‘ଇଭିନ୍‌’ ବ୍ୟବସ୍ଥା କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ସୁନିଶ୍ଚିତ କରିଛି

ନୂଆଦିଲ୍ଲୀ, (ପିଆଇବି) : ଇଲେକ୍‌ଟ୍ରୋନିକ ଭ୍ୟାକ୍‌ସିନ ଇଣ୍ଟେଲିଜେନସ୍‌ ନେଟୱର୍କ (ଇଭିନ୍‌) କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ଦେଶରେ ନିଶ୍ଚିତ କରିଛି । ଇଭିନ୍‌ ଏକ ଅଭିନବ ବୈଷୟିକ ସମାଧାନ ବ୍ୟବସ୍ଥା ଯାହା ସମଗ୍ର ଦେଶରେ ଟିକାକରଣ ପାଇଁ ଟିକା ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିଥାଏ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଏହା କାର୍ୟ୍ୟକାରୀ ହେଉଛି । ଦେଶରେ କେତେ ଟିକା ମହଜୁଦ ଅଛି, କେଉଁଠିକି କେତେ ଟିକା ଯାଉଛି, ଶୀତଳ ଜଞ୍ଜିର ବା କୋଲ୍‌ଡ ଚେନ୍‌ ବ୍ୟବସ୍ଥାରେ କେଉଁଠି କେତେ ତାପମାତ୍ରାରେ ଏସବୁ ଟିକା ସଂରକ୍ଷିତ ରଖାଯାଉଛି, ଟିକାର ତମାଦି ତାରିଖ ଆଦି ବିଷୟରେ ସବିଶେଷ ତଥ୍ୟ ଇଭିନ୍‌ ବ୍ୟବସ୍ଥାରେ ଉପଲବ୍‌ଧ ହେଉଛି । ଏହା ଏକ ବିରାଟ ତଥା ସୁସଂହତ ବ୍ୟବସ୍ଥା ଏବଂ କରୋନା ମହାମାରୀ ସମୟରେ ଟିକାକରଣ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏହାର ଉପଯୋଗ କରାଯାଇଛି । ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ଟିକା ଯୋଗାଣ ବ୍ୟବସ୍ଥା ଅବ୍ୟାହତ ରଖିବା ପାଇଁ କରୋନା ମହାମାରୀ ସମୟରେ ଇଭିନ୍‌ ବିଶେଷ ସହାୟକ ହୋଇଛି ।
ଇଭିନ୍‌ ଏକ ଅତ୍ୟାଧୁନିକ ଟେକ୍‌ନୋଲଜି ଦ୍ୱାରା ପରିଚାଳିତ ବ୍ୟବସ୍ଥା । ଏହା ପଛରେ ଏକ ଦୃଢ଼ ଆଇଟି ଭିତ୍ତିଭୂମି ରହିଛି ଯାହା ପ୍ରଶିକ୍ଷିତ ମାନବ ସମ୍ବଳ ଦ୍ୱାରା ପରିଚାଳିତ । ଏହି ଲୋକମାନେ ଦେଶରେ ଉପଲବ୍‌ଧ ଟିକାର ପରିମାଣ, ଏହାର ସମୟ ମିଆଦ, ସଂରକ୍ଷଣ ବ୍ୟବସ୍ଥା, ଦେଶର ବିଭିନ୍ନ ସ୍ଥାନରେ ଉପଲବ୍‌ଧତା ଏବଂ ଅନ୍ୟାନ୍ୟ ବିଷୟରେ ତଥ୍ୟ ସଂଗ୍ରହ କରି ତତ୍କାଳ ଯୋଗାଇଥାନ୍ତି । ଦେଶର ୩୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଇଭିନ୍‌ ଉପଲବ୍‌ଧ । ଅବଶିଷ୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯଥା ସିକ୍କିମ, ଲଦାଖ, ଚଣ୍ଡିଗଡ଼ ଏବଂ ଆଣ୍ଡାମାନ ଓ ନିକୋବରରେ ଖୁବ୍‌ ଶୀଘ୍ର ଏହା କାର୍ୟ୍ୟକାରୀ ହେବ । ଏବେ ଦେଶର ୨୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୫୮୫ଟି ଜିଲାରେ ୨୩,୫୦୭ କୋଲ୍‌ଡ ଚେନ୍‌ ପଏଣ୍ଟ ରହିଛି ଏବଂ ଏହା ଇଭିନ୍‌ ଟେକ୍‌ନୋଲଜିରେ ପରିଚାଳିତ । ୪୧,୪୨୦ରୁ ଅଧିକ ଭ୍ୟାକ୍‌ସିନ କୋଲ୍‌ଡ ଚେନ୍‌ ହ୍ୟାଣ୍ଡଲରଙ୍କୁ ଡିଜିଟାଲ ରେକର୍ଡ ରଖିବା ପାଇଁ ନିୟୋଜିତ କରାଯାଇଛି ଏବଂ ସେଥିପାଇଁ ସେମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି । ଭ୍ୟାକ୍‌ସିନ କୋଲ୍‌ଡ ଚେନ୍‌ ଯନ୍ତ୍ରପାତିରେ ପ୍ରାୟ ୨୩,୯୦୦ ଇଲେକ୍‌ଟ୍ରୋନିକ ଟେମ୍ପରଚର ଲଗର୍‌ ଲଗାଯାଇ ଟିକାର ଶୀତଳୀକରଣ ବ୍ୟବସ୍ଥାକୁ ନିୟମିତ ଅନୁଧ୍ୟାନ କରାଯାଉଛି ।
ଏହି ଇଲେକ୍‌ଟ୍ରୋନିକ ଭ୍ୟାକ୍‌ସିନ ଇଣ୍ଟେଲିଜେନ୍ସ ନେଟୱର୍କ ଏକ ବିରାଟ ଡାଟା ବ୍ୟବସ୍ଥା ତିଆରି କରିଛି । ଏଥିରୁ ତୁରନ୍ତ ଆବଶ୍ୟକତା ଅନୁସାରେ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇପାରୁଛି । ଫଳରେ ଟିକା ନଷ୍ଟ ହେଉନାହିଁ ଏବଂ ଏହାର ସଫଳ ବିନିଯୋଗ କରାଯାଉଛି । ଏହା ଫଳରେ ବହୁ ଅର୍ଥ ମଧ୍ୟ ସଂଚୟ ହୋଇପାରୁଛି ଏବଂ ଠିକ୍‌ ସମୟରେ ଟିକା ଉପଲବ୍‌ଧ ହେଉଛି । ଏବେ ଦେଶର ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ସବୁ ସମୟରେ ବିଭିନ୍ନ ପ୍ରକାର ଟିକା ଉପଲବ୍‌ଧ ହେଉଛି । ଯେଉଁଠି ଇଭିନ୍‌ ସୁବିଧା ରହିଛି ସେସବୁ ହସ୍‌‌ପିଟାଲରେ ଚାହିଁଲା ମାତ୍ରେ ୯୯ ଶତାଂଶ କ୍ଷେତ୍ରରେ ଟିକା ମିଳିପାରୁଛି । ଆଗରୁ ଯେଉଁ ଟିକାର ଅଭାବ ଥିଲା ଏବେ ତାହା ପ୍ରାୟ ୮୦ଭାଗ କ୍ଷେତ୍ରରେ ଆଉ ନାହିଁ । ଏହା ଫଳରେ ଏବେ ଯେଉଁସବୁ ଶିଶୁ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି ସେମାନଙ୍କୁ ଏହା ଦିଆଯାଉଛି ଏବଂ ଆଗଭଳି ସେମାନେ ଆଉ ବିନା ଟିକାରେ ଫେରୁନାହାନ୍ତି ।
କରୋନା ମହାମାରୀର ମୁକାବିଲା ପାଇଁ ଭାରତ ସରକାର ଯେଉଁ ଲଢେଇ ଜାରି ରଖିଛନ୍ତି ସେଥିରେ ଇଭିନ୍‌ ମଧ୍ୟ ବେଶ୍‌ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି । ଏହି ବ୍ୟବସ୍ଥାର ଉପଯୋଗ କରି ବିଭିନ୍ନ ରାଜ୍ୟ ସରକାର କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧପତ୍ର ଓ ଉପକରଣର ଉପଲବ୍‌ଧତା ସଂପର୍କରେ ତଥ୍ୟ ପାଉଛନ୍ତି । ଏପ୍ରିଲ ୨୦୨୦ ଠାରୁ ୮ଟି ରାଜ୍ୟ- ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ମହାରାଷ୍ଟ୍ର ଇଭିନ୍‌ର ସହାୟତା ନେଇ ନିଜ ନିଜର କୋଭିଡ୍‌ ଚିକିତ୍ସା ସାମଗ୍ରୀ ଓ ଉପକରଣ ଆଦିର ଶତପ୍ରତିଶତ ବ୍ୟବସ୍ଥା କରିବାରେ ସମର୍ଥ ହୋଇଛନ୍ତି । ଆହୁରି ମଧ୍ୟ କରୋନା ସଂକ୍ରମଣ ସମୟରେ ଅତ୍ୟାବଶ୍ୟକ ୮୧ଟି ଔଷଧ ଓ ଉପକରଣ ଅଭାବ କ୍ଷେତ୍ରରେ ଇଭିନ୍‌ ବ୍ୟବସ୍ଥା ଯଥେଷ୍ଟ ଆଗରୁ ରାଜ୍ୟଗୁଡିକୁ ସତର୍କ କରାଇ ଦେଉଛି ।
ଏହି ଦୃଢ ବ୍ୟବସ୍ଥା ଏବେ ବଜାରକୁ ଆସିବାକୁ ଥିବା କୋଭିଡ୍‌-୧୯ ଟିକାର ମହଜୁଦ, ସଂରକ୍ଷଣ ଏବଂ ଉପଲବ୍‌ଧତାକୁ ନିଶ୍ଚିତ କରିବାକୁ ସମର୍ଥ ।

Leave A Reply

Your email address will not be published.