କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• କୋଭିଡ-୧୯ ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ନିମନ୍ତେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍ ପ୍ଲାଟଫର୍ମ ଉପଲବ୍ଧ କରାଇବାର ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ
• କୋୱିନ୍ ପ୍ଲାଟଫର୍ମକୁ ସମସ୍ତ ଦେଶଗୁଡ଼ିକ ପାଇଁ ଉପଲବ୍ଧ ହେଉଥିବା ଏକ ମୁକ୍ତ ସମ୍ବଳ ଭାବେ ପ୍ରସ୍ତୁତ କରାଯାଉଛି : ପ୍ରଧାନମନ୍ତ୍ରୀ
• ପାଖାପାଖି ୨୦୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ‘ଆରୋଗ୍ୟ ସେତୁ’ ଆପ୍ ଡେଭଲପର୍ସଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିବା ଏକ ପ୍ୟାକେଜ୍ : ପ୍ରଧାନମନ୍ତ୍ରୀ
• ୧୦୦ ବର୍ଷରେ ଥରେ ଆସୁଥିବା ଏପରି ଏକ ମହାମାରୀର ଅନ୍ୟ କୌଣସି ଉଦାହରଣ ନାହିଁ, ଯେକୌଣସି ରାଷ୍ଟ୍ର, ଯେତେ ଶକ୍ତିଶାଳୀ ହେଉ ପଛେ ଏକାକୀ ଏପରି ବିପଦର ମୁକାବିଲା କରିପାରିବ ନାହିଁ : ପ୍ରଧାନମନ୍ତ୍ରୀ
• ଆମକୁ ସାଥୀ ହୋଇ କାମ କରିବାକୁ ହେବ ଏବଂ ସାଥୀ ହୋଇ ଆଗକୁ ବଢ଼ିବାକୁ ହେବ : ପ୍ରଧାନମନ୍ତ୍ରୀ
• ଭାରତ ନିଜ ଟିକାକରଣ ରଣନୀତି ଯୋଜନା ପ୍ରସ୍ତୁତ କରିବା ସମୟରେ ଡିଜିଟାଲ ଦୃଷ୍ଟିକୋଣ ଆପଣାଇଛି : ପ୍ରଧାନମନ୍ତ୍ରୀ
• ସୁରକ୍ଷିତ ଏବଂ ବିଶ୍ୱସନୀୟ ପ୍ରମାଣ ଲୋକମାନଙ୍କୁ କେତେବେଳେ, କେଉଁଠି ଏବଂ କାହା ଦ୍ୱାରା ଟିକା ଦିଆଯାଇଛି ତାହା ଜାଣିବାରେ ସହାୟକ ହୋଇଥାଏ : ପ୍ରଧାନମନ୍ତ୍ରୀ
• ଡିଜିଟାଲ ଦୃଷ୍ଟିକୋଣ ଟିକାକରଣର ଉପଯୋଗ ଜାଣିବା ଏବଂ ଟିକା ଅପଚୟକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ: ପ୍ରଧାନମନ୍ତ୍ରୀ
• “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଲେ ହିଁ ମାନବଜାତି ଏହି ମହାମାରୀ ବିରୋଧରେ ନିଶ୍ଚିତ ଭାବେ ବିଜୟ ହାସଲ କରିପାରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି କୋୱିନ୍ ବିଶ୍ୱ ସମ୍ମିଳନୀରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ କୋଭିଡ-୧୯ର ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍ ପ୍ଲାଟଫର୍ମ ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସବୁ ଦେଶରେ କୋଭିଡ ମହାମାରୀ କାରଣରୁ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରତି ସମବେଦନା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୧୦୦ ବର୍ଷ ମଧ୍ୟରେ ଏପରି ମହାମାରୀର କୌଣସି ଉଦାହରଣ ଦେଖିବାକୁ ମିଳିନାହିଁ । ଯେକୌଣସି ରାଷ୍ଟ୍ର, ଯେତେ ଶକ୍ତିଶାଳୀ ହେଉ ପଛେ ଏକାକୀ ଏହି ବିପଦର ସମ୍ମୁଖିନ ହେବାର ସମାଧାନ ପାଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ, “କୋଭିଡ-୧୯ ମହାମାରୀରୁ ଆମ ସମସ୍ତଙ୍କୁ ମିଳିଥିବା ସବୁଠୁ ବଡ଼ ଶିକ୍ଷାଟି ହେଉଛି ମାନବତା ଏବଂ ମାନବ କଲ୍ୟାଣ ଲାଗି ଆମକୁ ମିଳିମିଶି କାମ କରିବାକୁ ହେବ । ଆମ ସମସ୍ତଙ୍କୁ ହାତରେ ହାତ ମିଶାଇ ଆଗକୁ ବଢ଼ିବାକୁ ହେବ । ଆମ ସମସ୍ତଙ୍କୁ ପରସ୍ପର ଠାରୁ ଶିଖିବାକୁ ହେବ ଏବଂ ନିଜର ସର୍ବୋତ୍ତମ ପ୍ରଚଳନ ସମ୍ପର୍କରେ ପରସ୍ପରର ମାର୍ଗଦର୍ଶନ ମଧ୍ୟ କରିବାକୁ ହେବ ।

ବିଶ୍ୱ ସମୁଦାୟ ସହ ଅଭିଜ୍ଞତା, ବିଶେଷଜ୍ଞତା ଓ ସମ୍ବଳ ବାଣ୍ଟିବା ପ୍ରତି ଭାରତର ପ୍ରତିବଦ୍ଧତାକୁ ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ ସେ ବିଶ୍ୱ ପ୍ରଚଳନଗୁଡ଼ିକୁ ଶିଖିବା ଲାଗି ଭାରତର ଉତ୍ସୁକତାକୁ ମଧ୍ୟ ବ୍ୟକ୍ତ କରିଥିଲେ । ମହାମାରୀ ବିରୋଧରେ ଏହି ଲଢ଼େଇରେ ପ୍ରଯୁକ୍ତିର ମହତ୍ୱ ଉପରେ ଜୋର ଦେଇ ଶ୍ରୀ ମୋଦୀ କହିଥିଲେ ଯେ ସଫ୍ଟୱେର୍ ଏଭଳି ଏକ କ୍ଷେତ୍ର ଯେଉଁଥିରେ ସମ୍ବଳର କୌଣସି ଅଭାବ ନାହିଁ । ସେଥିପାଇଁ ଭାରତ ପ୍ରଯୁକ୍ତି ଦୃଷ୍ଟିରୁ ସମର୍ଥ ହେବା କ୍ଷଣି ନିଜର କୋଭିଡ ଟ୍ରାକିଂ ଓ ଟ୍ରେସିଂ ଆପ୍କୁ ଏକ ମୁକ୍ତ ସମ୍ବଳ ଉତ୍ସରେ ପରିଣତ କରି ଦେଇଥିଲା । ସେ କହିଥିଲେ ଯେ ପାଖାପାଖି ୨୦୦ ନିୟୁତ ବ୍ୟବହାରକାରୀଙ୍କ ସହିତ ‘ଆରୋଗ୍ୟ ସେତୁ’ ଆପ୍ ଡେଭଲପର୍ସଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିବା ଏକ ପ୍ୟାକେଜ୍ରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ବିଶ୍ୱ ଦର୍ଶକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଭାରତରେ ଉପଯୋଗ ହେବା ପରେ ସମସ୍ତେ ଏହାକୁ ନେଇ ସୁନିଶ୍ଚିତ ହୋଇପାରିବେ ଯେ ଗତି ଏବଂ ବ୍ୟାପକତା ଦୃଷ୍ଟିକୋଣରୁ ଏହାର ବାସ୍ତବ ଦୁନିଆରେ ପରୀକ୍ଷଣ ହୋଇସାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିକାକରଣ ଉପରେ ଗୁରୁତ୍ୱାରୋପ କରି ଭାରତ ନିଜର ଟିକାକରଣ ରଣନୀତିର ଯୋଜନା ପ୍ରସ୍ତୁତି କରିବା ସମୟରେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଦୃଷ୍ଟିକୋଣ ଆପଣାଇଛି । ଏହାଫଳରେ ଲୋକମାନଙ୍କୁ ଏହା ପ୍ରମାଣିତ କରିବାରେ ସହାୟତା ମିଳିପାରିଛି ଯେ ମହାମାରୀ ପରବର୍ତ୍ତୀ ବିଶ୍ୱ ପାଇଁ ଦ୍ରୁତ ଗତିରେ ସ୍ବାଭାବିକ ସ୍ଥିତି ବଜାୟ ରଖିବା ଲାଗି ସେମାନଙ୍କୁ ଟିକା ଦିଆଯାଇଛି । ସୁରକ୍ଷିତ ଏବଂ ଭରସାଯୋଗ୍ୟ ପ୍ରମାଣ ଲୋକମାନଙ୍କୁ ଏହା ଜାଣିବାରେ ସହାୟକ ହୋଇଛି ଯେ ସେମାନଙ୍କୁ କେତେବେଳେ, କେଉଁଠି ଏବଂ କାହାଦ୍ୱାରା ଟିକା ଦିଆଯାଇଛି । ଡିଜିଟାଲ ଦୃଷ୍ଟିକୋଣ ଟିକାକରଣର ଉପଯୋଗ ଜାଣିବା ଏବଂ ଟିକା ଅପଚୟକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା ଲାଗି ଭାରତୀୟ ଦର୍ଶନର ଅନୁରୂପ କୋଭିଡ ଟିକାକରଣ ପ୍ଲାଟଫର୍ମ କୋୱିନ୍କୁ ଏକ ମୁକ୍ତ ସମ୍ବଳ ଉତ୍ସ ଭାବେ ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏହା ସବୁଦେଶ ପାଇଁ ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆଜି ଏହି ସମ୍ମିଳନୀ ବିଶ୍ୱ ଦର୍ଶକମାନଙ୍କ ସମ୍ମୁଖରେ ଏହି ମଞ୍ଚକୁ ପ୍ରସ୍ତୁତ କରିବା ଦିଗରେ ପ୍ରଥମ ପଦକ୍ଷେପ ଅଟେ । ଭାରତରେ କୋଭିଡ ଟିକାର ୩୫୦ ନିୟୁତ ଡୋଜ୍ ଦିଆଯାଇସାରିଛି । ଏଥିରେ ବିଗତ କିଛି ଦିନ ପୂର୍ବରୁ ଗୋଟିଏ ଦିନରେ ୯୦ ଲକ୍ଷ ଟିକା ଦିଆଯିବାର ରେକର୍ଡ ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ ଟିକା ନେଉଥିବା ଲୋକମାନଙ୍କୁ କିଛି ପ୍ରମାଣିତ କରିବା ଲାଗି କାଗଜ ଖଣ୍ଡ ନେଇ ଯିବାର ଆବଶ୍ୟକତା ନାହିଁ, କାରଣ ସବୁକିଛି ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ପ୍ରଧାନମନ୍ତ୍ରୀ ଇଚ୍ଛୁକ ଦେଶଗୁଡ଼ିକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସଫ୍ଟୱେର୍ କ୍ଷମତାକୁ ଅନୁକୂଳ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ । “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଲେ ହିଁ ମାନବଜାତି ଏହି ମହାମାରୀ ବିରୋଧରେ ନିଶ୍ଚିତ ଭାବେ ବିଜୟ ହାସଲ କରିପାରିବ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଶା ସହିତ ନିଜର ଅଭିଭାଷଣ ସମାପ୍ତ କରିଥିଲେ ।

Leave A Reply

Your email address will not be published.