jayashree

ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ସମାରୋହ

  • ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଛେପାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ରୀତିନୀତିର ସହ ପୂଜାପାଠ ପୂର୍ବକ ଦିବସର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ, ଅନ୍ୟାନ୍ୟ କୃଷି ଓ କୃଷି ଆନୁସଙ୍ଗିକ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅଖିମୁଠି ଅନୁକୂଳ କରାଯାଇଥିଲା । ପରେ ପରେ ବୈଦ୍ୟନାଥ ପେକ୍ସ କେନ୍ଦ୍ର ପରିସରରେ ଜିଲ୍ଲାର ଚାଷୀମାନଙ୍କ ପାଇଁ ବିଭାଗ ତରଫରୁ କୃଷି ଓ କୃଷକ ସମ୍ୱନ୍ଧୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଦିବସ ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀମତୀ ସୁପାର ଠେଲା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ହରଡଖୋଲ ସରପଞ୍ଚ ମୋହନ କର୍ମୀ, ସମିତିସଭ୍ୟ ତଥା ବିଶିଷ୍ଟ କୃଷିବିତ୍‌ କରମଚାନ୍ଦ ମହାନ୍ତି, ହରଡ଼ଖୋଲ ପେକ୍ସ ସଭାପତି ରାଜକୁମାର ସୁନା ପ୍ରମୁଖ ମଂଚାସୀନ ଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଡ଼ ଶ୍ରୀନାଥ ଖଣ୍ଡାୟତ ରାୟ, ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ହୃଷିକେଶ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଅନନ୍ତ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ରମେଶ ଚନ୍ଦ୍ର ଦେହେରୀ, ଚାଷୀ ପ୍ରତାପ ଦେହେରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନାଚକ୍ରରେ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଅଗ୍ରଣୀଚାଷୀ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟଅତିଥି ଜିଲ୍ଲାର ଚାଷୀ ଓ ଚାଷ ରାଜ୍ୟର ଗର୍ବ ଗୌରବ ବୋଲି କହିବା ସହ ରାଜ୍ୟ ସରକାରଙ୍କ କୃଷି ଓ ଆନୁସଙ୍ଗିକ ବିଭାଗର ପ୍ରତ୍ୟେକ ଯୋଜନାକୁ ଆପଣେଇବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର କୃଷକମାନେ ପାରମ୍ପରିକ ଧାନ ଚାଷ ପରିବର୍ତ୍ତେ ଅଣଧାନ ଚାଷ ଏବଂ ମାଟିର ସୁରକ୍ଷା ଓ ଉର୍ବରତା ଉପରେ ଗୁରୁତ୍ୱ ଦେବା ସହିତ ଆଗାମୀ ଦିନରେ ଯୁଗୋପଯୋଗୀ ଚାଷ ଉପରେ ମନୋନିବେଶ କରି ବହୁବିଧ ଚାଷକୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ ଆନୁସଙ୍ଗିକ ବିଭାଗ ତଥା ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କୃଷି ଓ କୃଷି ସମ୍ୱନ୍ଧୀୟ ଆଧୁନିକ କୃଷି ଯନ୍ତ୍ରପାତି, ସାର କୀଟନାଶକ, ଆଧୁନିକ କୃଷି ପ୍ରଣାଳୀ ପ୍ରଭୁତିର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇ ପ୍ରଦର୍ଶିତ କରାଯାଇଥିଲା । ପୁନଶ୍ଚ ଦିବସ ଅବସରରେ କୃଷି ଓ ଆନୁସଙ୍ଗିକ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ପାଞ୍ଚ ଜଣ ଚାଷୀ ଶ୍ରୀମତୀ ରଶ୍ମିତା ବିଶି, ବଡ ଅଙ୍କରିଆଙ୍କୁ ପ୍ରାଣୀଧନକୃଷି, ଶଶୀଭୁଷଣ ସାହୁ, ବୈଦ୍ୟନାଥଙ୍କୁ ମସ୍ୟ କୃଷି, ଶ୍ରୀମତୀ ରିନୁ ପ୍ରଧାନ, ଅର୍ଜୁନପୁରଙ୍କୁ କୃଷି କ୍ଷେତ୍ରରେ, ଶେଷଦେବ ବଗର୍ତ୍ତୀ ଝାର କଦଳିପାଲିଙ୍କୁ ଜଳବିଭାଜିକା ପ୍ରକଳ୍ପ, ହରିଶଙ୍କର ପାଣିଗ୍ରାହୀ, ମଣିଗାଁଙ୍କୁ ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ । ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ତଥା ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଶ୍ରୀମତୀ ମିତାଳି ମଧୁମିତା ବିଶ୍ୱାଳ ଉପ ପ୍ରକଳ୍ପ ନିର୍ଦେଶକ ଆତ୍ମା, ବୈଠକରେ ସଂଯୋଜନା କରିଥିବା ବେଳେ ଲଳିତ କୁମାର ସାହୁ ଏଏଓ, ପ୍ରଣତି ପ୍ରଧାନ ବିଏଓ, ଆଶିଷ କୁମାର ସେଠୀ, ପ୍ରଶାନ୍ତ ସେଠୀ, ଝସକେତନ ମେହେର ପ୍ରମୁଖ ଗ୍ରାମ୍ୟ କୃଷି କର୍ମଚାରୀ, ହିମାଂଶୁ ପ୍ରଧାନ, ଅଲକ୍ଷ ନାରାୟଣ ଦାଶ ଓ ଅନ୍ୟାନ୍ୟ କୃଷି ବିଭାଗ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.