• ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି
• କେନ୍ଦ୍ର ସରକାର ୧.୨୮ କୋଟିରୁ ଅଧିକ ପିପିଇ କିଟ୍ସ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇଛନ୍ତି
ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ମୂଳରୁ କାର୍ୟ୍ୟ କରି ଆସୁଛନ୍ତି । ସେଥିପାଇଁ ଦେଶବ୍ୟାପୀ ମେଡିକାଲ ଭିତ୍ତିଭୂମିର ଉନ୍ନତି ସହ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ନିୟମିତ ଭାବେ ନିଆଯାଉଛି ।
ବୈଶ୍ଵିକ ମହାମାରୀ କେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କଲା ସେତେବେଳେ ବିଶ୍ଵବ୍ୟାପୀ ଏନ-୯୫ ମାସ୍କ, ପିପିଇ କିଟ୍ସ ଓ ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ପ୍ରଥମତଃ ଅଧିକାଂଶ ସାମଗ୍ରୀ ଦେଶରେ ତିଆରି ହେଉନଥିଲା । ଏଥିପାଇଁ ଆବଶ୍ୟକ ଯନ୍ତ୍ରାଂଶ ବାହାରୁ ଆମଦାନୀ କରିବାକୁ ପଡୁଥିଲା । ବୈଶ୍ଵିକ ମହାମାରୀ ଯୋଗୁଁ ବୈଦେଶିକ ବଜାରରେ ମଧ୍ୟ ସେ ସମସ୍ତ ଉପକରଣର ଚାହିଦା ବୃଦ୍ଧି ପାଇଲା ।
ବୈଶ୍ଵିକ ମହାମାରୀକୁ ଏକ ସୁଯୋଗ ଭାବେ ବିବେଚନା କରି ଦେଶରେ ଏହି ମେଡିକାଲ ଉପକରଣମାନ ପ୍ରସ୍ତୁତ କରିବାକୁ ସ୍ଥିର ହେଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୟନ ଓ ଫର୍ମାସ୍ୟୁଟିକାଲ ମନ୍ତ୍ରଣାଳୟ, ଶିଳ୍ପ ପ୍ରସାର ଏବଂ ଆନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଅନ୍ୟମାନେ ମିଳିମିଶି ନିଜର ନିର୍ମାଣ ଦକ୍ଷତା ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ ।
ପିପିଇ କିଟ୍ସ ଉତ୍ପାଦନ ଦକ୍ଷତା ସହ ଘରୋଇ ଚାହିଦା ପୂରଣ ପରେ ବିଦେଶକୁ ପିପିଇ କିଟ୍ସ ରପ୍ତାନି କରିବାକୁ ନେଇ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି) ଗତ ଜୁଲାଇ ୨୦ ତାରିଖ ଦିନ (ବିଜ୍ଞପ୍ତି କ୍ରମିକ -୧୬/୨୦୧୫-୨୦, ତାରିଖ ୨୯.୦୬.୨୦୨୦) ବଳରେ ଏଥିନେଇ ବିଜ୍ଞପ୍ତି ଜାରି କଲେ । ଏହାର ଫଳସ୍ଵରୂପ ଜୁଲାଇ ମାସରେ ହିଁ ୨୩ ଲକ୍ଷ ପିପିଇ କିଟ୍ସ ୫ଟି ଦେଶକୁ ରପ୍ତାନି କରାଗଲା । ଏହି ଦେଶଗୁଡିକ ହେଲେ ୟୁଏସଏ, ୟୁକେ, ୟୁଏଇ, ସେନେଗାଲ ଏବଂ ସ୍ଲୋଭାନିଆ । ଏହା ବିଶ୍ଵ ରପ୍ତାନି ବଜାରରେ ଭାରତର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛି ।
ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ମେକ ଇନ ଇଣ୍ଡିଆର ସଂକଳ୍ପ ଯୋଗୁଁ ଭାରତ ପିପିଇ କିଟ୍ସ ସମେତ ଡାକ୍ତରୀ ଉପକରଣ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପିପିଇ, ଏନ-୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ଯୋଗାଉଥିବା ବେଳେ କେତେକ ରାଜ୍ୟ ଏହା ସିଧାସଳଖ ମଗାଉଛନ୍ତି । ସେମାନେ ଗତ ମାର୍ଚ୍ଚରୁ ଅଗଷ୍ଟ ମାସ ମଧ୍ୟରେ ୧.୪୦ କୋଟି ସ୍ଵଦେଶୀ ପିପିଇ କିଟ୍ସ ନିଜସ୍ଵ ବଜେଟ ଅର୍ଥରୁ କିଣିଛନ୍ତି । ଏହି ସମୟ ମଧ୍ୟରେ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ୧.୨୮ କୋଟି ମାଗଣା ପ୍ରଦାନ କରିଛନ୍ତି ।