jayashree

ଇ ହେଲଥ ଯୋଜନାରେ ଅନିୟମିତତା ଅଭିଯୋଗ

  • କାର୍ଯ୍ୟ କରୁଥିବା କର୍ମଚାରୀ ଦୀର୍ଘ ୫ ମାସ ହେଲାଣି ଦରମା ପାଇନାହାଁନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଡିଏମ୍‌ଏଫ୍‌(ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ), ସୁନ୍ଦରଗଡ ତରଫରୁ ଜିଲ୍ଲାବାସୀଙ୍କୁ ମାଗଣା ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ଶିବିର ବା ଭିଏଚ୍‌ଏନ୍‌ଡି ନାମରେ ସେବା ଯୋଗାଇ ଆସୁଛନ୍ତି । ୨୦୨୧ ମସିହା ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ସଂପ୍ରତି ଜିଲ୍ଲାର ଲେଫ୍ରିପଡା, ହେମଗିରି, ଜାରଙ୍ଗଲୋଇ, କୁଆରମୁଣ୍ଡା, ତିଲକାନଗର, ଡିଏଭି ଛକ, ରାଜଗାଙ୍ଗପୁର, ଗୁରୁଣ୍ଡିଆ, କୋଇଡା, ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ, କଲୁଙ୍ଗା ଆଦି ଅଂଚଳରେ ଏହି ସେବା ଯୋଗାଇ ଦିଆଯାଉଛି । ତେବେ ଅଭିଯୋଗ ହୋଇଛି ଯେ, ଗତ ମାସ ମଧ୍ୟରେ ଯେତେ ଜାଗାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି କୌଣସି ଜାଗାରେ ପୂରା ପାରାମିଟର ଟେଷ୍ଟ ହୋଇନାହିଁ । ଉଦାହରଣ ସ୍ୱରୂପ କଲୁଙ୍ଗା ବ୍ଲକରେ ହୋଇଥିବା ପାଖାପାଖି ୪୦୦ ଜଣ ଓ ସୁନ୍ଦରଗଡ ଜିଲ୍ଲା ହେଡକ୍ବାଟର ଅଂଚଳରେ ପ୍ରାୟ ଦେଢ ହଜାର ଲୋକଙ୍କ ଟେଷ୍ଟ ରିପୋର୍ଟରେ ଇଲୋକ୍ଟ୍ରୋଲାଇଟ, ଏସଜିଓଟି, ଏସଜିପିଟି, କ୍ଲୋରେଷ୍ଟ୍ରାଲ, ଏଲଡିଏଲ, ଆର୍‌ବିଏସ୍‌, ଏଫ୍‌ବିଏସ୍‌, ପିପିବିଏସ୍‌, ସିଏଚ୍‌ ରେସିଓ ଏବଂ ଇସିଜି ଆଦିର ରିପୋର୍ଟ ଦିଆଯାଉନାହିଁ । ଶୁଣିବାକୁ ମିଳୁଛି ଯେ, ଇ ହେଲଥ୍‌ କମ୍ପାନୀ (ଇ ହେଲଥ ସିଷ୍ଟମ୍ ଟେକ୍ନୋଲୋଜୀ, ପୁଣେ) ଟାର୍ଗେଟ ପୂରଣ ପାଇଁ ତରବରିଆ ଭାବରେ ଏଭଳି ରିପୋର୍ଟ ଦେଉଛନ୍ତି । ସେହିଭଳି ଏହି କମ୍ପାନୀ ୭ଲକ୍ଷ ଟଙ୍କା ନେଇ ରାଉରକେଲାର ଶ୍ରୀ ସାଇ ଏଣ୍ଟରପ୍ରାଇଜେସକୁ ରିଏଜେଣ୍ଟ ଭାବେ ଲାବୋରେଟରୀ ଟେଷ୍ଟ ପାଇଁ ସାମଗ୍ରୀ ଦେଇଥିଲେ ମଧ୍ୟ ବିଗତ ୪ମାସ ଧରି କୌଣସି ପେମେଣ୍ଟ ଦିଆଯାଇନାହିଁ । ସେହିପରି ଏହି କମ୍ପାନୀରେ କାମ କରୁଥିବା କୌଣସି ଷ୍ଟାଫ୍‌ଙ୍କୁ ବିଗତ ୫ମାସ (ଜାନୁଆରୀ ମାସରୁ)ଦରମା ଦିଆଯାଉନାହିଁ । ଅନ୍ୟପକ୍ଷେ ଏଠାରେ କାମ କରୁଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇନାହିଁ । ଏ ସଂପର୍କରେ କଂପାନିରେ କାମ କରୁଥିବା କର୍ମଚାରୀମାନେ ପଚାରିଲେ, କହୁଛନ୍ତି କାମ ଛାଡିଦିଅ । ଏହି କଂପାନି କାମରେ ଯୋଗ ଦେବା ବେଳେ କୌଣସି ଟାର୍ଗେଟ ନଥିବା ବେଳେ ଏବେ ୩୦ ହଜାର ଟାର୍ଗେଟ ହେଲେ ଦରମା ଦିଆଯିବା କଥା କହୁଛନ୍ତି ବୋଲି ଅଭିଯୋଗ ହେଉଛି । ଏହି କାର୍ଯ୍ୟରେ କର୍ମଚାରୀଙ୍କୁ ଲଗାଇ ଥିବା ସିନେଟ୍ କଂପାନିର ରାଜ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ କିଛି ଅସୁବିଧା ହୋଇଛି । ତେବେ ୩୦ ହଜାର ଟାର୍ଗେଟକୁ ପୂରଣ କରିବା ପାଇଁ କିଛି ବାକି ଅଛି । ଏହା ସହ ସବୁ ପାରାମିଟର ଟେଷ୍ଟ ହେଉଛି ବୋଲି କହିଥିଲେ । ପୁଣେ କଂପାନିର ପ୍ରଡକ୍ସନ ହେଡ ସ୍ବପ୍ନିଲ କୁହନ୍ତି ଯେ, ଜିଲ୍ଲାପାଳ ୩୦ ହଜାର ଟାର୍ଗେଟ ଦେଇଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୨୭୫୦୦ ଟେଷ୍ଟ ହୋଇଗଲାଣି । ବାକି ଆଉ କିଛି ହୋଇଗଲେ ଜୁନ ମାସ ୧୫ ତାରିଖ ବେଳକୁ ଦରମା ଦିଆହୋଇଯିବ । ଏ ସଂପର୍କରେ ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଲେ ଯେ, ଦରମା ମିଳିନାହିଁ ବୋଲି ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ଅନ୍ୟ ପଟରେ ଡିଏମ୍‌ଏଫ୍‌ର କର୍ମକର୍ତ୍ତା ମୁନମୁନ ଦାସ ମହାପାତ୍ର କହିଲେ ଯେ, ସ୍ବାସ୍ଥ୍ୟ ପରୀକ୍ଷାରେ କୌଣସି ପାରାମିଟର ପରୀକ୍ଷା ହୋଇନଥିଲେ ତାହା କାର୍ୟ୍ୟକାରୀ ହେବନାହିଁ କି ଅଧା କାମ କରିଥିଲେ ପଇସା ମିଳିବ ନାହିଁ । ତେବେ ସେ ଏସଂପର୍କରେ ଦୃଷ୍ଟି ଦେବେ ବୋଲି କହିଥିଲେ । ଯଦି ଏହା ସତ, ତେବେ ଟେଷ୍ଟରେ ଥିବା ପ୍ରାୟ ୪୦ଟି ପାରାମିଟରରୁ ମାତ୍ର ୧୨/୧୫ଟି ଟେଷ୍ଟ କରିଦେଇ କିପରି ଟାର୍ଗେଟ ପୂରଣ ହେବ ସେନେଇ ଚେଷ୍ଟା ଚାଲିଛି । ଅନ୍ୟ ପଟରେ ଜୁନ ମାସ ୧୫ ତାରିଖ ପାର ହେଲାଣି । କାମ କରୁଥିବା କର୍ମଚାରୀ ୫ମାସ ହେଲାଣି ଦରମା ନପାଇ ହଇରାଣ ହେଉଛନ୍ତି । ତେଣୁ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.