ଓଡିଶା ସାହିତ୍ୟ ଏକାଡେମୀର ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ସଂପନ୍ନ

  • ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି : ଦାଶ ବେନହୁର

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି । ସାହିତ୍ୟ ସମାଜକୁ ଅନ୍ଧାରରୁ ଆଲୋକକୁ ଆଣେ । ସାହିତ୍ୟିକ ମାନେ ନିଜ ଭାବକୁ କଲମମୁନରେ ପ୍ରକାଶ କରି ସାହିତ୍ୟକୁ ବିଭବମୟ କରିଥାନ୍ତି । ନିରାଶ୍ରୟ ଲୋକଙ୍କ ଶକ୍ତିହିଁ ସାହିତ୍ୟ । ପୁସ୍ତକର ଆୟୁଷ କବିଙ୍କ ଆୟୁଷ ଠାରୁ ଢେର ଲମ୍ବା । ସତ୍ୟକୁ ଉନ୍ମୋଚନ କରିବା ସକାଶେ ଲେଖକର ସାହସ ଦରକାର ବୋଲି ହେମନ୍ତ ସ୍ମୃତି ସାରସ୍ବତ ସମାରୋହରେ ଓଡିଶାର ବରେଣ୍ୟ ସାହିତ୍ୟିକ ମାନେ ମତବ୍ୟକ୍ତ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣିଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସିଭିକ ସେଣ୍ଟରଠାରେ ଦୁଇଦିନିଆ ହେମନ୍ତ ସ୍ମୃତି ସାରସ୍ୱତ ସମାରୋହର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ଏକାଡେମୀର ସଭାପତି ଡଃ ହୃଷିକେଶ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ କଥାକାର ଭୂପେନ ମହାପାତ୍ର ମୁଖ୍ୟ ଅତିଥି, ଡଃ ଭଗବାନ ଜୟସିଂହ ଉଦ୍‌ଘାଟକ, ପବିତ୍ର କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା, ସୁରେଶ କୁମାର ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଥିଲେ । ଡଃ ସୁପ୍ରିୟା ପାଲଙ୍କ ପ୍ରାକ କଥନ ପରେ ଉଦ୍‌ଘାଟକ ଡଃ ଜୟସିଂହ କହିଲେ ଯେ, ସତ୍ୟ ତଥା ସାହସ ଥିବା କବି ଯେଉଁ ସାହିତ୍ୟ ସୃଷ୍ଟି କରେ ତାହା ଉଚ୍ଚାଙ୍ଗ ସାହିତ୍ୟ ହୋଇଯାଏ । ସମ୍ମାନିତ ବକ୍ତା ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପୁସ୍ତକର ଆୟୁଷ କବିଙ୍କ ଆୟୁଷ ଠାରୁ ଢେର ଲମ୍ବା ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ କହିଲେ ଯେ ହେମନ୍ତ ହେଉଛି ଅନୁଭବ ଓ ଚେତନାର ଋତୁ । ଜୀବନ ସହ ଯାହା ଯାଉଥାଏ ତାହା ସାହିତ୍ୟ । ଏହା ସହ ସେ ସତ ସାହିତ୍ୟ, ପ୍ରେରଣା ସାହିତ୍ୟ ଓ ଉଦ୍ଦେଶ୍ୟ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ସାହିତ୍ୟ କେବଳ ଜୀବନଧର୍ମୀ ହେବା ଉଚିତ ବୋଲି ମତ ରଖିଥିଲେ । ସଭାମୁଖ୍ୟ ଡଃ ମଲ୍ଲିକ ଗ୍ରାମପଥର କବି ବିନୋଦ ଚନ୍ଦ୍ର ନାୟକଙ୍କୁ ଓଡିଆ ସାହିତ୍ୟର ମଉଡମଣୀ ରୂପେ ଅଭିହିତ କରିଥିଲେ । ପ୍ରାରମ୍ଭରେ ଶ୍ରୀ ପାଣି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବେଦ ମନ୍ତ୍ର ଅଜୟ ପାଣି ପାଠ କରିଥିଲେ । ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ କବି ସୈନ୍ୟାସୀ ନାୟକ ଓ ତ୍ରିନାଥ ସିଂଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପୀନାକି ମିଶ୍ର, କୁଞ୍ଜବିହାରୀ ରାଉତ, ଅଶୋକ ରାଉତ, ମିତା ପ୍ରଧାନ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସମେତ ୪୦ରୁ ଅଧିକ କବି କବିତା ପାଠ କରିଥିଲେ ।

