ବାଲୁଗାଁର ଏକ ଗରୀବ ବ୍ରାହ୍ମଣ ଭିନ୍ନକ୍ଷମ ପରିବାର ପ୍ରତି ରାଜ୍ୟ ସରକାରଙ୍କ ସହାୟତା ନିମନ୍ତେ ଅନୁରୋଧ

• ଅନ୍ତୋର୍ଦ୍ୱୟ ଯୋଜନାର ୩୫ କିଲୋ ଚାଉଳ, ମାଗଣାରେ ବ୍ୟବସ୍ଥିତ ଚିକିତ୍ସା ସେବା, ଦାରିଦ୍ର୍ୟ ତାଡ଼ନା ସମସ୍ୟା ଲାଗି ସହାୟତା, ଆବାସ ଯୋଜନା ଜରୁରୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧାର କାର୍ଡ ନାହିଁ, ଶାରୀରିକ ଅକ୍ଷମ ପରିବାର ବର୍ଗଙ୍କୁ ମିଳୁନି ରାସନ ଚାଉଳ । ଗୋଟିଏ ଭିନ୍ନକ୍ଷମ ପରିବାରଙ୍କ କଣ୍ଠ ସ୍ୱର ପ୍ରଶାସନ ନିକଟରେ ପହଞ୍ଚିବା କଷ୍ଟକର ବ୍ୟାପାର ହୋଇଛି । ଯାହାରି ଫଳରେ ଉକ୍ତ ପରିବାର ଦାରିଦ୍ର୍ୟତାରେ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ପ୍ରକାଶ ଥାଉକି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୧ରେ ରହନ୍ତି, ଏକ ଦରିଦ୍ର ବ୍ରାହ୍ମଣ ପରିବାର । ଉକ୍ତ ଘରେ ଶାରୀରିକ ଅକ୍ଷମ ମାମି ନନ୍ଦ (୩୭), ପିତା-ସ୍ରୂର୍ଯ୍ୟମଣୀ ପଣ୍ଡା ଜଣେ ପୂଜା/ଜେଜମାନ ଆଦିକରି ଘର ଚଳାନ୍ତି । ପିତା ବହୁଦୁଃଖ କଷ୍ଟରେ ଝିଅକୁ ବିବାହ ଦେଇଥିଲେ । ବିବାହର କିଛି ଦିନ ପରେ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ, କିନ୍ତୁ ପରେ ତାଙ୍କ ସ୍ୱାମୀ ନିରଞ୍ଜନ ନନ୍ଦ ଆଇନ ଅନୁଯାୟୀ ତାଙ୍କୁ ଛାଡପତ୍ର ଦେବା ପରେ ଏବେ ସେ ନିଜ ଦୁଇଟି ପିଲାଙ୍କୁ ଧରି ପିତାଙ୍କ ଘରେ ରହୁଛନ୍ତି । ପିତା ଜଣେ ୮୦ ବର୍ଷର ବୃଦ୍ଧ । ଠାକୁର ପୂଜା କରି ଯାହା ଆଣନ୍ତି, ସେଥିରେ ଚଳନ୍ତି । ଦୁଇଟି ଝିଅ ମଧ୍ୟରୁ ବଡ଼ ଝିଅ ବର୍ଷା ନନ୍ଦ(୨୦)ଅଶୀ ପ୍ରତିଶତ ଶାରୀରିକ ଅକ୍ଷମ, ସାନ ଝିଅ ଖୁସି ନନ୍ଦ(୧୧) ଓ ମାମି ନିଜେ ମଧ୍ୟ ଶାରୀରିକ ଅକ୍ଷମ ଭତ୍ତା ପାଉଛନ୍ତି । ଭତ୍ତାରେ ଯେତିକି ଟଙ୍କା ପାଉଛନ୍ତି ସେଥିରେ ନିଜ ପରିବାର ଚଳାଇବା ସହିତ ରୋଗ ବୈରାଗ୍ୟ ହେଲେ ବହୁତ ହଇରାଣ ହେଉଛନ୍ତି । ଅର୍ଥ ଅଭାବରୁ ଦୁଇ ଝିଅକୁ ପାଠ ପଢାଇ ପାରୁନାହାନ୍ତି, ଘର ନାହିଁ, ପିତାଙ୍କ ପାଖରେ ଆଶ୍ରୟ ନେଇଛନ୍ତି । ରାଜ୍ୟ ସରକାର ତାଙ୍କୁ ରାସନ କାର୍ଡ ଦେଇଛନ୍ତି । ହେଲେ ମୁଣ୍ଡ ପିଛା ୫ କେଜି ଚାଉଳ ପୂର୍ବରୁ ମିଳୁଥିବା ବେଳେ ଏବେ ମାତ୍ର ଦଶ କେଜି ଚାଉଳ ଦୀର୍ଘ ଦିନରୁ କଣ୍ଟ୍ରୋଲ ଡିଲର ଦେଉଛନ୍ତି । ତିନି ପ୍ରାଣୀଙ୍କ ୧୫ କେଜି ପରିବର୍ତ୍ତେ ମାତ୍ର ଦଶ କେଜି ଚାଉଳ ଦେବାରୁ ନିଜେ ଚଳିବା ବହୁତ କଷ୍ଟ ହେଉଥିବା ମାମି କୁହନ୍ତି ଓ ଆମେ ଗରିବ ଲୋକ କେବଳ ଚାଉଳ ଓ ଭାତକୁ ଭରସା କରି ଚଳୁ ଏବେ ଦଶ କେଜି ଚାଉଳ ଆମକୁ ପାଉନାହିଁ । ବଡ଼ ଝିଅ ଶାରୀରିକ ଅକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଚାଉଳ ଦିଆଯାଉନାହିଁ । ଆଧାର କାର୍ଡ ଦେଲେ ଚାଉଳ ମିଳିବ ବୋଲି ଡିଲର କହି ଫେରାଇ ଦେଉଛନ୍ତି । ଦ୍ୱିତୀୟରେ ଶାରୀରିକ ଅକ୍ଷମ ଝିଅକୁ ନେଇ ଆଧାର କାର୍ଡ କରିବାକୁ ଯିବା ବହୁତ ଅସୁବିଧା ହେଉଛି । ଧାର କରଜ କରି ଆଧାର କାର୍ଡ କେନ୍ଦ୍ରକୁ ଗଲେ ଝିଅର ଟିପ କମ୍ପ୍ୟୁଟର ନେଉନି ବୋଲି କହି ଫେରାଇ ଦେଉଛନ୍ତି, ସେପଟେ ଆଧାର ଆଣିଲେ ରାସନ ନେବ ବୋଲି କହି ଡିଲର ଦୁଃଖିନୀ ମାମିକୁ କଣ୍ଟ୍ରୋଲରୁ ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଦୀର୍ଘଦିନ ହେବ ଏ ଦୁଆର ସେ ଦୁଆର ହୋଇ ଶେଷରେ ଏଭଳି ଅବସ୍ଥାରେ ସ୍ଥାନୀୟ ଏନ୍‌ଏଏସିର ଯୋଗାଣ ଅଧିକାରୀ କିଛି ନ ବୁଝିବାରୁ ମାମି ନନ୍ଦ ଶେଷରେ ବାଲୁଙ୍ଗାରୁ ବୃଦ୍ଧ ବାପା ଓ ଦୁଇ ପିଲାଙ୍କୁ ଧରି ବର୍ତ୍ତମାନର ପ୍ରବଳ ଖରାରେ ଗାଡି ଭଡା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାଯ୍ୟାଳୟକୁ ୬୦ କିମି ଦୂରରୁ ଧାଇଁ ଆସିଥିଲେ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ନ ପାରି ଦରଖାସ୍ତ ଦେଇ ଚାଲିଯାଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଆଜି ଗୋଟିଏ ଶାରୀରିକ ଅକ୍ଷମ ଓ ଅସହାୟ ପରିବାର ଆଧାର କାର୍ଡ ପାଇଁ ରାସନ ଚାଉଳରୁ ବଂଚିତ ହେବା ଅତ୍ୟନ୍ତ ଦୁଃଖର ବିଷୟ । ତେବେ ଏ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୁଗଦା ମୁର୍ମୁଙ୍କୁ ଯୋଗାଯୋଗ କରିବା ପରେ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଶାରୀରିକ ଅକ୍ଷମ ପରିବାରକୁ ସ୍ଥାନୀୟ ଯୋଗାଣ ନିରୀକ୍ଷକକୁ ଯୋଗାଯୋଗ କରି ନିୟମ ଅନୁଯାୟୀ ତୁରନ୍ତ ରାସନ ଚାଉଳ ପାଇଁ ବ୍ୟବସ୍ଥା କରାଯିବ ସହିତ ଅନ୍ତୋର୍ଦ୍ୱୟ ଅନ୍ନ-ଯୋଜନାରେ ସାମିଲ କରାଇ ୩୫ କେଜି ଚାଉଳ ପାଇଁ ଆବଶ୍ୟକ ପଦକ୍ଷେପ ନେବି ବୋଲି ମତ ରଖିଛନ୍ତି । ପୁନଶ୍ଚ ଯାହାଙ୍କର ଆଧାର କାର୍ଡରେ କୌଣସି ବା ତ୍ରୁଟି ରହୁଛି, ଅଥବା ଅନ୍ୟ ଯେ, କୌଣସି ନା ସମସ୍ୟା ରହିଛି, ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ପରିବାରଙ୍କୁ ଘରକୁ ଆସି ସହାୟତା ଓ ସେବା ଯୋଗାଇବା ସ୍ଥାନୀୟ ପ୍ରଶାସନର ଧର୍ମ ଓ କର୍ତ୍ତବ୍ୟ ଅଟେ । ବାସ୍ତବିକ ଆମ ରାଜ୍ୟ ସରକାରଙ୍କ ୫ଟି ସେବା ଅବା ମୋ- ସରକାର ଯୋଜନାରେ ଗରୀବ ଗୁରୁବା ଲୋକଙ୍କ ପକ୍ଷରେ କାର୍ଯ୍ୟରେ ଆସୁନି । ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଧ୍ୟାନଦେଇ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବିଷୟ ଆଲୋକପାତକୁ ଭିତ୍ତିକରି ଜରୁରୀ ପଦକ୍ଷେପ ନିଆଯିବା ଆବଶ୍ୟକ । ରାଜ୍ୟରେ ଗରୀବ ଶ୍ରେଣୀର ଏବଂ ଭିନ୍ନକ୍ଷମ ଲୋକଙ୍କ ନିମନ୍ତେ ଅଭିଯୋଗ ଶୁଣାଣି ଗାଁକୁ ଆସି ଗ୍ରହଣ କରିବା ଉଚିତ୍‌ । ସର୍ବୋପରି ଦାରିଦ୍ର୍ୟ ସୀମାରେଖା ତଳେ ଚଳିଆସୁଥିବା ଗରିବ ପରିବାରଙ୍କ ନିମନ୍ତେ ୫ଟି ସେବା ଅବା ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଏହାକୁ କାର୍ଯ୍ୟଶୀଳ କରିବା ଜରୁରୀ ବୋଲି ବିଭିନ୍ନ ମହଲରେ ଦାବୀ ହେଉଅଛି ।

Leave A Reply

Your email address will not be published.