ନୂଆଦିଲ୍ଲୀଠାରେ ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ୧୧୯ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉଦ୍‌ବୋଧନ ଦେଇଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଗତ ୨୩ ବର୍ଷ ଧରି ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ ବିଶ୍ୱାସ ଜିତି ଆସୁଛନ୍ତି
  • ପ୍ରଧାନମନ୍ତ୍ରୀ ମୋଦୀ ଦୂରଦୃଷ୍ଟି, ଅଭିଜ୍ଞତା ଏବଂ ପ୍ରତିବଦ୍ଧତାର ଏକ ବିରଳ ମିଶ୍ରଣ
  • ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ
  • ପିଏଚ୍‌ଡି ଚାମ୍ବର ସରକାରଙ୍କ ନୀତି, ଯୋଜନା ଏବଂ ଦୃଷ୍ଟିକୋଣ କାର୍ଯ୍ୟକାରୀ କରିବା ଉଚିତ୍‌ ଏବଂ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ସରକାରଙ୍କୁ ଜଣାଇବା ଆବଶ୍ୟକ
  • ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଏକ ନମ୍ବର କରିବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
  • ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ‘ପଲିସି ପାରାଲିସିସ’ରୁ ବାହାର କରି କାର୍ଯ୍ୟଦକ୍ଷତାର ରାଜନୀତି ପ୍ରତିଷ୍ଠା କରିଛନ୍ତି
  • ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପୂର୍ବରୁ ‘ଫ୍ରାଜାଇଲ୍ ଫାଇଭ୍’ ମଧ୍ୟରେ ସ୍ଥାନ ପାଇଥିବା ଭାରତୀୟ ଅର୍ଥନୀତି ବିଶ୍ୱରେ ଏକ ‘ଉଜ୍ଜ୍ୱଳ ସ୍ଥାନ’ ଭାବେ ଉଭା ହୋଇଛି
  • ୨୦୧୪ ପୂର୍ବରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପବ୍ଲିକ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୧.୪୦ ଲକ୍ଷ କୋଟି ଟଙ୍କା ଲାଭ କରିଛି
  • ୨୦ରୁ ଅଧିକ ଔପନିବେଶିକ ଆଇନ ଏବଂ ୩୯,୦୦୦ରୁ ଅଧିକ ଅନୁପାଳନକୁ ଉଚ୍ଛେଦ କରି ମୋଦୀ ସରକାର ଲୋକଙ୍କ ଜୀବନକୁ ସୁଗମ କରିଛନ୍ତି
  • ପ୍ରଧାନମନ୍ତ୍ରୀ ମୋଦୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଏକ ଗବେଷଣା ଫାଉଣ୍ଡେସନ୍‌ ପ୍ରତିଷ୍ଠା କରିଛନ୍ତି, ଯାହା ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱରେ ଗବେଷଣା କ୍ଷେତ୍ରରେ ଶୀର୍ଷରେ ପହଞ୍ଚାଇବ
  • ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
  • ରତନ ଟାଟା ଜୀ କେବଳ ଭାରତୀୟ ଶିଳ୍ପ କ୍ଷେତ୍ରରେ ନୁହେଁ ବରଂ ବିଶ୍ୱସ୍ତରରେ ମଧ୍ୟ ଜଣେ ସମ୍ମାନଜନକ ବ୍ୟକ୍ତିତ୍ୱ ଥିଲେ, ସେ ଏକ ଐତିହ୍ୟ ଛାଡି ଯାଇଛନ୍ତି ଯାହା ଶିଳ୍ପ କ୍ଷେତ୍ରରେ ନେତାମାନଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ମାର୍ଗଦର୍ଶନ ଜାରି ରଖିବ
