତ୍ମ୍ୟ ଶକ୍ତି ହରାଇ ବିକାର ଗ୍ରସ୍ତ ସହ ମଣିଷ ଶାନ୍ତି ରହିତ ହୋଇଯାଇଛି । ଏଣୁ ମଣିଷ ବିଜ୍ଞାନ ଓ ଆଧାତ୍ମ୍ୟ ଉପରେ ସମାନ୍ତରଳ ଭାବେ ମନ ନିବେଶ କରିବା ନିହାତି ଜରୁରୀ ବୋଲି ଅତିଥିମାନେ କହିଥିଲେ । ପ୍ରାରମ୍ଭରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଅଧ୍ୟକ୍ଷ ଡ. ପ୍ରଧାନ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାପରେ ଅତିଥିମାନଙ୍କ ଦ୍ଵାରା ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । କର୍ମଶାଳାର ପ୍ରଥମ ଦିବସରେ ଓଡିଶା ତଥା ଓଡିଶା ବା଼‌ହାରୁ ୨୬୪ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଦ୍ୱିଦିବସୀୟ କର୍ମଶାଳାରେ ୮ଟି ସେସନ୍ ଓ ୨୬ ଜଣ ବିଷୟ ବିଶେଷଜ୍ଞ ସେମାନଙ୍କ ବକ୍ତବ୍ୟ ରଖିଥିଲେ । କଲେଜର ଅଧାପିଳା ସଂଯୁକ୍ତା ବେହେରାଙ୍କ ସମେତ ଏଥିରେ କଲେଜର ସମସ୍ତ ଛାତ୍ରୀଛାତ୍ର ଭାଗ ନେଇଥିଲେ । କର୍ମଶାଳାର ଆବାହିକା ରମା ସାହୁ ଏହାକୁ ପରିଚାଳନା କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ଧନ୍ୟବାଦ ଜ୍ଞାପନ କରିଥିଲେ । ସେହିପରି ଦ୍ୱିତୀୟ ଦିନ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁରର ପ୍ରାକ୍ତନ କୁଳପତି ପ୍ରଫେସର ଅର୍କ କେଶରୀ ଦାସ ମହାପାତ୍ର, ଉପଜିଲ୍ଲାପାଳ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ସଭାପତି, ଅତିଥି ପରିଚୟ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦେଓ ଓ ଅଧ୍ୟାପକ ଦିପ୍ତୀ ରଞ୍ଜନ ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ଅତିଥିମାନେ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉଭୟ ଦିନର ଆଲୋଚନାର ନିଷ୍କର୍ସରେ ବର୍ତ୍ତମାନ ସମାଜ ପାଇଁ ବିଜ୍ଞାନର ବିକାଶ ଅପରିହାର୍ଯ୍ୟ ହୋଇପଡିଛି । ତତ୍ ସହିତ ଆଧ୍ୟାତ୍ମିକତାର ବିକାଶ ମଧ୍ୟ ଅତ୍ୟନ୍ତ ଜରୁରୀ । ବିଶ୍ୱକଲ୍ୟାଣ ପାଇଁ ବିଶେଷ ଭାବରେ ଭାରତୀୟ ଦର୍ଶନ ଓ ସଂସ୍କୃତି ଅଧିକରୁ ଅଧିକ ଅଧ୍ୟୟନ କରିବା ସହିତ ତା’ର ପ୍ରୟୋଗ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ପରିପ୍ରକାଶ ହେଲେ ଏକ ସୁସ୍ଥ ସମାଜ ସହିତ ଏକ ସୁନ୍ଦର ବିଶ୍ୱ ଗଠନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.