- ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ
- ହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ପାଇଁ ୬୬୮ ଛାମୁଆ କର୍ମଚାରୀ
ଭୁବନେଶ୍ୱର, (କେପିଏନ୍ଏସ୍) : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଇତି ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ଏହା ଜଣାପଡିଛି ।
ଯୋଜନାର କାର୍ଯ୍ୟାୟନ ଅଗ୍ରଗତି ସମୀକ୍ଷା କରି ହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ନିମନ୍ତେ ସର୍ବଦା ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଡ଼. ବୃନ୍ଦା ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟ ମିତ୍ର ପ୍ରମୁଖ ଛାମୁଆ କର୍ମଚାରୀମାନଙ୍କୁ ନିଦ୍ଦେଶ ଦେଇଥିଲେ । ଦାୟିତ୍ୱ ଦିଆଯାଇଥିବା ହସ୍ପିଟାଲର ବିଭିନ୍ନ ବିଭାଗ, ନିଦାନ କେନ୍ଦ୍ର, ୱାର୍ଡ, ଆଇସିୟୁ ରୋଗୀ ଓ ସହାୟକମାନଙ୍କ ପାଇଁ ଥିବା ସୁବିଧା କେନ୍ଦ୍ର, ଆନୁସଂଗିକ ସେବା ସୁବିଧା ଆଦି ବିଷୟରେ ସଂପୂର୍ଣ୍ଣ ଅବଗତ ରହି ଲୋକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ଦେବା ସହ ବିଏସ୍କେୱାଇ କାର୍ଡଧାରୀ ରୋଗୀମାନଙ୍କର ପଞ୍ଜିକରଣ, ଆଡମିଶନ୍, ନିଦାନ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ପରେ ହସ୍ପିଟାଲରୁ ଡ଼ିସଚାର୍ୟ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଦୂର ଦୂରାନ୍ତ ଗ୍ରାମରୁ ଆସିଥିବା ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଡ଼. ବୃନ୍ଦା ନିର୍ଦେଶ ଦେଇଥିଲେ ।
ନୋଡାଲ୍ ଅଫିସରମାନେ ନିୟମିତ ଭାବେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ସହ ହ୍ୱାଟସ୍ ଆପ୍ ଗ୍ରୁପ୍ ଓ ଭିଡିଓ କନଫେରନସିଂ ଆଦି ମାଧ୍ୟମରେ ସଂଯୋଜିତ ରହି ବିଏସ୍କେୱାଇର ପ୍ରକ୍ରିୟାଗତ ବୈଷୟିକ ବିଷୟର ଆଶୁ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ସୁଦ୍ଧା ଏହି ଯୋଜନାରେ ୬୮୧ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ଟି ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଏବଂ ୧୨୬ଟି ଓଡ଼ିଶା ବାହାର ରାଜ୍ୟମାନଙ୍କରେ ଅବସ୍ଥିତ । ବିଶେଷତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଂଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ପ୍ରସିଦ୍ଧ ସୁପର ସ୍ପେସାଲିଟି ହସ୍ପିଟାଲମାନେ ବିଏସ୍କେୱାଇ. ଯୋଜନାରେ ଯୋଗ ଦେଇଛନ୍ତି । ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡ଼ିକାଲ ସେଣ୍ଟର୍, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡ଼ିକାଲ କଲେଜ ଓ ନାରାୟଣ ହୃଦାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବିଏସ୍କେୱାଇ ଅନ୍ତର୍ଭୁକ୍ତ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟମିତ୍ର ଏବଂ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ । ଏହାଛଡା ହସ୍ପିଟାଲରେ ନିର୍ବିଘ୍ନ ରୋଗୀ ସେବାର ପରିଚାଳନା ନିମନ୍ତେ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କର୍ତ୍ତବ୍ୟରତ ଅଛନ୍ତି । ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି ।
ତାଲିକାଭୁକ୍ତ ହସ୍ପିଟାଲମାନଙ୍କର ସୂଚନା www.bsky.gov.inରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସନ୍ନିବଶିତ କରାଯାଇଛି । ବାହାର ରାଜ୍ୟରେ ରହୁଥିବା ବିଏସ୍କେୱାଇ କାର୍ଡ଼ଧାରୀ ଓଡ଼ିଶା ଲୋକ ଚିକିତ୍ସା ଦରକାର ହେଲେ ଏହି ୱେବ୍ ସାଇଟରେ ବିଏସ୍କେୱାଇ ତାଲିକାଭୁକ୍ତ ହସ୍ପିଟାଲ ନାମ ଦେଖି ଯିବା ପାଇଁ ପରାମର୍ଶ ଦିଆଯାଇଛି ।