centurian jitm

ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ୨୦୨୫ ଅନୁଷ୍ଠିତ

nschool
  • ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରି ପର୍ଯ୍ୟନ୍ତ ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀ ମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହ ଅବସରରେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସମୁଦାୟ ୫୧ ଲକ୍ଷ ଚାଷୀ ଏହି ସହାୟତା ରାଶି ପାଇଲେ । ଏଥିରେ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି । ଆଗୁଆ ସହାୟତା ପ୍ରଦାନ କରାଯାଉଥିବା ଯୋଗୁ ଏହି ରାଶି ରାଜ୍ୟର ଚାଷୀ ଭାଇ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଆମେ ଖାଦ୍ୟ ଦେବାରେ ଅସମର୍ଥ ଥିଲୁ । କିନ୍ତୁ, ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି । ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର ୨୦୧୪ ମସିହା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦଶା ଓ ଦିଶା ମିଳିଛି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ ପ୍ରଭୃତି କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି । ସେ ପୁଣି କହିଥିଲେ, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରୁ ଆସିଥାଏ । ଚାଷ ସହିତ ନିଜର ଅନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚାଷ କାର୍ଯ୍ୟ କଠିନ ପରିଶ୍ରମର କାର୍ଯ୍ୟ । ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ । ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ । ପୂର୍ବ ସରକାର ଏମ.ଏସ୍.ପି ପାଇଁ କେବଳ ବିଧାନସଭାରେ ଏକ ରିଜୋଲ୍ୟୁସନ ଆଣି ଚୁପ୍ ରହିଗଲେ । ଆମେ କଥା ଦେଇଥିଲୁ, କଥା ରଖି ୩,୧୦୦ ଟଙ୍କା ଏମ.ଏସ୍.ପି ଦେଲୁ । ଚାଷୀଙ୍କ ପାଇଁ ଭାବନା ଭଲ ରହିବା ଉଚିତ୍ । ସେତେବେଳେ ଇଛା ଶକ୍ତିର ଅଭାବ ଥିଲା, ଏବେ ଆମ ପାଖରେ ଚାଷୀଙ୍କ ଉନ୍ନତି ପାଇଁ ଇଛା ଶକ୍ତି ଅଛି । ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଆମେ ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଉଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ । ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରୀ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଆମେ ଚାଷୀଙ୍କ ସହିତ ଅଛୁ, ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମଠାରେ ଓଡିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷିମୁଠି ଅନୁକୂଳ କରିଥିଲେ । ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ । ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ପବିତ୍ର ଅକ୍ଷୟ ତୃତୀୟରେ ଚାଷୀ ତା’ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ । ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀ ମାନଙ୍କ ସହିତ ଆମ ସରକାର ସବୁବେଳେ ଛିଡାହେବ । କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି । ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଆଗୁଆ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.