କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଓ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ

• ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ଘୋଷଣା; ଆସନ୍ତାକାଲି ଠାରୁ ହେବ ଲାଗୁ
• ଉତ୍ପାଦ ଶୁଳ୍କ ହ୍ରାସ ସହିତ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ହ୍ରାସ ପାଇବ
• ପେଟ୍ରୋଲ ତୁଳନାରେ ଡିଜେଲରେ ଦୁଇଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି; ଆଗାମୀ ରବି ଋତୁରେ ଚାଷୀଙ୍କୁ ବିଶେଷ ଭାବେ ହେବ ସହାୟକ
• ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ ଲାଗି ରାଜ୍ୟମାନଙ୍କୁ ନିବେଦନ

ନୂଆଦିଲ୍ଲୀ, (ପିଆଇବି) : ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ସାଧାରଣ ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆସନ୍ତାକାଲି ଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇବ।

ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ । ଗତ ମହାମାରୀଜନିତ ଲକଡାଉନ ସମୟରେ ଦେଶର ଚାଷୀମାନେ ସେମାନଙ୍କର କଠିନ ପରିଶ୍ରମ ବଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ବଜାୟ ରଖିପାରିଥିଲେ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଡିଜେଲ ମୂଲ୍ୟରେ ଅଧିକ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଗତ କିଛି ମାସ ହେବ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଏହାର ପରିଣାମ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିଥିଲା ଯାହାକି ମୂଦ୍ରାସ୍ଫିତୀ ଜନିତ ଚାପ ବୃଦ୍ଧି କରିଥିଲା। ବିଶ୍ବ ସ୍ତରରେ ସମସ୍ତ ପ୍ରକାରର ଇନ୍ଧନର ଅଭାବ ଏବଂ ମୂଲ୍ୟ ବୃଦ୍ଧି ମଧ୍ୟ ଦେଖାଦେଇଛି। ତେବେ ଦେଶରେ କିପରି ଭାବେ ଇନ୍ଧନ ସଙ୍କଟ ଦେଖାନଦେବ ଭାରତ ସରକାର ସେଥିପ୍ରତି ସତର୍କତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଆମର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଳବ୍ଧ କରାଯାଇଛି।

ଭାରତର ଆକାଂକ୍ଷୀ ଜନସଂଖ୍ୟାର ଉଦ୍ୟମିତା କ୍ଷମତା ଦ୍ବାରା ପରିଚାଳିତ ହୋଇ ଭାରତୀୟ ଅର୍ଥବ୍ୟବସ୍ଥା କୋଭିଡ-୧୯ ପରବର୍ତ୍ତୀ ମାନ୍ଦାବସ୍ଥାରୁ ମୁକୁଳି ଉଲ୍ଲେଖନୀୟ ସୁଧାର ହାସଲ କରିପାରିଛି। ଉତ୍ପାଦନ, ସେବା କିମ୍ବା କୃଷି କ୍ଷେତ୍ର – ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ଆର୍ଥିକ ଗତିବିଧିରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ। ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।

ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି।

Leave A Reply

Your email address will not be published.