ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ । ଏବେ ସମଗ୍ର ବିଶ୍ୱରେ ପ୍ୟାରିସ୍ ଅଲମ୍ପିକ୍ସ ଚର୍ଚ୍ଚାରେ ରହିଛି । ଅଲମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଥାଏ, ଦେଶ ପାଇଁ କିଛି କରିବାର ସୁଯୋଗ ପ୍ରଦାନ କରିଥାଏ । ଆପଣମାନେ ମଧ୍ୟ ଆମ ଖେଳାଳିମାନଙ୍କ ଉତ୍ସାହ ବର୍ଦ୍ଧନ କରନ୍ତୁ, ବନ୍ଧୁଗଣ, କ୍ରୀଡ଼ା ଜଗତର ଏହି ଅଲମ୍ପିକ୍ସ ଭିନ୍ନ, କିଛିଦିନ ପୂର୍ବରୁ ଗଣିତ ଜଗତରେ ମଧ୍ୟ ଗୋଟିଏ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଯାଇଛି । ଏହି ଅଲିମ୍ପିଆଡରେ ଭାରତର ପ୍ରତିଯୋଗୀମାନେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ଆମ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଚାରୋଟି ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୌପ୍ୟପଦକ ଜିତିଛି । ଇଣ୍ଟର ନେସ୍‌ନାଲ୍‌ ମେତମେତିକ୍ସ -ଏଥିରେ ୧୦୦ରୁ ଅଧିକ ଦେଶର ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି ଏବଂ ମୋଟ ପଦକ ତାଲିକାରେ ଆମ ଦଳ ସର୍ବଶ୍ରେଷ୍ଠ ପାଞ୍ଚଟି ଦଳ ମଧ୍ୟରେ ସ୍ଥାନ ପାଇବାରେ ସଫଳତା ଲାଭ କରିଛି । ଦେଶର ନାଁ ଉଜ୍ଜ୍ୱଳ କରିଥିବା ଏହି ଛାତ୍ରମାନଙ୍କ ନାମ ହେଉଛି – ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ସେହି ପୁଣେର ସିଦ୍ଧାର୍ଥ ଚୋପ୍ଡ଼ା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର୍ ନଏଡାର କନବ ତଲୱାର, ମୁମ୍ବାଇର ରୁଷିଲ୍ ମାଥୁର୍ ଏବଂ ଗୁଆହାଟିର ଆନନ୍ଦୋ ଭାଦୁରୀ । ବନ୍ଧୁଗଣ, ଆଜି ‘ମନ୍ କି ବାତ୍’ରେ ମୁଁ ଏହି ଯୁବ ବିଜେତାମାନଙ୍କୁ ବିଶେଷ ଭାବେ ନିମନ୍ତ୍ରିତ କରିଛି । ଏମାନେ ସମସ୍ତେ ବର୍ତ୍ତମାନ ଫୋନ୍‌ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ : ନମସ୍କାର ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । କେମିତି ଅଛନ୍ତି ?
ଛାତ୍ରମାନେ: ଭଲ ଅଛୁଁ ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ବନ୍ଧୁଗଣ, ‘ମନ୍ କି ବାତ୍’ ମାଧ୍ୟମରେ ଦେଶବାସୀ ଆପଣମାନଙ୍କ ଅନୁଭୂତି ସମ୍ପର୍କରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ । ମୁଁ ଆରମ୍ଭ କରୁଛି ଆଦିତ୍ୟ ଏବଂ ସିଦ୍ଧାର୍ଥଙ୍କଠାରୁ । ଆପଣମାନେ ପୁଣେରେ ଅଛନ୍ତି । ପ୍ରଥମେ ମୁଁ ଆପଣମାନଙ୍କ ଠାରୁ ହିଁ ଆରମ୍ଭ କରୁଛି । ଅଲମ୍ପିଆଡ୍ ସମୟରେ ଆପଣଙ୍କ ଅନୁଭୂତି ସମ୍ପର୍କରେ ଆମ ସମସ୍ତଙ୍କୁ କୁହନ୍ତୁ ।
ଆଦିତ୍ୟ : ପିଲାଦିନୁ ଗଣିତରେ ମୋର ରୁଚି ଥିଲା । ଷଷ୍ଠ ଶ୍ରେଣୀରେ ମୋ ଶିକ୍ଷକ ଓମ୍‌ପ୍ରକାଶ ସାର୍ ମୋତେ ଗଣିତ ପଢ଼ାଉଥିଲେ । ଗଣିତରେ ମୋର ଆଗ୍ରହକୁ ସେ ବୃଦ୍ଧି କରିଥିଲେ । ମୋତେ ଶିଖିବାକୁ ମିଳିଲା ଆଉ ମୋତେ ସୁଯୋଗ ମିଳିଲା ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ବନ୍ଧୁ କ’ଣ କହିବାକୁ ଚାହୁଁଛନ୍ତି ?
ସିଦ୍ଧାର୍ଥ : ସାର୍, ପୁଣେରୁ ମୁଁ ସିଦ୍ଧାର୍ଥ କହୁଛି । ମୁଁ ଏଥର ଦ୍ୱାଦଶ ଶ୍ରେଣୀ ପାସ୍ କରିଛି । ଏହା ମୋର ଆଇଏମ୍‌ଓର ଦ୍ୱିତୀୟ ଅନୁଭୂତି ଥିଲା । ମୋର ମଧ୍ୟ ପିଲାଦିନୁ ଗଣିତ ପ୍ରତି ଆଗ୍ରହ ଥିଲା । ମୁଁ ଯେତେବେଳେ ଆଦିତ୍ୟ ସହିତ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ଓମପ୍ରକାଶ ସାର୍ ଆମ ଦୁହିଁଙ୍କୁ ତାଲିମ ଦେଇଥିଲେ । ତାହା ଆମକୁ ବହୁତ ସାହାଯ୍ୟ କରିଥିଲା । ଏବେ ମୁଁ କଲେଜରୁ ସିଏମ୍‌ଆଇରେ ଅଂଶଗ୍ରହଣ କରିବାକୁ ଯାଉଛି । ଏବେ ଗଣିତ ଓ ସି.ଏସ. ପଢ଼ୁଛି । ପ୍ରଧାନମନ୍ତ୍ରୀ : ଆଚ୍ଛା, ମୋତେ ସୂଚନା ଦିଆଯାଇଛି ଯେ, ଅର୍ଜୁନ ବର୍ତ୍ତମାନ ଗାନ୍ଧିନଗରରେ ଅଛନ୍ତି ଆଉ କନବ୍ ଗ୍ରେଟର୍ ନଏଡାରେ ହିଁ ରହୁଛନ୍ତି । ଅର୍ଜୁନ ଆଉ କନବ୍, ଆମେ ଅଲମ୍ପିଆଡ୍ ବିଷୟରେ ଆଲୋଚନା କଲୁ । କିନ୍ତୁ ଆପଣ ଦୁହେଁ ଆମକୁ ନିଜର ପ୍ରସ୍ତୁତି ସହ ଜଡ଼ିତ କିଛି ବିଷୟ ଆଉ କିଛି ବିଶେଷ ଅନୁଭୂତି ସମ୍ପର୍କରେ କହିଲେ ଆମ ଶ୍ରୋତାମାନଙ୍କୁ ଭଲ ଲାଗିବ ।
ଅର୍ଜୁନ : ନମସ୍କାର ସାର୍, ଜୟହିନ୍ଦ୍ । ମୁଁ ଅର୍ଜୁନ କହୁଛି ।
ପ୍ରଧାନମନ୍ତ୍ରୀ : ଜୟହିନ୍ଦ୍, ଅର୍ଜୁନ ।
