ଭାରତରେ କାର୍ଯ୍ୟକାରୀ ହେବ ଫୁଟବଲ୍ ଫର୍ ସ୍କୁଲ୍‌ସ ଅଭିଯାନ

  • ଫିଫା ଓ ଏଆଇଏଫଏଫ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଧର୍ମେନ୍ଦ୍ର ପ୍ରଧାନ
    • ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି ୨୦୨୦ର ଭାବନା ରହିଛି : ଧର୍ମେନ୍ଦ୍ର ପ୍ରଧାନ
    • ସ୍ୱୟଂସମ୍ପୂର୍ଣ୍ଣ ନାଗରିକ ଗଠନ ଦିଗରେ କ୍ରୀଡ଼ାର ଶକ୍ତିକୁ ଉପଯୋଗ କରିବ ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଫିଫା ଓ ସର୍ବଭାରତୀୟ ଫୁଟବଲ ମହାସଂଘ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଏମଓୟୁରେ ସ୍ୱାକ୍ଷର କରିଥିଲେ । ଫିଫା ସଭାପତି ମିଃ ଗିୟାନ୍ନୀ ଇନଫାଣ୍ଟିନୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି କଲ୍ୟାଣ ଚୌବେ ମଧ୍ୟ ଏହି ଏମଓୟୁରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ, ମହାରାଷ୍ଟ୍ରର ବିଦ୍ୟାଳୟ ଶିକ୍ଷା ଓ ମରାଠୀ ଭାଷା ମନ୍ତ୍ରୀ ଦୀପକ କେସରକର, ନବୋଦୟ ବିଦ୍ୟାଳୟ ସମିତିର ଆୟୁକ୍ତ ବିନାୟକ ଗର୍ଗ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ରେ କ୍ରୀଡ଼ାକୁ ଏକ ସମ୍ମାନଜନକ ସ୍ଥାନ ମିଳିଛି । ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି ୨୦୨୦ର ଭାବନା ପ୍ରତିଫଳିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ସହିତ କ୍ରୀଡ଼ାକୁ ମୁଖ୍ୟଧାରାକୁ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି । କ୍ରୀଡ଼ାକୁ ଜୀବନର ଏକ ମାର୍ଗ ଭାବେ ଗ୍ରହଣ କରିବା ଏବଂ ସ୍ୱୟଂସମ୍ପୂର୍ଣ୍ଣ ନାଗରିକ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଭାରତରେ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ ଆୟୋଜନ ହେଉଥିବା ସମୟରେ ଫୁଟବଲର ପ୍ରୋତ୍ସାହନ ଏବଂ ଯୁବ ପ୍ରତିଭାମାନଙ୍କୁ ମୂଲ୍ୟବାନ ଜୀବନ କୌଶଳ ଶିକ୍ଷାଦାନ ପାଇଁ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ ଏବଂ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବାକୁ ନେଇ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଥିଲେ ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଫୁଟବଲ ଅତି ଲୋକପ୍ରିୟ ଖେଳ ଏବଂ ଫୁଟବଲ ଫର୍‌ ସ୍କୁଲ୍ସ କାର୍ଯ୍ୟକ୍ରମ ପିଲାମାନଙ୍କୁ ଏହି ଖେଳ ପାଇଁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଦିଗରେ ସହାୟକ ହୋଇପାରିବ । ସେ ପୁଣି କହିଥିଲେ ଯେ, ଫୁଟବଲ ଫର ସ୍କୁଲ୍ସ ଅଭିଯାନ ମାଧ୍ୟମରେ କ୍ରୀଡା-ସମନ୍ୱିତ ଶିକ୍ଷାଦାନ ମାଧ୍ୟମରେ ଦେଶର ୨୫ ନିୟୁତରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଶକ୍ତିକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମର ଲାଭ :
• ମୂଲ୍ୟବାନ ଜୀବନ କୌଶଳ ଏବଂ ଦକ୍ଷତା ସହିତ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ।
• କ୍ରୀଡ଼ା ଓ ଜୀବନ କୌଶଳ ପ୍ରଦର୍ଶନ ପାଇଁ ପ୍ରଶିକ୍ଷଣ ସହିତ ପ୍ରଶିକ୍ଷକ-ଶିକ୍ଷାବିତମାନଙ୍କୁ ଯୋଗାଇ ଦେବା ଏବଂ ସଶକ୍ତ କରିବା ।
• ଫୁଟବଲ ଜରିଆରେ ଜୀବନ କୌଶଳ ପ୍ରଶିକ୍ଷଣ ଯୋଗାଇ ଦେବାକୁ ଅଂଶୀଦାର (ବିଦ୍ୟାଳୟ, ସଦସ୍ୟ ସଂଘ ଏବଂ ସରକାରୀ କର୍ତ୍ତୃପକ୍ଷ)ଙ୍କ କ୍ଷମତା ନିର୍ମାଣ କରିବା ।
• ଭାଗିଦାରୀ, ମେଣ୍ଟ ଏବଂ ଆନ୍ତଃକ୍ଷେତ୍ରୀୟ ସହଭାଗିତା ଲାଗି ସରକାର ଏବଂ ଅଂଶଗ୍ରହଣକାରୀ ବିଦ୍ୟାଳୟ ମଧ୍ୟରେ ଆପୋସ ସହଯୋଗକୁ ସୁଦୃଢ଼ କରିବା ।

Leave A Reply

Your email address will not be published.