ଦ୍ୱିତୀୟ ଦିନ ରାଜୀବ ପାଣିଙ୍କ ସଂଯୋଜନାରେ ପ୍ରଥମ ଅଧିବେଶନରେ ଚିନ୍ମୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୀତାର ଦ୍ବିତୀୟ ଅଧ୍ୟାୟ ଗାନ ପରେ ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ପ୍ରାରମ୍ଭିକ ସଂଗୀତ ଡା.ସୁଶାନ୍ତ ପାଣି, ମୀରା ମିଶ୍ର, ସ୍ମିତା ମିଶ୍ର, ସ୍ନେହଲତା ନାୟକ, ରଶ୍ମିବାଳା ରାଉତରାୟ, ନିରୁପମା ପାଣି ପ୍ରମୁଖ ଗାନ କରିଥିଲେ । ପ୍ରଥମ ଅଧିବେଶନରେ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି, ଆର୍‌ଏସ୍‌ପିର ମହାପ୍ରବନ୍ଧକ ବିଜୟ କୁମାର ରାଉତ ବିଶିଷ୍ଟ ଅତିଥି, ଡଃ ଭଗବାନ ଜୟସିଂହ ସମ୍ମାନିତ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟର ଭାବ ବଳୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡଃ ମହାପାତ୍ର କହିଲେ ଯେ ଉତ୍ସାହର ଭାବ ହିଁ ସାହିତ୍ୟରେ ପ୍ରକାଶିତ ହୋଇଥାଏ । ସାହିତ୍ୟ ମଣିଷର ମାନସ ଚିନ୍ତନରେ ଛାପ ଛାଡିଥାଏ । ବିଶିଷ୍ଟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କଳା, ସଂସ୍କୃତି ଦେଶ ଜାତି ପାଇଁ ସ୍ତମ୍ବ ସଦୃଶ ମତଦେଇ ଆତ୍ମାକୁ ସାହିତ୍ୟ, ସଂଗୀତ ଓ କଳା ଶାନ୍ତିରେ ରଖିପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଡଃ ଜୟସିଂହ ଆଲୋଚ୍ୟ ବିଷୟ ସଂପର୍କରେ ମତରଖି କହିଲେ ଯେ ଭାବକୁ ପ୍ରକାଶ କରିବା ପାଇଁ ଶବ୍ଦ ଦରକାର । ଶବ୍ଦ ହେଉଛି ଶକ୍ତି । ଶବ୍ଦକୁ ଠିକ୍ ଭାବେ ବିନିଯୋଗ କରିପାରିଲେ ସୁନ୍ଦର ସୃଷ୍ଟି ସମ୍ଭବ । ସଭାମୁଖ୍ୟ ଡଃ ମଲ୍ଲିକ କହିଲେ ଯେ ଯଦି ଭାବ ନାହିଁ ତେବେ ସେ ସାହିତ୍ୟ ଗ୍ରହଣୀୟ ହେବ ନାହିଁ । ସାହିତ୍ୟିକମାନେ ସବୁବେଳେ ନୂଆ ରାସ୍ତାରେ ଚାଲିବା ଉଚିତ । ମୁଖ୍ୟବକ୍ତା ଦାଶ ବେନହୁର ନିଜ ବକ୍ତବ୍ୟରେ କହିଲେ ଯେ
ସାହିତ୍ୟ ନିଜକୁ ଗଢେ ଓ ଯୋଡେ । ସାହିତ୍ୟର ସୀମା ସରହଦ ନଥାଏ । ଭାବ, ଶବ୍ଦ ମାଧ୍ୟମରେ ଆମ ପାଖକୁ ଆସେ । ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି । ସାହିତ୍ୟ ସମାଜକୁ ସୁସଂଗତ କରେ । ସାହିତ୍ୟର ମୃତ୍ୟୁ ନାହିଁ । ଦ୍ବିତୀୟ ଅଧିବେଶନ ଡଃ ସୁପ୍ରିୟା ପାଲଙ୍କ ସଭାପତିତ୍ବରେ ବିଶିଷ୍ଟ ସାହିତ୍ୟିକ ରାଜୁ ଷଡଙ୍ଗୀ ମୁଖ୍ୟଅତିଥି, ରାଜକୁମାର ମହାନ୍ତି ସମ୍ମାନିତ ଅତିଥି ଓ ଆଲୋଚକ ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ, ଡଃ ହୀରନ ଲୁଗୁନ, ପ୍ରଧ୍ୟାପକ ବିଭୁତି ଭୂଷଣ ପଣ୍ଡା ସୁନ୍ଦରଗଡ ସୀମାନ୍ତ ଭାଷା ସଂପର୍କରେ ଆଲୋଚନା କରିଥିଲେ । ତୃତୀୟ ଅଧିବେଶନ ରାଜୀବ ପାଣିଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବରେ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟଅତିଥି, ଶିବପ୍ରିୟା ମିଶ୍ର ଓ ବିଷ୍ଣୁପ୍ରିୟା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବିତା ଗୁଡିକୁ ଅଙ୍ଗୁରବାଳା ପରିଡା ଓ ପ୍ରଣତୀ ବେହେରା ସଂଯୋଜନା କରିଥିବା ବେଳେ ମୋନାଲିସା ମିଶ୍ର ଓ ଡା.ସୁଶାନ୍ତ ପାଣି ସାଂଗୀତିକ ଉପସ୍ଥାପନା କରିଥିଲେ । ସାନ୍ଧ୍ୟ ଅଧିବେଶନର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ବରେଣ୍ୟ ଅତିଥି ଭାବେ ଡା.କୃପାସିନ୍ଧୁ ନାୟକ, ମୁଖ୍ୟଅତିଥି ଭାବେ ପାରେଶ୍ବର ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ପିନାକୀ ମିଶ୍ର ଯୋଗଦେଇଥିବା ବେଳେ କବିତା ଗୁଡିକୁ ରଶ୍ମିବାଳା ରାଉତରାୟ, ଜ୍ୟୋସ୍ନା କୁମାରୀ ନାଏକ ଓ ଗଣେଶ ତ୍ରିପାଠୀ ସଂଯୋଜନା କରିଥିଲେ । ଜିଲ୍ଲାର ଶତାଧିକ କବି କବିତା ପାଠୋତ୍ସବରେ ଅଂଶଗ୍ରହଣ କରିଥିବା ବେଳେ ଏହି ଅବସରରେ ତ୍ରିନାଥ ସିଂ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା ରଥଙ୍କ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ କୋଭିଡରେ ପ୍ରାଣ ହରାଇଥିବା ଦିବଙ୍ଗତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ଆବାହକ ଶ୍ରୀ ପାଣି ଓ କାର୍ଯ୍ୟକ୍ରମର ସଫଳତା ପାଇଁ ଏକାଡେମୀର ସଭାପତି ଡଃ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.