  • ରତନ ଟାଟା ଜୀ ନିଜ ବିଶ୍ୱାସ ମାଧ୍ୟମରେ ଦେଶର ସମସ୍ତ ସମସ୍ୟାର ସମାଧାନ କରି ଏକ ଉତ୍ତମ ସମାଜ ଗଠନ ପାଇଁ କାର୍ଯ୍ୟ କରିଥିଲେ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚଡିସିସିଆଇ)ର ୧୧୯ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷର ବାର୍ଷିକ ଅଧିବେଶନର ବିଷୟବସ୍ତୁ ଥିଲା ‘ବିକଶିତ ଭାରତ ୨୦୪୭: ପ୍ରଗତିର ଶୀର୍ଷ ଆଡ଼କୁ ପଦଯାତ୍ରା’ । ଏହି କାର୍ଯ୍ୟକ୍ରମରେ ଶିଳ୍ପର ପ୍ରାୟ ୧୫୦୦ ବ୍ୟବସାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କର, ଓକିଲ ଆଦି ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଅମିତ ଶାହ କହିଥିଲେ ଯେ, ରତନ ଟାଟା କେବଳ ଭାରତୀୟ ଶିଳ୍ପ କ୍ଷେତ୍ରରେ ନୁହେଁ ବରଂ ବିଶ୍ୱସ୍ତରରେ ମଧ୍ୟ ଏକ ସମ୍ମାନଜନକ ବ୍ୟକ୍ତିତ୍ୱ । ସେ ଏପରି ଏକ ସମୟରେ ଟାଟା ଗ୍ରୁପର ଦାୟିତ୍ୱ ଗ୍ରହଣ କରିଥିଲେ ଯେତେବେଳେ ଗ୍ରୁପ୍ ରେ ଅନେକ ପରିବର୍ତ୍ତନର ଆବଶ୍ୟକତା ଥିଲା ଏବଂ ରତନ ଟାଟା ଧୈର୍ଯ୍ୟର ସହ ତାଙ୍କ ଗ୍ରୁପର ସମସ୍ତ ବ୍ୟବସାୟ ଏବଂ କାର୍ଯ୍ୟ ପ୍ରଣାଳୀକୁ ପରିବର୍ତ୍ତନ କରିଥିଲେ । ଶ୍ରୀ ଶାହ କହିଛନ୍ତି ଯେ, ଆଜି ମଧ୍ୟ ଟାଟା ଗ୍ରୁପ୍ ଭାରତର ଶିଳ୍ପ କ୍ଷେତ୍ରରେ ଏକ ପୋଲ ଷ୍ଟାର ଭାବେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତନ ଟାଟା ସଚ୍ଚୋଟତାର ସହିତ ଏବଂ ସମସ୍ତ ନିୟମାବଳୀ ପାଳନ କରି ତାଙ୍କ ଶିଳ୍ପ ଗୋଷ୍ଠୀକୁ ଦେଶ ତଥା ବିଶ୍ୱସ୍ତରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲେ । ଶ୍ରୀ ଶାହା ଏହା ମଧ୍ୟ କହିଛନ୍ତି ଯେ ରତନ ଟାଟା ତାଙ୍କ ଟ୍ରଷ୍ଟ ମାଧ୍ୟମରେ ଦେଶର ବିଭିନ୍ନ ସମସ୍ୟାର ସମାଧାନ ଏବଂ ଏକ ଉନ୍ନତ ସମାଜ ଗଠନରେ ଯୋଗଦାନ କରିବାକୁ ପ୍ରୟାସ କରିଥିଲେ । ସେ କହିଥିଲେ ଯେ ରତନ ଟାଟାଙ୍କ ପରମ୍ପରା ଦୀର୍ଘ ଦିନ ପର୍ଯ୍ୟନ୍ତ ଶିଳ୍ପନେତାମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ଜାରି ରଖିବ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଭାରତୀୟ ଶିଳ୍ପ ପାଇଁ ନିର୍ଣ୍ଣାୟକ ହେବାକୁ ଯାଉଛି ଏବଂ ଏଭଳି ସମୟରେ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ)ର ୧୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଉଛି । ସେ କହିଛନ୍ତି ଯେ ଆଜି ବିଶ୍ୱର ଦେଶମାନଙ୍କ ରେ ବିଶ୍ୱାସର ସଙ୍କଟ ଦେଖାଦେଇଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଗତ ୨୩ ବର୍ଷ ଧରି ଗଣତାନ୍ତ୍ରିକ ଭାବରେ ଲୋକଙ୍କ ବିଶ୍ୱାସ ଜିତି ଆସୁଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ସ୍ଥିରତା ବିନା ନୀତିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ଏବଂ ସୁରକ୍ଷା ତଥା ବିକାଶ ସୁନିଶ୍ଚିତ ହୋଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିରତା ନୀତି, ଚିନ୍ତାଧାରା ଏବଂ ବିକାଶରେ ନିରନ୍ତରତା ଆଣିଥାଏ । ଶ୍ରୀ ଶାହା ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଏହି ବିଶାଳ ଦେଶକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଛନ୍ତି ଏବଂ ସେ ବର୍ତ୍ତମାନ କ୍ରମାଗତ ତୃତୀୟ ଥର ପାଇଁ ଦେଶର ନେତୃତ୍ୱ ନେଉଛନ୍ତି । ଆଜିର ବିଷୟବସ୍ତୁ ’ବିକଶିତ ଭାରତ ୨୦୪୭: ପ୍ରଗତିର ଶୀର୍ଷ ଆଡ଼କୁ ଅଗ୍ରସର ହେବା’ ଅତ୍ୟନ୍ତ ଉପଯୁକ୍ତ ବୋଲି ଅମିତ ଶାହ କହିଥିଲେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମ ଆଗରେ ଦୁଇଟି ପ୍ରମୁଖ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି : ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କଲେ ଭାରତ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ସେ କହିଛନ୍ତି ଯେ ଏହି ଦୁଇଟି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ଧରି ବିଭିନ୍ନ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଦେଶରେ ଭିତ୍ତିଭୂମିର ବିକାଶ, ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା, ନିବେଶ ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବା, ଏକ ଦକ୍ଷ କାର୍ଯ୍ୟବଳ ନିର୍ମାଣ, ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା, ଉନ୍ନତ କମ୍ପ୍ୟୁଟିଂ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଭାରତର ନେତୃତ୍ୱ ନେବା ଏବଂ ଗଭୀର ସମୁଦ୍ର ଗବେଷଣା, ସାମୁଦ୍ରିକ ଅର୍ଥନୀତି ଏବଂ ମହାକାଶ ଭଳି କ୍ଷେତ୍ରରେ ନୂତନ ଉଦ୍ୟୋଗ ଆରମ୍ଭ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦୂରଦର୍ଶୀ ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କେବଳ ଏହି ନୀତିଗୁଡିକ ପ୍ରସ୍ତୁତ କରିନାହାଁନ୍ତି ବରଂ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ ମଧ୍ୟ କରିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ଏକ ସେତୁ ଅଟେ । ଆଗାମୀ ଦିନରେ ପିଏଚ୍‌ଡି ଚାମ୍ବରକୁ ସରକାରଙ୍କ ନୀତି, ଯୋଜନା ଓ ଭିଜନକୁ କାର୍ଯ୍ୟକାରୀ କରିବା ସହ ଶିଳ୍ପର ସମସ୍ୟା ସରକାରଙ୍କୁ ଜଣାଇବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଆମେ ବହୁତ କିଛି ହାସଲ କରିଛୁ । ବିଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ସବୁଠାରୁ ଲମ୍ବା ରାଜପଥ ଟନେଲ, ବିଶ୍ୱର ସର୍ବୋଚ୍ଚ ରେଳ ପୋଲ, ମୁମ୍ବାଇର ବିଶ୍ୱ ପ୍ରସିଦ୍ଧ ଟ୍ରାନ୍ସ ହାର୍ବର ଲିଙ୍କ ଏବଂ କୋଲକାତାର ଅଣ୍ଡର ୱାଟର ମେଟ୍ରୋ ଭଳି ଭିତ୍ତିଭୂମି ନିର୍ମାଣ କରାଯାଇଛି । ଶ୍ରୀ ଶାହ କହିଛନ୍ତି ଯେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ଅଣ୍ଡରୱାଟର ଅପ୍ଟିକାଲ ଫାଇବର ମାଧ୍ୟମରେ ଦୁର୍ଗମ ଅଂଚଳକୁ ଯୋଗାଯୋଗ ଆଣି ବ୍ୟବସାୟ ସୁଯୋଗର ଉପଯୋଗ କରିବା ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଦ୍ୱୀପପୁଞ୍ଜଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯାଇଛି । ଅମିତ ଶାହ କହିଛନ୍ତି ଯେ, ଚନ୍ଦ୍ରରେ ଶିବ ଶକ୍ତି ପଏଣ୍ଟରେ ଭାରତୀୟ ପତାକା ଉତ୍ତୋଳନ କରାଯିବା ସମୟରେ ପ୍ରତ୍ୟେକ ଭାରତୀୟ ବହୁତ ଗର୍ବ ଅନୁଭବ କରିଥିଲେ । ସାଗରମାଳା ପ୍ରକଳ୍ପ ମାଧ୍ୟମରେ ଦେଶର ଅନୁନ୍ନତ ଅଞ୍ଚଳକୁ ସଂଯୋଗ କରିବା, ଦେଶରେ ଆରାମଦାୟକ ଯାତ୍ରା ପାଇଁ ଏକ ନୂତନ ମାର୍ଗ ଖୋଲିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ନେଟ୍‌ୱାର୍କ ସଂପ୍ରସାରଣ, କେବଳ ଆମର ନୁହେଁ ସମଗ୍ର ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମିକଣ୍ଡକ୍ଟର ଉତ୍ପାଦନରେ ଅଗ୍ରଗତି କରିବା, ବୈଦ୍ୟୁତିକ ଯାନରେ ଏକ ନୂତନ ବିପ୍ଳବ ଆଣିବା, ଏବଂ ଏଫଡିଆଇକୁ ରେକର୍ଡ ସ୍ତରକୁ ବୃଦ୍ଧି କରିବା, ଭାରତକୁ ବିଶ୍ୱର ବୈଦେଶିକ ମୁଦ୍ରା ଭଣ୍ଡାରର ଚତୁର୍ଥ ବୃହତ୍ତମ ଧାରକରେ ପରିଣତ କରିବା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆମେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଷ୍ଟାର୍ଟଅପ୍ ଅର୍ଥନୀତି । ଆମେ ସଫଳତାର ସହ ବିଶ୍ୱର ସର୍ବବୃହତ ଡିଜିଟାଲ ପେମେଣ୍ଟ ସିଷ୍ଟମ ଶୁଭାରମ୍ଭ କରିଛୁ, ଯାହାକୁ ଅନେକ ଦେଶ ବର୍ତ୍ତମାନ ଗ୍ରହଣ କରୁଛନ୍ତି । ଏହା ସହ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶ୍ରୀ ଶାହ କହିଛନ୍ତି ଯେ, ଖାଦ୍ୟ ନିରାପତ୍ତାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁରକ୍ଷା ପର୍ଯ୍ୟନ୍ତ ଆମେ ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିଛୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଆଗାମୀ ୨୫ ବର୍ଷ ପାଇଁ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେ କହିଥିଲେ ଯେ, ଯେତେବେଳେ ଦୂରଦୃଷ୍ଟି, ଅଭିଜ୍ଞତା ଏବଂ ପ୍ରତିବଦ୍ଧତା ଜଣେ ବ୍ୟକ୍ତିଙ୍କ ଠାରେ ମିଳିତ ହୁଏ ଏବଂ ସେହି ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ହୁଅନ୍ତି, ସେତେବେଳେ ଦେଶ ବହୁତ ଉପକୃତ ହୁଏ ଏବଂ ନରେନ୍ଦ୍ର ମୋଦୀ ଏହାର ଏକ ଉତ୍କୃଷ୍ଟ ଉଦାହରଣ ଅଟନ୍ତି । ଅମିତ ଶାହ କହିଛନ୍ତି ଯେ, ଭାରତ ଏକ ଗଣତନ୍ତ୍ର ଯେଉଁଠାରେ ଲୋକମାନେ ନିଷ୍ପତ୍ତି ନିଅନ୍ତି କିଏ ସରକାରଙ୍କ ନେତୃତ୍ୱ ନେବେ । ତୁଳନାତ୍ମକ ଅଧ୍ୟୟନ ବିନା ଆମେ କରିଥିବା କାର୍ଯ୍ୟର ଉପଯୁକ୍ତ ମୂଲ୍ୟାୟନ କରିପାରିବୁ ନାହିଁ ବୋଲି ସେ କହିଛନ୍ତି । ୨୦୧୪ ଓ ୨୦୨୪ରେ ଦେଶର ତୁଳନାତ୍ମକ ସ୍ଥିତି ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ୨୦୧୪ ପୂର୍ବରୁ ସମସ୍ତେ କହୁଥିଲେ ଯେ ଆମ ଦେଶ ପଲିସି ପାରାଲିସିସ୍‌ରେ ପୀଡ଼ିତ ଏବଂ କୌଣସି ନୀତି ପ୍ରଣୟନ କରାଯାଉନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପଲିସି ପାରାଲିସିସକୁ ଶେଷ କରି ଅନେକ ନୀତି ପ୍ରଣୟନ କରିଛନ୍ତି ଏବଂ କାର୍ଯ୍ୟଦକ୍ଷତାର ରାଜନୀତି ଆଣିଛନ୍ତି । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି ସ୍ଥାୟୀ ନୀତି ପ୍ରସ୍ତୁତ ହୋଇନାହିଁ । ପୂର୍ବରୁ ଭାରତ ‘ଫ୍ରାଜାଇଲ୍ ଫାଇଭ୍’ ମଧ୍ୟରେ ଥିଲା, କିନ୍ତୁ ଆଜି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ଆମକୁ ବିଶ୍ୱ ଅର୍ଥନୀତିରେ ଏକ ଉଜ୍ଜ୍ୱଳ ସ୍ଥାନ ବୋଲି କହୁଛି । କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭିତ୍ତିଭୂମି ବିକାଶ ଅଧୀନରେ ଜୋଜିଲା ଟନେଲ, ଚେନାବ ରେଳ ସେତୁ ଏବଂ ଆସାମରେ ସେତୁ ଭଳି ପ୍ରକଳ୍ପ ସମସ୍ତଙ୍କ ନଜରରେ ରହିଛି । ସେ କହିଛନ୍ତି ଯେ ପୂର୍ବରୁ ଭାରତରେ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ହେଉଥିଲା, କିନ୍ତୁ ଆଜି ଆମେ ଆତ୍ମବିଶ୍ୱାସର ସହ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଛୁ । ସେ କହିଛନ୍ତି ଯେ, ଅନେକ ବର୍ଷ ଧରି ଭାରତର ଅଭିବୃଦ୍ଧି ହାର