ଅବହେଳିତ ଅବ‌ସ୍ଥାରେ ଭାରତୀୟ ସୀମା ସୁରକ୍ଷା ବଳର ସୈନିକ କୃଷ୍ଣ ଚନ୍ଦ୍ର ପରୁଆ : ରୋଗାଗ୍ରସ୍ତ ହେବା ପରେ ସ୍ୱେଚ୍ଛାକୃତ ଅବସର ପ୍ରଦାନ କରି ଦାୟିତ୍ୱ ସାରିଦେଲେ କର୍ତ୍ତୃପକ୍ଷ, ଏ ପର୍ଯ୍ୟନ୍ତ ଟଙ୍କାଟିଏ ବି ମିଳିନାହିଁ ପାଉଣା, ଦାରିଦ୍ର୍ୟତାର ଚରମ ସୀମାରେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳର ସୈନିକ ତଥା ସ୍ଥାନୀୟ ମାଲପଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ପରୁଆ । ଯିଏ ଛାତି ଫୁଲେଇ ଭାରତ ମାତାର ତ୍ରିରଙ୍ଗା ଝଣ୍ଡା ଲହରେଇ ସୀମା ସୁରକ୍ଷାରେ ନିୟୋଜିତ ହୋଇଥିଲେ, ସିଏ ରୋଗାଗ୍ରସ୍ତ ହେବା ପରେ ତାଙ୍କୁ ସ୍ୱେଚ୍ଛାକୃତ ଅବସର ପ୍ରଦାନ କରି ଦାୟିତ୍ୱ ସାରି ଦେଇଛନ୍ତି କର୍ତ୍ତୃପକ୍ଷ । ସବୁଠାରୁ ବଡ଼ ଦୁଃଖର ବିଷୟ ଯେ, ସ୍ୱେଚ୍ଛାକୃତ ଅବସର ପ୍ରଦାନ ପରେ ଛ’ ମାସ କାଳ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଦିଆଯାଇନାହିଁ ତାଙ୍କ କୌଣସି ବି ପ୍ରାପ୍ୟ । ଏବେ ଦାରିଦ୍ର୍ୟତାର ଚରମ ସୀମାରେ ତାଙ୍କ ପରିବାର ବର୍ଗ । ଏଭଳି ଏକ ଦୟନୀୟ ଅଭିଯୋଗ ଆଣିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳର ସୈନିକ କୃଷ୍ଣ ଚନ୍ଦ୍ର ପରୁଆଙ୍କ ଧର୍ମପତ୍ନୀ ପଦ୍ମିନୀ ପରୁଆ । କୋହଭରା କଣ୍ଠରେ ତାଙ୍କ ପରିବାରର ଦୁଃଖ କାହାଣୀ କହିବାକୁ ଯାଇ ସେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ସୀମା ସୁରକ୍ଷା ବଳରେ କାର୍ଯ୍ୟରତ ଥିଲେ ଯବାନ କୃଷ୍ଣ ଚନ୍ଦ୍ର । ଭାରତର ବିଭିନ୍ନ ପ୍ରାନ୍ତରେ ସୀମା ସୁରକ୍ଷା ଦାୟିତ୍ୱ ନିଷ୍ଠାର ସହ ତୁଳାଇବା ଭିତରେ ସେ ୨୦୧୭ ମସିହାରେ ପଂଜାବର ଫିରୋଜ୍‌ପୁରରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଘରକୁ ଛୁଟିରେ ଆସିଥିଲେ । ଘରେ ଥିବା ସମୟରେ ଚେୟାର୍‌ରେ ବସିଥିବା ବେଳେ ହଠାତ୍‌ ସେ ତଳେ ପଡ଼ି ଯାଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ସଂଗେ ସଂଗେ ପତ୍ନୀ ପଦ୍ମିନୀ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ସରକାରୀ ହସ୍‌ପିଟାଲ୍‌କୁ ଭର୍ତ୍ତି କରିଥିଲେ । ଅଥଚ ଚିକିତ୍ସା ହୋଇ ନ ପାରିବାରୁ ବୁର୍ଲା ମେଡ଼ିକାଲ ଓ ପରେ କଟକ ମେଡ଼ିକାଲ୍‌କୁ ନେଇ ଯାଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା । ତେବେ ଯବାନ କୃଷ୍ଣଚନ୍ଦ୍ରଙ୍କ ଛୁଟି ସରିବା ପୂର୍ବରୁ ଏଭଳି ସଂଜ୍ଞାହୀନ ଅବସ୍ଥାରେ ତାଙ୍କ ପତ୍ନୀ ତାଙ୍କୁ ଫିରୋଜପୁର କାର୍ଯ୍ୟସ୍ଥଳୀକୁ ନେଇ ପହଂଚିଥିଲେ । ଭାରତୀୟ ସୀମା ସୁରକ୍ଷା ବଳ ପକ୍ଷରୁ ଫିରୋଜପୁର, ଜଳନ୍ଧର ତଥା ସଫଦରଗଂଜ ହସ୍‌ପିଟାଲ୍‌ରେ ତାଙ୍କୁ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସେ ଆଉ ସୁସ୍ଥ ହୋଇପାରି ନଥିଲେ । କେବଳ ଲୁହଭରା ଆଖିରେ ଡଗ୍‌ ଡଗ୍‌ ଚାହିଁ ରହିଲେ । ହାତଗୋଡ଼ ଅଚଳ, ପାଟି ମଧ୍ୟ ଫିଟିଲା ନାହିଁ । ଏଭଳି ଅବସ୍ଥାରେ ଆହୁରି ଉଚ୍ଚ ଚିକିତ୍ସା ପାଇଁ ସର୍ବସ୍ୱାନ୍ତ ହୋଇ ସାରିଥିବା ପତ୍ନୀ ପଦ୍ମିନୀ ଉଚ୍ଚ ଅଧିକାରୀମାନଙ୍କ ପାଖରେ କାକୁତି ମିନତି ହେଲେ । କିନ୍ତୁ ଉଚ୍ଚ ଚିକିତ୍ସା ଯୋଗାଇବା ବଦଳରେ କୃଷ୍ଣ ଚନ୍ଦ୍ରଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଏକ ପ୍ରକାର ବାଧ୍ୟ କରିଥିଲେ । ଏହାପରେ ବାଧ୍ୟ ହୋଇ ଯବାନ କୃଷ୍ଣଚନ୍ଦ୍ର ସ୍ୱେଚ୍ଛାକୃତ ଅବସର ନେଲେ ଓ ତାଙ୍କ ପତ୍ନୀ ତାଙ୍କୁ ନେଇ ଜନ୍ମମାଟି ବଲାଙ୍ଗିରକୁ ଚାଲି ଆସିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, କୃଷ୍ଣଚନ୍ଦ୍ରଙ୍କୁ ସ୍ୱେଚ୍ଛାକୃତ ଅବସର ପ୍ରଦାନ ପରେ ଦୀର୍ଘ ଛ’ ମାସ କାଳ ବିତି ସାରିଥିଲେ ମଧ୍ୟ ଟଙ୍କାଟିଏ ସୁଦ୍ଧା ତାଙ୍କ ପ୍ରାପ୍ୟ ପାଇ ନାହାନ୍ତି ସେ । ସ୍ୱାମୀଙ୍କ ଚିକିତ୍ସାରେ ସର୍ବସ୍ୱାନ୍ତ ହୋଇ ସାରିଥିବା ଯବାନଙ୍କ ପତ୍ନୀ ପଦ୍ମିନୀଙ୍କ ପଇଁ ସ୍ୱାମୀଙ୍କ ଚିକିତ୍ସା ତଥା ଦୁଇ ପୁଅଙ୍କ ପାଠ ପଢ଼ା ଖର୍ଚ୍ଚ ତୁଳାଇବା ଏବେ ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ତାଙ୍କ ପ୍ରତି ବିଏସ୍‌ଏଫ୍‌ କର୍ତ୍ତୃପକ୍ଷଙ୍କ ଏଭଳି ଅଣଦେଖା ଆଚରଣ ଆହୁରି କଷ୍ଟ ଦେଇଛି ନିଶ୍ଚୟ । ଏବେ ଅନ୍ୟ ପାଖରେ ହାତ ପତେଇ ପରିବାର ଚଳାଉଛନ୍ତି ବୋଲ ପଦ୍ମିନୀ ି ନିଜେ କହିଛନ୍ତି । ଘରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇ ପଡ଼ି ରହିଥିବା ବେଳେ ପରିବାରର