oum

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

jsm

ଭୁବନେଶ୍ୱର, (ପିଆଇବି) : ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି ସ୍ନାତକୋତ୍ତର ବିଭାଗ, ୮ଟି ସେଣ୍ଟର ଅଫ ଏକ୍ସଲେନ୍ସ ଓ ଗୋଟିଏ ଇଣ୍ଟର ନ୍ୟାସନାଲ ସେଲ୍ ସହିତ ଏହି ବିଶ୍ୱବିଦ୍ୟାଳୟ ଯଥାର୍ଥରେ ଓଡ଼ିଶାର ଶିକ୍ଷା କ୍ଷେତ୍ରର ଏକ ଆକର୍ଷଣ । ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ବା ‘ନ୍ୟାକ୍’ ଦ୍ୱାରା ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ଗ୍ରେଡ୍ ମାନ୍ୟତା ପାଇଥିବାରୁ ମୁଁ ଏହି ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ଏହି ମାନ୍ୟତା ଉତ୍କଳ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷାର ମାନ ଏବଂ ଉତ୍କର୍ଷ ପାଇଁ ସାଲିସହୀନ ନୀତିର ଅନୁପାଳନକୁ ପ୍ରତିଫଳିତ କରୁଛି ।
ପ୍ରିୟ ଛାତ୍ରଛାତ୍ରୀ,
କହିବା ଅନାବଶ୍ୟକ ଯେ ସମାବର୍ତ୍ତନ ଆପଣମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ତଥାପି ଏହି ମାଇଲଖୁଣ୍ଟ ଏକ ଯାତ୍ରାର ଆରମ୍ଭ ମାତ୍ର ।
ଏ ପର୍ୟ୍ୟନ୍ତ ପହଞ୍ଚି ପାରିବା ସ୍ୱୟଂ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ସେଥିପାଇଁ ଆପଣମାନଙ୍କୁ ଅଭିନନ୍ଦନ । ଉତ୍ସାହ, ଅଧ୍ୟବସାୟ, ତପସ୍ୟା ଏବଂ ଶିଖିବା ପାଇଁ ମୁକ୍ତ ମନ ଭଳି ବ୍ୟକ୍ତିଗତ ଯୋଗ୍ୟତା ଯାହା ସବୁ ଆପଣମାନେ ଏଠାରେ ଅର୍ଜନ କରିଛନ୍ତି ସେ ସବୁ ସାରା ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ । ସେହିସବୁ ଉପଲବ୍ଧିକୁ ଅବ୍ୟାହତ ରଖିବାର ଆବଶ୍ୟକତା ରହିଛି । ସେସବୁ ଗୁଣ ଆପଣମାନଙ୍କୁ ଜୀବନବ୍ୟାପି ଦିଗ୍ଦର୍ଶନ ଦେବ ।
ଆପଣମାନଙ୍କ ମଧ୍ୟରୁ ଅନେକ ବିଶ୍ୱବିଦ୍ୟାଳୟର ସୀମିତ ପରିସରରୁ ବାହାରି ନୂଆ ଦୁନିଆରେ ପ୍ରବେଶ କରିବେ; ଯେଉଁଠି ଅନେକ ସମସ୍ୟା ଓ ଆହ୍ଵାନ ରହିଛି ।
ଏହି ପରିବର୍ତ୍ତନ ସହଜ ନୁହେଁ । ମୁଁ କିନ୍ତୁ ନିଶ୍ଚିତ ଯେ ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ । “ଆତ୍ମବିଶ୍ୱାସର ସହ ବିଶ୍ଵର ସମ୍ମୁଖୀନ ହୁଅ” – ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ । ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ । ଏହା ମଧ୍ୟ ଚରିତ୍ର ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାରେ ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ।
ପ୍ରିୟ ବନ୍ଧୁଗଣ,
ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରାକୁ ଆମେ ଭୁଲିଯିବା ଅନୁଚିତ । ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଏକଦା ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବିଦ୍ୟାର୍ଥୀ ବହୁବିଷୟକ ଓ ଜୀବନ୍ତ ପରିବେଶରେ ଅଧ୍ୟୟନ କରୁଥିଲେ ।
ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ସେହି ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ । ଦେଶକୁ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ତ୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ ।
ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ । ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା; ଯାହା ଫଳରେ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ । ଓଡ଼ିଶାର ନରପତିମାନେ ଦକ୍ଷିଣ ପୂର୍ବ ଏସିଆ ସହିତ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରାଇଥିଲେ । କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ । କାଳିଦାସ ତାଙ୍କର ପ୍ରସିଦ୍ଧ କୃତି ରଘୁବଂଶରେ କଳିଙ୍ଗ ନୃପତିଙ୍କୁ ସାଗରାଧିପତି ଭାବେ ବର୍ଣ୍ଣନା କରିଛନ୍ତି । ଏଥିରୁ ସାଗର ଉପରେ କଳିଙ୍ଗର ପ୍ରଭାବର ସୂଚନା ମିଳେ । କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍ଖନନରୁ ମିଳିଥିବା ବହୁସଂଖ୍ୟକ ମୁଦ୍ରା, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାଜର ପରିଚୟ ମିଳେ ।
ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି । ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।
ପ୍ରିୟ ଛାତ୍ରଛାତ୍ରୀ,
ମୁଁ ଚାହେଁ ଆପଣମାନେ ସେମାନଙ୍କ କାହାଣୀରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରନ୍ତୁ । ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ।
ମୁଁ ମଧ୍ୟ ଆପଣମାନଙ୍କୁ ଓଡ଼ିଶାର ଭୌମକର ବଂଶର ବିଶେଷତ୍ୱ ସମ୍ପର୍କରେ ସ୍ମରଣ କରାଇଦେବାକୁ ଚାହେଁ । ଏହି ରାଜବଂଶର ଅନେକ ମହିଳା ଶାସକ କ୍ରମାଗତ ଭାବେ ନବମରୁ ଦଶମ ଶତାବ୍ଦୀ ଯାଏ ଶାସନ କରିଥିଲେ । ଭୌମକର ରାଣୀମାନେ ପୁରୁଷ ପ୍ରଧାନ ଶାସନ ବ୍ୟବସ୍ଥାକୁ ଭାଙ୍ଗି ପ୍ରାୟ ୨୦୦ବର୍ଷ ଯାଏ ରାଜ୍ୟ ଶାସନ କରିବାରେ ସଫଳ ହୋଇଥିଲେ । ଏହି ଉଜ୍ଜ୍ୱଳ ଉଦାହରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଉଛି ସେମାନେ ଏହି କାହାଣୀ ସବୁ ପଢ଼ନ୍ତୁ ଏବଂ ଲିଙ୍ଗଗତ ପାତର ଅନ୍ତର ବିରୋଧରେ ଲଢ଼ିବାକୁ ଶପଥ ନିଅନ୍ତୁ । ବାସ୍ତବରେ ଜାତିବାଦ, ସାମ୍ପ୍ରଦାୟିକତା, ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇ କରିବା ପାଇଁ ଆମ ଯୁବ ସମାଜ ସର୍ବଦା ଆଗରେ ରହିବା ଆବଶ୍ୟକ ।
ଓଡ଼ିଶାର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ।
