
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍ଏସି ଦ୍ୱାରା ପରିଚାଳିତ ଶିଶୁ ଉଦ୍ୟାନରେ ଥିବା ମହାପୁୁରୁଷ ମାନଙ୍କ ପ୍ରତିମୂର୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ସହରର କୋମଳମତି ଶିଶୁ ମାନଙ୍କ ପାଇଁ ଲକ୍ଷାଧିକ ଟଙ୍କାରେ ଏନ୍ଏସି ପକ୍ଷରୁ ଏକ ପାର୍କ ନିର୍ମାଣ କରାଯାଇଛି । କିନ୍ତୁ ନିର୍ମାଣ ହେବା ଦିନଠାରୁ ଏନ୍ଏସି ଦ୍ୱାରା ଉଚିତ ରକ୍ଷଣାବେକ୍ଷଣା କରାଯାଉନାହିିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏପରିକି ଶିଶୁ ଉଦ୍ୟାନରେ ନିୟମିତ ଚୌକିଦାର କିମ୍ବା କୌଣସି କର୍ମଚାରୀ ନିୟୋଜିତ କରାଯାଇ ନଥିବାରୁ ରାତିରେ ଉଦ୍ୟାନ ପରିସର ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳି ପାଲଟିଛି । ପୁଣି ଶିଶୁ ଉଦ୍ୟାନକୁ ଲାଗି ଟାଉନ ହଲ ଓ ମିନି ଷ୍ଟାଡିୟମ ପାଇଁ ଅଧପନ୍ତରିଆ କାର୍ଯ୍ୟ ହୋଇଥିବାରୁ ରାତିରେ ମଦୁଆ ମାନଙ୍କ ଚରାଭୂଇଁ ପାଲିଟିଛି । ଟାଉନ ହଲ ଓ ମିନି ଷ୍ଟାଡିୟମ ପରିସର ଅଳିଆ ଆବର୍ଜନାରେ ଭରି ରହିଛି । ଗତ ଦୁଇ ବର୍ଷ ହେଲା କୌଣସି ରକ୍ଷଣା ବେକ୍ଷଣା କରା ନଯିବାରୁ ପାର୍କ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତିକୁ କେତେକ ଅସାମାଜିକ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିର ହାତ ଭାଙ୍ଗି ଦେଇଥିବାରୁ ହାତରେ ବ୍ୟାଣ୍ଡିଜ ବନ୍ଧା ଯାଇଛି । ଯାହା ଜାତିର ପିତାଙ୍କୁ ଅପମାନିତ ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସ୍ଥାନୀୟ ଏନ୍ଏସି ଦ୍ୱାରା ନିକଟରେ ବାଳାଶ୍ରମ ଉଦ୍ଘାଟନ ବେଳେ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ତଥା ପରିବାର ମଂଗଳ ଡାଇରେକ୍ଟର ଅରବିନ୍ଦ ଅଗ୍ରୱାଲ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ନଗରପାଳ ବରିୟାମ ସିଂ ସାଲୁଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଦ୍ଘାଟନୀ ବେଳେ ସ୍ଥାନୀୟ ତହସିଲଦାର, ଏନ୍ଏସି ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ସୁଦ୍ଧା ମହାପୁରୁଷ ମାନଙ୍କ ଭଙ୍ଗା ପ୍ରତିମୂର୍ତିକୁ ମରାମତି କଲେ ନାହିଁ କିମ୍ବା ରଂଗ ଦେଲେ ନାହିଁ । ଫଳରେ ମହାପୁରୁଷ ମାନଙ୍କୁ ଅଣଦେଖା କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଯଥା ଶୀଘ୍ର ମହାପୁରୁଷମାନଙ୍କ ପ୍ରତିମୂର୍ତିକୁ ମରାମତି କରିବା ସହ ରଂଗ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।