୭୭ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା
ନୂଆଦିଲ୍ଲୀ, (ପିଆଇବି) :
ମୋର ପ୍ରିୟ ଦେଶବାସୀ,
ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ଗାଁରୁ ସହର ଯାଏ, ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ନାଗରିକମାନେ, ସମସ୍ତେ ଯେଉଁ ଆନନ୍ଦ, ଉତ୍ସାହ ଓ ଆଗ୍ରହର ସହିତ ଆମ ସ୍ୱାଧୀନତା ଉତ୍ସବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହା ଅତ୍ୟନ୍ତ ଚିତ୍ତାକର୍ଷକ । ତାହା ଦେଖିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶବାସୀ ଆଜାଦୀ କା ଅମୃତ ମହୋତ୍ସବକୁ ବେଶ୍ ଧୂମଧାମରେ ପାଳନ କରୁଛନ୍ତି ।
ସ୍ୱାଧୀନତା ଦିବସ ପାଳନ ମଧ୍ୟ ମୋ ପିଲାଦିନର କଥା ମନେ ପକାଇ ଦେଉଛି । ଆମ ଗାଁ ସ୍କୁଲରେ ସ୍ୱାଧୀନତା ଦିବସ ଉତ୍ସବ ପାଳନରେ ଭାଗ ନେବାକୁ ଆଗ୍ରହ ଓ ଇଚ୍ଛାକୁ ଆମେ ରୋକି ପାରୁ ନ ଥିଲୁ । ଯେତେବେଳେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେଉଥିଲା, ସେତେବଳେ ଏକ ବୈଦ୍ୟୁତିକ ଶକ୍ତି ଆମ ଶରୀରରେ ପ୍ରବାହିତ ହେବା ପରି ଅନୁଭୂତ ହେଉଥିଲା । ଦେଶପ୍ରେମର ଗର୍ବ ଓ ଗୌରବରେ ପରିପୂର୍ଣ୍ଣ ଆମ ହୃଦୟକୁ ନେଇ ଆମେ ଜାତୀୟ ପତାକାକୁ ସାଲ୍ୟୁଟ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରୁଥିଲୁ । ଏହା ଆମ ମନରେ ଅନେକ ଦିନ ଧରି ରହୁଥିଲା । ମୁଁ ଯେତେବେଳେ ଜଣେ ସ୍କୁଲ ଶିକ୍ଷକ ହେଲି ସେତେବେଳେ ପିଲାଦିନର ସ୍ମୃତିକୁ ପୁନଃ ଜାଗରିତ କରିବାର ସୁଯୋଗ ମୋତେ ମିଳିଲା ଏବଂ ସେଥିପାଇଁ ମୁଁ ନିଜକୁ ଭାଗ୍ୟବତୀ ମନେ କରେ । ।
ଆମେ ଯେତେବେଳେ ବଡ ହେଲୁ ସେତେବେଳେ ଆମ ପିଲାମାନଙ୍କ ଭଳି ଆମର ଆନନ୍ଦକୁ ସେତେ ଅଧିକ ପ୍ରଦର୍ଶନ କରିପାରୁ ନ ଥିଲୁ । ତଥାପି ଆମ ଭିତରେ ଜାତୀୟ ଉତ୍ସବ ପାଳନର ଦେଶାତ୍ମବୋଧ ଭାବନା ଓ ଉତ୍ସାହ କମି ନ ଥିଲା । ସ୍ୱାଧୀନତା ଦିବସ ଆମକୁ ସ୍ମରଣ କରାଏ ଯେ ଆମେ କେବଳ ମଣିଷ ନୁହଁନ୍ତି, ବରଂ ଏକ ମହାନ୍ ଓ ବୃହତ୍ତମ ଜନ ସମୁଦାୟର ଏକ ଅଂଶବିଶେଷ । ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ଆମେ ଜନ ସମୁଦାୟ ଓ ନାଗରିକ ।