ଏଠାରେ ମୁଁ ଯୋରଦେଇ ସହ କହିବାକୁ ଚାହେଁ ଯେ ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସମ୍ମାନବୋଧ ଏବଂ ସମ୍ବେଦନଶୀଳତା ରହିବା ଆବଶ୍ୟକ । ଏ କ୍ଷେତ୍ରରେ ପୈତୃକ ଦୃଷ୍ଟିକୋଣ ଠିକ୍ ନୁହେଁ ସତକଥା ହେଲା ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ଆମର ଅନେକ କିଛି ଶିଖିବାର ଅଛି। ସେମାନେ ପ୍ରକୃତି ସହ ସଦ୍ଭାବ ଓ ସମନ୍ୱୟ ରଖି ଅତି ସରଳ ଜୀବନଯାପନ କରନ୍ତି ।
ତଫସିଲଭୁକ୍ତ ଜାତି ଓ ଉପଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ (ଏସ୍ସିଏସ୍ଟିଆର୍ଟିଆଇ)ର ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଉପରେ କୋଭିଡ୍ ମହାମାରୀର ପ୍ରାୟ କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ନିଜର ଅନୁପମ ରୀତିନୀତି ଓ ପରମ୍ପରା ପାଳନ କରି ସଂକ୍ରମଣକୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି । ଏହି ଅଧ୍ୟୟନ ଅନୁସାରେ ଆଦିବାସୀମାନେ ଅଭ୍ୟାସତଃ ସଂଘବଦ୍ଧ ବା ଗୋଷ୍ଠୀରେ ନ ଯାଇ ଧାଡ଼ିରେ ଯାଆନ୍ତି । ଚାଲିବାବେଳେ ସେମାନେ ପରସ୍ପର ଠାରୁ ଉପଯୁକ୍ତ ଦୂରତ୍ୱ ରକ୍ଷା କରନ୍ତି । ଏଭଳି ନିରାପଦ ଦୂରତ୍ୱ ରକ୍ଷା ଓ ସ୍ୱାସ୍ଥ୍ୟଗତ ନୀତି ପାଳନ କରିବା ଆଦିବାସୀ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଛଡ଼ା ସେମାନେ ପ୍ରାକୃତିକ ଖାଦ୍ୟ ଖାଇଥାଆନ୍ତି । ଏହା ଫଳରେ ମହାମାରୀ ସମୟରେ ସେମାନେ ନିରାପଦ ରହିଛନ୍ତି ।
ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଦିବାସୀ ସମୁଦାୟଙ୍କ ଏଭଳି ସକାରାତ୍ମକ ଦିଗ ସମ୍ପର୍କରେ ଧ୍ୟାନ କେନ୍ଦ୍ରିତ କରିବାକୁ ମୁଁ ପ୍ରସ୍ତାବ ଦେଉଛି । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକଥା ସ୍ଥାନ ପାଇବା ଆବଶ୍ୟକ । ମୁଁ ଚାହେଁ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ଉପରେ ଗବେଷଣା କରି ଏହି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ ।
ଓଡ଼ିଶା ଭଳି ରାଜ୍ୟପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିପର୍ୟ୍ୟୟ ପରିଚାଳନା । ଏହି ରାଜ୍ୟ ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ତେଣୁ ଆମ ଶିକ୍ଷାର ଆରମ୍ଭ କାଳରୁ ବିପର୍ୟ୍ୟୟ ପରିଚାଳନାକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବାର ବିଶେଷ ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତରେ ବିପର୍ୟ୍ୟୟ ମୁକାବିଲା କରିବାକୁ ଆମେ ଭଲଭାବେ ପ୍ରସ୍ତୁତ ହୋଇପାରିବା। ମୋର ଆଶା ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ।


ପ୍ରିୟ ଛାତ୍ରଛାତ୍ରୀ,
