୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।
ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ) ଥିବା କୋପ୍ରାର ଏମଏସପିର ୩୭୫ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ୯୯୬୦ ଟଙ୍କାରୁ ବୃଦ୍ଧି ପାଇ ୧୦୩୩୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି। ଗୋଲ କୋପ୍ରାର ଏମଏସପିରେ ମଧ୍ୟ କ୍ବିଣ୍ଟାଲ ପ୍ରତି ୩୦୦ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ଦର ୧୦୩୦୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୧ ଋତୁ ପାଇଁ ୧୦୬୦୦ ଟଙ୍କାରେ ପହଞ୍ଚିଛି। ଏହି ନୂତନ ଏମଏସପି ନିର୍ଦ୍ଧାରଣ କରାଯିବା ଫଳରେ ସର୍ବଭାରତୀୟ ସ୍ତରରେ ମିଲିଂ ପାଇ ଉପଯୁକ୍ତ କୋପ୍ରା ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ଏମଏସପି ମୂଲ୍ୟ ୫୧.୮୭ ପ୍ରତିଶତ ଅଧିକ ହୋଇଛି। ସେହିପରି ଗୋଲ କୋପ୍ରା କ୍ଷେତ୍ରରେ ଉତ୍ପାଦନ ବ୍ୟୟଠାରୁ ୫୫.୭୬ ପ୍ରତିଶତ ଅଧିକ ମୂଲ୍ୟପ୍ରାପ୍ତି ସୁନିଶ୍ଚିତ କରାଯାଇଛି । ଏହି ମଞ୍ଜୁରି, କୃଷି ବ୍ୟୟ ଏବଂ ମୂଲ୍ୟ (ସିଏସିପି) ଆୟୋଗର ସୁପାରିସ ଉପରେ ଆଧାରିତ ।
ଏମଏସପିକୁ ଉତ୍ପାଦନ ବ୍ୟୟର ଦେଢ଼ଗୁଣା କରିବା ଲାଗି ସରକାର ୨୦୧୮-୧୯ ବଜେଟରେ ଘୋଷଣା କରିଥିଲେ। ଏହାକୁ ଆଧାର କରି ୨୦୨୧ ଋତୁ ପାଇଁ କୋପ୍ରାର ଏମଏସପିରେ ଏହି ବୃଦ୍ଧି କରାଯାଇଛି।
୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ ।
ନଡ଼ିଆ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଭାରତୀୟ ଜାତୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ (ନାଫେଡ) ଏବଂ ଭାରତୀୟ ଜାତୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ) କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ଏମଏସପି କାର୍ୟ୍ୟକାରୀ କରିଥାଏ ।

Leave A Reply

Your email address will not be published.