ଭୂମିକମ୍ପରେ ଥରିଲା ଜୟପୁର ଓ ମଣିପୁର

ନୂଆଦିଲ୍ଲୀ : ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଜୟପୁର ଓ ମଣିପୁର ରାଜ୍ୟରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି । ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଅନୁସାରେ, ପାହାନ୍ତା ୪ ରୁ ଭୋର୍‌ ୪.୨୫ ମଧ୍ୟରେ ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ସଂଘଠିତ ହୋଇଛି । ରିକ୍ଟର୍‌ସ୍କେଲ୍‌ ଅନୁସାରେ, ପାହାନ୍ତା ୪:୦୯ରେ ଜୟପୁରରେ ସଂଘଠିତ ପ୍ରଥମ ଭୂମିକମ୍ପର ତୀବ୍ରତା ଥିଲା ୪.୪, ୪:୨୨ରେ ସଂଘଠିତ ଦ୍ବିତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୧ ଏବଂ ୪:୨୫ରେ ସଂଘଠିତ ତୃତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୪।

ଭୂକମ୍ପନ ଅନୁଭୂତ ହେବାରୁ ଲୋକେ ଛାନିଆ ହୋଇ ଘରୁ ବାହାରକୁ ଧାଇଁ ଆସିଥିଲେ । ଭୂମିକମ୍ପ ଭୟରେ ବାହାରେ ଠିଆ ହୋଇଥିବା ଲୋକମାନଙ୍କ ଫଟୋ ଏବଂ ଘରଦ୍ବାର ଥରୁଥିବାର ଦୃଶ୍ୟର ଭିଡିଓ ଉଠାଇ କେହି କେହି ସାମାଜିକ ଗଣମାଧ୍ୟମରେ ବି ସେୟାର୍‌ କରିଛନ୍ତି । କିନ୍ତୁ, ଏଥିରେ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ ।

ଜୟପୁରରେ ତୀବ୍ର ଭୂକମ୍ପନ ଅନୁଭୂତ ହୋଇଥିବା କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ସୁନିଶ୍ଚିତ କରିଛନ୍ତି । ଟୁଇଟ୍‌ କରି ସେ ଲେଖିଛନ୍ତି, ଆଶା କରେ ଆପଣମାନେ ନିରାପଦ ଥିବେ ।

ସେହିପରି, ଦେଶର ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି । ଭୋର୍‌ ୫:୧ରେ ରାଜ୍ୟର ଉରୁକୁଲ୍‌ରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ୩.୫ ଥିଲା ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି । ଭୂଗର୍ଭର ୨୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ ।

Leave A Reply

Your email address will not be published.