ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣି ବରଗଡ଼ ପଞ୍ଚାୟତ ନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ । ଖାସ୍‌ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର । ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଲଢା ଯାଉଥିବାରୁ ଏହାକୁ ଅକ୍ତିଆର କରିବାକୁ ତିନି ଦଳଙ୍କ ନେତାଙ୍କ ମଧ୍ୟରେ ବ୍ୟସ୍ତତା ଦେଖିବାକୁ ମିଳିଛି । କିନ୍ତୁ ଚଳିତ ଥର ବରଗଡ଼ ଜିଲ୍ଲାର ଜନତା କାହା ସପକ୍ଷରେ ଭୋଟ ଦାନ କରିବେ ତାହାର ଆକଳନ କରିବା ଏବେ ଠାରୁ କଷ୍ଟକର ହୋଇପଡିଛି । କାରଣ ଗତ ନିର୍ବାଚନରେ ପୁରା ରାଜ୍ୟରେ ଦୁଇମୁଖୀ ଲଢେଇ ଦେଖିବାକୁ ମିଳିଥିଲା । ଭୋଟର ଭାଗ ଭାଗ ହୋଇଯାଇଥିଲେ ଯାହାର ଫାଇଦା ବିରୋଧିଦଳ ଭାଜପାକୁ ହିଁ ମିଳିଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୪ଟି ଜିଲ୍ଲା ପରିଷଦ ଆସନରେ ଭାଜପା ଏକାକୀ ୨୫ଟି ଆସନ ହାତେଇ ଥିବା ବେଳେ ଶାସକ ବିଜୁ ଜନତା ଦଳକୁ ୧୪ଟି ଆସନ ମିଳିଥିଲା । କଂଗ୍ରେସ ଦଳ ଖାତା ଖୋଲି ପାରିନଥିଲେ । ଆଉ ଜିଲ୍ଲା ପରିଷଦ ଆସନ ଅଧକ୍ଷ ଓ ଉପାଧ୍ୟକ୍ଷ ଭାରତୀୟ ଜନତା ପାର୍ଟିର ହାତକୁ ଯାଇଥିଲା । ଆସନ ଦୃଷ୍ଟିରୁ ବିