
ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସକୁ ତୀର୍ଥକ୍ଷେତ୍ରରେ ପରିଣତ କରିବା ତଥା ବେଦବ୍ୟାସଙ୍କ ଜୀବନ ଦର୍ଶନ ତଥା ତାଙ୍କ ସୃଷ୍ଟି ସମ୍ଭାରର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅଗ୍ନିମୀଳେ ପୁରୋହିତମ୍ ଶୀର୍ଷକ ଉପରେ ଆଲୋଚନାଚକ୍ର ବାସନ୍ତୀ କଲୋନୀ ସ୍ଥିତ ବାସନ୍ତୀ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଗଠନର ଆବାହକ ବଦ୍ରୀ ନାରାୟଣ ପାଢ଼ୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ବାସନ୍ତୀ ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୂଦତ୍ତ ବେହେରା ବେଦବ୍ୟାସ ପୀଠ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତାଙ୍କର ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ବେଦ ଅଧୟନ ମାଧ୍ୟମରେ ମନୁଷ୍ୟ ଜୀବନରେ ପରିପୂର୍ଣ୍ଣତା ଲାଭ କରିପାରିବ ବୋଲି କହିଥିଲେ । ବେଦବ୍ୟାସ ପୀଠରେ ଭାରତର ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ଆଗମନ ହେଲେ ବ୍ୟାସକ୍ଷେତ୍ରର ମହନୀୟତା ପରିବ୍ୟାପ୍ତ ହେବ, ତେଣୁ ଏଭଳି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଫେସର ତ୍ରିପାଠୀ ମତ ରଖିଥିଲେ । ମୁଖ୍ୟବକ୍ତା ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ ସନାତନ ପ୍ରଧାନ ଆଲୋଚ୍ୟ ପ୍ରସଙ୍ଗକୁ ବ୍ୟାଖ୍ୟା କରି କହିଥିଲେ ଅଗ୍ନି ହେଉଛନ୍ତି ଗତିର ପ୍ରତୀକ । ସେ ହେଉଛନ୍ତି ବ୍ରହ୍ମ, ପୁରୋହିତ, ରିତ୍ୱଜ ତଥା ଯଜମାନ ଏବଂ ଯଜ୍ଞ କାର୍ଯ୍ୟର ମୁଖ୍ୟ । ସମସ୍ତ ପାର୍ଥିବ, ସାମାଜିକ ଓ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟ ପ୍ରଦାତା ଅଗ୍ରପୂଜ୍ୟ । ତେଣୁ ବେଦରେ ପ୍ରଥମେ ପ୍ରାର୍ଥନା କରାଯାଇଛି । ବେଦର ବିଭାଗୀକରଣ, ଅଷ୍ଟାଦଶ ପୁରାଣ ଓ ବ୍ରହ୍ମସୂତ୍ରର ରଚୟିତା କୃଷ୍ଣ ଦୈପାୟନ ବା ଭଗବାନ ବ୍ୟାସ ସମଗ୍ର ମାନବ ଜାତିର ପୂଜ୍ୟ ଗୁରୁ । କର୍ମ, ଜ୍ଞନ ଓ ଭକ୍ତି ଦ୍ବାରା ମାନବ ଜୀବନକୁ ଶୃଙ୍ଖଳିତ କରିବା ସହିତ ପରମାନନ୍ଦ ପ୍ରାପ୍ତିର ଅମୂଲ୍ୟ ମାର୍ଗଦର୍ଶୀକା ହେଉଛି ବ୍ୟାସ କୃତ ଶ୍ରୀମଦ୍ ଭଗବତ ଗୀତା । ଭୌଗୋଳିକ ସ୍ଥିତି ଓ କିମ୍ବଦନ୍ତୀ ଦ୍ବାରା ପୁଷ୍ଟ ଶଂଖ, କୋଇଲି ଓ ସରସ୍ବତୀଙ୍କ ସଂଗମ ତଥା ବ୍ରାହ୍ମଣୀର ଉତ୍ପତ୍ତି ସ୍ଥଳ ବେଦବ୍ୟାସ ତାଙ୍କ ଜନ୍ମ ସ୍ଥାନ ଭାବେ ପୂଜିତ । ଉକ୍ତ ମହାନ ପୀଠକୁ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର ପ୍ରାଣ କେନ୍ଦ୍ର ରୁପରେ ସର୍ବାଙ୍ଗୀନ ବିକାଶ ନିମିତ୍ତ ସମସ୍ତ ଯତ୍ନବାନ ହେବା ଉଚିତ । ବେଦବ୍ୟାସ ପୀଠ ବିକାଶ ମଞ୍ଚର ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ ମଞ୍ଚ ପରିଚାଳନା କରିବା ସହିତ ଭିତ୍ତି ଉପସ୍ଥାପନ ମାଧ୍ୟ୍ୟମରେ ଭାରତବର୍ଷର ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ରାଷ୍ଟ୍ରୀୟସ୍ତରର ମାନ୍ୟତା ପାଇବାକୁ ହେଲେ ଭିତ୍ତିଭୂମିର ବିକାଶ ସହ ଝୁଲାପୋଲର ଆବଶ୍ୟକତା, ପଥର ବନ୍ଧ କରାଯାଇ ଜଳଭଣ୍ଡାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଗଠନର ଉପଦେଷ୍ଟା ହୃଷିକେଶ ବଳିୟାରସିଂହ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଜ୍ଞାନୀଗୁଣି, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।