ଏକ ମହାନ୍ ଗଣତନ୍ତ୍ରର ଅଂଶବିଶେଷ ଭାବେ ଆମେ ଆମ ସ୍ୱାଧୀନତା ଦିବସ ପାଳନ କରୁଛୁ ଏହା ସତ୍ୟ । ଆମ ପ୍ରତ୍ୟେକଙ୍କର ଅନେକ ପରିଚୟ ରହିଛି । ଜାତି, ପନ୍ଥ, ମତ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଆମେ ଆମ ପରିବାର ଓ ବୃତ୍ତି ସହିତ ସମ୍ପୃକ୍ତ । ମାତ୍ର ଏସବୁ ସତ୍ୱେ ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ ହେଲା, ଆମେ ସମସ୍ତେ ଭାରତୀୟ, ଭାରତର ନାଗରିକ । ଆମ ମଧ୍ୟରୁ ପ୍ରତ୍ୟେକ ନାଗରିକ ଦେଶ ଆଗରେ ସମାନ । ଆମ ସମସସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ । ଏହି ଭୂମିରେ ଆମ ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ ସମାନ ।
ଭାରତ ଗଣତନ୍ତ୍ରର ଜନନୀ ଏବଂ ପ୍ରାଚୀନ କାଳରୁ ଆମ ଦେଶରେ ସମାଜର ତଳସ୍ତରରେ ଗଣତାନ୍ତ୍ରିକ ଅନୁଷ୍ଠାନ କାର୍ଯ୍ୟକରି ଆସୁଥିଲା । ଦୀର୍ଘକାଳୀନ ଉପନିବେଶବାଦୀ ଶାସନ ସେସବୁକୁ ନିଃଶେଷ କରିଦେଇଥିଲା । ୧୯୪୭ ଅଗଷ୍ଟ୧୫ରେ ଭାରତରେ ଏକ ନୂତନ ସୂର୍ଯ୍ୟୋଦୟ ହେଲା । ଆମେ ବିଦେଶୀ ଶାସନରୁ କେବଳ ମୁକ୍ତି ପାଇଲୁ ନାହିଁ, ଆମ ଭାଗ୍ୟ ଲେଖିବାର ସ୍ୱାଧୀନତା ମଧ୍ୟ ଆମକୁ ମିଳିଲା ।
ଆମ ସ୍ୱାଧୀନତା ସହିତ ଅନେକ ଉପନିବେଶରୁ ବିଦେଶୀ ଶାସକମାନେ ହଟିବାକୁ ଲାଗିଲେ । ଆମ ସ୍ୱାଧୀନତାର ସ୍ୱାତନ୍ତ୍ର୍ୟ ହେଲା-ଏହାର ଲକ୍ଷ କେବଳ ହାସଲ ହୋଇନାହିଁ, ଆମେ ବରଂ କିଭଳି ଏହି ମୁକ୍ତି ସଂଗ୍ରାମରେ ଲଢିଲୁ ତାହାର ଗୁରୁତ୍ୱ ପ୍ରତିପାଦିତ ହେଲା । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ମହାନ ମୁକ୍ତି ସଂଗ୍ରାମୀ ଓ ଦେଶଭକ୍ତମାନେ ଏକାଠି ହୋଇ ଏହି ସଂଗ୍ରାମକୁ ଏକ ଅନୁପମ ଆଦର୍ଶ ଢାଞ୍ଚା ପ୍ରଦାନ କରିଥିଲେ । ସେହି ନୀତି ଓ ଆଦର୍ଶ ଉପରେ ଦେଶରେ ସ୍ୱାଧୀନତା ସଂଗ୍ରାମ ହୋଇଥିଲା । ଗାନ୍ଧିଜୀ ଓ ଅନ୍ୟମାନେ ଭାରତ ମାତାର ଆତ୍ମାକୁ ପୁନଃ ପ୍ରଜ୍ଜ୍ୱଳିତ କଲେ । ଏହା ଫଳରେ ଆମେ ଆମ ରାଷ୍ଟ୍ର ତାହାର ସାଭ୍ୟତିକ ମୂଲ୍ୟବୋଧକୁ ପୁନଃ ଆବିଷ୍କାର କଲା । “ସତ୍ୟ ଓ ଅହିଂସା”-ଯାହା ଭାରତର ଜାଜୁଲ୍ୟମାନ ଉଦାହରଣ ଥିଲା ତାହାକୁ ଅନୁକରଣ କରି ବିଶ୍ୱର ଅନେକ ଭାଗରେ ରାଜନୀତିକ ସଂଗ୍ରାମ ଆରମ୍ଭ ହେଲା ଓ ସେମାନେ ଏଥିରେ ଆମ ଭଳି ମଧ୍ୟ ସଫଳ ହେଲେ ।
ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆମର ସେହି ଜ୍ଞାତ ଓ ଅଜ୍ଞାତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଦେଶବାସୀଙ୍କ ସହିତ ମୋର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରୁଛି । ସେମାନଙ୍କ ଯୋଗୁଁ ଭାରତ ବିଶ୍ୱ ଦରବାରରେ ଉପଯୁକ୍ତ ସ୍ଥାନ ପାଇବାର ଆଜି ସମର୍ଥ ହୋଇଛି । ମାତଙ୍ଗନୀ ହାଜରା ଓ କନକଲତା ବରୁଆଙ୍କ ଭଳି ମହାନ୍ ମହିଳା ମୁକ୍ତି ସଂଗ୍ରାମୀମାନେ ଭାରତ ମାତାଙ୍କ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ । ମା’ କସ୍ତୁରବା ଜାତିର ପିତାଙ୍କ ସହ ତାଳ ମିଳାଇ ସତ୍ୟାଗ୍ରହର ବନ୍ଧୁର ପଥରେ ଆଗକୁ ବଢିଥିଲେ । ସରୋଜିନୀ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମାଦେବୀ, ଅରୁଣା ଆସଫ ଅଲ୍ଲୀ ଓ ସୁଚେତା କୃପାଳିନୀଙ୍କ ଭଳି ଅନେକ ମହାନ୍ ମହିଳା ଭବିଷ୍ୟତର ମହିଳା ପିଢିଙ୍କ ପାଇଁ ସେବା, ତ୍ୟାଗ ଓ ଦେଶଭକ୍ତିର ଉଚ୍ଚ ପ୍ରେରଣାଦାୟୀ ଆଦର୍ଶ ଛାଡିଗଲେ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମବିଶ୍ୱାସର ସହିତ ଦେଶର ମହିଳମାନେ ରାଷ୍ଟ୍ର ଓ ସମାଜ ପାଇଁ କାମ କରିପାରିବେ । ଆଜି ଆମ ଦେଶର ମହିଳାମାନେ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ସେବା ଓ ଅବଦାନ ଫଳରେ ଦେଶର ଗରିମା ବୃଦ୍ଧି ପାଉଛି । ଅଳ୍ପ କେଇ ଦଶକ ତଳେ ଯେଉଁସବୁ କ୍ଷେତ୍ରରେ ମହିଳାମାନଙ୍କର ପ୍ରବେଶ କଳ୍ପନାତୀତ ଥିଲା ଏବେ ସେଠାରେ ନାରୀମାନେ ଚମତ୍କାର ସଫଳତା ହାସଲ କରୁଛନ୍ତି ।
ମୁଁ ଆନନ୍ଦର ସହ କହୁଛି ଯେ ଆମ ଦେଶରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ଆର୍ଥିକ ସଶକ୍ତିକରଣ ପରିବାର ଓ ସମାଜରେ ମହିଳାମାନଙ୍କ ସ୍ଥିତି ସୁଦୃଢ କରେ । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମୁଁ ସବୁ ନାଗରିକଙ୍କୁ ଆହ୍ୱାନ ଜଣାଉଛି । ଆମ କନ୍ୟା ଓ ଭଗିନୀମାନେ ସାହାସର ସହିତ ସବୁ ଆହ୍ୱାନ ଓ ପ୍ରତିବନ୍ଧକର ମୁକାବିଲା କରି ଆଗକୁ ବଢନ୍ତୁ ଓ ଜୀବନର ଉନ୍ନତି କରନ୍ତୁ ଏହା ମୁଁ ଚାହେଁ । ମହିଳାଙ୍କ ବିକାଶ ଆମ ମୁକ୍ତି ସଂଗ୍ରାମର ଅନ୍ୟତମ ଆଦର୍ଶ ଥିଲା ।
ପ୍ରିୟ ନାଗରିକ,
ଆମ ଇତିହାସ ସହିତ ପୁନଃ ସଂଯୁକ୍ତ ହେବା ପାଇଁ ସ୍ୱାଧୀନତା ଦିବସ ଏକ ଅବସର । ଏହା ମଧ୍ୟ ବର୍ତ୍ତମାନର ସ୍ଥିତିକୁ ଆକଳନ କରି ଭବିଷ୍ୟତର କର୍ମ ପନ୍ଥା ନିର୍ଦ୍ଧାରଣ କରିବାର କ୍ଷଣ । ବର୍ତ୍ତମାନ ଦେଖିଲେ ଆମକୁ ଦେଖାଯାଏ ଯେ ଭାରତ କେବଳ ବିଶ୍ୱ ମଞ୍ଚରେ ତାହାର ଯଥାର୍ଥ ସ୍ଥାନ ଫେରି ପାଇନାହିଁ, ଆମ ଦେଶ ବରଂ ଆନ୍ତର୍ଜାତିକ ସ୍ତରରେ ତାହାର ସ୍ଥିତି ଓ ପ୍ରଭାବକୁ ବଢାଇ ପାରିଛି । ବିଭିନ୍ନ ଦେଶକୁ ଗସ୍ତ କରିବା ଅବସରରେ ମୁଁ ସେଠାରେ ବସବାସ କରୁଥିବା ଭାରତୀୟଙ୍କ କାହାଣୀରେ ଏକ ନୂଆ ଆତ୍ମବିଶ୍ୱାସ ଓ ଭାବନା ଅନୁଭବ କରିଛି । ସମଗ୍ର ବିଶ୍ୱରେ ମାନବୀୟ ଓ ବିକାଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଜି-୨୦ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଂଚର ନେତୃତ୍ୱ ମଧ୍ୟ ଭାରତ ଏବେ ନେଉଛି ।
