ଏମିତି ଏକ ନଦୀ, ଯାହା ଓଲଟା ପ୍ରବାହିତ ହୁଏ

ନୂଆଦି‌ଲ୍ଲୀ : ଆପଣ ହୁଏତ ସାଧାରଣ ଜ୍ଞାନ ପୁସ୍ତକରେ ପଢ଼ିଥିବେ ଯେ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗକୁ ପ୍ରବାହିତ ହୁଏ ଏବଂ ସେହି ଦିଗ ପଶ୍ଚିମରୁ ପୂର୍ବ ଦିଗକୁ ଯାଇଥାଏ । ସମସ୍ତ ନଦୀ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି, ଯାହା ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେବା ପରିବର୍ତ୍ତେ ପୂର୍ବରୁ ପଶ୍ଚିମ ଦିଗକୁ ପ୍ରବାହିତ ହୁଏ । ବିପରୀତ ଦିଗରେ ପ୍ରବାହିତ ସେହି ନଦୀର ନାମ ନର୍ମଦା । ଏହି ନଦୀର ଅନ୍ୟ ଏକ ନାମ ରେଓ୍‌ୱା ।

ଗଙ୍ଗା ସମେତ ଅନ୍ୟାନ୍ୟ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡୁଥିବା ବେଳେ ନର୍ମଦା ନଦୀ ବଙ୍ଗୋପସାଗର ପରିବର୍ତ୍ତେ ଆରବ ସାଗରରେ ଯୋଗ ଦେଇଥାଏ । ନର୍ମଦା ନଦୀ ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ଏକ ମୁଖ୍ୟ ନଦୀ ଅଟେ, ଯାହାକି ଭାରତର ମଧ୍ୟ ଭାଗରେ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୁଏ । ସୂଚନା ଅନୁସାରେ ମଇଖାଲ ପର୍ବତର ଅମରକଂଟକ ଶିଖରରୁ ଉତ୍ପନ୍ନ ହୋଇଛି । ଏହି ନଦୀର ଓଲଟା ପ୍ରବାହିତ ହେବାର ଭୌଗୋଳିକ କାରଣ ହେଉଛି ରିଫ୍ଟ ଉପତ୍ୟକା, ଯାହାର ଢ଼ାଳୁ ବିପରୀତ ଦିଗରେ ରହିଛି । ତେଣୁ ଏହି ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଆଡ଼କୁ । ସମସ୍ତ ନଦୀ ପରି, ନର୍ମଦା ନଦୀର ପ୍ରବାହିତ ପଛରେ ପୁରାଣରେ ଅନେକ କାହାଣୀ ମଧ୍ୟ କୁହାଯାଇଛି ।

ନର୍ମଦା ନଦୀ ସହ ଜଡିତ ଏକ କାହାଣୀ ଅନୁଯାୟୀ, ନର୍ମଦା ନଦୀ ସୋନଭଦ୍ର ନଦୀକୁ ବିବାହ କରିଥିଲା । କିନ୍ତୁ ନର୍ମଦାଙ୍କ ବାନ୍ଧବୀ ଜୋହିଲା ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଥିଲା । ଏଥିରେ କ୍ରୋଧିତ ହୋଇ ନର୍ମଦା ଆଜୀବନ କୁମାରୀ ରହିବାକୁ ଓ ବିପରୀତ ଦିଗରେ ପ୍ରବାହିତ ହେବାକୁ ସ୍ଥିର କରିଥିଲେ । ଯଦି ଆମେ ଭୌଗୋଳିକ ଅବସ୍ଥାନକୁ ଦେଖିବା, ନର୍ମଦା ନଦୀ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୋନଭଦ୍ର ନଦୀଠାରୁ ଅଲଗା ହୋଇଥିବାର ଦେଖାଯାଏ ।

Leave A Reply

Your email address will not be published.