om academy

ଗୋଟିଏ ରାତ୍ରରେ ସାମ୍ବାଦିକଙ୍କ ସମେତ ୩ ଘରୁ ଚୋରି ଅଭିଯୋଗ

jsm

ନବରଙ୍ଗପୁର : ନବରଙ୍ଗପୁରରେ ଗୋଟିଏ ରାତ୍ରରେ ତିନୋଟି ଚୋରି ହୋଇଥିବା ଜଣାପଡିଛି । ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଯୁବ ସାମ୍ବାଦିକଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଏ ସଂପର୍କରେ ସାମ୍ବାଦିକ ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ନବରଙ୍ଗପୁରର ମାଝୀଗୁଡାଠାରେ ରହୁଥିବା ସାମ୍ବାଦିକ ତାଙ୍କର ମାଆଙ୍କର ଅସୁସ୍ଥତା କାରଣରୁ ସେ ନୂଆବନ୍ଧ ସାହି ଘରେ ବାପା ମାଆଙ୍କର ନିକଟରେ ରାତ୍ରରେ ରହିଥିଲେ । ସୋମବାର ସକାଳୁ ତାଙ୍କର ଘର ପାଖରେ ରହୁଥିବା ପଡୋଶୀ ଘରର ଛାତ ଉପରେ ଥିବା ଝରକା ଭାଙ୍ଗି ଖୋଲା ହୋଇଥିବା ସଂପର୍କରେ ଫୋନ କରି କହିଥିଲେ । ଏହାପରେ ସାମ୍ବାଦିକ ପହଞ୍ଚି ଦେଖିବାବେଳେକୁ ତାଙ୍କର ଘର ଭିତରର ଆଲମିରା ଭାଙ୍ଗି ଗୋଟିଏ ସୋନୀ ଭିଡିଓ କ୍ୟାମେରା, ଦୁଇଟି ଫଟୋ କ୍ୟାମେରା, ଗୋଟିଏ ମୋବାଇଲ, ଗୋଟିଏ ମାଇକ, ଦୁଇଟି ସ୍ପିକର, ଗୋଟିଏ ଟଙ୍କା ଥିବା କୁଣ୍ଡି, ତିନିହଳ ପୋଷାକ, ୧୦ଟି ଚିପ, ୪ଟି ପେନଡ୍ରାଇଭ୍‍, ୫ଟି ବ୍ଲୁଟୁଥ ଇୟର ଫୋନ, ରୂପା ମୁଦି ୨ଟି, ରୂପା ପାଉଁଜି ଗୋଟିଏ, ନଗଦ ୩ ହଜାର ଟଙ୍କା ଚୋରି ହୋଇଛି । ତେବେ ଥାନା ଅଧିକାରୀ ନରେଶ ପ୍ରଧାନ, ଏସଏସଆଇ ଆଶୋକ ଦେଓ ସମେତ ପୁଲିସ ଦଳ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିବା ବେଳେ ବର୍ଷା କାରଣରୁ କୁକୁର କିଛି ଜାଣି ପାରିନଥିଲା, ତେବେ ସନ୍ଧ୍ୟା ସୁଦ୍ଧା ପୁଲିସ ଟେର୍‍ ପାଇପାରି ନଥିବା ଜଣାପଡିଛି । ଏହାଛଡା ଥାନାର ଅନତି ଦୂରରେ ମୁଖ୍ୟ ରାସ୍ତାରେ ଥିବା ଜେଇଏଲସି କମ୍‌ପ୍ଲେକ୍ସ ଋଷି ଆଚାରୀଙ୍କର ରୂପା ଦୋକାନର ପଛପଟୁ କଣା କରି ରୂପା ଜିନିଷ ଚୋରି କରାଯାଇଛି । କେତେ ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ସେହିପରି ଗାନ୍ଧିନଗର ହିର୍ଲି ଅଞ୍ଚଳରେ ଜିଲ୍ଲା ବାରିକ ସଂଘ ନିକଟରେ ଥିବା ଜଣକର ଘରୁ ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ତାଙ୍କର ଘରର ଆସବାବ ପତ୍ର ଚୋରି ହୋଇଛି । ସେହିପରି କିଛି ଦିନ ତଳେ ଗୌଡ ସାହିରେ ଥିବା ସୁରେଶ ମିଶ୍ରଙ୍କର ଘରୁ ଦିନ ବେଳେ ଚୋରି ହୋଇଥିଲା । ଏହାଛଡା ସହର ଭିତରେ ଗତ ସପ୍ତାହରେ ଏକ ହତ୍ୟାକାଣ୍ଡ ମଧ୍ୟ ହୋଇଥିଲା । ତେବେ ସହରରେ ବାରମ୍ବାର ଚୋରି ଓ ଅପରାଧ ବଢୁଥିବା ବେଳେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉ ନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.