ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ଗ୍ରାମବାସୀ କ୍ରମଶଃ ସଶକ୍ତ ହେଉଛନ୍ତି : ଓଡ଼ିଶାର ସଫଳ କାହାଣୀ

ଭୁବନେଶ୍ୱର, (ପିଆଇବି) : କୋଭିଡ୍‌ ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଓଡିଶା ସମେତ ୬ଟି ରାଜ୍ୟରେ କାର୍ୟ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ । ଏହି ୬ଟି ରାଜ୍ୟର ୧୧୬ଟି ଜିଲାରେ ଏହା କାର୍ୟ୍ୟକାରୀ ହେଉଛି । ଲୋକଙ୍କୁ ଜୀବିକା ଉପାର୍ଜନର ସୁଯୋଗ ଯୋଗାଇ ଦେଉଥିବା ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗ ସହିତ ସଂପୃକ୍ତ ରାଜ୍ୟ ସରକାର ମିଳିତଭାବେ କାମ କରୁଛନ୍ତି । ଏହାଦ୍ୱାରା ଗ୍ରାମକୁ ଫେରିଆସିଥିବା ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳ ସମୁଦାୟ ବିଶେଷ ଉପକୃତ ହେଉଛନ୍ତି । ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ଏକ ସଫଳ କାହାଣୀ ରହିଛି । ଏହି ଯୋଜନାରେ ଯେଉଁ ହିତାଧିକାରମାନଙ୍କ ଘର ତିଆରି ହୋଇଛି ସେମାନଙ୍କ ମଧ୍ୟରୁ ଏହା ଗୋଟିଏ ।
ଓଡ଼ିଶା ହିତାଧିକାରୀଙ୍କ ସବିଶେଷ ତଥ୍ୟ
ନାମ- ଶଶୀ ବାରିକ, ଗ୍ରାମ- ଟେଭାଡୁଙ୍ଗୁରି, ଗ୍ରାମପଞ୍ଚାୟତ- ହୀରାପୁର, ବ୍ଲକ- ଲୋହିସିଂହା, ଜିଲା- ବଲାଙ୍ଗୀର ।
କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶ ସଂପୂର୍ଣ୍ଣ ଲକ୍‌ଡାଉନରେ ଥିଲା ଶଶୀ ବାରିକ ତାଙ୍କ ଘର ତିଆରି କରିବାକୁ ନିଷ୍ପତ୍ତି ନେଲେ । ଏହି ଘରଟି ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ମଂଜୁର ହୋଇଥିଲା । ଅପ୍ରତ୍ୟାଶିତଭାବେ ଲକ୍‌ଡାଉନ ଘୋଷଣା ହେବାରୁ ଘର ତିଆରି କରିବା ପାଇଁ ଆବଶ୍ୟକ ଉପକରଣ ଏବଂ ଲୋକଶକ୍ତି ଯୋଗାଡ କରିବାକୁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । ଫଳରେ ସରକାରୀ ସହାୟତା ଅର୍ଥର ପ୍ରଥମ କିସ୍ତି ପାଇବାର ଏକ ମାସ ମଧ୍ୟରେ ଶଶୀଙ୍କ ଘର ତିଆରି ସଂପୂର୍ଣ୍ଣ ହୋଇପାରିଥିଲା ।
ଏ ସଂପର୍କରେ ୮୦ ବର୍ଷ ବୟସ୍କା ବିଧବା ଶଶୀ ବାରିକ କହନ୍ତି ‘ଆମେ ଆମର ନୂଆ ସିମେଣ୍ଟ କଂକ୍ରିଟ ଘରେ ଏବେ ଆନନ୍ଦରେ ରହୁଛୁ । ପକ୍କା ଘରଟିଏ ତିଆରି କରିବା ପାଇଁ ଆମଭଳି ଗରିବ ପରିବାରଙ୍କୁ ସରକାର ଯେଉଁ ସାହାଯ୍ୟ ସହଯୋଗ କଲେ ସେଥିପାଇଁ ତାଙ୍କୁ ଧନ୍ୟବାଦ । ଏବେ ମୁଁ ମୋ ଘରର ମାଲିକ ।’ ପୂର୍ବରୁ ଶଶୀ ତାଙ୍କ ପରିବାର ସହ ବଲାଙ୍ଗୀର ଜିଲା ଲୋଇସିହାଁ ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମପଞ୍ଚାୟତର ତେଭାଟୁଙ୍ଗୁରି ଗ୍ରାମରେ ଏକ ଅର୍ଦ୍ଧଭଗ୍ନ ଘରେ ରହୁଥିଲେ ।
ଶଶୀଙ୍କ ପୁଅ ଜଣେ ଦିନମଜୁରିଆ । ନିଜର ସ୍ୱଳ୍ପ ରୋଜଗାରରେ ୫ ପ୍ରାଣୀ କୁଟୁମ୍ବ ଦୈନିକ ବଡ କଷ୍ଟରେ ଚଳୁଥିଲେ । ଏହି ପରିବାର ପାଇଁ ଖଣ୍ଡିଏ ପକ୍କା ଘର ଏକ ସୁଦୂର ପରାହତ ସ୍ୱପ୍ନ ଥିଲା । ସେ ଯାହାହେଉ ସରକାର ଶଶୀଙ୍କୁ ସହାୟତାର ହାତ ବଢାଇଲେ । ଗ୍ରାମାଞ୍ଚଳ ଆବାସ ନିର୍ମାଣ ଯୋଜନାରେ ପକ୍କା ଘର ଖଣ୍ଡିଏ କରିବା ପାଇଁ ତାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ମିଳିଲା । ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କରିବାରେ ସଫଳ ହୋଇଥିବାରୁ ଶଶୀଙ୍କୁ ସରକାର ଆଉ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ଯୋଗାଇଦେବେ ।

Leave A Reply

Your email address will not be published.