oum

ପ୍ରଧାନମନ୍ତ୍ରୀ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କା ମୂଲ୍ୟର ସ୍ମାରକ ମୁଦ୍ରା ଜାରି କରିବେ

jsm

● ପ୍ରଧାନମନ୍ତ୍ରୀ ସଦ୍ୟ ବିକଶିତ ୮ଟି ଶସ୍ୟର ୧୭ ଜୈବ ସମୃଦ୍ଧ ପ୍ରଜାତି ରାଷ୍ଟ୍ରକୁ ସମର୍ପିତ କରିବେ
ନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ)ର ୭୫ ତମ ବାର୍ଷିକୀ ଅବସରରେ ଭାରତ ସହ ଏଫଏଓର ଦୀର୍ଘଦିନର ସମ୍ପର୍କକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୬, ୨୦୨୦ରେ ୭୫ ଟଙ୍କା ମୂଲ୍ୟର ସ୍ମାରକ ମୁଦ୍ରା ଉନ୍ମୋଚନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିକଟରେ ବିକଶିତ ୮ଟି ଶସ୍ୟର ୧୭ ଜୈବ ସମୃଦ୍ଧ ପ୍ରଜାତି ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।
କୃଷି ଓ ପୋଷଣକୁ ସରକାରଙ୍କ ସର୍ବାଧିକ ପ୍ରାଥମିକତା ତଥା କ୍ଷୁଧା, କୁପୋଷଣ ଓ ଅପପୁଷ୍ଟି ଦୂରୀକରଣ ପାଇଁ ପ୍ରତିବଦ୍ଧତାର ପ୍ରତୀକ ଭାବେ ଏହି କାର୍ୟ୍ୟକ୍ରମ ପାଳିତ ହେବ । କାର୍ୟ୍ୟକ୍ରମରେ ସାରା ଦେଶର ଅଙ୍ଗନୱାଡି, କୃଷି ବିଜ୍ଞାନ କେନ୍ଦ୍ର, ଜୈବ ଓ ଉଦ୍ୟାନ କୃଷି ମିଶନଗୁଡିକ ଭାଗ ନେବେ । କେନ୍ଦ୍ର କୃଷି ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।
ଭାରତ ଓ ଏଫଏଓ
ସମ୍ବେଦନଶୀଳ ଓ ସାଧାରଣ ଲୋକଙ୍କୁ ଆର୍ଥିକ ତଥା ପୋଷଣ ଦୃଷ୍ଟିରୁ ସଶକ୍ତ କରିବାରେ ଏଫଏଓର ଭୂମିକା ଅତୁଳନୀୟ । ଏଫଏଓ ସହିତ ଭାରତର ସମ୍ପର୍କ ବେଶ ପୁରୁଣା । ଭାରତୀୟ ସିଭିଲ ସେବା ଅଧିକାରୀ ଡଃ ବିନୟ ରଞ୍ଜନ ସେନ ୧୯୫୬-୧୯୬୭ ପର୍ୟ୍ୟନ୍ତ ଏଫଏଓର ମହାନିର୍ଦ୍ଦେଶକ ଥିଲେ । ଏହି ସମୟରେ ୨୦୨୦ରେ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ବିଶ୍ୱ ଖାଦ୍ୟ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୧୬କୁ ଅନ୍ତର୍ଜାତୀୟ ଡାଲି ଜାତୀୟ ଶସ୍ୟ ବର୍ଷ ଓ ୨୦୨୩କୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ପାଳନ କରିବା ପାଇଁ ଭାରତର ପ୍ରସ୍ତାବକୁ ଏଫଏଓ ଅନୁମୋଦନ ଦେଇଛି ।