ଅର୍ଜୁନ : ମୁଁ ଦିଲ୍ଲୀରେ ରହୁଛି । ମୋ ମା’ ଶ୍ରୀମତି ଆଶା ଗୁପ୍ତା ହେଉଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପିକା, ଆଉ ମୋ ବାପା ଅମିତ ଗୁପ୍ତା ଜଣେ ଚାଟାର୍ଡ଼ ଆକାଉଂଟାଣ୍ଟ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଉଥିବାରୁ ମୁଁ ନିଜକୁ ବହୁତ ଗୌରବାନ୍ୱିତ ମନେକରୁଛି । ସର୍ବପ୍ରଥମେ, ମୋ ସଫଳତାର ଶ୍ରେୟ ମୁଁ ମୋ ପିତା-ମାତାଙ୍କୁ ଦେବାକୁ ଚାହୁଁଛି । ମୁଁ ଭାବୁଛି ଯେ, କୌଣସି ପରିବାରରେ ଜଣେ ସଭ୍ୟ ଯଦି ଏଭଳି କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥାଆନ୍ତି, ତାହେଲେ ତାହା ପଛରେ କେବଳ ସେହି ସଭ୍ୟଙ୍କ ପରିଶ୍ରମ ନୁହେଁ, ବରଂ ସାରା ପରିବାରର ପରିଶ୍ରମ ରହିଥାଏ । ବସ୍ତୁତଃ, ଆମ ପ୍ରଶ୍ନପତ୍ରରେ ତିନୋଟି ପ୍ରଶ୍ନ ଥାଏ ଓ ସେଥିପାଇଁ ସାଢ଼େ ଚାରିଘଣ୍ଟା ସମୟ ଦିଆଯାଇଥାଏ । ମାନେ, ଗୋଟିଏ ପ୍ରଶ୍ନ ପାଇଁ ଦେଢ଼ଘଣ୍ଟା । ତେଣୁ, ଆମେ ଜାଣିଥାଉଁ ଯେ, ଗୋଟିଏ ପ୍ରଶ୍ନର ସମାଧାନ ପାଇଁ ଆମ ହାତରେ କେତେ ସମୟ ରହିଛି । ଘରେ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ବେଳେବେଳେ ଗୋଟିଏ ପ୍ରଶ୍ନକୁ ସମାଧାନ କରିବା ପାଇଁ ଗୋଟିଏ ଦିନ, ଏପରିକି ୩ ଦିନ ମଧ୍ୟ ଲାଗିଥାଏ । ଏଥିପାଇଁ ଆମକୁ ଅନ୍‌ଲାଇନ୍ ପ୍ରଶ୍ନ ଖୋଜିବାକୁ ପଡ଼ିଥାଏ । ଆମେ ଗତବର୍ଷର ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସମାଧାନ ପାଇଁ ମଧ୍ୟ ଚେଷ୍ଟା କରୁ । ଆମେ ଯେତେ ଅଧିକ ପରିଶ୍ରମ କରିଚାଲୁ, ଆମ ଅଭିଜ୍ଞତା ସେତେ ବଢ଼ି ବଢ଼ି ଚାଲିଥାଏ । ସବୁଠାରୁ ବଡ଼ କଥା ହେଲା, ଆମ ସମାଧାନ କରିବାର କ୍ଷମତା ବୃଦ୍ଧି ପାଏ, ଯାହା ଆମକୁ କେବଳ ଗଣିତ ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥାଏ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, କନବ୍ ମୋତେ କୌଣସି ବିଶେଷ ଅନୁଭୂତି ସମ୍ପର୍କରେ କହିପାରିବ ? ଏପରି କିଛି ବିଶେଷ ପ୍ରସ୍ତୁତି କରିବାକୁ ପଡ଼େ, ଯାହା ଜାଣିଲେ ଆମ ଯୁବବନ୍ଧୁମାନେ ବେଶୀ ଖୁସି ହେବେ
କନବ୍ ତଲୱାର : ମୋ ନାଁ କନବ୍ ତଲୱାର । ମୁଁ ଗ୍ରେଟର୍ ନଏଡା ଉତ୍ତରପ୍ରଦେଶରେ ରହୁଛି । ମୁଁ ଏକାଦଶ ଶ୍ରେଣୀର ଛାତ୍ର । ଗଣିତ ମୋର ପ୍ରିୟ ବିଷୟ । ପିଲାଦିନୁ ମୋତେ ଗଣିତ ଖୁବ ଭଲ ଲାଗେ । ପିଲାଦିନେ ମୋ ବାପା ମୋତେ ଗୁଡ଼ିଏ ସମାଧାନ ପାଇଁ ଦେଉଥିଲେ । ଯାହାଦ୍ୱାରା ମୋ ଆଗ୍ରହ ବଢ଼ିଚାଲିଲା । ମୁଁ ସପ୍ତମ ଶ୍ରେଣୀରୁ ଅଲମ୍ପିଆଡ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି । ଏଥିରେ ମୋର ଭଉଣୀଙ୍କର ବହୁତ ବଡ଼ ଅବଦାନ ରହିଛି । ମୋ ବାପା-ମା ମଧ୍ୟ ସବୁବେଳେ ମୋତେ ସାହାଯ୍ୟ କରିଛନ୍ତି । ଏଚ୍‌ଚ୍ୱିସିଏସ୍‌ଇ ଏହି ଅଲମ୍ପିଆଡର ଆୟୋଜନ କରିଥାଏ । ଏହା ଏକ ପାଞ୍ଚଟି ସ୍ତର ବିଶିଷ୍ଟ ପ୍ରକ୍ରିୟା । ଗତବର୍ଷ ଅଳ୍ପ ବ୍ୟବଧାନ ପାଇଁ ମୁଁ ଦଳରେ ସାମିଲ ହୋଇପାରି ନଥିଲି । ଏଥିପାଇଁ ମୋ ମନରେ ବହୁତ ଦୁଃଖ ଥିଲା । ସେତେବେଳେ ମୋ ବାପା-ମା ମୋତେ କହିଥିଲେ ଯେ, ହୁଏତ ଆମେ ଜିତିବା, ନହେଲେ ଶିଖିବା । ଯାତ୍ରା ମହତ୍ତ୍ୱ ରଖିଥାଏ, ସଫଳତା ନୁହେଁ । ତେଣୁ ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ନିଜ କାମକୁ ଭଲ ପାଅ, ଆଉ ଯାହା ଭଲପାଅ ତାହା ହିଁ କର । ଯାତ୍ରା ଗୁରୁତ୍ୱପୂର୍ଣ୍ଣ, ସଫଳତା ନୁହେଁ – ନିଜ ବିଷୟକୁ ଭଲ ପାଇଲେ ଓ ଯାତ୍ରାକୁ ଉପଭୋଗ କରିଚାଲିଲେ ଆମକୁ ସଫଳତା ମିଳୁଥିବ ।
ପ୍ରଧାନମନ୍ତ୍ରୀ : କନବ୍, ଆପଣଙ୍କ ରୁଚି ଗଣିତରେ, କିନ୍ତୁ କଥା ଏମିତି କହୁଛନ୍ତି, ଯେମିତି ସାହିତ୍ୟରେ ବି ଆପଣଙ୍କ ରୁଚି ରହିଛି ।
କନବ୍ ତଲୱାର : ହଁ ଆଜ୍ଞା, ପିଲାଦିନେ ମୁଁ ବକ୍ତୃତା ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରୁଥିଲି ।
ପ୍ରଧାନମନ୍ତ୍ରୀ : ହଉ, ଚାଲନ୍ତୁ ଏଥର ଆନନ୍ଦଙ୍କ ସହିତ କଥା ହେବା । ଆନନ୍ଦ, ଆପଣ ଏବେ ଗୁଆହାଟିରେ ଅଛନ୍ତି, ଆଉ ଆପଣଙ୍କ ସାଥି ଋଷିଲ୍ ମୁମ୍ବାଇରେ । ଆପଣ ଦୁହିଁଙ୍କୁ ମୋର ଗୋଟିଏ ପ୍ରଶ୍ନ । ଦେଖନ୍ତୁ, ମୁଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ତ କରିଥାଏ, ତା’ଛଡ଼ା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥାଏ । ବହୁତ ଛାତ୍ରଙ୍କୁ ଗଣିତ ନାଁ ଶୁଣିଲେ ବହୁତ ଭୟ ଲାଗେ । ଏହାର ନାଁ ଶୁଣି ହିଁ ସେମାନେ ଛାନିଆ ହୋଇଯାଆନ୍ତି । ଆପଣ କୁହନ୍ତୁ, ଗଣିତକୁ କିପରି ନିଜର ବନ୍ଧୁ କରିହେବ ?
