ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର କେନ୍ଦ୍ର ସାହିତ୍ୟ ଏକାଡେମି ତରଫରୁ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ଚିତ୍ତରଂଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାହିତ୍ୟ ଏକାଡେମୀର ସଚିବ ଡ଼କ୍ଟର କେ. ଶ୍ରୀନିବାସ ରାଓ । ଡକ୍ଟର ରାଓ ପ୍ରଫେସର ଚିତ୍ତରଂଜନ ଦାସଙ୍କ କୃତି ସମୂହର ସୂଚନା ଦେବା ସହିତ କହିଥିଲେ ଯେ, ତାଙ୍କ ଭଳି ଲେଖକ ଓ ଚିନ୍ତକ ବାସ୍ତବରେ ଦୁର୍ଲ୍ଲଭ । ଶ୍ରୀମତୀ ମହାନ୍ତି ଚିତ୍ତରଞ୍ଜନ ଦାସଙ୍କ ସରଳ ଜୀବନଚର୍ଯ୍ୟା ଭିତରେ କେମିତି ମହାନତା ଭରି ରହିଥିଲା ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଫେସର ଚିତ୍ତରଂଜନ ଦାସ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟନାୟକ କହିଥିଲେ ଯେ, ଆଜିର ସମୟରେ ଚିତ୍ତରଂଜନ ଦାସଙ୍କ ପ୍ରାସଙ୍ଗିକତା ଅଧିକ ରହିଛି । ତାଙ୍କର ଗଦ୍ୟ ସାହିତ୍ୟର ତୁଳନା ନାହିଁ । ମୂଳ ଭାଷଣ ପ୍ରଦାନ କରିଥିଲେ ପ୍ରଫେସର ଗୌରାଙ୍ଗ ଚରଣ ଦାଶ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ପ୍ରଫେସର ଚିତ୍ତରଂଜନ ଦାସଙ୍କ ଦୃଷ୍ଟିରେ ସବା ମୂଳରେ ଥିଲା ମଣିଷ । ସମଗ୍ର ପୃଥିବୀକୁ ନିଜ ପାଖକୁ ଟାଣିଆଣିବା ପାଇଁ ସେ ପ୍ରବର୍ତ୍ତାଉ ଥିଲେ । ସାହିତ୍ୟ ଚର୍ଚ୍ଚାର ସେ ଥିଲେ ନୂଆ ଆଖି । ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ଼କ୍ଟର ଗୌରହରି ଦାସ । ସେ କହିଥିଲେ, ଚିତ୍ତରଂଜନ ଦାସ ଥିଲେ ସାଧାରଣ ଦେଖାଯାଉଥିବା ଅସାଧାରଣ ମଣିଷ । ତାଙ୍କୁ ଅଭିଭାବକ-ସମାଲୋଚକ କହିଲେ ଯଥାର୍ଥ ହେବ । ତାଙ୍କ ନରମ ଶବ୍ଦ ଭିତରେ ସୁଦ୍ଧା ପ୍ରଚଣ୍ଡ ଶକ୍ତି ରହିଥିଲା ଅନ୍ୟକୁ ଆଲୋଡିତ କରିବା ପାଇଁ । ଉଦ୍ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର । ସଭା ପରିଚାଳନା କରିଥିଲେ ସାହିତ୍ୟ ଏକାଡେମୀର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ । ପ୍ରଥମ ଅଧିବେଶନରେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ପ୍ରବନ୍ଧ ପାଠ କରିଥିଲେ ଅଭିରାମ ବିଶ୍ୱାଳ, ଅରବିନ୍ଦ ବେହେରା ଏବଂ ପବିତ୍ର ମୋହନ ଦାଶ । ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଚିତ୍ତରଂଜନ ଚିରଞ୍ଜିତ । ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ବିଶ୍ଵରଂଜନଙ୍କ ଅଧ୍ୟକ୍ଷତାରେ ପ୍ରବନ୍ଧ ପାଠ କରିଥିଲେ ଭାରତ ଭୂଷଣ ମହାନ୍ତି, ପ୍ରଫେସର ଧନେଶ୍ୱର ସାହୁ ଏବଂ ପ୍ରବୀଣା ମହାନ୍ତି । ଶେଷରେ ଧନ୍ୟବାଦ ଦେଇଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ବହୁ ଲେଖକ, ବୁଦ୍ଧିଜୀବୀ ଓ ଚିତ୍ତ-ଅନୁଗାମୀ ଯୋଗ ଦେଇଥିଲେ ।