କୁପୋଷଣର ମୁକାବିଲା
୧୦ କୋଟିରୁ ଅଧିକ ଲୋକଙ୍କ ଶାରୀରିକ ବିକାଶ, କୁପୋଷଣ, ରକ୍ତହୀନତା, ଜନ୍ମ ସମୟରେ ଓଜନ ହ୍ରାସ ଆଦି ସମସ୍ୟା ଦୂରେଇବା ପାଇଁ ଭାରତ ଉଚ୍ଚାକାଂକ୍ଷୀ ପୋଷଣ ଅଭିଯାନ ଆରମ୍ଭ କରିଛି । ସାରା ବିଶ୍ୱର ୨ ବିଲିୟନ ଲୋକ କୁପୋଷଣ ଗ୍ରସ୍ତ ହୋଇଥିବାରୁ ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛି । ପ୍ରାୟ ୪୫ ପ୍ରତିଶତ ଶିଶୁ ମୃତ୍ୟୁ କୁପୋଷଣ ଯୋଗୁଁ ହୋଇଥାଏ । ଜାତିସଂଘର ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ମଧ୍ୟରୁ କୁପୋଷଣର ମୁକାବିଲା ଅନ୍ୟତମ ।
ବିଭିନ୍ନ ପ୍ରକାର ପୋଷକ ତତ୍ୱରେ ଭରା ଖାଦ୍ୟଶସ୍ୟ ଅନ୍ତର୍ଜାତୀୟ ପ୍ରାଥମିକତା ଅନୁରୂପ ବିକଶିତ କରାଯାଉଛି । ଯେଉଁଥିରେ ଆଇରନ, ଜିଙ୍କ, କ୍ୟାଲସିୟମ, ସମ୍ପୂର୍ଣ୍ଣ ପ୍ରୋଟିନ, ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଲାଇସିନ ଓ ଟ୍ରାଇପ୍ଟୋଫାନ, ଆନ୍ଥୋସାୟନିନ, ପ୍ରୋଭିଟାମିନ ଏ, ଓଲେଇକ ଏସିଡ ଆଦି ସାମିଲ ରହିଛି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତତ୍ୱାବଧାନରେ ଜାତୀୟ କୃଷି ଗବେଷଣା ପ୍ରଣାଳୀ ଗତ ୫ ବର୍ଷରେ ଏପରି ୫୩ଟି ପ୍ରଜାତିର ଶସ୍ୟ ବିକଶିତ କରିଛି । ୨୦୧୪ ପୂର୍ବରୁ ମାତ୍ର ଗୋଟିଏ ଜୈବସମୃଦ୍ଧ ପ୍ରଜାତି ବିକଶିତ ହୋଇଥିଲା ।
ଭାରତୀୟ ଥାଳିକୁ ନ୍ୟୁଟ୍ରି-ଥାଳିରେ ବଦଳାଇବା
ପ୍ରଧାନମନ୍ତ୍ରୀ ୮ଟି ଶସ୍ୟର ୧୭ଟି ନୂତନ ବିକଶିତ ଜୈବସମୃଦ୍ଧ ପ୍ରଜାତି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହାର ପୋଷଣ ମୂଲ୍ୟ ସାଧାରଣ ପ୍ରଜାତି ତୁଳନାରେ ୩ ଗୁଣ ଅଧିକ । ସିଆର ୩୧୫ ଧାନରେ ଜିଙ୍କ ଭରପୂର ଥିବା ବେଳେ ଏଚଆଇ ୧୬୩୩ ଗହମରେ ପ୍ରୋଟିନ, ଜିଙ୍କ, ଆଇରନ ଓ ଏଚଡି ୩୨୯୮ରେ ପ୍ରୋଟିନ ଓ ଆଇରନ, ଡିବିଡବ୍ଲୁ ୩୦୩ ଓ ଡିଡିଡବ୍ଲୁ ୪୮ରେ ପ୍ରୋଟିନ ଭରି ରହିଛି । ଲଢୋୱାଲ କିସମ ପ୍ରୋଟିନ ମକା ହାଇବ୍ରିଡ ୧, ୨ ଓ ୩ରେ ଲାଇସିନ ଓ ଟ୍ରାଇପ୍ଟୋଫାନ ଭରି ରହିଛି, ସିଏଫଏମଭି ୧ ଓ ୨ ରାଗିରେ କ୍ୟାଲସିୟମ, ଆଇରନ ଓ ଜିଙ୍କ, ସିଏଲଏମଭି ୧ରେ ଆଇରନ ଓ ଜିଙ୍କ, ପୁଷା ସୋରିଷ ୩୨ରେ କମ ୟୁରିକ ଏସିଡ, ଗିରନାର ୪ ଓ ୫ ବାଦାମରେ ଅଧିକ ଓଲେଇକ ଏସିଡ ଓ କନ୍ଦମୂଳର ଶ୍ରୀ ନୀଳିମା ଓ ଡିଏ ୩୪୦ ପ୍ରଜାତିରେ ଅଧିକ ଜିଙ୍କ, ଆଇରନ, ଆନ୍ଥୋସାଇନିନ ଭରି ରହିଛି ।
ଅନ୍ୟ ଖାଦ୍ୟଶସ୍ୟ ସହିତ ଏହି ଫସଲଗୁଡିକ ମିଶିବା ପରେ ଭାରତୀୟ ଥାଳି ନ୍ୟୁଟ୍ରି ଥାଳିରେ ବଦଳି ଯିବ । ସ୍ଥାନୀୟ ଭୂମି ଓ କୃଷକଙ୍କ ଦ୍ୱାରା ଏହି ପ୍ରଜାତିଗୁଡିକୁ ବିକଶିତ କରାଯାଇଛି । ଅଧିକ ଜିଙ୍କ ସମୃଦ୍ଧ ଧାନ ପ୍ରଜାତିକୁ ଗାରୋ ପର୍ବତମାଳାରୁ ସଂଗ୍ରହ କରି ଆସାମରେ ବିକଶିତ କରାଯାଇଛି ଓ ଗୁଜୁରାଟରୁ ସଂଗୃହୀତ ରାଗିକୁ ଡାଙ୍ଗ ଜିଲ୍ଲାରେ ବିକଶିତ କରାଯାଇଛି ।
ପୋଷଣ ସୁରକ୍ଷା ବଢାଇବା ପାଇଁ ଆଇସିଏଆର କୃଷି ସହିତ ପାରିବାରିକ ଚାଷ, ପୋଷଣ ସ୍ମାର୍ଟ ଗାଁକୁ ପ୍ରୋତ୍ସାହନ ଦେବା ପାଇଁ ନ୍ୟୁଟ୍ରି ସେନ୍ସିଟିଭ ଏଗ୍ରିକଲ୍ଚରାଲ ରିସୋର୍ସ ଆଣ୍ଡ ଇନୋଭେସନ (ଏନଏଆରଆଇ) କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । କୃଷକ ବିକାଶ କେନ୍ଦ୍ର ଦ୍ୱାରା ସ୍ୱତନ୍ତ୍ର ପୋଷଣ ବଗିଚା ମଡେଲ ବିକଶିତ ଓ ପ୍ରୋତ୍ସାହିତ କରାଯାଉଛି । ସମ୍ପୂର୍ଣ୍ଣ ଓ ସୂକ୍ଷ୍ମ ପୁଷ୍ଟିରେ ଭରା ଖାଦ୍ୟ ସ୍ଥାନୀୟ ଅଂଚଳରେ ଉପଲବ୍ଧ କରାଇବା ଏହାର ଉଦ୍ଦେଶ୍ୟ ।
ପ୍ରାକୃତିକ ପୁଷ୍ଟି ସମୃଦ୍ଧ ଖାଦ୍ୟଶସ୍ୟର ଉତ୍ପାଦନ ବଢାଇ ମଧ୍ୟାହ୍ନ ଭୋଜନ, ଅଙ୍ଗନୱାଡି ଆଦି ସରକାରୀ କାର୍ୟ୍ୟକ୍ରମ ସହିତ ଯୋଡି କୁପୋଷଣ ହ୍ରାସ କରାଯିବ ଏବଂ ପ୍ରାକୃତିକ ଖାଦ୍ୟଶସ୍ୟ ମାଧ୍ୟମରେ ଭାରତକୁ କୁପୋଷଣ ମୁକ୍ତ କରାଯିବ । ଏହାଦ୍ୱାରା ଚାଷୀଙ୍କ ରୋଜଗାର ବଢିବ ଓ ଉଦ୍ୟୋଗୀଙ୍କ ବିକାଶ ପାଇଁ ନୂତନ ପଥ ଉନ୍ମୋଚିତ ହେବ ।

Leave A Reply

Your email address will not be published.