ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନସନ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ପୁଣି ଥରେ ଭାରତକୁ ଧନ୍ୟବାଦ ଅର୍ପଣ କରିଥିଲେ, କିନ୍ତୁ ବ୍ରିଟେନରେ ବର୍ତ୍ତମାନର ପରିବର୍ତ୍ତିତ କୋଭିଡ-୧୯ ସ୍ଥିତିକୁ ଦେଖି ସମାରୋହରେ ଉପସ୍ଥିତ ହୋଇ ପାରିବେ ନାହିଁ ବୋଲି ନିଜର ଅସମର୍ଥତା ବ୍ୟକ୍ତ କରିଥିଲେ । ତେବେ ନିକଟ ଭବିଷ୍ୟତରେ ଭାରତ ଗସ୍ତ ଲାଗି ସେ ତାଙ୍କର ଆଗ୍ରହ ବ୍ୟକ୍ତ କରିଥିଲେ । ବ୍ରିଟେନରେ ଦେଖା ଦେଇଥିବା ଅସାଧାରଣ ପରିସ୍ଥିତିକୁ ସେ ହୃଦୟଙ୍ଗମ କରି ପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଯଥା ଶୀଘ୍ର ମହାମାରୀ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରିବା ନେଇ ସେ ନିଜର ଶୁଭକାମନା ଜଣାଇଥିଲେ । ପରିସ୍ଥିତି ସ୍ୱାଭାବିକ ହେବାପରେ ଯଥାଶୀଘ୍ର ସୁଯୋଗ ମିଳିଲେ ସେ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଭାରତରେ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ବୋଲି କହିଥିଲେ ।
ଦୁଇ ନେତା ବିଶ୍ୱ ପାଇଁ କୋଭିଡ-୧୯ ଟୀକା ଉପଲବ୍ଧତା ସମେତ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ଆପୋସ ସହଯୋଗର ସମୀକ୍ଷା କରିଥିଲେ । ବ୍ରେକସିଟ ପରବର୍ତ୍ତୀ ଓ କୋଭିଡ ପରବର୍ତ୍ତୀ ପରିଦୃଶ୍ୟରେ ଭାରତ-ବ୍ରିଟେନ ଭାଗିଦାରୀର ସମ୍ଭାବନା ପ୍ରତି ସେମାନେ ସେମାନଙ୍କର ସହଭାଗୀ ବିଶ୍ୱାସକୁ ଦୋହରାଇଥିଲେ ଏବଂ ଏହି ସମ୍ଭାବନାକୁ ବାସ୍ତବ ରୂପ ଦେବା ନିମନ୍ତେ ଏକ ବିସ୍ତୃତ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ସହମତ ହୋଇଥିଲେ ।