ଜି-୨୦ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ରହିଛି । ଶ୍ରୀ ଶାହା କହିଥିଲେ ଯେ, ବିଶ୍ୱ ନିବେଶକମାନେ ଭାରତ ଉପରେ ଆସ୍ଥା ହରାଇଥିଲେ, କିନ୍ତୁ ଆଜି ଭାରତ ଉତ୍ପାଦନ ପାଇଁ ଓ ବିଶ୍ୱ ନିବେଶକ ଏକ ପସନ୍ଦର ସ୍ଥାନରେ ପରିଣତ ହୋଇଛି । ଶ୍ରୀ ଶାହ କହିଛନ୍ତି ଯେ, ୨୦୨୧-୨୨ରେ ଆମେ ରେକର୍ଡ ୮୫ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଆକୃଷ୍ଟ କରିଛୁ । ସେ କହିଥିଲେ ଯେ, ଆଜି ଆମେ ଡିଜିଟାଲ ପେମେଣ୍ଟ ଭଳି ଅନେକ କ୍ଷେତ୍ରରେ ଅଗ୍ରଣୀ ଅଛୁ । ୨୦୧୪ ପୂର୍ବରୁ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା, କିନ୍ତୁ ମୋଦି ସରକାରଙ୍କ ୧୦ ବର୍ଷରେ ବିରୋଧୀମାନେ ମଧ୍ୟ ଆମ ଉପରେ ଦୁର୍ନୀତି ଅଭିଯୋଗ ଆଣିବାରେ ସଫଳ ହୋଇ ନାହାନ୍ତି । ଅମିତ ଶାହ କହିଥିଲେ ଯେ, ପୂର୍ବ ସରକାର ସମୟରେ ଆତଙ୍କବାଦ, ବୋମା ବିସ୍ଫୋରଣ ଏବଂ ନକ୍ସଲବାଦ ଦେଶ ପାଇଁ ଗମ୍ଭୀର ପ୍ରସଙ୍ଗ ପାଲଟିଥିଲା, କିନ୍ତୁ ଆଜି ଆମେ ନିଶ୍ଚିତ ଭାବରେ କହିପାରିବା ଯେ, କାଶ୍ମୀର ହେଉ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ହେଉ କିମ୍ବା ଉତ୍ତର-ପୂର୍ବ, ଆମେ ଆତଙ୍କବାଦ ଏବଂ ଉଗ୍ରବାଦକୁ ସଫଳତାର ସହ ନିପାତ କରିଛୁ । ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ମାନ୍ୟତାରେ ଭାରତ ପୂର୍ବରୁ ୧୪୨ତମ ସ୍ଥାନରେ ଥିବା ବେଳେ ଆଜି ଆମେ ୬୩ତମ ସ୍ଥାନକୁ ଉନ୍ନୀତ ହୋଇଛି । ସମଗ୍ର ବ୍ୟାଙ୍କିଂ ବ୍ୟବସ୍ଥା ଦୁର୍ବଳ ଅବସ୍ଥାରେ ଥିବା ବେଳେ ୨୦୨୩-୨୪ରେ ସରକାରୀ ବ୍ୟାଙ୍କଗୁଡ଼ିକ ୧.୪୦ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ନୀତି ପ୍ରଣୟନ କରାଯାଇଛି, ଯାହା ଦେଶକୁ ଆଗକୁ ବଢ଼ିବାରେ ସହାୟକ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ଯଦି ଦେଶ ପ୍ରଗତି କରିବାକୁ ଚାହୁଁଛି, ତା’ହେଲେ ସେଠାରେ ଏକ ନୂତନ ଶିକ୍ଷାନୀତି ରହିବା ଆବଶ୍ୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂତନ ଶିକ୍ଷା ନୀତି ଆଣିଛନ୍ତି ଯାହା ଆମର ଐତିହ୍ୟକୁ ଅନ୍ତର୍ଭୁକ୍ତ କରିବା ସହିତ ଶିକ୍ଷାର ବୈଶ୍ୱିକୀକରଣ କରିଛି । ଜିଏସ୍‌ଟି, ଡିଜିଟାଲ ଇଣ୍ଡିଆ, ଭାରତମାଳା, ସାଗରମାଳା, ପିଏମ ଗତି ଶକ୍ତି ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ପଦକ୍ଷେପ ଦେଶକୁ ସବୁ ଦିଗରେ ଆଗେଇ ନେଇଛି ବୋଲି ସେ କହିଛନ୍ତି । ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ ନୀତି ଅଧୀନରେ ୨,୦୦୦ ପୁରୁଣା ଔପନିବେଶିକ ଆଇନକୁ ଉଚ୍ଛେଦ କରାଯାଇଛି ଏବଂ ବିଭିନ୍ନ କ୍ଷେତ୍ରରେ ୩୯,୦୦୦ରୁ ଅଧିକ ଅନୁପାଳନକୁ ଉଚ୍ଛେଦ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ୮୦ କୋଟି ଲୋକଙ୍କୁ ବ୍ୟକ୍ତି ପିଛା ୫ କେଜି ମାଗଣା ଶସ୍ୟ, ୪ କୋଟି ଗରିବଙ୍କୁ ଘର ଯୋଗାଇ ଦିଆଯାଇଛି, ୧୫ କୋଟି ପରିବାରକୁ ପାଇପ୍ ଯୋଗେ ପାଣି ମିଳୁଛି, ୧୧ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଛି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ ଲକ୍ଷ ଲୋକଙ୍କ ଚିନ୍ତା ଦୂର କରିଛନ୍ତି ଏବଂ ଭାରତକୁ ୧୩୦ କୋଟି ଲୋକଙ୍କ ବଜାରରେ ପରିଣତ କରିଛନ୍ତି । ଦେଶର ବିକାଶ ପ୍ରକ୍ରିୟାରୁ ୬୦ କୋଟି ଲୋକବାଦ୍ ପଡ଼ିଲେ ଦେଶ କେବେ ବି ପ୍ରଗତି କରିପାରିବ ନାହିଁ ବୋଲି ସେ କହିଛନ୍ତି । ଆଜି ଦେଶର ବିକାଶ ପ୍ରକ୍ରିୟାରେ ୧୩୦ କୋଟି ଲୋକ ନିୟୋଜିତ ହୋଇଥିବାରୁ ଆମର ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଗବେଷଣା କ୍ଷେତ୍ରରେ ମୋଦୀ ସରକାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଥମ ଥର ପାଇଁ ୫୦ ହଜାର କୋଟି ଟଙ୍କାର ବଜେଟ୍‌ରେ ଏକ ରିସର୍ଚ୍ଚ ଫାଉଣ୍ଡେସନ୍‌ ପ୍ରତିଷ୍ଠା କରାଯାଇଛି । ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ବିଶ୍ୱ ଗବେଷଣା କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ରହିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଛନ୍ତି । ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଗ୍ଲୋବାଲ୍ ଫିନଟେକ୍ ଗ୍ରହଣ ଏବଂ ସ୍ମାର୍ଟଫୋନ୍ ଡାଟା ବ୍ୟବହାରରେ ଏହା ପ୍ରଥମ ସ୍ଥାନରେ ରହିଛି । ସେ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ, ଆଜି ବିଶ୍ୱର ଦୈନିକ ଡିଜିଟାଲ କାରବାରର ଅଧା ଭାରତରେ ହେଉଛି । ଅମିତ ଶାହ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ ସେମାନଙ୍କର ଆକାର ଏବଂ ସ୍କେଲ ଉଭୟ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରିବା ଉଚିତ୍ । କମ୍ପାନିଗୁଡ଼ିକ ବିଶ୍ୱସ୍ତରୀୟ ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ବିଶ୍ୱବ୍ୟାପୀ ଭାରତର ଆଧିପତ୍ୟ ପ୍ରତିଷ୍ଠା କରିବାକୁ ହେଲେ ଆମର ଚାମ୍ବର ଏବଂ ଉଦ୍ୟୋଗଗୁଡ଼ିକ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ।

Leave A Reply

Your email address will not be published.