ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ୨୦୨୧ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

• ଅକ୍ଟୋବରରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ
• ୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ
• ଓଡ଼ିଶାରେ ୪୯ ପ୍ରତିଶତ ଅଧିକ ଜିଏସଟି ରାଜସ୍ୱ ସଂଗୃହିତ

ନୂଆଦିଲ୍ଲୀ, (ପିଆଇବି) : ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୭ ହଜାର ୩୬୧ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୩୨ ହଜାର ୯୯୮ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୮ ହଜାର ୪୮୪ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୬୯୯ କୋଟି ଟଙ୍କା ସମେତ) ରହିଥିବା ଜଣାଯାଇଛି।
ଓଡ଼ିଶାରେ ୨୦୨୧ ଅକ୍ଟୋବର ମାସରେ ୩ ହଜାର ୫୯୩ କୋଟି ଟଙ୍କାର ରାଜସ୍ୱ ସଂଗୃହିତ ହୋଇଛି। ଏହା ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଆଦାୟ ହୋଇଥିବା ୨ ହଜାର ୪୧୯ କୋଟି ଟଙ୍କା ତୁଳନାରେ ୪୯ ପ୍ରତିଶତ ଅଧିକ ବୋଲି ଜଣାଯାଇଛି।
ସରକାର ସିଜିଏସଟି ବାବଦରେ ୨୭ ହଜାର ୩୧୦ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଜିଏସଟିରୁ ଏସଜିଏସଟି ବାବଦରେ ୨୨ ହଜାର ୩୯୪ କୋଟି ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ନିକଟରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧ ହଜାର ୧୭୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୨ ହଜାର ୮୧୫ କୋଟି ଟଙ୍କା ବଳକା ରହିଛି।
୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ। ସେହିପରି ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି। ଅନୁରୂପ ଭାବେ ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକ ବର୍ଷର ସମାନ ମାସ ତୁଳନାରେ ୧୯ ପ୍ରତିଶତ ଅଧିକ ରହିଛି।


ବସ୍ତୁ ଓ ସେବା କର (ଜିଏସଟି) ଆଇନ କାର୍ୟ୍ୟକାରୀ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୧ରେ ସର୍ବାଧିକ ପରିମାଣର ଜିଏସଟି ଆଦାୟ କରାଯାଇଥିଲା, ଯାହାକି ଆର୍ଥିକ ବର୍ଷର ଶେଷ ରାଜସ୍ୱ ଆଦାୟ ସହ ଜଡ଼ିତ ଥିଲା। ତେଣୁ ଅକ୍ଟୋବର ମାସରେ ସଂଗୃହିତ ଜିଏସଟି ଆର୍ଥିକ ସୁଧାରର ସଙ୍କେତ ଦେଉଛି। ଦ୍ୱିତୀୟ ଲହରୀ ପରେ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ଇ- ୱେ ବିଲ ପରିମାଣରୁ ମଧ୍ୟ ଏହାର ସଙ୍କେତ ମିଳିଥାଏ। ସେମି କଣ୍ଡକ୍ଟର ଯୋଗାଣ କାରଣରୁ କାର ଏବଂ ଅନ୍ୟ ଉତ୍ପାଦର ବିକ୍ରି ବାଧାପ୍ରାପ୍ତ ହୋଇଥିଲା। ଏପରି ହୋଇନଥିଲେ ରାଜସ୍ୱ ଆଦାୟ ପରିମାଣ ଆହୁରି ଅଧିକ ହୋଇଥାନ୍ତା। ଏହି ମାସରେ ଇ- ୱେ ବିଲ ସଂଖ୍ୟା ଏବଂ ଟିକସଯୋଗ୍ୟ ମୂଲ୍ୟର ପରିମାଣରେ ବୃଦ୍ଧି ଚାର୍ଟ-୧ରେ ଦର୍ଶାଯାଇଛି, ଯାହାକି ସ୍ପଷ୍ଟ ଭାବେ ଆର୍ଥିକ ଗତିବିଧିରେ ସୁଧାର ସମ୍ପର୍କରେ ସୂଚନା ଦେଉଛି।

ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସ ପ୍ରଶାସନର ସକ୍ରିୟ ପ୍ରୟାସ କାରଣରୁ ଅନୁପାଳନ ବୃଦ୍ଧି ପାଇଛି ଯାହା ଟିକସ ପରିମାଣରେ ବୃଦ୍ଧିରେ ସହାୟକ ହୋଇଛି। ଏହାବ୍ୟତୀତ ବ୍ୟକ୍ତିଗତ ଟିକସ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଜିଏସଟି ପରିଷଦ ପକ୍ଷରୁ ବହୁମୁଖୀ ଉପାୟ ଗ୍ରହଣ କରାଯିବା କାରଣରୁ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ ଏସଏମଏମ ମାଧ୍ୟମରେ ଶୂନ୍ୟ ଟିକସ ଦାଖଲ, ତ୍ରୈମାସିକ ରିଟର୍ଣ୍ଣ ମାସିକ ପଇଠ (କ୍ୟୁଆରଏମପି) ବ୍ୟବସ୍ଥା ଏବଂ ଅଟୋ ପପୁଲେସନ ରିଟର୍ଣ୍ଣ ଭଳି ସହଜ ଅନୁପାଳନ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଟିକସଦାତାମାନଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରିବା ଲାଗି ବ୍ୟବସ୍ଥାର କ୍ଷମତା ବୃଦ୍ଧି ପାଇଁ ଜିଏସଟିଏନ ଉଲ୍ଲେଖନୀୟ ସୁଧାର ଆଣିଛି। ଅନ୍ୟପକ୍ଷରେ, ରିଟର୍ଣ୍ଣର ଅଣ-ଫାଇଲିଂ ପାଇଁ ଇ- ୱେ ବିଲ ବ୍ଲକ କରିବା, ଲଗାତାର ଛଅ ଥର ରିଟର୍ଣ୍ଣ ଫାଇଲ କରିବାରେ ବିଫଳ ହୋଇଥିବା ଟିକସଦାତାଙ୍କର ପଞ୍ଜିକରଣ ସିଷ୍ଟମ ଆଧାରରେ ବାତିଲ କରିବା ଏବଂ ରିଟର୍ଣ୍ଣ ଦାଖଲରେ ବିଫଳ ହୋଇଥିବା ଟିକସଦାତାଙ୍କ କ୍ରେଡିଟ୍ ବ୍ଲକ୍ କରିବା ଭଳି ଅଣ-ଅନୁପାଳନ ଅଭ୍ୟାସକୁ ନିରୁତ୍ସାହିତ କରାଯିବା ଆଦି ବିଭିନ୍ନ ପଦକ୍ଷେପ ପରିଷଦ ପକ୍ଷରୁ ଗ୍ରହଣ କରାଯାଇଛି। ପରବର୍ତ୍ତୀ ମାସର ଶେଷ ସୁଦ୍ଧା ପ୍ରତି ମାସ/ତ୍ରୈମାସରେ ରିଟର୍ଣ୍ଣ (ଜିଏସଟିଆର-୩ବି) ଗୁଡ଼ିକର ସଂଖ୍ୟା ସଠିକ ସମୟରେ ରିଟର୍ଣ୍ଣ ପରିଶୋଧ ଏବଂ ରିଟର୍ଣ୍ଣ ଦାଖଲକୁ ଦର୍ଶାଉଛି। ରିଟର୍ଣ୍ଣ ଦାଖଲ କରାଯିବାର ଶେଷ ତାରିଖ ପରେ, ପ୍ରତି ମାସ ଶେଷ ସୁଦ୍ଧା ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟିଏନ ମେସେଜ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ଟିକସ ପ୍ରଶାସନ ପକ୍ଷରୁ ଗଭୀର ଭାବେ ଧ୍ୟାନ ଦିଆଯିବା ଆଦି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ନୀତିଗତ ପଦକ୍ଷେପ ଏବଂ ପ୍ରଶାସନିକ ପ୍ରୟାସ କାରଣରୁ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଟିକସ ପଇଠ ପରିମାଣ ବୃଦ୍ଧି ପାଉଛି। ପ୍ରତିମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ରିଟର୍ଣ୍ଣ ପ୍ରତିଶତ ଧିରେ ଧିରେ ବୃଦ୍ଧି ପାଇଥିବା ଚାର୍ଟ ୨ରେ ଦର୍ଶାଯାଇଛି।

ବିଭିନ୍ନ ସମୟରେ ପରିଷଦ ପକ୍ଷରୁ ବିଳମ୍ବିତ ଶୁଳ୍କ ଉଚ୍ଛେଦ କରିବା ଫଳରେ ପୁରୁଣା ରିଟର୍ଣ୍ଣ ଦାଖଲ କରିବା ଏବଂ ରିଟର୍ଣ୍ଣ ଦାଖଲ କରିବା କ୍ଷେତ୍ରରେ ଅପ୍ ଟୁ ଡେଟ୍ ରହିବାରେ ଟିକସଦାତାମାନେ ଅଧିକ ଉତ୍ସାହିତ ହୋଇଛନ୍ତି। ପ୍ରତି ମାସରେ ଅଧିକରୁ ଅଧିକ ସଂଖ୍ୟାରେ ଟିକସଦାତା ଟିକସ ପଇଠ କରୁଥିବାରୁ ପୁରୁଣା ଅବଧିର ଟିକସ ପଇଠ ପରିମାଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ମାସରେ ଚାଲୁ ଅବଧିରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ବୃଦ୍ଧି ଚାର୍ଟ-୩ରେ ଦର୍ଶାଯାଇଛି, ଯାହାକି ଚାଲୁ ମାସ ପାଇଁ ଦଖଲ କରାଯାଇଥିବା ରିଟର୍ଣ୍ଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ପ୍ରତି ସଙ୍କେତ ଦେଉଛି। କୋଭିଡ ପାଇଁ କୋହଳ ହୋଇଥିବା ନିୟମର ଲାଭ ଉଠାଇ ଜୁଲାଇ ୨୦୨୧ରେ ୧.୫ କୋଟି ରିଟର୍ଣ୍ଣ ଦାଖଲ କରାଯାଇଛି।

ରିଟର୍ଣ୍ଣ ଦାଖଲରେ ସୁଧାର ଆସିବା ସହିତ ଇନଭଏସର ବିବରଣୀ ଥିବା ଜିଏସଟିଆର-୧କୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଉପରେ ଜିଏସଟି ପରିଷଦ ଗୁରୁତ୍ବାରୋପ କରିଛି। ଇନପୁଟ୍ ଟିକସ କ୍ରେଡିଟରେ ନିୟମିତତା ସୁନିଶ୍ଚିତ କରିବା ଲାଗି ଏହି ବିବରଣୀ ଜରୁରି। ଜିଏସଟିଆର-୧ ନିର୍ଦ୍ଧାରିତ ସମୟ ସୁଦ୍ଧା ଦାଖଲ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସଟିଆର-୧ ନିର୍ଦ୍ଦିଷ୍ଟ ମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ସମ୍ପର୍କରେ ତଥ୍ୟ ଚାର୍ଟ-୪ରେ ଦର୍ଶାଯାଇଛି। ଜିଏସଟିଆର-୧ ଦାଖଲରେ ବୃଦ୍ଧି ଜିଏସଟି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସଫଳତାକୁ ଦର୍ଶାଉଛି।

Leave A Reply

Your email address will not be published.