om academy

ବିବାହିତ ଝିଅର ମଧ୍ୟ ନିଜ ପିତାଙ୍କ ମୃତ୍ୟୁ ଅନ୍ତେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ହକ ଅଛି : ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

jsm

ଭୁବନେଶ୍ୱର : ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କର ସନ୍ତାନମାନେ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ଆବେଦନ କରିଥାନ୍ତି । ତେବେ ଏହା ମଧ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ସମ୍ବନ୍ଧୀୟ ଏକ ମାମଲାରେ ରାଜ୍ୟ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ଝିଅ ବିବାହ କରିବା ପରେ ବି ବାପଘରର ଜଣେ ସଦସ୍ୟ । ତେଣୁ ସେ ଅନୁକମ୍ପାମୂଳକ ନିଯୁକ୍ତି ପାଇ ପାରିବେ ବୋଲି କୋର୍ଟ ରାୟ ଶୁଣାଇଛନ୍ତି ।

ହାଇକୋର୍ଟ ତାଙ୍କର ଶୁଣାଣିରେ କହିଛନ୍ତି, ବିବାହ ପରେ ବି ଜଣେ ଝିଅ ତାଙ୍କର ବାପଘରର ଜଣେ ସଦସ୍ୟ ଅଟନ୍ତି । ତେଣୁ ତାଙ୍କର ପିତାଙ୍କ ମୃତ୍ୟୁ ପରେ ସେ ଅନୁକମ୍ପାମୂଳକ ନିଯୁକ୍ତି ପାଇ ପାରିବେ । ବାପାଙ୍କ ସ୍ଥାନରେ ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇବା ପାଇଁ ହକଦାର ନୁହନ୍ତି ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ହାଇକୋର୍ଟ ତାହାକୁ ଖାରଜ କରିଦେଇଛନ୍ତି । ଏଥିସହିତ ଏହି ଆଦେଶର କପି ପାଇବାର ୬୦ ଦିନ ମଧ୍ୟରେ ଆବେଦନକାରୀଣୀଙ୍କୁ ନିଯୁକ୍ତି ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଜଣେ ପିଅନ ଭାବେ କାର୍ୟ୍ୟ କରୁଥିଲେ । ଦୀର୍ଘ ୩୨ ବର୍ଷ ଧରି କାର୍ଯ୍ୟ କରିବା ପରେ ୨୦୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କର ବଡ଼ ଝିଅ ଯେ କି ଜଣେ ବିବାହିତା, ବାପାଙ୍କ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ତେବେ ଆବେଦନକାରୀଣୀ ବିବାହ କରିସାରିଥିବାରୁ ସେ ମୃତକଙ୍କ ପରିବାରର ସଦସ୍ୟ ନୁହନ୍ତି ବୋଲି ଉଲ୍ଲେଖ କରିବା ସହିତ ଜିଲ୍ଲାପାଳ ଉକ୍ତ ଆବେଦନକୁ ଖାରଜ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲା ହାଇକୋର୍ଟକୁ ଯିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଇନ ଆଖିରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଥିଲେ ।

Leave A Reply

Your email address will not be published.