ଅଦିନିଆ ବର୍ଷା ଉଜାଡି ଦେଲା ଚାଷ : ଚକ୍ରବ୍ୟୁହରେ ଚାଷୀ

ଜୟପାଟଣା, (ଶେଷ ଦେବ ବେହେରା) : ପାଞ୍ଚ ମାସ ଧରି ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମରେ ସଜାଡି ରଖିଥିବା ଚାଷ ଏବେ ଉଜୁଡ଼ି ଯାଉଛି । ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ମିଗ୍‌ଜୋମ୍‌ ପ୍ରଭାବରେ ଜୟପାଟଣା ଅଞ୍ଚଳରେ ହୋଇଥିବା ୨୯ମିଲି ମିଟର ବର୍ଷା କ୍ଷେତରେ ପଡ଼ି ରହିଥିବା ଧାନକୁ ନଷ୍ଟ କରିବା ସହିତ ଖଳାରେ ପଡ଼ି ରହିଥିବା ଧାନ ମଧ୍ୟ ଗୁଣବତ୍ତା ହରାଉ ଥିବା ଦେଖିବାକୁ ମିଳୁଛି । ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀରୁ ଜଳସେଚନ ପାଇବା ପରେ ଜୟପାଟଣା ଅଞ୍ଚଳ କଳାହାଣ୍ଡି ଜିଲ୍ଲାର ଭାତ ହାଣ୍ଡିରେ ପରିଣତ ହୋଇଥିଲା । ଚଳିତ ବର୍ଷ ୨୨ହଜାର ହେକ୍ଟର ଜମିରେ ଖରିଫ ଜଳସେଚନର ସୁଯୋଗ ପାଇଥିବା ବେଳେ ଅବଶିଷ୍ଟ ୭ହଜାର ହେକ୍ଟର ଜମି ବର୍ଷା ପାଣିରେ ନିର୍ଭର କରିଥାଏ । ଚଳିତ ବର୍ଷର ସ୍ୱଳ୍ପ ବର୍ଷା ଅଣ ଜଳ ସେଚିତ ଅଞ୍ଚଳରେ ମରୁଡିର ଅବସ୍ଥା ସୃଷ୍ଟି କରିଥିବା ବେଳେ ଏବେ ଅମଳ ଅବସ୍ଥାରେ ଗତ ମଙ୍ଗଳବାର ଓ ବୁଧବାର ଦୁଇ ଦିନର ୨୯ମିଲି ମିଟର ବର୍ଷା ଅନେକ କ୍ଷତିସାଧନ କରିଥିବା ଦେଖିବାକୁ ମିଳୁଛି । ବିଳମ୍ବିତ ମଣ୍ଡି ଓ ଧାନ ଉଠାଇ ବାରେ ବିଳମ୍ବ ସାଙ୍ଗକୁ ଦୂରଗାମୀ ଟୋକନ ବ୍ୟବସ୍ଥା ଚାଷୀଙ୍କୁ ସମ୍ପୂର୍ଣ୍ଣ ଚକ୍ରବ୍ୟୂହ ମଧ୍ୟକୁ ଟାଣି ନେଇଛି ବୋଲି ଆଲୋଚନା ହେଉଛି । ଧାନ ଅମଳ ନଭେମ୍ବର ମାସରୁ ଆରମ୍ଭ ହୋଇ ସାରିଥିବା ବେଳେ ଡିସେମ୍ବର ପ୍ରଥମ ସପ୍ତାହରୁ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଆସୁଥିବା ଜୟପାଟଣା ବ୍ଲକର ପାଞ୍ଚଟି ସେବା ସମବାୟ ସମିତି ଅଧିନରେ ଆସୁଥିବା ୨୨ଟି ମଣ୍ଡିରୁ ଧାନ କିଣା ପରିଚାଳିତ । ଅଦ୍ୟାବଧି ୧୭ଟି ମଣ୍ଡି ଖୋଲି ନ ଥିବା ବେଳେ ମାତ୍ର ପାଞ୍ଚଟି ମନ୍ଦିର ପଚାଶ ଜଣ ଚାଷୀଙ୍କ ଠାରୁ ୨୮୮୮.୮୮ କ୍ଵିଣ୍ଟାଲ ଧାନ କିଣା ଯାଇଥିବା ସୂଚନାରୁ ପ୍ରକାଶ । ଜୟପାଟଣା ବ୍ଲକର ପାଞ୍ଚଟି ସେବା ସମବାୟ ସମିତିକୁ ୫,୦୬, ୦୦୦ କ୍ଵିଣ୍ଟାଲ ଧାନ କିଣିବା ପାଇଁ ଟାରଗେଟ୍ ଦିଆଯାଇଥିବା ବେଳେ ଅବଶିଷ୍ଟ ଧାନ କ୍ରୟ ପାଇଁ କେତେ ସମୟ ଲାଗିବ ତାହା ସହଜରେ କରାଯାଉଛି । ପୁନଶ୍ଚ ଜାନୁଆରୀ ପ୍ରଥମ ସପ୍ତାହରୁ ରବିଚାଷ ଆରମ୍ଭ ହେଉଥିବାରୁ ଚାଷୀଙ୍କୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ବିକ୍ରି କରିବା ପାଇଁ ଦିଆଯାଇଥିବା ଟୋକନ ଚାଷୀଙ୍କ ପରବର୍ତ୍ତୀ ଚାଷ ପାଇଁ ପ୍ରଶ୍ନ ଉଠାଇ ସାରିଲାଣି । ସାଂପ୍ରତିକ ଅଦିନିଆ ବର୍ଷା ରବି ଚାଷକୁ ନଜରରେ ରଖି ଧାନ କିଣା ପର୍ବକୁ ଡିସେମ୍ବର ମଧ୍ୟରେ ପୂର୍ଣ୍ଣାଙ୍ଗ କରି ଚାଷୀଙ୍କ କ୍ଷୟକ୍ଷତି ଆକଳନ ସହ ପରବର୍ତ୍ତୀ ଚାଷ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଦାବି ହେଉଛି ।

Leave A Reply

Your email address will not be published.