ବ୍ଲକ ମୁଖ୍ୟାଳୟରେ କର୍ମଚାରୀ ରହୁନଥିବା ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ସମ୍ପ୍ରତି ନାନାଦି ଅରାଜକତା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । କିଛି ମାସ ତଳେ ଏଠାରେ ନୂତନ ବିଡ଼ିଓ ଭାବେ ଯୁଧିଷ୍ଠିର ମେହେର ଯୋଗ ଦେଇଛନ୍ତି । ତେବେ ତାଙ୍କର ଯୋଗଦାନ ପରେ ମଧ୍ୟ ପଞ୍ଚାୟତ ସମିତିରେ ବିଶେଷ କିଛି ଆଖିଦୃଶିଆ ସୁଧାର ଆସିପାରି ନାହିଁ । ବ୍ଲକର ସହକାରୀ ଯନ୍ତ୍ରୀ, ବିଡ଼ିଓ ଏବଂ ଜିପିଇଓଙ୍କୁ ଛାଡ଼ିଦେଲେ ବ୍ଲକ ମୁଖ୍ୟାଳୟରେ କୌଣସି କର୍ମଚାରୀ ରହୁନାହାନ୍ତି । ସମସ୍ତ କର୍ମଚାରୀ ଏଠାରୁ ୧୮ କିମି ଦୂର ବଲାଙ୍ଗିରରୁ ଯିବା ଆସିବା କରୁଛନ୍ତି । ଦିନ ୧୨ଟା ପୂର୍ବରୁ କୌଣସି କର୍ମଚାରୀ ବ୍ଲକରେ ପହଞ୍ଚି ପାରୁ ନଥିବା ବେଳେ ଅଫିସ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏପରିକି ଦୂର ଦୁରାନ୍ତରୁ ବିଭିନ୍ନ କାମ ନେଇ ବ୍ଲକକୁ ଆସୁଥିବା ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ବ୍ଲକରେ କର୍ମଚାରୀଙ୍କ ଉପସ୍ଥାନ ଠିକ୍ ସମୟରେ ସୁନିଶ୍ଚିତ କରାଯିବା ପାଇଁ ଏକ ବାଇଓମେଟ୍ରିକ ମେସିନ ସ୍ଥାପନ କରାଯିବାର ଆବଶ୍ୟକତା ରହିଥିଲେ ହେଁ ସେ ଦିଗରେ କୌଣସି ଦୃଷ୍ଟି ଦିଆଯାଉ ନାହିଁ । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.