ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରାରେ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସବୁଜ ସଂଘ କଳା ନିକେତନ, କେରା ୧୯୭୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଗାଁର ବଛା ବଛା ଯାତ୍ରା କଳାକାର ମାନଙ୍କ ଦ୍ୱାରା । ଆଜି ସେହି ଅନୁଷ୍ଠାନ ଦୀର୍ଘ ଅଣଚାଶ ବର୍ଷ ଅତିକ୍ରମ କରି ସାରିଛି । ବିଚ୍ଛିନ୍ନାଞ୍ଚଳ ସିଂହଭୂମିର ଗାଆଁ ଗହଳିରେ ଓଡ଼ିଆ ଭାଷାକୁ ଜୀବିତ ରଖିବା ପାଇଁ ପାଲା, ଦାଶକାଠିଆ, ଗୋଟିପୁଅ ନୃତ୍ୟ ଆଦି ଭଳି ଯାତ୍ରା ନାଟକ ସବୁଠାରୁ ସଶକ୍ତ ମାଧ୍ୟମ । ନୃତ୍ୟ, ସଙ୍ଗୀତକଳାକୁ ବଞ୍ଚାଇ ରଖିବା ସଙ୍ଗେ ସଙ୍ଗେ ଉକ୍ତ ଅନୁଷ୍ଠାନ ମନୋରଞ୍ଜନ ସହିତ ଓଡ଼ିଆ ଭାଷାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛି । ଇତି ମଧ୍ୟରେ ୭୪ ଖଣ୍ଡ ନାଟକ ଶତାଧିକ ମଞ୍ଚରେ ମଞ୍ଚସ୍ଥ ହୋଇ ଆଦୃତି ଲାଭ କରିଛି । ଐତିହାସିକ ନାଟକ ‘ହଳଦୀଘାଟ’ରୁ ଆରମ୍ଭ ହୋଇ ବିଭିନ୍ନ ଐତିହାସିକ, ପୌରାଣିକ, କାଳ୍ପନିକ ନାଟକ ସହିତ ସାମାଜିକ ନାଟକ ନିରନ୍ତର ମଞ୍ଚସ୍ଥ କରିଆସୁଛି ଏହି ଅନୁଷ୍ଠାନ । ଷଢେଇକଳାର ଉତ୍କଳ ମଣି ଆଦର୍ଶ ପାଠାଗାର ଆନୁକୁଲ୍ୟରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନୁଷ୍ଠାନ ନିଜର ବିଜୟ ପତାକା ଉଡାଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର ସହିତ ଶ୍ରେଷ୍ଠ ନାୟକ, ଶ୍ରେଷ୍ଠ ଗାୟକ, ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା, ଶ୍ରେଷ୍ଠ ନୃତ୍ୟନାଟିକା ଓ ଡୁଏଟ୍‌, ଶ୍ରେଷ୍ଠ ଶିଶୁ କଳାକାର, ଶ୍ରେଷ୍ଠ ଚରିତ୍ର ଅଭିନେତା, ଶ୍ରେଷ୍ଠ ନାୟିକାର ମାନପତ୍ର ଓ ସମ୍ମାନ ଲାଭ ସହ ପାଞ୍ଚ ବର୍ଷଧରି ନିରନ୍ତର ନାଟକ ମଞ୍ଚସ୍ଥ କରିଥିଲା । ଆସନ୍ତା ରଥଯାତ୍ରା ଉପଲକ୍ଷେ ଏହି ଅନୁଷ୍ଠାନ ୭୫ତମ ଭେଟିରେ ମଞ୍ଚସ୍ଥ କରିବା ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି କରି ଚାଲିଛି ଧଉଳି ଗଣନାଟ୍ୟ ଅଭିନୀତ ସୁପର୍ ଡୁପର୍ ହିଟ୍ ନାଟକ ‘କଳାକାହ୍ନୁ ମୋର କାଳିଆ ସୁନା’ ।

Leave A Reply

Your email address will not be published.