ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ । ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍‌ ଏହି ପ୍ରକଳ୍ପକୁ ତିଆରି କରିଛି । ଏହି କାର୍ୟ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ ।
ଦୁର୍ଗାପୁର-ବାଙ୍କା ପାଇପ ଲାଇନ
ଦୁର୍ଗାପୁର-ବାଙ୍କା ପାଇପ ଲାଇନ ସେକ୍ସନର ଲମ୍ବ ୧୯୩ କିମି । ଏହା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଅଂଶ । ଏହାକୁ ଇଣ୍ଡିଆନ ଅୟେଲ କଂପାନୀ ତିଆରି କରିଛି । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ୨୦୧୯ ଫେବୃୟାରୀ ୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ତ୍ତମାନର ୧୭୯ କିମି ଦୈର୍ଘ୍ୟ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ଏହା ପରିବର୍ଦ୍ଧିତ ଅଂଶ । ଏହା ବିହାରର ବାଙ୍କାରେ ତିଆରି କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟକୁ ସଂଯୋଗ କରୁଛି । ହଳଦିଆ-ଦୁର୍ଗାପୁର-ବାଙ୍କା ପାଇପ ଲାଇନ ୩ଟି ରାଜ୍ୟ ଦେଇ ଯାଇଛି । ଏହି ପାଇପ ଲାଇନ ପଶ୍ଚିମବଂଗରେ ୬୦ କିମି, ଝାଡଖଣ୍ଡରେ ୯୮ କିମି ଏବଂ ବିହାରରେ ୩୫ କିମି ରହିଛି । ୧୪ ଇଞ୍ଚ ଗୋଲେଇର ପାଇପ ଯୋଗେ ଏଥିରେ ଗ୍ୟାସ ପରିବହନ କରାଯାଉଛି । ପାରାଦ୍ୱୀପ ଓ ହଳଦିଆ ତୈଳ ବିଶୋଧନାଗାର ଏବଂ ହଳଦିଆର ଆଇପିପିଏଲ୍‌ରୁ ବିହାରର ଏହି ବଟଲିଂ ପ୍ଲାଣ୍ଟକୁ ଗ୍ୟାସ ଯୋଗାଇ ଦିଆଯିବ । ଏହାଛଡା ବାରାଉଣୀ ଓ ପାରାଦ୍ୱୀପ ଟର୍ମିନାଲରୁ ଏହି ପ୍ଲାଣ୍ଟକୁ ଗ୍ୟାସ ଯୋଗାଣ ବ୍ୟବସ୍ଥା କରାଯାଇଛି ।
ଦୁର୍ଗାପୁର-ବାଙ୍କା ସେକ୍ସନରେ ମାଟିତଳେ ପାଇପ ଲାଇନ ବିଛାଇବା କ୍ଷେତ୍ରରେ ଅନେକ ପ୍ରାକୃତିକ ଏବଂ ମନୁଷ୍ୟକୃତ ପ୍ରତିବନ୍ଧକ ଥିଲା । ୧୫୪ଟି ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ସଂଯୋଗ ବ୍ୟବସ୍ଥା କରିବାକୁ ପଡିଛି । ଅଜୟ ନଦୀ ସମେତ ୧୩ଟି ନଈ, ୫ଟି ଜାତୀୟ ରାଜପଥ ଓ ୩ଟି ରେଳପଥକୁ ଅତିକ୍ରମ କରାଯାଇ ଏହି ପାଇପ ଲାଇନ ବିଛାଯାଇଛି । ଅଜୟ ନଦୀର ତଳେ ୧୦୭୭ ମିଟର ଲମ୍ବ ପାଇପ ବିଛାଇବାରେ ନୂତନ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ନଦୀ ତଳେ ଯେଉଁ ପାଇପ ବିଛାଯାଇଛି ତାହା ଅତ୍ୟାଧୁନିକ ଡ୍ରିଲିଂ ଟେକ୍ନୋଲଜିରେ ନିର୍ମିତ । ଏହାଦ୍ୱାରା ନଦୀ ଜଳପ୍ରବାହ ବ୍ୟାହତ ହେଉନାହିଁ ।
ବାଙ୍କା ବଟଲିଂ ପ୍ଲାଣ୍ଟ
ଇଣ୍ଡିଆନ ଅୟେଲ ପକ୍ଷରୁ ବାଙ୍କାରେ ଯେଉଁ ଏଲପିଜି ବଟଲିଂ ପ୍ଲାଣ୍ଟ ତିଆରି କରାଯାଇଛି ତାହା ରନ୍ଧନ ଗ୍ୟାସ ଯୋଗାଣ କ୍ଷେତ୍ରରେ ବିହାରକୁ ଆତ୍ମନିର୍ଭର କରିବ । ଏଥିପାଇଁ ମୋଟ ୧୩୧.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ବିହାରର ଭାଗଲପୁର, ବାଙ୍କା, ଜାମୁଇ, ଅରାରିଆ, କିଷାନଗଞ୍ଜ ଓ କଟିହାର ଜିଲା ଏବଂ ଝାଡଖଣ୍ଡର ଗୋଡା, ଦେଓଘର, ଦୁମ୍‌କା, ସାହିବଗଞ୍ଜ ଏବଂ ପକୁର ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ । ଏହି ବଟଲିଂ କେନ୍ଦ୍ରରେ ୧୮୦୦ ମେଟ୍ରିକ ଟନ ଏଲପିଜି ଗଚ୍ଛିତ ରହିବାର ସୁବିଧା ଅଛି । ପ୍ରତିଦିନ ଏଠାରୁ ୪୦ ହଜାର ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ହୋଇପାରିବ । ଏହି ପ୍ଲାଣ୍ଟ ଦ୍ୱାରା ବିହାରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଚମ୍ପାରଣ (ହରସିଦ୍ଧି ଏଲପିଜି ପ୍ଲାଣ୍ଟ)
ବିହାରର ପୂର୍ବ ଚମ୍ପାରଣ ଜିଲା ଅନ୍ତର୍ଗତ ହରସିଦ୍ଧିଠାରେ ୧୩୬.୪ କୋଟି ଟଙ୍କା ବ୍ୟୟରେ ଏଚପିସିଏଲ ଦ୍ୱାରା ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହାର ଏଲପିଜି ଭଣ୍ଡାରଣ କ୍ଷମତା ୧୨୦ ଟିଏମ୍‌ଟିପିଏ । ମୋଟ ୨୯ ଏକର ଜାଗାରେ ଏହି ପ୍ଲାଣ୍ଟ ନିର୍ମିତ । ୨୦୧୮ ଏପ୍ରିଲ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିହାରର ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଳଗଞ୍ଜ ଏବଂ ସୀତାମାଢି ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତାକୁ ଏହି ପ୍ଲାଣ୍ଟ ପୂରଣ କରିପାରିବ ।
ଦୂରଦର୍ଶନ ସମାଚାର ପକ୍ଷରୁ ଏହି କାର୍ୟ୍ୟକ୍ରମର ସିଧାପ୍ରସାରଣ କରାଯିବ ।

Leave A Reply

Your email address will not be published.