ଋଷିଲ୍ ମାଥୁର : ସାର୍, ମୁଁ ଋଷିଲ୍ ମାଥୁର କହୁଛି । ଛୋଟବେଳେ ଯେତେବେଳେ ଆମକୁ ସଂଖ୍ୟାଗୁଡ଼ିକୁ ଯୋଗ କରିବା ଶିଖାହୁଏ, ସେତେବେଳେ ଆମକୁ କ୍ୟାରି ଫରର୍ୱାର୍ଡ଼ ବିଷୟରେ ଶିଖାହୁଏ । କିନ୍ତୁ କାହିଁକି କ୍ୟାରି ଫରର୍ୱାର୍ଡ଼ କରାଯାଏ, ସେ ବିଷୟରେ ଆମକୁ କେହି କହନ୍ତି ନାହିଁ । ଆମେ ଯେତେବେଳେ ଚକ୍ରବୃଦ୍ଧି ସୁଧ ବିଷୟରେ ପଢ଼ୁ, ଆମେ କେବେହେଲେ ଏ କଥା ପଚାରୁନି ଯେ, ଚକ୍ରବୃଦ୍ଧି ସୁଧର ସୂତ୍ର କେଉଁଠୁ ଆସିଲା । ମୁଁ ଜାଣିବାରେ, ଗଣିତ ପ୍ରକୃତରେ ଚିନ୍ତାକରି କୌଣସି ସମସ୍ୟାର ସମାଧାନ ବାହାର କରିବାର ଗୋଟିଏ କଳା । ତେଣୁ ମୋତେ ଲାଗେ ଯେ, ଆମେ ଗଣିତରେ ଗୋଟିଏ ନୂଆ ପ୍ରଶ୍ନ ଯୋଡ଼ିଦେଲେ, ପ୍ରଶ୍ନ ଉଠେ ଯେ, ଆମେ କାହିଁକି ଏଭଳି କଲୁ ? ଏହା ଏମିତି କାହିଁକି ହେଉଛି ? ତେଣୁ ମୋ ମତରେ, ଏମିତି ଚିନ୍ତା କଲେ, ଲୋକଙ୍କର ଗଣିତରେ ଆଗ୍ରହ ବହୁତ ବୃଦ୍ଧି ପାଇବ । କୌଣସି ଜିନିଷ ଆମେ ବୁଝି ନ ପାରିଲେ, ତା ପ୍ରତି ଆମ ମନରେ ଭୟ ସୃଷ୍ଟି ହୋଇଥାଏ । ତା ଛଡ଼ା ସମସ୍ତେ ଭାବନ୍ତି ଯେ, ଗଣିତ ଗୋଟିଏ ଲଜିକାଲ୍ ବିଷୟ । କିନ୍ତୁ ଗଣିତରେ ସୃଜନଶୀଳତାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ସୃଜନଶୀଳତା ଯୋଗୁଁ ହିଁ ଆମେ ଗତାନୁଗତିକ ବାଟ ଛାଡ଼ି କିଛି ନୂତନ ସମାଧାନ କଥା ଚିନ୍ତା କରିପାରିବା, ଯାହା ଅଲମ୍ପିଆଡରେ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଗଣିତରେ ଆଗ୍ରହ ବୃଦ୍ଧି କରିବାରେ ମ୍ୟାଥ୍ ଅଲମ୍ପିଆଡର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।
ପ୍ରଧାନମନ୍ତ୍ରୀ : ଆନନ୍ଦ, ଆପଣ କିଛି କହିବାକୁ ଚାହୁଁଛନ୍ତି କି ?
ଆନନ୍ଦ ଭାଦୁରୀ : ନମସ୍କାର ପିଏମ୍ ସାର୍ । ଗୁଆହାଟିରୁ ମୁଁ ଆନନ୍ଦ ଭାଦୁରୀ କହୁଛି । ମୁଁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍ କରିଛି । ମୁଁ ଷଷ୍ଠ – ସପ୍ତମ ଶ୍ରେଣୀରେ ସ୍ଥାନୀୟ ଅଲମ୍ପିଆଡରେ ଅଂଶଗ୍ରହଣ କରୁଥିଲି । ସେଇଠୁ ମୋ ଆଗ୍ରହ ସୃଷ୍ଟି ହେଲା । ଏହା ମୋର ଦ୍ୱିତୀୟ ଆଇଏମ୍‌ଓ ଥିଲା । ମୋତେ ଦୁଇଟିଯାକ ଆଇଏମ୍‌ଓ ବହୁତ ଭଲ ଲାଗିଲା । ମୁଁ ଋଷିଲଙ୍କ ସହ ଏକମତ । ମୁଁ ଏକଥା କହିବାକୁ ଚାହୁଁଛି ଯେ, ଯେଉଁମାନଙ୍କୁ ଗଣିତକୁ ଭୟ ଲାଗେ, ସେମାନଙ୍କୁ ଧୈର୍ୟ୍ୟର ବହୁତ ଆବଶ୍ୟକତା ରହିଛି । କାରଣ ଗଣିତ ପଢ଼ାଇଲା ବେଳେ ଆମକୁ ଗୋଟିଏ ସୂତ୍ର ଦିଆଯାଏ, ତାକୁ ମୁଖସ୍ଥ କରିବାକୁ ହୁଏ, ପୁଣି ସେହି ସୂତ୍ର ପ୍ରୟୋଗ କରି ସେହିଭଳି ଶହେଟି ପ୍ରଶ୍ନ ସମାଧାନ କରିବାକୁ ହୋଇଥାଏ । କିନ୍ତୁ, ସୂତ୍ରଟି ବୁଝିହେଲା କି ନାହିଁ, ତାହା ଦେଖାଯାଏ ନାହିଁ । କେବଳ ସମାଧାନ କରିଚାଲ, କରିଚାଲ । ଏଭଳି ମୁଖସ୍ଥ କରିଥିବା ସୂତ୍ର ଯଦି ପରୀକ୍ଷା ସମୟରେ ମନେ ନ ପଡ଼ିଲା, ତାହେଲେ କ’ଣ କରିବ ? ତେଣୁ, ମୁଁ କହିବି ଯେ, ଫର୍ମୁଲା ବା ସୂତ୍ରକୁ ବୁଝ, ଯେଉଁକଥା ଋଷିଲ୍ କହୁଥିଲା । ତା’ପରେ ଧୈଯ୍ୟର ସହ ଦେଖ । ଯଦି ଫର୍ମୁଲା ଠିକ ଭାବେ ବୁଝିଯାଇଛ, ତାହେଲେ ଶହେଟି ପ୍ରଶ୍ନର ସମାଧାନ କରିବା ଦରକାର ପଡ଼ିବନି । ଗୋଟିଏ ଦୁଇଟି ପ୍ରଶ୍ନ ସମାଧାନ କଲେ ହେଇଯିବ । ଆଉ ଗଣିତକୁ ଭୟ କରିବା ଦରକାର ନାହିଁ ।
ପ୍ରଧାନମନ୍ତ୍ରୀ : ଆଦିତ୍ୟ ଆଉ ସିଦ୍ଧାର୍ଥ, ଆପଣମାନେ ଯେତେବେଳେ ଆରମ୍ଭରୁ କଥା ହେଉଥିଲେ ସେତେବେଳେ ଠିକରେ କଥାବାର୍ତ୍ତା ହୋଇପାରି ନଥିଲା । ଏବେ ଏ ସମସ୍ତ ବନ୍ଧୁମାନଙ୍କୁ ଶୁଣିବା ପରେ ଆପଣଙ୍କୁ ମଧ୍ୟ ନିଶ୍ଚିତ ଲାଗୁଥିବ ଯେ ଆପଣ ମଧ୍ୟ କିଛି କହିବା ପାଇଁ ଚାହୁଁଥିବେ । ଏବେ କ’ଣ ଆପଣ ନିଜର ଅନୁଭବ ଭଲଭାବେ ଶେୟାର୍ କରିପାରିବେ ?
ସିଦ୍ଧାର୍ଥ : ବହୁତ୍ କଥା ଅନେକ ଦେଶମାନଙ୍କ ସହିତ ଆଲୋଚନା କରିଥିଲି । ଅନେକ ସଂସ୍କୃତି ରହିଥିଲା ଏବଂ ବହୁତ ଭଲ ଥିଲା ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା, ଯୋଗାଯୋଗ, ଆଉ ଅନେକ ବିଖ୍ୟାତ ଗଣିତଜ୍ଞ ମଧ୍ୟ ଥିଲେ ।
ପ୍ରଧାନମନ୍ତ୍ରୀ ଜୀ: ହଁ, ଆଦିତ୍ୟ ।
ଆଦିତ୍ୟ : ବହୁତ ବଢ଼ିଆ ଅଭିଜ୍ଞତା ଥିଲା, ଆଉ ଆମକୁ ସେମାନେ ବାଥ୍ ସିଟି ବୁଲାଇ ଦେଖାଇଥିଲେ । ଆଉ ବହୁତ ଭଲ ଭଲ ଦୃଶ୍ୟ ଦେଖିଥିଲୁ, ପାର୍କକୁ ନେଇଥିଲେ ଆଉ ଆମକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ମଧ୍ୟ ନେଇଥିଲେ । ତାହା ଖୁବ୍ ଭଲ ଅନୁଭବ ଥିଲା ।
ପ୍ରଧାନମନ୍ତ୍ରୀ ଜୀ : ଚାଲନ୍ତୁ ବନ୍ଧୁଗଣ, ଆପଣମାନଙ୍କ ସହିତ କଥାହୋଇ ମତେ ବହୁତ୍ ଭଲ ଲାଗିଲା । ଆଉ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, କାହିଁକିନା ମୁଁ ଜାଣେ ଯେ, ଏହିଭଳି ଖେଳ ପାଇଁ ନିଜର ଲକ୍ଷ୍ୟକୁ ବହୁତ କେନ୍ଦ୍ରିତ କରିବାକୁ ପଡ଼ିଥାଏ; ବୁଦ୍ଧି ଖର୍ଚ୍ଚ କରିବାକୁ ହେଇଥାଏ, ଆଉ ପରିବାରର ଲୋକେ ମଧ୍ୟ ବେଳେବେଳେ ବିରକ୍ତ ହୁଅନ୍ତି- ଏ କ’ଣ ଗୁଣନ-ହରଣ, ଗୁଣନ-ହରଣ କରିଚାଲିଛି । କିନ୍ତୁ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା । ଆପଣମାନେ ଦେଶର ସମ୍ମାନ ବଢ଼ାଇଛନ୍ତି, ନାଁ ବଢ଼ାଇଛନ୍ତି । ଧନ୍ୟବାଦ ବନ୍ଧୁଗଣ ।
ଛାତ୍ରଛାତ୍ରୀ : ଥ୍ୟାଙ୍କ୍ ୟୁ, ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ ଜୀ : ଥ୍ୟାଙ୍କ୍ ୟୁ ।
ଛାତ୍ରଛାତ୍ରୀ : ଥ୍ୟାଙ୍କ୍ ୟୁ ସାର୍, ଜୟ ହିନ୍ଦ୍ ।
ପ୍ରଧାନମନ୍ତ୍ରୀ ଜୀ : ଜୟ ହିନ୍ଦ୍- ଜୟ ହିନ୍ଦ୍ ।
ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା । ‘ମନ୍ କୀ ବାତ୍’ ସହିତ ଯୋଡ଼ିହେବା ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୋର ବିଶ୍ୱାସ ଯେ, ଗଣିତର ଏହି ଯୁବ ମହାରଥୀମାନଙ୍କୁ ଶୁଣିବା ପରେ ଖୁସିରେ ଗଣିତ କଷିବା ପାଇଁ ଅନ୍ୟ ଯୁବକଯୁବତୀମାନଙ୍କୁ ପ୍ରେରଣା ମିଳିବ । ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ, ଏବେ ମୁଁ ସେହି ବିଷୟ କହିବାକୁ ଚାହୁଁଛି, ଯାହାକୁ ଶୁଣି ପ୍ରତ୍ୟେକ ଭାରତବାସୀ ଗର୍ବିତ ହେବେ । କିନ୍ତୁ ଏ ସମ୍ପର୍କରେ କହିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଆପଣ କ’ଣ ଚରାଇଦେଓ ମୈଦାମ୍ ନାଁ ଶୁଣିଛନ୍ତି ? ଯଦି ଶୁଣିନାହାନ୍ତି, ତେବେ, ଏବେ ଆପଣ ଏହି ନାଁ ବାରମ୍ବାର ଶୁଣିବେ, ଆଉ ବଡ଼ ଉତ୍ସାହର ସହିତ ଅନ୍ୟକୁ ମଧ୍ୟ କହିବେ । ଆସାମର ଚରାଇଦେଓ ମୈଦାମ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳରେ ସାମିଲ କରାଯାଉଛି । ଏହି ତାଲିକାରେ ଏହା ଭାରତର ୪୩ତମ, କିନ୍ତୁ ଉତ୍ତର-ପୂର୍ବର ପ୍ରଥମ ଐତିହ୍ୟସ୍ଥଳ । ବନ୍ଧୁଗଣ, ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଙ୍କିମାରୁଥିବ ଯେ, ଚରାଇଦେଓ ମୈଦାମ୍ ପ୍ରକୃତରେ କ’ଣ, ଆଉ ଏହାର ନାଁ କାହିଁକି ସ୍ୱତନ୍ତ୍ର । ଚରାଇଦେଓର ଅର୍ଥ ହେଉଛି ସାଇନିଂ ସିଟି ଅନ୍ ଦି ହିଲ୍ସ ଅର୍ଥାତ୍ ପାହାଡ଼ ଉପରେ ଅବସ୍ଥିତ ଏକ ଉଜ୍ଜ୍ୱଳ ସହର । ଏହା ଅହୋମ ରାଜବଂଶର ପ୍ରଥମ ରାଜଧାନୀ ଥିଲା । ଅହୋମ ରାଜବଂଶର ଲୋକେ ନିଜ ପୂର୍ବପୁରୁଷଙ୍କ ମରଶରୀର ଓ ସେମାନଙ୍କର ମୂଲ୍ୟବାନ୍ ଜିନିଷପତ୍ରକୁ ପାରମ୍ପରିକ ଭାବେ ମୈଦାମ୍‌ରୁ ରଖୁଥିଲେ । ମୈଦାମ୍, ସ୍ତୂପ ଭଳି ଏକ ଢାଞ୍ଚା, ଯାହାର ଉପର, ମାଟିରେ ଢଙ୍କା ହୋଇଥାଏ ଏବଂ ତଳେ ଗୋଟିଏ ବା ତା’ଠୁ ଅଧିକ କୋଠରି ରହିଥାଏ । ଏହି ମୈଦାମ୍ ହେଉଛି ଅହୋମ୍ ସାମ୍ରାଜ୍ୟର ଦିବଂଗତ ରାଜା ଏବଂ ଗଣ୍ୟମାନ୍ୟ ଲୋକଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ । ନିଜ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଏହି ପଦ୍ଧତି ଅସାଧାରଣ । ଏହି ସ୍ଥାନରେ ସାର୍ବଜନୀନ ପୂଜା ମଧ୍ୟ ହେଇଥାଏ । ବନ୍ଧୁଗଣ, ଅହୋମ ସାମ୍ରାଜ୍ୟ ସମ୍ପର୍କରେ ଦ୍ୱିତୀୟ ତଥ୍ୟ ଆପଣଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦବ । ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ଏହି ସାମ୍ରାଜ୍ୟ ଊନବିଂଶ ଶତାବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ରହିଥିଲା । ଏତେ ଦୀର୍ଘ କାଳଖଣ୍ଡ ପର୍ଯ୍ୟନ୍ତ ଗୋଟିଏ ସାମ୍ରାଜ୍ୟ ତିଷ୍ଠି ରହିବା ବହୁତ ବଡ଼ କଥା । ବୋଧହୁଏ ଅହୋମ ସାମ୍ରାଜ୍ୟର ସିଦ୍ଧାନ୍ତ ଓ ବିଶ୍ୱାସ ଏତେ ମଜବୁତ ଥିଲା ଯେ, ତାହା ଏହି ରାଜବଂଶକୁ ଏତେ ସମୟ ଧରି ଅକ୍ଷୁଣ୍ଣ ରଖିଥିଲା । ମୋର ମନେପଡ଼ୁଛି ଯେ, ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ମତେ ଅଦମ୍ୟ ସାହସ ଓ ଶୌର୍ଯ୍ୟର ପ୍ରତୀକ, ମହାନ ଅହୋମ୍ ଯୋଦ୍ଧା ଲସିତ୍ ବୋରଫୁକନଙ୍କ ସର୍ବୋଚ୍ଚ ପ୍ରତିମାର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଅହୋମ୍ ସମ୍ପ୍ରଦାୟ ଆଧ୍ୟାତ୍ମିକ ପରମ୍ପରା ପାଳନ କରି ମତେ ଏକ ଅଲଗା ଅଭିଜ୍ଞତା ମିଳିଥିଲା । ଲସିତ ମୈଦାମରେ ଅହୋମ ସମ୍ପ୍ରଦାୟର ପୂର୍ବପୁରୁଷଙ୍କୁ ସମ୍ମାନ ଅର୍ପଣର ସୌଭାଗ୍ୟ ମିଳିବା ମୋ ପାଇଁ ବହୁତ ବଡ଼ କଥା । ଏବେ ଚରାଇଦେଓ ମୈଦାମ୍ ବିଶ୍ୱ ଐତିହ୍ୟସ୍ଥଳ ହେବାର ଅର୍ଥ ହେଉଛି ସେଠାକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ । ଆପଣ ମଧ୍ୟ ଭବିଷ୍ୟତରେ ନିଜର ପର୍ଯ୍ୟଟନ ଯୋଜନାରେ ଏହି ସ୍ଥଳକୁ ନିଶ୍ଚିତ ଭାବେ ଅନ୍ତର୍ଭୁକ୍ତ କରିବେ । ବନ୍ଧୁଗଣ, ନିଜ ସଂସ୍କୃତି ଉପରେ ଗର୍ବ କରୁଥିବା ଦେଶ ହିଁ ଅଗ୍ରଗାମୀ ହୋଇଥାଏ । ଭାରତରେ ମଧ୍ୟ ଏହିଭଳି ଅନେକ ପ୍ରୟାସ ହେଉଛି । ଏପରି ଏକ ପ୍ରୟାସ ହେଉଛି ପ୍ରୋଜେକ୍ଟ ପରୀ ଏବେ ଆପଣ ପରୀ ନାଁ ଶୁଣି ଦ୍ୱନ୍ଦରେ ପଡ଼ନ୍ତୁ ନାହିଁ । ଏହି ପରୀ ସ୍ୱର୍ଗୀୟ କଳ୍ପନା ସହିତ ସଂପୃକ୍ତ ନୁହେଁ, ବରଂ ପୃଥିବୀକୁ ସ୍ୱର୍ଗରେ ପରିଣତ କରୁଛି । ପରୀ, ଅର୍ଥାତ ପବ୍ଲିକ୍ ଆର୍ଟ ଅଫ୍ ଇଣ୍ଡିଆ । ପ୍ରୋଜେକ୍ଟ ପରୀ, ପବ୍ଲିକ୍ ଆର୍ଟକୁ ଲୋକପ୍ରିୟ କରିବା ପାଇଁ ଉଦୀୟମାନ୍ କଳାକାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବାର ଏକ ବଡ଼ ମାଧ୍ୟମ ପାଲଟୁଛି । ଆପଣ ଦେଖିଥିବେ … ରାସ୍ତା କଡ଼ରେ, କାନ୍ଥରେ, ଅଣ୍ଡର୍ପାସ୍ରେ ବହୁତ ସୁନ୍ଦର ଚିତ୍ରସବୁ ଅଙ୍କା ହେଇଥାଏ । ଏହି ଚିତ୍ର ଓ କଳାକୃତିକୁ ଏହି କଳାକାରମାନେ ଆଙ୍କିଥାନ୍ତି, ଯେଉଁମାନେ ପରୀ ସହିତ ଜଡ଼ିତ ଅଛନ୍ତି । ଏହାଦ୍ୱାରା ଆମର ସାର୍ବଜନୀନ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ ତ ବଢ଼ିଥାଏ, ତା’ ସଂଗେସଂଗେ ଆମର ସଂସ୍କୃତିକୁ ଆହୁରି ଅଧିକ ଲୋକପ୍ରିୟ କରିବାରେ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । ଦିଲ୍ଲୀର ଭାରତ ମଣ୍ଡପ ହିଁ ଉଦାହରଣ ଭାବେ ନିଅନ୍ତୁ । ଏଠାରେ ସମଗ୍ର ଦେଶର ଅଦ୍ଭୁତ କଳାକୃତି ଆପଣଙ୍କୁ ଦେଖିବାକୁ ମିଳିବ । ଦିଲ୍ଲୀର କେତେକ ଅଣ୍ଡର୍ପାସ୍ ଓ ଫ୍ଲାଇଓଭର୍ରେ ମଧ୍ୟ ଆପଣ ଏହିଭଳି ସୁନ୍ଦର ସୁନ୍ଦର ପବ୍ଲିକ୍ ଆର୍ଟ ଦେଖିବାକୁ ପାଇବେ । ମୁଁ କଳା ଓ ସଂସ୍କୃତିପ୍ରେମୀଙ୍କୁ ଅନୁରୋଧ କରିବି ଯେ, ସେମାନେ ମଧ୍ୟ ପବ୍ଲିକ ଆର୍ଟ ଉପରେ ଅଧିକ କାମ କରନ୍ତୁ । ଏହା ଆମକୁ ଗର୍ବିତ ହେବାର ସୁଖଦ ଅନୁଭୂତି ପ୍ରଦାନ କରିବ । ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ, ଏବେ କଥା ‘ରଂଗର’ । ଏଭଳି ରଂଗର ଯାହା ହରିଆନା ରୋହତକ ଜିଲାର ଅଢେଇ ଶହରୁ ଅଧିକ ମହିଳାଙ୍କ ଜୀବନକୁ ସମୃଦ୍ଧିର ରଂଗରେ ଭରିଦେଇଛି । ହସ୍ତତନ୍ତ ଶିଳ୍ପ ସହିତ ସଂପୃକ୍ତ ଏହି ମହିଳାମାନେ ପ୍ରଥମେ ଛୋଟଛୋଟ ଦୋକାନ ଓ ଛୋଟମୋଟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ; କିନ୍ତୁ ପ୍ରତ୍ୟେକଙ୍କ ଭିତରେ ଆଗକୁ ବଢ଼ିବାର ଇଚ୍ଛା ତ ରହିଥାଏ । ସେଥିପାଇଁ ସେମାନେ ‘ଉନ୍ନତି ସ୍ୱୟଂ ସହାୟକ ଗୋଷ୍ଠୀ’ ସହିତ ଯୋଡ଼ି ହେବାକୁ ନିଷ୍ପତ୍ତି ନେଲେ ଏବଂ ଏହି ଗୋଷ୍ଠୀ ସହିତ ଯୋଡ଼ିହୋଇ ସେମାନେ ବ୍ଲକ୍ ପ୍ରିଣ୍ଟିଂ ଓ ରଂଗ କରିବାର ତାଲିମ ହାସଲ କଲେ । କପଡ଼ା ଉପରେ ରଂଗର ଯାଦୁ ଦେଖାଉଥିବା ଏହି ମହିଳାମାନେ ଆଜି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏମାନଙ୍କ ଦ୍ୱାରା ତିଆରି ବେଡ୍ କଭର୍, ଶାଢ଼ୀ ଓ ଓଢ଼ଣୀର