
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପରି ଏକ ଛୋଟ ବିକାଶଶୀଳ ସହରରେ ଛାତ୍ରଛାତ୍ରୀମାନେ ପ୍ରୟୋଗାତ୍ମକ ଉଚ୍ଚଶିକ୍ଷା ବିଷୟରେ ଜାଣିବା ତଥା ପଢିବାର ସୁଯୋଗ ସୀମିତ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ତଥା ସଚେତନତା ଆଣିବା ଲକ୍ଷ୍ୟରେ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ଗତକାଲି ପତିତପାବନ ଏକାଡେମୀ କନ୍ଫରେନ୍ସ ହଲରେ ଏକ ଅଭିନବ କର୍ମଶାଳା ଆୟୋଜନ କରିଥିଲେ ଯେଉଁଥିରେ ସହରର ପ୍ରାୟ ସମସ୍ତ କଲେଜରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମାହେଶ୍ୱରୀ ସଂଗଠନ ତରଫରୁ ବିଗତ କିଛି ମାସ ହେଲା ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ଶିକ୍ଷାବିତ୍ ମହଲରେ ସକାରତ୍ମକ ମତାମତ ରଖିଛନ୍ତି । “ନିଉ ଡିରେକ୍ସନ୍ ଫର୍ ଡ୍ରିମ୍” ଶୀର୍ଷକ ଏହି ଆଲୋଚନାଚକ୍ରରେ ଜର୍ମାନୀରେ କାର୍ଯ୍ୟରତ ଯୁବ ବୈଜ୍ଞାନିକ ପ୍ରିତମ ପଣ୍ଡା ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ମଧୁସୁଦନ ପତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଆଜିର ଦିନରେ ବ୍ୟବସାୟିକ ଶିକ୍ଷା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ମାତ୍ର ନିଜକୁ ବିଦ୍ୟାଳୟ ଶିକ୍ଷା ସମୟରୁ ଏକ ନିର୍ଦ୍ଦିଷ୍ଟ ଶିକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ ନକରିବାକୁ ପରାମର୍ଶ ଦେଇଥିଲେ । ଏହା କରିବା ଦ୍ଵାରା ଯଦିଓ ପାଠପଢ଼ାରେ କମ୍ ପରିଶ୍ରମ ଆବଶ୍ୟକ ହେବ, ମାତ୍ର ଜଣେ ଛାତ୍ରକୁ ପରବର୍ତ୍ତୀ ସମୟରେ ସ୍ଵକେନ୍ଦ୍ରିତ ହୋଇ ଆତ୍ମନିଯୁକ୍ତି ପାଇଁ ମନୋବଳ ସୃଷ୍ଟି କରିପାରିବ ନାହିଁ ବୋଲି ବୁଝାଇଥିଲେ । ଅନ୍ୟତମ ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଇନ୍ଫର୍ମେଟିକ୍ସ ବିଭାଗ ପ୍ରଧ୍ୟାପକ ଡ଼ ଭବାନୀ ପ୍ରସାଦ ବାଗ ନିଜ ବକ୍ତବ୍ୟରେ ବାୟୋଇନ୍ଫର୍ମେଟିକ୍ସକୁ କିଭଳି ଆର୍ଟ୍ସ, ସାଇନ୍ସ, କମର୍ସ ଯେକୌଣସି ବିଭାଗର ଛାତ୍ର ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ବ୍ୟବସାୟିକ ଶିକ୍ଷା ଭାବେ ଚୟନ କରିପାରିବେ ନିଜ ଶୈଳୀରେ ଛାତ୍ରଛାତ୍ରୀଙ୍କ ବୁଝିବା ଭଳି ଉପସ୍ଥାପନା କରିଥିଲେ । କିଭଳି ସ୍ନାତକ ଶିକ୍ଷା ପରେ ଫଟୋଗ୍ରାଫି ଏବଂ ସିନେମା ଶିଳ୍ପ କ୍ଷେତ୍ର ପ୍ରତି ଆକୃଷ୍ଟ ହୋଇ ଏହାକୁ ବ୍ୟବସାୟିକ ଭିତ୍ତିରେ ଆପଣାଇବାର ସିଦ୍ଧାନ୍ତ ନେଇ ସାରିଥିଲେ ଏବଂ ପୁଣି ସମ୍ଭବପର ଲାଗୁନଥିବା ଭଳି ବାୟୋଇନ୍ଫର୍ମେଟିକ୍ସ ବିଭାଗରେ ପଶି ଆଜି ଜଣେ ପରିଚିତ ପ୍ରଧ୍ୟାପକ ହୋଇପାରିଛନ୍ତି, ସେ ସଫଳ ଯାତ୍ରା କହିବା ଦ୍ଵାରା ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା । ଲୋକପ୍ରିୟ ଓଡ଼ିଆ ଟିଭି ସୋ “ଖୋଲାକଥା” ମାଧ୍ୟମରେ ପ୍ରିତମ ପଣ୍ଡାଙ୍କୁ ଲୋକ ଲୋଚନକୁ ଆଣିଥିବା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ତଥା ସବୁବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୁବକ ବନ୍ଧୁମାନଙ୍କୁ ମାର୍ଗଦର୍ଶନ କରିଆସୁଥିବା ବେଳେ ଏହି ଆଲୋଚନାଚକ୍ରରେ ଉପସ୍ଥିତ ରହି ଏଭଳି ଉଚ୍ଚଶିକ୍ଷା ହିଁ ତୁମକୁ ନିଜସ୍ଵ ଠିକଣା ତିଆରି କରିବାର ସମ୍ଭାବନା ସୃଷ୍ଟି କରିବ ଏଣୁ ନିଜ ଶରୀରକୁ ବର୍ତ୍ତମାନ ପାଠପଢ଼ା ପାଇଁ ଯେତେ ଅଧିକ କଷ୍ଟ ଦେବ ପରବର୍ତ୍ତୀ ସମୟରେ ସେତିକି ବିଶାଳ ପୂର୍ଣ୍ଣ ଜୀବନ ବିତାଇବାର ଅବସର ଦେବ ବୋଲି ନିଜ ଅଭିଜ୍ଞତାରୁ କହିଥିଲେ । ଆର୍ଥିକ ଅଭାବକୁ ଏକ ବାହାନା ନକରି ଯଦି ଜଣେ ନିଷ୍ଠାର ସହ କିଛି ଚିରତାର୍ଥ କରିବାର ଶପଥ ନିଏ ଭଗବାନ ମଧ୍ୟ ବାଧ୍ୟ ହୁଅନ୍ତି ଏବଂ ମୁଁ ନିଜେ ଏହାର ଏକ ଉଦାହରଣ ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । କିଭଳି ଯମାରୁ ଇଂରାଜୀ ଭାଷା ଜାଣି ନଥିବା ବେଲଗୁଣ୍ଠାରୁ ଜର୍ମାନୀର ଲମ୍ବା ଯାତ୍ରା ବିଷୟରେ କହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଜେଏସ୍ଏମ୍, ବାଲାଜୀ, ଭୀମ ଭୋଇ ମେଡ଼ିକାଲ ବିଶ୍ଵ ବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ, ସରକାରୀ ଆଇଟିଆଇ, କେବିକେ ଆଇଟିଆଇ, ରୋଟାରୀ ଏଲାଇଟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମାହେଶ୍ଵରୀ ସଙ୍ଗଠନର ନିର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆର ନେତୃତ୍ଵ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା ସୌମ୍ୟ ରଞ୍ଜନ ବେହେରା କରିଥିବା ବେଳେ ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ବଲାଙ୍ଗିରର ବୁଦ୍ଧିଜୀବୀ ପ୍ରଭାକର ମିଶ୍ର, ସୁନିଲ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅରିନ୍ଦମ ପରିଛା, ସତ୍ୟ ଦାସ, ଗୋବିନ୍ଦ ଶତପଥୀ, ସୌମ୍ୟ ରଞ୍ଜନ ମିଶ୍ର, ଜ୍ୟୋତି ପ୍ରକାଶ ରଥ ରାମଦତ୍ତ ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ମାହେଶ୍ଵରୀ ସଙ୍ଗଠନର ସଭାପତି ଶୋଭନ କୁମାର ଅଗ୍ରୱାଲ, ସଦସ୍ୟ ଅପ୍ରମିତ ପରିଛା, ବିଷ୍ଣୁପ୍ରିୟା ପାଣି, କୃତ୍ତିକା ଅଗ୍ରୱାଲ, ବବିତା ନାଗ, ବୈଶାଳୀ ବୋହିଦାର, ଶିବ ପ୍ରସାଦ ମିଶ୍ର, ଦେବାଶିଷ ପାଣ୍ଡିଆ, ସ୍ମରଣିକା ନାୟକ, ସୁଶ୍ରୀତା ଠାକୁର, ମାନସ ସାହୁ, ରିତେଶ ଅଗ୍ରୱାଲ, ପଦ୍ମାଳୟା ବାରିକ, ସୁଷମା ବୋହିଦାର, ଘନଶ୍ୟାମ ସାହୁ, ସୁମିତ ପଟେଲ ସହଯୋଗ କରିଥିଲେ ।