ଜି-୨୦ ବିଶ୍ୱ ଜନ ସଂଖ୍ୟାର ଦୁଇ-ତୃତୀୟାଂଶକୁ ପ୍ରତିନିଧିତ୍ୱ କରୁଛି । ଅତଏବ ଆନ୍ତର୍ଜାତିକ ବୁଝାମଣା ଓ ଆଲୋଚନା କ୍ଷେତ୍ରରେ ଉଚିତ ମାର୍ଗ ନିର୍ଣ୍ଣୟ କରି ସେ ରାସ୍ତାରେ ଅଗ୍ରସର ହେବାକୁ ଏହା ଭାରତ ପାଇଁ ଏକ ଅଦ୍ୱିତୀୟ ସୁଯୋଗ । ଭାରତ ଏବେ ଜି-୨୦ ର ଅଧ୍ୟକ୍ଷ । ସୁତରାଂ ବିଶ୍ୱ ବାଣିଜ, ଅର୍ଥ ବ୍ୟବସ୍ଥା ଆଦି କ୍ଷେତ୍ରରେ ସବୁ ଦେଶର ସ୍ୱାର୍ଥ ଯେପରି ସୁରକ୍ଷିତ ହୋଇପାରିବ ସେ ଦିଗରେ ଭାରତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବ । ଫଳରେ ସମସ୍ତେ ସମାନଭାବେ ଆଗକୁ ବଢିପାରିବେ । ବାଣିଜ୍ୟ ଓ ଅର୍ଥ ବ୍ୟତୀତ ମାନବ ବିକାଶ ମଧ୍ୟ ଏହି କାର୍ଯ୍ୟସୂଚୀରେ ସ୍ଥାନ ପାଇଛି । ଅନେକ ବୈଶ୍ୱିକ ପ୍ରସଙ୍ଗ ରହିଛି ଯାହା ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି । ଏସବୁ ଘଟଣା ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ସୀମାବଦ୍ଧ ନୁହେଁ । ମୋର ଦୃଢ ବିଶ୍ୱାସ ଯେ ଭାରତ ବୈଶ୍ୱିକ ପ୍ରସଙ୍ଗରେ ତାହାର ନେତୃତ୍ୱର ପରାକାଷ୍ଠା ବଳରେ ପ୍ରମୁଖ ଓ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରି ଏସବୁର ସ୍ଥାୟୀ ସମାଧାନ ପାଇଁ ବାଟ ବାହାର କରିପାରିବ ।
ଜି-୨୦ର ଅଧ୍ୟକ୍ଷଭାବେ ଭାରତ ପାଇଁ ବିଶେଷତ୍ୱ ହେଲା ଯେ ଏହି ବୈଶ୍ୱିକ ମଞ୍ଚର କୂଟନୀତିକ କାର୍ଯ୍ୟକଳାପକୁ ଆମ ଦେଶ ତୃଣମୂଳ ସ୍ତରକୁ ନେଇ ପାରିଛି । ଏଥିରେ ଜନ ସହଯୋଗ ଭଳି କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ କାର୍ଯ୍ୟସୂଚୀରେ ସ୍ଥାନିତ କରାଯାଇଛି । ଜି-୨୦ର ବିଷୟବସ୍ତୁ ବା ‘ଥିମ’ ଉପରେ ଭାରତର ସ୍କୁଲ ଓ କଲେଜରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହେବା ଏବଂ ଏଥିରେ ଛାତ୍ରଛାତ୍ରୀଙ୍କ ବିଶେଷ ଆଗ୍ରହ ରହିବା କଥା ଦେଖି ମୁଁ ବହୁତ ଆନନ୍ଦିତ ।
ସଶକ୍ତ ହେବାର ବିଚାର ସହିତ ଏହି ଉତ୍ସାହ ପ୍ରକାଶ ପାଇବା ସ୍ୱାଭାବିକ; କାରଣ ଆମ ଦେଶ ସବୁ କ୍ଷେତ୍ରରେ ବେଶ୍ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଭାରତର ଅର୍ଥନୀତି କେବଳ ସୁଦୃଢ ହୋଇନାହିଁ ମହାମାରୀର ଅସ୍ଥିର ସମୟରେ ଏହା ଅନ୍ୟ ଦେଶଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି । ଭାରତ ମହାମାରୀ ସମୟର ସମସ୍ୟାବଳୀକୁ ବେଶ୍ ଦକ୍ଷତାର ସହିତ ସୁଯୋଗରେ ପରିଣତ କରିପାରିଥିଲା । ଏହା ଫଳରେ ଏକ ଅସ୍ଥିର ସମୟରେ ଆମେ ନିରାପଦରେ ଆମ ଲକ୍ଷ୍ୟ ହାସଲ କରିପାରିଲୁ । କରୋନା ମହାମାରୀ ପରେ ବିଶ୍ୱର ସବୁ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ଥିଲା । ଏହା ଏ କ୍ଷେତ୍ରରେ ଏକ ରେକର୍ଡ । ଆମର ଅନ୍ନଦାତା, ଚାଷୀମାନେ ଆମ ଅର୍ଥନୀତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ସମଗ୍ର ରାଷ୍ଟ୍ର ସେମାନଙ୍କ ପାଖରେ ଋଣୀ ।
