ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମନ୍ତ୍ରିମଣ୍ଡଳର ଶୋକପ୍ରକାଶ

● ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା
ନୂଆଦିଲ୍ଲୀ, (ପିଆଇବି) : ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଶୋକପ୍ରକାଶ କରାଯାଇଛି । ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ମନ୍ତ୍ରିମଣ୍ଡଳ ତରଫରୁ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଛି ।
ମନ୍ତ୍ରିମଣ୍ଡଳ ତରଫରୁ ଆଜି ନିମ୍ନଲିଖିତ ସଂକଳ୍ପନାମା ଜାରି କରାଯାଇଛି ।
‘‘ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମନ୍ତ୍ରିମଣ୍ଡଳ ଗଭୀର ଶୋକବ୍ୟକ୍ତ କରିଛି । ତାଙ୍କ ପରଲୋକରେ, ଦେଶ ଜଣେ ପ୍ରତିଷ୍ଠିତ ନେତା ଏବଂ ଜଣେ ଅସାଧାରଣ ରାଜନେତାଙ୍କୁ ହରାଇଛି ।
ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ପ୍ରଶାସନରେ ପ୍ରଚୁର ଅଭିଜ୍ଞତା ରହିଥିଲା, ଯେ କି କେନ୍ଦ୍ର ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ବାଣିଜ୍ୟ ଏବଂ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
୧୯୩୫ ଡିସେମ୍ବର ୧୧ରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ମିରାଟି ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପ୍ରଣବ ମୁଖାର୍ଜୀ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ କୋଲକାତା ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହାପରେ ଜଣେ କଲେଜ ଶିକ୍ଷକ ଏବଂ ସାମ୍ବାଦିକ ଭାବେ ସେ ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ । ଜାତୀୟ ଆନ୍ଦୋଳନରେ ଥିବା ତାଙ୍କ ପିତାଙ୍କ ଅବଦାନରୁ ପ୍ରେରଣା ପାଇ ଶ୍ରୀ ମୁଖାର୍ଜୀ ୧୯୬୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଷ୍ଟ୍ର ସେବା ପ୍ରତି ବ୍ରତୀ ହୋଇଥିଲେ ।
ଶ୍ରୀ ମୁଖାର୍ଜୀ ୧୯୭୩-୭୫ରେ ଶିଳ୍ପ ବିଭାଗରେ ଉପମନ୍ତ୍ରୀ; ଜାହାଜ ଚଳାଚଳ ଓ ପରିବହନ, ଇସ୍ପାତ ଓ ଶିଳ୍ପ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ୧୯୮୨ରେ ପ୍ରଥମ ଥର ପାଇଁ ଭାରତର ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୧୯୮୦ରୁ ୧୯୮୫ ପର୍ୟ୍ୟନ୍ତ ରାଜ୍ୟସଭା ନେତା ମଧ୍ୟ ରହିଥିଲେ । ଏହାପରେ ୧୯୯୧ରୁ ୧୯୯୬ ପର୍ୟ୍ୟନ୍ତ ସେ ଯୋଜନା ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ; ପରେ ୧୯୯୩ରୁ ୧୯୯୫ ପର୍ୟ୍ୟନ୍ତ ବାଣିଜ୍ୟ ମନ୍ତ୍ରୀ ଓ ୧୯୯୫ରୁ ୧୯୯୬ ଯାଏ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ; ୨୦୦୪ରୁ ୨୦୦୬ ପର୍ୟ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ପୁଣି ୨୦୦୬ରୁ ୨୦୦୯ ପର୍ୟ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ୨୦୦୯ରୁ ୨୦୧୨ ପର୍ୟ୍ୟନ୍ତ ଅର୍ଥ ମନ୍ତ୍ରୀ ହୋଇଥିଲେ । ୨୦୦୪ରୁ ୨୦୧୨ ପର୍ୟ୍ୟନ୍ତ ଶ୍ରୀ ମୁଖାର୍ଜୀ ଲୋକସଭାରେ ନେତା ରହିଥିଲେ ।
୨୦୧୨ ଜୁଲାଇ ୨୫ରେ ଶ୍ରୀ ମୁଖାର୍ଜୀ ଭାରତର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୫ ବର୍ଷ ଧରି ନିଜ କାର୍ୟ୍ୟକାଳ ପୂରଣ କରିଥିଲେ । ଦେଶର ରାଷ୍ଟ୍ରପତି ଭାବେ ଶ୍ରୀ ମୁଖାର୍ଜୀ ତାଙ୍କ କାର୍ୟ୍ୟାଳୟର ମର୍ୟ୍ୟାଦାକୁ ନୂଆ ସୋପାନକୁ ନେଇଥିଲେ ଏବଂ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ବ୍ୟାପାରରେ ସେ ତାଙ୍କର ଜ୍ଞାନ ଓ ମାନବୀୟ ଦୃଷ୍ଟିକୋଣକୁ ସାମିଲ କରିଥିଲେ ।
ଜଣେ ବିଦଗ୍ଧ ପାଠକ ହିସାବରେ ଶ୍ରୀ ମୁଖାର୍ଜୀ ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ରାଷ୍ଟ୍ର ନିର୍ମାଣ ଉପରେ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କୁ ପ୍ରଦାନ କରାଯାଇଥିବା ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟରେ ୧୯୯୭ରେ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର, ୨୦୦୮ରେ ପଦ୍ମବିଭୂଷଣ ଏବଂ ୨୦୧୯ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଆଦି ସାମିଲ ରହିଛି ।
ଶ୍ରୀ ମୁଖାର୍ଜୀ ଆମର ରାଷ୍ଟ୍ରୀୟ ଜୀବନରେ ତାଙ୍କର ଛାପ ଛାଡ଼ି ଯାଇଛନ୍ତି । ତାଙ୍କ ପରଲୋକରେ ଦେଶ ଜଣେ ପ୍ରତିଷ୍ଠିତ ନେତା, ନିପୁଣ ସାଂସଦ ଏବଂ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି ।
ରାଷ୍ଟ୍ର ପ୍ରତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଉତ୍ସର୍ଗୀକୃତ ସେବାକୁ ମନ୍ତ୍ରିମଣ୍ଡଳ ପ୍ରଶଂସାପୂର୍ବକ ସାଇତି ରଖୁଛି ଏବଂ ସରକାର ଓ ସମଗ୍ର ଦେଶ ତରଫରୁ ତାଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ହୃଦୟରୁ ସମବେଦନା ବ୍ୟକ୍ତ କରୁଛି ।’’

Leave A Reply

Your email address will not be published.