ଆପଣମାନେ ଆମର ପରବର୍ତ୍ତୀ ପିଢ଼ିର ଶିକ୍ଷକ, ଗବେଷକ, ପରିଚାଳକ, ବିଦ୍ୱାନ, ପ୍ରଶାସକ, ଓକିଲ ଓ ନେତା । ଆପଣମାନେ ମନେରଖିବା ଉଚିତ ଯେ ଆପଣମାନଙ୍କ ଭାଗ୍ୟ ରାଷ୍ଟ୍ରର ଭାଗ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହା କେବଳ ଏକ ଅତିଶୟୋକ୍ତି ନୁହେଁ; ଆପଣମାନେ ସେହି ଶୃଙ୍ଖଳା, ସାଧୁତା, ସଚ୍ଚୋଟତା ଓ କଠିନ ପରିଶ୍ରମକୁ ଭୁଲିବା ଅନୁଚିତ । କାରଣ ସାଧାରଣ ଜୀବନ ସହିତ ଯେକୌଣସି କ୍ଷେତ୍ର ପାଇଁ ଏସବୁ ସଫଳତାର ଚାବି । ବଞ୍ଚିତମାନଙ୍କ ଆବଶ୍ୟକତା ପ୍ରତି ଆପଣମାନେ ସମ୍ବେଦନଶୀଳ ହେବା ଆବଶ୍ୟକ ।
ଆମର ବିପୁଳ ଅର୍ଥନୈତିକ ସାମର୍ଥ୍ୟ ରହିଛି ଏବଂ ଏହା ମାଧ୍ୟମରେ ଆମେ ସମସ୍ତ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ଆଣିପାରିବା । ଆମେ କ୍ଷୁଧା, ବ୍ୟାଧି, ଅଜ୍ଞତା ଓ ଆମ ଅଭିବୃଦ୍ଧିକୁ ପ୍ରତିହତ କରୁଥିବା ପ୍ରତ୍ୟେକ ପ୍ରତିବନ୍ଧକ ବିରୋଧରେ ଯଥାର୍ଥ ଲଢ଼େଇ କରିପାରିବା । ଯୁବକମାନେ ହିଁ ପରିବର୍ତ୍ତନର ଚାବି । ସାମାଜିକ ସଚେତନତା ଓ ସମ୍ବେଦନଶୀଳତା ମାଧ୍ୟମରେ ଆମ ସ୍ୱପ୍ନ ଦେଖୁଥିବା ପରିବର୍ତ୍ତନ ଆଣିପାରିବା ।
ମୁଁ ଆପଣମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
ଆହ୍ୱାନକୁ ଗ୍ରହଣ କରି ପରିବର୍ତ୍ତନର ବାହକ ହେବାକୁ ଆହ୍ୱାନ ଜଣାଉଛି । ନିଜର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନିର୍ଦ୍ଧାରଣ କରି ନୂଆ ପୃଥିବୀ ନିର୍ମାଣରେ ନିଜର ଅବଦାନ ଦିଅନ୍ତୁ ଏବଂ ଭବିଷ୍ୟତର ସ୍ରଷ୍ଟା ସାଜନ୍ତୁ ।
ଆପଣମାନେ ଏହା କରିପାରିବେ ଏବଂ ଏଥିପାଇଁ ମୋର ଶୁଭେଚ୍ଛା ।
ଏହି ଅବସରରେ ଆଜି ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ ହେବାକୁ ଯାଉଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ, ଭାରତର କଂପ୍ଟ୍ରୋଲର ଓ ଅଡ଼ିଟର ଜେନେରାଲ ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ପରାମର୍ଶଦାତା ଡକ୍ଟର ବିଜୟ କୁମାର ସାହୁଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ପୁଣି ଥରେ ମୁଁ ଆଜିର ଡିଗ୍ରୀ, ଡକ୍ଟରେଟ ଡିଗ୍ରୀ ଧାରୀ ଓ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।
ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ଦିବସରେ ବିଶ୍ୱବିଦ୍ୟାଳୟର ‘ଫାକଲ୍ଟି ସଦସ୍ୟ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସ୍ନାତକୋତ୍ତର ଡିଗ୍ରୀ ପାଇବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପରିବାରର ସଦସ୍ୟ ଓ ଅଭିଭାବକମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
ଧନ୍ୟବାଦ,
ଜୟହିନ୍ଦ୍ ।

Leave A Reply

Your email address will not be published.