ବୈଶ୍ୱିକ ସ୍ତରରେ ମୁଦ୍ରାସ୍ପୀତି ଏବେ ଚିନ୍ତାର କାରଣ ପାଲଟିଛି । ମାତ୍ର ଭାରତରେ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତଭାବେ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଛନ୍ତି । ଉଚ୍ଚ ମୁଦ୍ରାସ୍ପୀତି ଜନିତ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବାରେ ଆମ ସରକାର ସଫଳ ହେବା ଉଲ୍ଲେଖଯୋଗ୍ୟ । ଏହି ସମୟରେ ଦେଶର ଗରିବମାନଙ୍କୁ ବ୍ୟାପକ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦିଆଯାଉଛି । ବୈଶ୍ୱିକ ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସମଗ୍ର ପୃଥିବୀ ଭାରତକୁ ଚାହିଁଛି ।
ଦ୍ୱିମୁଖୀ ରଣନୀତି ଯୋଗୁଁ ଦେଶର ଅର୍ଥନୀତିକ ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି । ଗୋଟିଏ ପଟେ ନିଯୁକ୍ତି ସୃଷ୍ଟି, ପୁଞ୍ଜିନିବେଶ ଓ ଉଦ୍ୟୋଗିତାକୁ ବଢାଇବା ପାଇଁ ସରକାର ବ୍ୟବସାୟ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିବାବେଳେ ଅନ୍ୟ ପଟରେ ଦେଶର ପ୍ରତ୍ୟେକ ଅଭାବୀ ଓ ଅସହାୟ ଲୋକଙ୍କୁ ବିବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଦୁଃଖ ଲାଘବ କରୁଛନ୍ତି । ବଂଚିତ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ନୀତିରେ ଅଗ୍ରାଧିକାର ପାଇଛି । ବିଭିନ୍ନ ଜନକଲ୍ୟାଣ ଓ ଦାରିଦ୍ର୍ୟ ନିରାକରଣ କାର୍ଯ୍ୟକ୍ରମ ଫଳରେ ଦେଶର ବହୁ ଲୋକ ଦାରିଦ୍ର୍ୟ ରୁ ଉପରକୁ ଉଠିଛନ୍ତି । ସେହିଭଳି ଆଦିବାସୀମାନଙ୍କ ବିକାଶ ପାଇଁ ସରକାର ନାନାବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ବିକାଶ ଯାତ୍ରାରେ ସାମିଲ ହେବାକୁ ସେମାନଙ୍କୁ ଉତ୍ସାହିତ କରାଯାଉଛି । ନିଜର ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହିତ ଆଧୁନିକତାକୁ ଗ୍ରହଣ କରିବାକୁ ମୁଁ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ନିବେଦନ କରୁଛି ।