ବଜାରରେ ବହୁତ ଚାହିଦା ରହିଛି । ବନ୍ଧୁଗଣ, ରୋହତକର ଏହି ମହିଳାଙ୍କ ଭଳି ଦେଶର ଭିନ୍ନ ଭିନ୍ନ ଅଞ୍ଚଳର କାରିଗର ହସ୍ତତନ୍ତକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ହଉ ବା ମଧ୍ୟପ୍ରଦେଶର ମାହେଶ୍ୱରୀ ଶାଢ଼ୀ, ମହାରାଷ୍ଟ୍ରର ପୈଠାଣି ହଉ ବା ବିଦର୍ଭର ହ୍ୟାଣ୍ଡ୍ ବ୍ଲକ୍ ପ୍ରିଣ୍ଟ୍ସ, ହିମାଚଳର ଭୁଟ୍ଟିକୋର ଶାଲ୍ ଓ ଉଲ୍ କପଡ଼ା ହଉ ଅଥବା ଜାମ୍ମୁକାଶ୍ମୀରର କନି ଶାଲ୍ ହଉ, ଦେଶର କୋଣ ଅନୁକୋଣରେ ହସ୍ତତନ୍ତ କାରିଗରଙ୍କ କାମ ଲୋକଙ୍କ ପ୍ରିୟ ହେଇଯାଇଛି । ଆଉ ଆପଣ ଏହା ତ ନିଶ୍ଚୟ ଜାଣିଥିବେ ଯେ, କିଛି ଦିନ ପରେ ଅଗଷ୍ଟ ୭ରେ ଆମେ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରିବା । ଆଜିକାଲି ଯେଉଁଭଳି ହସ୍ତତନ୍ତ ଉତ୍ପାଦ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ତାହା ସତରେ ବହୁତ ସଫଳ ଆଉ ଅସାଧାରଣ । ଏବେ ତ ଅନେକ ଘରୋଇ କମ୍ପାନୀ ମଧ୍ୟ ଏଆଇ ମାଧ୍ୟମରେ ହସ୍ତତନ୍ତ ଉତ୍ପାଦ ଓ ସଷ୍ଟେନେବଲ୍ ଫ୍ୟାସନକୁ ପ୍ରୋତ୍ସାହନ ଦେଉଛନ୍ତି । କୋଷା ଏଆଇ, ହ୍ୟାଣ୍ଡ୍ଲୁମ୍ ଇଣ୍ଡିଆ, ଡି-ଜଙ୍କ୍, ନୋଭାଟାକ୍ସ, ବ୍ରହ୍ମପୁତ୍ର ଫେବଲ୍ସ, ଏଭଳି ଅନେକ ଷ୍ଟାର୍ଟଅପ୍ ମଧ୍ୟ ହସ୍ତତନ୍ତ ଉତ୍ପାଦକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଏହାକୁ ଦେଖି ମତେ ବହୁତ ଖୁସି ଲାଗୁଛି ଯେ ବହୁତ ଲୋକ ନିଜର ସ୍ଥାନୀୟ ଉତ୍ପାଦକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଆପଣ ମଧ୍ୟ ନିଜର ସ୍ଥାନୀୟ ଜିନିଷକୁ ‘ହ୍ୟାଶ୍ଟ୍ୟାଗ୍ ମାଇଁ ପ୍ରଡକ୍ଟ ମାଇଁ ପ୍ରାଇଡ୍’ ନାମରେ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରନ୍ତୁ । ଆପଣଙ୍କର ଏହି ଛୋଟିଆ ପ୍ରୟାସ ବହୁ ଲୋକଙ୍କ ଜୀବନକୁ ବଦଳାଇ ଦେବ । ବନ୍ଧୁଗଣ, ହସ୍ତତନ୍ତ ସହିତ ଖଦି କଥା ମଧ୍ୟ କହିବାକୁ ଚାହିଁବି । ଆପଣମାନଙ୍କ ଭିତରେ ଏଭଳି କିଛି ଲୋକ ଥିବେ ଯେଉଁମାନେ ଆଗରୁ କେବେ ଖଦି ଜିନିଷ ବ୍ୟବହାର କରିନଥିବେ, କିନ୍ତୁ ଆଜି ବହୁତ ଗର୍ବର ସହ ଖଦି ପିନ୍ଧୁଥିବେ । ଏ କଥା ଜାଣି ମତେ ବହୁତ ଖୁସି ଲାଗୁଛି ଯେ, ଖଦି ଗ୍ରାମୋଦ୍ୟୋଗର ବ୍ୟବସାୟ ପ୍ରଥମ ଥରପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଇଯାଇଛି । ଭାବନ୍ତୁ, ଦେଢ଼ ଲକ୍ଷ କୋଟି ଟଙ୍କା !! ଆଉ ଜାଣନ୍ତି ଖଦି ବିକ୍ରି କେତେ ବଢ଼ିଛି ? ୪୦୦ ପ୍ରତିଶତ । ଖଦିର, ହସ୍ତତନ୍ତର, ଏହି ବର୍ଦ୍ଧିତ ବିକ୍ରି, ବହୁସଂଖ୍ୟକ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଏହି ଉଦ୍ୟୋଗ ସହିତ ସବୁଠୁ ବେଶୀ ମହିଳାମାନେ ସଂପୃକ୍ତ ଅଛନ୍ତି, ତେଣୁ ସବୁଠୁ ବେଶୀ ଲାଭ ମଧ୍ୟ ସେମାନଙ୍କୁ ମିଳୁଛି । ମୋର ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ ଯେ, ଆପଣଙ୍କ ପାଖରେ ବିଭିନ୍ନ ପ୍ରକାରର ପୋଷାକପତ୍ର ଥିବ ଏବଂ ଆପଣ ଏ ପର୍ଯ୍ୟନ୍ତ ଯଦି ଖଦି ପୋଷାକ କିଣି ନଥିବେ, ତେବେ ଏ ବର୍ଷଠୁ କିଣିବା ଆରମ୍ଭ କରିଦିଅନ୍ତୁ । ଅଗଷ୍ଟ ମାସ ତ ଆସିଯାଇଛି । ଏହା ସ୍ୱାଧୀନତା ମିଳିବାର ମାସ, ବିପ୍ଳବର ମାସ । ଏହାଠୁ ବଢ଼ିଆ ସୁଯୋଗ ଆଉ କ’ଣ ହେଇପାରେ ଖଦି କିଣିବା ପାଇଁ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ମୁଁ ଅନେକ ସମୟରେ ଊକ୍ସଙ୍କଶଗ୍ଦ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି । ଆଜିକାଲି ପ୍ରତ୍ୟେକ ପରିବାର ଚିନ୍ତିତ ଯେ, ତାଙ୍କ ପିଲା ଊକ୍ସଙ୍କଶଗ୍ଦ କବଳରେ ପଡ଼ିନଯାଉ । ଏବେ ଏଇଭଳି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ର ଖୋଲିଛନ୍ତି – ଯାହାର ନାଁ ହେଲା ‘ମାନସ୍’ । ଊକ୍ସଙ୍କଶଗ୍ଦ ବିରୁଦ୍ଧରେ ଲଢ଼େଇ ପାଇଁ ଏହା ଏକ ବଡ଼ ପଦକ୍ଷେପ । ଏଇ କିଛିଦିନ ତଳେ ହିଁ ମାନସର ହେଲପ୍‌ଲାଇନ୍‌ ଆଉ ପୋଟାଲକୁ ଲନ୍‌ଛ କରାଯାଇଛି । ସରକାର ଏକ ଟୋଲ୍ ଫ୍ରି ନମ୍ବର ‘୧୯୩୩’ ଆରମ୍ଭ କରିଛନ୍ତି । ଏହି ନମ୍ବରରେ କଲ୍ କରି ଯେକୌଣସି ବ୍ୟକ୍ତି ଜରୁରୀ ପରାମର୍ଶ ନେଇପାରିବେ କିମ୍ବା କ୍ସରଷବଭସକ୍ଷସଗ୍ଧବଗ୍ଧସକ୍ଟଦ୍ଭ ସମ୍ପର୍କୀୟ ସୂଚନା ପାଇପାରିବେ । ଯଦି କାହା ପାଖରେ ଊକ୍ସଙ୍କଶଗ୍ଦ ସମ୍ବନ୍ଧିତ କିଛି ଅନ୍ୟ ସୂଚନା ବି ଥାଏ, ତେବେ ଏହି ନମ୍ବରରେ କଲକରି ଘବକ୍ସମକ୍ଟଗ୍ଧସମଗ୍ଦ ଉକ୍ଟଦ୍ଭଗ୍ଧକ୍ସକ୍ଟକ୍ଷ ଈଙ୍କକ୍ସରବଙ୍କକୁ ସୂଚନାଟି ଜଣାଇପାରିବେ । ମାନସ୍ ଲୋକଙ୍କଠାରୁ ପଇଥିବା ପ୍ରତ୍ୟେକଟି ସୂଚନାକୁ ଗୋପନୀୟ ରଖେ । ନିଶାମୁକ୍ତ ଭାରତ ଗଠନରେ ଲାଗିପଡ଼ିଥିବା ପ୍ରତ୍ୟେକ୍ ଲୋକ, ସବୁ ପରିବାର, ସମସ୍ତ ସଂସ୍ଥାମାନଙ୍କୁ ମୋର ଅନୁରୋଧ ଯେ ଆପଣମାନେ ମାନସ୍ ହେଲ୍ପଲାଇନର ସମ୍ପୂର୍ଣ୍ଣ ଉପଯୋଗ କରନ୍ତୁ । ମୋର ପ୍ରିୟ ଦେଶବାସୀଗଣ, କାଲି ସାରା ଦୁନିଆରେ ଟାଇଗର୍‌ ଡେ ପାଳନ କରାଯିବ । ଭାରତରେ ତ ବାଘ ଆମମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ଆମେ ସମସ୍ତେ ବାଘ ସମ୍ବନ୍ଧୀୟ କଥା ଓ କାହାଣୀ ଶୁଣି ଶୁଣି ବଡ଼ ହେଇଛେ । ବାଘ ସହିତ କେମିତି ତାଳମେଳ ରଖି ଚଳିହବ ସେକଥା ଜଙ୍ଗଲ ପାଖାପାଖି ଥିବା ଗାଁମାନଙ୍କରେ ପ୍ରାୟ ସମସ୍ତେ ଜାଣନ୍ତି । ଆମ ଦେଶରେ ଏମିତି ଅନେକ ଗାଁ ଅଛି ଯେଉଁଠି ମଣିଷ ଓ ବାଘ ଭିତରେ ମୁହାଁମୁହିଁ ହବାର ସ୍ଥିତି କେବେବି ଆସେନି । କିନ୍ତୁ ଯେଉଁଠି ଏଭଳି ସ୍ଥିତି ଆସିଥାଏ, ସେଠାକାର ଲୋକମାନେ ମଧ୍ୟ ବାଘ ସଂରକ୍ଷଣ ଦିଗରେ ଅଭୂତପୂର୍ବ ପ୍ରୟାସ କରୁଛନ୍ତି । ଜନ-ସହଭାଗିତାର ଏହିଭଳି ଏକ ପ୍ରୟାସ ହେଲା “କୁଲହାଢୀ ବନ୍ଦ ପଞ୍ଚାୟତ” । ରାଜସ୍ଥାନର ରଣଥୋମ୍ବରରେ ଆରମ୍ଭ ହୋଇଥିବା “କୁଲହାଢୀ ବନ୍ଦ ପଞ୍ଚାୟତ’ ଅଭିଯାନ ବହୁତ ମନଛୁଆ । ସ୍ଥାନୀୟ ଜନସମୁଦାୟ ଶପଥ ନେଇଛନ୍ତି ଯେ, ଜଙ୍ଗଲକୁ କୁରାଢ଼ୀ ନେଇ ଯିବେନାହିଁ କିମ୍ବା ଗଛ କାଟିବେ ନାହିଁ । ଏହି ଗୋଟିଏ ନିଷ୍ପତ୍ତି ଦ୍ୱାରା ଏଠାକାର ଜଙ୍ଗଲଗୁଡ଼ିକ ପୁଣି ସବୁଜ ଶ୍ୟାମଳ ହୋଇଉଠୁଛନ୍ତି ଏବଂ ବାଘମାନଙ୍କ ପାଇଁ ଭଲ ବାତାବରଣ ସୃଷ୍ଟି ହେଇପାରୁଛି । ସାଥିଗଣ, ମହାରାଷ୍ଟ୍ରର ତାଡ଼ୋବା ଅନ୍ଧାରୀ ବାଘ ସଂରକ୍ଷଣ କେନ୍ଦ୍ର ବାଘମାନଙ୍କର ଏକ ପ୍ରମୁଖ ଆଶ୍ରୟସ୍ଥଳ । ଏଠାକାର ସ୍ଥାନୀୟ ଜନସମୁଦାୟ ବିଶେଷକରି ଗୋଣ୍ଡ୍ ଏବଂ ମାନା ଆଦିବାସୀ ସମ୍ପ୍ରଦାୟର ଆମର ଭାଇଭଉଣୀମାନେ Eco Tourism ଦିଗକୁ ଦ୍ରୁତ ଗତିରେ ଅଗ୍ରସର ହେଉଛନ୍ତି । ସେମାନେ ଜଙ୍ଗଲ ଉପରେ ନିଜର ନିର୍ଭରଶୀଳତାକୁ କମ୍ କରିଦେଇଛନ୍ତି ଯଦ୍ୱାରା ଏଠାରେ ବାଘମାନଙ୍କର ଚଳପ୍ରଚଳ ବଢ଼ିପାରିବ । ଆନ୍ଧ୍ରପ୍ରଦେଶର ନେଲ୍ଲାମଲାଇ ପାହାଡ଼ରେ ରହୁଥିବା ଚେଞ୍ଚୁ ଆଦିବାସୀ ସମ୍ପ୍ରଦାୟର ପ୍ରୟାସ ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେମାନେ Tiger Trackers ଭାବରେ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁମାନଙ୍କ ସମ୍ପର୍କରେ ପ୍ରତିଟି ସୂଚନା ସଂଗ୍ରହ କରିଛନ୍ତି । ତା’ ସାଥିରେ ମଧ୍ୟ ସେମାନେ ଏ କ୍ଷେତ୍ରରେ ଚାଲୁଥିବା ଅବୈଧ ଗତିବିଧିଗୁଡ଼ିକ ଉପରେ ମଧ୍ୟ ନଜର ରଖିଛନ୍ତି । ସେହିଭଳି ଉତ୍ତରପ୍ରଦେଶର ପିଲିଭିତ୍ରେ ଚାଲୁଥିବା ‘ବାଘମିତ୍ର’ କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଲୋକମାନଙ୍କୁ ବାଘମିତରେ ଭାବରେ କାମ କରିବାର ପ୍ରଶିକ୍ଷଣ ଦିଆଯାଉଛି । ମଣିଷ ଓ ବାଘମାନଙ୍କ ମଧ୍ୟରେ ମୁହାଁମୁହିଁ ହବାର ପରିସ୍ଥିତି ଯେପରି ନ ହବ, ସେ ଦିଗରେ ଏହି ବାଘମିତ୍ରମାନେ ଧ୍ୟାନ ରଖନ୍ତି । ଦେଶର ଭିନ୍ନ ଭିନ୍ନ ଅଂଶରେ ଏହିଭଳି ଅନେକ ପ୍ରୟାସ ଜାରି ରହିଛି । ମୁଁ ଏଠି କେତୋଟି ପ୍ରୟାସ କଥା କହିଲି କିନ୍ତୁ ମୁଁ ବହୁତ ଖୁସି ଯେ ଏ ଦିଗରେ ଜନ-ସହଭାଗିତା ବାଘ ସଂରକ୍ଷଣ କ୍ଷେତ୍ରରେ ବହୁତ କାମରେ ଆସୁଛି । ଏହିଭଳି ପ୍ରୟାସଗୁଡ଼ିକ ଯୋଗୁଁ ହିଁ ଭାରତରେ ବାଘମାନଙ୍କର ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ଆପଣମାନେ ଏକଥା ଜାଣି ଖୁସି ଏବଂ ଗର୍ବ ଅନୁଭବ କରିବେ ଯେ, ସାରା ଦୁନିଆରେ ଯେତିକି ବାଘ ଅଛନ୍ତି ତା’ର ଶତକଡ଼ା ସତୁରୀ ଭାଗ ବାଘ ଆମ ଦେଶରେ ଅଛନ୍ତି । ଭାବି ଦେଖନ୍ତୁ ତ, ସତୁରୀ ପ୍ରତିଶତ ବାଘ!! ସେଥିପାଇଁ ତ ଆମ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ବାଘ ଅଭୟାରଣ୍ୟ ଅଛି । ବନ୍ଧୁଗଣ, ବାଘ ବଢ଼ିବା ସଙ୍ଗେ ସଙ୍ଗେ ଆମ ଦେଶରେ ଜଙ୍ଗଲ ଅଞ୍ଚଳର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହେଉଛି । ଏ କ୍ଷେତ୍ରରେ ମଧ୍ୟ ସାମୂହିକ ପ୍ରୟାସ ଦ୍ୱାରା ବଡ଼ ସଫଳତା ମିଳୁଛି । ଗତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କ ସହିତ ‘ଏକ ପେଡ୍ ମାଁ କେ ନାମ୍’ ବିଷୟରେ ଚର୍ଚ୍ଚା କରିଥିଲି । ମୁଁ ଖୁସି ଯେ, ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଲୋକ ଏହି ଅଭିଯାନରେ ଯୋଗ ଦେଉଛନ୍ତି । ଏଇ କିଛିଦିନ ପୂର୍ବେ ସ୍ୱଚ୍ଛତା ପାଇଁ ପ୍ରସିଦ୍ଧ ଇନ୍ଦୋରରେ ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ ହେଲା । ସେଠାରେ ‘ଏକ ପେଡ୍ ମାଁ କେ ନାମ୍’ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଚାରାରୋପଣ କରାଗଲା । ନିଜ ମା’ ନାଁରେ ଗଛଟିଏ ଲଗାଇବାର ଏହି ଅଭିଯାନରେ ଆପଣ ବି ଯୋଗ ଦିଅନ୍ତୁ ଏବଂ ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ । ଏହି ଅଭିଯାନ ସହିତ ଯୋଗଦେଲେ ଆପଣଙ୍କୁ ଆପଣ ମା’ ଓ ଧରିତ୍ରୀ ମା’ ଦୁହିଁଙ୍କ ପାଇଁ କିଛି ସ୍ପେସିଆଲ କଲାଭଳି ଅନୁଭବ ହେବ । ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ୧୫ ତାରିଖ ଆଉ ବେଶୀ ଦିନ ନାହିଁ । ଅଗଷ୍ଟ ସହିତ ଆଉ ଗୋଟିଏ ଅଭିଯାନ ମଧ୍ୟ ଯୋଡ଼ି ହୋଇଯାଇଛି । ‘ହର୍ ଘର ତ୍ରିରଙ୍ଗା ଅଭିଯାନ’ । ଗତ କେତେବର୍ଷ ଧରି ତ ପୁରା ଦେଶରେ ‘ହର ଘର୍ ତ୍ରିରଙ୍ଗା ଅଭିଯାନ’ ପାଇଁ ସମସ୍ତଙ୍କର ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି । ଗରିବ ହଉ, ଧନୀ ହଉ, ଛୋଟ ଘର ହଉ ବା ବଡ଼ ଘର ହଉ ସମସ୍ତେ ତ୍ରିରଙ୍ଗା ଉଡ଼େଇ ଗର୍ବ ଅନୁଭବ କରୁଛନ୍ତି । ତ୍ରିରଙ୍ଗା ସହିତ ସେଲ୍ଫି ନେଇ ସୋସିଆଲରେ ପୋଷ୍ଟ କରିବାର Craz ମଧ୍ୟ ଦେଖାଯାଉଛି । ଆପଣମାନେ ଧ୍ୟାନ ଦେଇଥିବେ, ଯେତେବେଳେ କଲୋନୀ ବା Societyର ଗୋଟିଏ ଗୋଟିଏ ଘର ଉପରେ ତ୍ରିରଙ୍ଗା ଉଡ଼ିବା ଆରମ୍ଭ କରୁଛି, ସେତେବେଳେ ଦେଖୁ ଦେଖୁ ଅନ୍ୟ ଘରମାନଙ୍କରେ ମଧ୍ୟ ତ୍ରିରଙ୍ଗା ଉଡ଼ିବା ଆରମ୍ଭ ହେଇଯାଉଛି । ଅର୍ଥାତ୍ ‘ହର୍ ଘର ତ୍ରିରଙ୍ଗା ଅଭିଯାନ’ ତ୍ରିରଙ୍ଗାର ସମ୍ମାନର ଗୋଟିଏ ନିଆରା ଉତ୍ସବରେ ପରିଣତ ହେଇଗଲାଣି । ୟାକୁ ନେଇ ଏବେ ତ ବିଭିନ୍ନ ପ୍ରକାରର ଇନୋଭେସନ ବି ହବାକୁ ଲାଗିଲାଣି । ଅଗଷ୍ଟ ୧୫ ଆସୁ ଆସୁ ଘରେ, ଅଫିସଫରେ, କାରରେ, ତ୍ରିରଙ୍ଗା ଲଗାଇବା ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ଦେଖିବାକୁ ମିଳିଲାଣି । କିଛି ଲୋକ ତ ନିଜ ନିଜର ବନ୍ଧୁ ଓ ପଡ଼ୋଶୀମାନଙ୍କୁ ମଧ୍ୟ ତ୍ରିରଙ୍ଗା ବାଣ୍ଟୁଛନ୍ତି । ତ୍ରିରଙ୍ଗାକୁ ନେଇ ଏ ଉଲ୍ଲାସ, ଏ ଉତ୍ସାହ ପରସ୍ପରକୁ ଯୋଡ଼ିବାର କାମ କରୁଛି । ବନ୍ଧୁଗଣ, ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଆପଣ ‘harghartiranga.com’ରେ ତ୍ରିରଙ୍ଗା ସହିତ ଆପଣଙ୍କ ସେଲ୍ଫି ନିଶ୍ଚୟ ଅପଲୋଡ କରିବେ । ମୁଁ ଆପଣଙ୍କୁ ଆଉ ଗୋଟିଏ କଥା ମନେପକେଇ ଦବାକୁ ଚାହେଁ । ପ୍ରତିବର୍ଷ ଅଗଷ୍ଟ ୧୫ ପୂର୍ବରୁ ଆପଣମାନେ ମୋତେ ଅନେକ ପ୍ରସ୍ତାବ ଦେଇଥାନ୍ତି । ଏ ବର୍ଷ ମଧ୍ୟ ଆପଣଙ୍କ ପ୍ରସ୍ତାବ ନିଶ୍ଚୟ ପଠାନ୍ତୁ । ଗଚ୍ଚଏକ୍ଟଙ୍ଖ କିମ୍ବା ଘବଗକ୍ଟଇକ୍ଟ୍ରକ୍ଟ୍ରରେ ମଧ୍ୟ ଆପଣ ନିଜର ପ୍ରସ୍ତାବ ପଠାଇପାରନ୍ତି । ମୁଁ ଅଗଷ୍ଟ ୧୫ର ସମ୍ବୋଧନରେ ଆପଣମାନଙ୍କର ପ୍ରସ୍ତାବକୁ ସାମିଲ କରିବାକୁ ଚେଷ୍ଟା କରିବି । ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହେଇ ମୋତେ ବହୁତ ଭଲ ଲାଗିଲା । ଦେଶର ନୂଆ ଉପଲବଧି ସହିତ ଜନ-ସହଭାଗିତାର ନୂତନ ପ୍ରୟାସ ସହିତ ଆରମାସରେ ପୁଣି ଭେଟିବା । ଆପଣ ‘ମନ୍ କି ବାତ୍’ ପାଇଁ ମଧ୍ୟ ଆପଣଙ୍କ ମତାମତ ନିଶ୍ଚୟ ପଠାନ୍ତୁ । ଆଗାମୀ ଦିନରେ ଅନେକ ପର୍ବ ମଧ୍ୟ ଆସୁଛି । ସମସ୍ତ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଶୁଭକାମନା । ଆପଣ ନିଜ ପରିବାର ସହିତ ମିଶି ପର୍ବପର୍ବାଣୀର ଆନନ୍ଦ ନିଅନ୍ତୁ । ଦେଶ ପାଇଁ କିଛି ନା କିଛି କରିବାର ଶକ୍ତି ନିରନ୍ତର ଜାରି ରଖନ୍ତୁ । ବହୁତ ବହୁତ୍ ଧନ୍ୟବାଦ ।

Leave A Reply

Your email address will not be published.