ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏ.ରେ ବୁକ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲର ଆଇସୋଲେସନ୍‌ ୱର୍ଡରେ କାର୍ଯ୍ୟରତ ଡାକ୍ତର ସୀମାଂଚଳ ଡାକୁଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବିଷ୍ଣୁମୁଣ୍ଡାର ଦୁଇ ଜଣ ଅଭିଯୁକ୍ତ ଶ୍ରୀକାନ୍ତ ସୁନା ଏବଂ ଚଂଚଲ ଶିକାଙ୍କୁ ଗତ ୧୭ ତାରିଖ ଦିନ ଏନ୍‌ଏସ୍‌ଏ(ନେସ୍‌ନାଲ୍‌ ସିକ୍ୟୁରିଟି ଆକ୍ଟ-୧୯୮୦)ର ଧାରା ୩(୨)ରେ ବୁକ୍‌ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଏ ନେଇ ବଲାଙ୍ଗିର ଆଦର୍ଶ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଭୀମ ଭୋଇ ମେଡ଼ିକାଲ୍‌ରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ ନେଇ କାର୍ଯ୍ୟରତ ଡାକ୍ତର ସୀମାଂଚଳ ଡାକୁଆଙ୍କ ଉପରେ ଗତ ୮ ତାରିଖ ଦିନ ଆକ୍ରମଣ ହୋଇଥିଲା ଏବଂ ଡାକ୍ତର ଡାକୁଆ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଆକ୍ରମଣକାରୀଙ୍କୁ ଗିରଫ୍‌ ଦାବୀ କରି କାର୍ଯ୍ୟରତ ଡାକ୍ତରମାନେ ସେତେବେଳେ ଓପିଡ଼ି ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣାରୁ ଓହରିଥିଲେ ଡାକ୍ତରମାନେ । ତେବେ ପରବର୍ତ୍ତୀ ସମୟରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏ.ରେ ବୁକ୍‌ କରାଯିବା ପାଇଁ ମଧ୍ୟ ଡାକ୍ତରମାନଙ୍କ ପକ୍ଷରୁ ଦାବୀ ହୋଇଥିଲା ।

Leave A Reply

Your email address will not be published.