ଅର୍ଥନୀତିକ ଅଭିବୃଦ୍ଧି ସହିତ ମାନବିକ ବିକାଶକୁ ସରକାର ଗୁୁରୁତ୍ୱ ଦେଉଥିବାରୁ ମୁଁ ଆନନ୍ଦିତ । ଏକଦା ଜଣେ ଶିକ୍ଷକ ଥିବାରୁ ମୁଁ ଅନୁଭବ କରିଛି ଯେ ସାମାଜିକ ସଶକ୍ତିକରଣ ପାଇଁ ଶିକ୍ଷା ହିଁ ସବୁଠୁ ବଡ ଅସ୍ତ୍ର । ୨୦୨୦ର ନୂଆ ଜାତୀୟ ଶିକ୍ଷା ନୀତି ଏ କ୍ଷେତ୍ରରେ ତାହାର ପ୍ରଭାବ ପ୍ରଦର୍ଶନ କଲାଣି । ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ ମାନଙ୍କ ସହ ମୋର ହୋଇଥିବା ବିିଭିନ୍ନ ଆଲୋଚନାରୁ ମୁଁ ଜାଣିବାକୁ ପାଇଛି ଯେ ଏବେ ଶିକ୍ଷଣ ପ୍ରକ୍ରିୟା ଅଧିକ ନମନୀୟ ହୋଇଛି । ଏହି ଦୂରଦୃଷ୍ଟି ସମ୍ପନ୍ନ ନୀତି ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ କୌଶଳ ଓ ଦକ୍ଷତା ସହିତ ମିଶାଇ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ । ଏହା ଫଳରେ ଦେଶର ଏକ ବିରାଟ ପରିବର୍ତନ ଆସିବ । ଭାରତର ଅର୍ଥନୀତିକ ପ୍ରଗତି ପଛରେ ଏହାର ଜନତାଙ୍କ ସ୍ୱପ୍ନ ଶକ୍ତି କାମ କରୁଛି । ବିଶେଷକରି ଦେଶର ଯୁବପିଢି ପାଇଁ ଅସୀମ ସୁଯୋଗ ଓ ସୁବିଧା ଯୋଗାଇ ଦିଆଯାଇଛି । ଷ୍ଟାର୍ଟଅପ୍ ଠାରୁ କ୍ରୀଡା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଯୁବବର୍ଗତ୍ତଉତ୍କର୍ଷର ନୂଆ ଦିଗ୍ବଳୟ ଆବିଷ୍କାର କରିଛନ୍ତି ।
ଆଜିର ନବ ଭାରତର ଆକାଂକ୍ଷାଗୁଡିକ ସକାଶେ ନୂଆ ଦିଗସବୁ ଅସୀମ । ଭାରତୀୟ ମହାକାଶ ସଂଗଠନ ନୂଆ ସୋପାନ ଛୁଉଁଛି ଏବଂ ବିଚକ୍ଷଣତାର ଉତ୍କୃର୍ଷ ସ୍ଥାପନ କରିଛି । ଚଳିତ ବର୍ଷ ଚନ୍ଦ୍ରଯାନ-୩ ମହାକାଶକୁ ଛଡାଯାଇଛି, ଯାହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିପାରିଛି । ଏହାର ବିକ୍ରମ ନାମକ ଲ୍ୟାଣ୍ଡର ଓ ପ୍ରଜ୍ଞାନ ନାମକ ରୋଭର୍ ଆଉ କିଛିଦିନ ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଆମ ସମସ୍ତଙ୍କ ପାଇଁ ଏହା ଗୌରବର ମୁହୂର୍ତ ହେବ । ମୁଁ ମଧ୍ୟ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛ; କିନ୍ତୁ ଚନ୍ଦ୍ରକୁ ଆମର ଏହି ଅଭିଯାନ ମହାକାଶରେ ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ଏକ ଅୟମାରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଖାଲି ମହାକାଶରେ ନୁହେଁ ପୃଥିବୀ ଉପରେ ମଧ୍ୟ ଆମର ବୈଜ୍ଞାନିକ ଏବଂ କାରିଗରୀ ବିଦ୍ୟା ବିଶେଷଜ୍ଞମାନେ ନାମ ଉଜ୍ଜ୍ୱଳ କରୁଛନ୍ତି । ଗବେଷଣା, ନବୀନତା ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ୫ବର୍ଷରେ ଜାତୀୟ ଅନୁସନ୍ଧାନ ଓ ଗବେଷଣା ପ୍ରତିଷ୍ଠାନକୁ ୫୦ହଜାର କୋଟି ଟଙ୍କା ସରକାର ପ୍ରଦାନ କରିବେ । ଏହି ପ୍ରତିଷ୍ଠାନ ଆମର କଲେଜ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନଗୁଡିକୁ ଗବେଷଣା ଓ ବିକାଶ ପାଇଁ ଆଧାର ପ୍ରଦାନ କରିବ । ଏଗୁଡିକୁ ବିକାଶ କରିବା ସଙ୍ଗେ ସଙ୍ଗେ ଆଗେଇ ନେଇପାରିବ ଅନୁସନ୍ଧାନ ।
