ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ୩୧ ନମ୍ବର ବେଲଗାଁ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିତାରାଣୀ ହାତୀଙ୍କ କଅଁସର ଓ ଘୁନସର ପଞ୍ଚାୟତର ଗ୍ରାମଗୁଡିକୁ ପ୍ରଚାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆସିଥିବା ବେଳେ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା । ସଂଘ ପକ୍ଷରୁ ମନ୍ତ୍ରୀଠାରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ ଯେ, କାହିଁକି ଆଦିବାସୀ କୁଟା କାଟିଲେ ରାଜ୍ୟ ସରକାର । ତେବେ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆଦିବାସୀମାନେ ଚେତାବନୀ ଦେଇଥିବା ବେଳେ ହଟହଟା ହୋଇ ମନ୍ତ୍ରୀ ଭୁସ୍କିମାଲ ଗ୍ରାମରୁ ଫେରି ଆସିଥିଲେ । ସମସ୍ତ ସ୍ଥାନରେ ବିଜେଡିର କାର୍ଯ୍ୟକ୍ରମ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ମଧ୍ୟ ଦେଇଥିଲେ । ପରେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ସହ ଡୁମେରମୁଣ୍ଡା ଗ୍ରାମକୁ ଆସିବା ପରେ ସଭାରେ ଭାଷଣ ଦେଉଥିଲେ ସେହି ସମୟରେ ସଂଘ ପକ୍ଷରୁ ତୀବ୍ର ବିରୋଧ କରିଥିଲେ ଓ କିଛି ବିଜେଡିର କର୍ମୀମାନେ ଆଦିବାସୀ ମହିଳାମାନଙ୍କୁ କଣ୍ଠରୋଧ କରିବା ପାଇଁ ଦାଦାଗିରି କରିଥିଲେ । ଏହି ସମୟରେ ଆଦିବାସୀ ମହିଳା, ବିଜେଡ଼ି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।