ଉପାର୍ଜନ ଶୂନ୍‌ ହୋଇଯାଇଛି । ପୁଣି ସେଥିରେ ଚିକିତ୍ସା ଖର୍ଚ୍ଚ ଓ ପିଲାଙ୍କ ପାଠପଢ଼ା ସହ ପରିବାର ଚଳାଇବା ଖର୍ଚ୍ଚ ଯୋଗୁଁ ଧାର କରଜ କରି ଅଣନିଶ୍ୱାସୀ ହୋଇ ପଡ଼ିଛନ୍ତି ପଦ୍ମିନୀ । କିନ୍ତୁ ଏଭଳି ଅବସ୍ଥାରେ ମଧ୍ୟ ଜଣେ ଯବାନଙ୍କ ପ୍ରତି ବିଏସ୍‌ଏଫ୍‌ ପକ୍ଷରୁ କୌଣସି ସମବେଦନା ନ ମିଳିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ବଲାଙ୍ଗିର ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ରଥ କହିଛନ୍ତି ଯେ, ଯେହେତୁ ସୈନିକମାନଙ୍କ ପାଇଁ ଜିଲ୍ଲାରେ କୌଣସି ମୋନିଟରିଂ ସେଲ୍‌ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନାହିଁ, ତେଣୁ ଏଭଳି ସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି । ପୂର୍ବରୁ ମୋନିଟରିଂ ସେଲ୍‌ ବ୍ୟବସ୍ଥା ନିମନ୍ତେ ବାରମ୍ବାର ପ୍ରଶାସନକୁ ଅନୁରୋଧ କରାଯାଇଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି, ଯାହାର ପରିଣାମ ଆଜି ସୈନିକମାନଙ୍କ ପରିବାରବର୍ଗ ଭୋଗୁଛନ୍ତି । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ଏକାନ୍ତ ଆବଶ୍ୟକ । ଏଭଳି ଏକାଧିକ ଘଟଣା ବଲାଙ୍ଗିର ଜିଲ୍ଲାରେ ରହିଛି । ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜର ସାରା ଜୀବନକାଳକୁ ଜଳାଂଜଳି ଦେଉଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ପ୍ରଶାସନ ସେମାନଙ୍କୁ ତଥା ସେମାନଙ୍କ ପରିବାରବର୍ଗ ପ୍ରତି ଅଣଦେଖା କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଂପାଦକ ଶ୍ରୀ ରଥ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯବାନ କୃଷ୍ଣଚନ୍ଦ୍ରଙ୍କୁ ତୁରନ୍ତ ବିଏସ୍‌ଏଫ୍‌ ପ୍ରଶାସନ ତାଙ୍କ ପ୍ରାପ୍ୟ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ତଥା ତାଙ୍କ ପରିବାର ଚଳିବା ନିମନ୍ତେ ଯଥାସାଧ୍ୟ ସହଯୋଗ କରନ୍ତୁ । ଏଦିଗରେ ଦେଶର ସମସ୍ତ ନାଗରିକ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ।

Leave A Reply

Your email address will not be published.