ପ୍ରିୟ ଦେଶବାସୀ,
ଜ୍ଞାନ ବିଜ୍ଞାନରେ ଉତ୍କୃର୍ଷ ଲାଭ କରିବା ଆମର ଲକ୍ଷ୍ୟ ନୁହେଁ, ଆମ ପାଇଁ ସବୁ ଲୋକଙ୍କର ବିକାଶ ଓ ସାଧନର ଲକ୍ଷ୍ୟ ରହିଛି । ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଏମିତ ଏକ କ୍ଷେତ୍ର ଯାହା ଉପରେ ସାରା ବିଶ୍ୱର ବୈଜ୍ଞାନିକ ଓ ନୀତି ନିର୍ଦ୍ଧାରକମାନଙ୍କର ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦେଶର କେତେକ ଅଞ୍ଚଳରେ ସାମାନ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ପଡୁଛି । କିଛି ସ୍ଥାନରେ ମରୁଡି ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହିଭଳି ଘଟଣାଗୁଡିକ ବିଶ୍ୱ ଉତାପ ବୃଦ୍ଧି କାରଣରୁ ଘଟୁଛି । ତେଣୁ ସ୍ଥାନୀୟ, ଜାତୀୟ ଓ ବିଶ୍ୱସ୍ତରରେ ପରିବେଶ ପାଇଁ ସୁନିଶ୍ଚିତ ଉଦ୍ୟମର ଆବଶ୍ୟକତା ରହିଛି । ତେଣୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମେ ଅଭୂତପୂର୍ବ ଲକ୍ଷ୍ୟ ହାସଲ କରିପାରିଛୁ । ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ (ଅଭିଯାନ)ର ଭାରତ ନେତୃତ୍ୱ ନେଉଛି । ଆମ ଦେଶ ଆନ୍ତର୍ଜାତିକ ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବା ପାଇଁ ମଧ୍ୟ ପ୍ରମୁଖ ଭୂମିକା ନିଭାଉଛି । ଆମେ ଏଲ.ଆଇ.ଏଫ. ଇ (lIFE) ଅର୍ଥାତ୍ ପରିବେଶ ପାଇଁ ଜୀବନ ଶୈଳୀ ମନ୍ତ୍ର ପ୍ରଦାନ କରିଛୁ ।
ପ୍ରିୟ ଦେଶବାସୀ
ପାଣିପାଗର ଅସ୍ଥିରତା ଯୋଗୁ ସମସ୍ତେ ପ୍ରଭାବିତ ହେଉଛନ୍ତି, କିନ୍ତୁ ଏହା ପ୍ରଭାବ ଗରିବ ଓ ଅବେହେଳିତମାନଙ୍କ ଉପରେ ଅଧିକ ପଡୁଛି । ସହର ଓ ପାହାଡିଅ ଇଲାକାକୁ ଜଳବାୟୁ ପରିବର୍ତ୍ତନ ସ୍ଥିତିର ମୁକାବିଲା କରିବା ନିମନ୍ତେ ବିଶେଷଭାବେ ସମର୍ଥ କରିବାକୁ ପଡିବ । ଆମେ ଆମର ଲୋଭ ବୃଦ୍ଧି ଯୋଗୁଁ ଆମେ ସାଂସ୍କୃତିକ ଦୁନିଆଠାରୁ ପ୍ରକୃତିକୁ ଦୂରେଇ ନେଉଛୁ ବୋଲି ମୁଁ କହିବି ଏବଂ ଏବେ ଆମେ ଅନୁଭବ କଲେଣି ଯେ ଆମକୁ ମୂଳକୁ ପୁଣି ଫେରିବାକୁ ପଡିବ । ଅନେକ ଜନଜାତି ସମ୍ପ୍ରଦାୟ ଅଛନ୍ତି, ଯେଉଁମାନେ କି ପ୍ରକୃତି ସହ ଅତି ନିବିଡ ଏବଂ ପ୍ରକୃତି ସହ ସୌହାର୍ଦ୍ଦ୍ୟ ବଜାୟ ରଖି ଜୀବନ ବିତାଉଛନ୍ତି । ସେମାନଙ୍କର ଜୀବନର ମୂଲ୍ୟବୋଧ ଓ ଜୀବନ ଶୈଳୀ ଜଳବାୟୁ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଅମୂଲ୍ୟ ଶିକ୍ଷା ପ୍ରଦାନ କରୁଛି । ଜନଜାତି ସମୁଦାୟ ଦ୍ୱାରା ଯୁଗ ଯୁଗ ଧରି ବଂଚି ରହିବାର ଯେଉଁ ଗୁପ୍ତ ରହସ୍ୟ ରହିଛି, ତାହା ଗୋଟିଏ ଶବ୍ଦରେ ବ୍ୟକ୍ତ କରାଯାଇପାରିବ । ସେହି ଶବ୍ଦ ହେଉଛି ସହନଶୀଳତା । ଜନଜାତି ସମୁଦାୟର ଲୋକମାନେ ପ୍ରକୃତିକୁ ମା’ ବୋଲି ଭାବନ୍ତି ଏବଂ ଏହାର ସବୁ ସମ୍ପତ୍ତି ଅର୍ଥାତ୍ ବନଜାତ ସାମଗ୍ରୀଠାରୁ ଜୀବଜନ୍ତୁମାନଙ୍କ ପ୍ରତି ସେମାନେ ସମ୍ବେଦନଶୀଳ । କେବେ କେବେ ଦୁନିଆରେ ସହାନୁଭୂତିର ଅଭାବ ଅନୁଭୂତ ହୁଏ, କିନ୍ତୁ ଇତିହାସ ସାକ୍ଷୀ ଯେ ଏଭଳି ସମୟ ମାତ୍ର ଅଳ୍ପ ସମୟ ପାଇଁ ଆସେ କାରଣ କରୁଣା ଆମର ମୂଳ ସ୍ୱଭାବ । ମୋର ଅନୁଭବ କହୁଛି, ମହିଳାମାନଙ୍କ ଅନୁକମ୍ପା ଅଧିକ ମହତ୍ୱପୂର୍ଣ୍ଣ ଓ ନିବିଡ । ଏହା ଦ୍ୱାରା ମାନବ ସମାଜ ଯେତେବେଳେ ରାସ୍ତା ଭୁଲିଯାଏ, ମହିଳାମାନଙ୍କ ଅନୁକମ୍ପା ସେମାନଙ୍କୁ ରାସ୍ତା ଦେଖାଏ । ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି । ୨୦୪୭ମସିହା ସୁ୍ଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶ ଆଗେଇ ଚାଲିଛି । ବଢୁଛି । ଆସନ୍ତୁ ଆମେ ସମସ୍ତେ ନିଜ ନିଜର ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ନିଭାଇବା ପାଇଁ ପ୍ରତିଜ୍ଞା କରିବା ତଥା ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ ସବୁକ୍ଷେତ୍ରରେ ଉତ୍କର୍ଷ ହାସଲ ନିମନ୍ତେ ଆଗକୁ ବଢିବା ଲାଗି ସବୁପ୍ରକାର ଚେଷ୍ଟା କରିବା । ଫଳରେ ଆମ ଦେଶର ନିରନ୍ତର ବିକାଶ ହାସଲ କରିବା ସଙ୍ଗେ ସଙ୍ଗେ ଆମର କର୍ମକୁଶଳତା ଓ ଅଭିଜ୍ଞତାକୁ ନୂଆ ସୋପାନରେ ପହଞ୍ଚାଇପାରିବା ।
ପ୍ରିୟ ଦେଶବାସୀ,
ଆମର ସମ୍ବିଧାନ, ଆମର ମାର୍ଗଦର୍ଶକ ଦସ୍ତାବିଜ୍ । ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ସ୍ଥାନ ପାଇଛି । କିନ୍ତୁ ଆସନ୍ତୁ ଆମେ ଆମର ରାଷ୍ଟ୍ର ନିର୍ମାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଦ୍ଭାବନା ଓ ଭ୍ରାତୃଭାବର ବିଚାର ସହିତ ଆଗକୁ ବଢିବା । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ପୁଣି ଆପଣମାନଙ୍କୁ ବିଶେଷକରି, ସୀମାରେ ଦେଶକୁ ସୁରକ୍ଷା କରୁଥିବା ଯବାନମାନଙ୍କୁ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଥିବା ସବୁ ବାହିନୀ ଓ ପୁଲିସମାନଙ୍କୁ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଉଛି ।
ସମସ୍ତ ଅନ୍ତରଙ୍ଗ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା ।
ଧନ୍ୟବାଦ
ଜୟହିନ୍ଦ୍ ।
ଜୟଭାରତ।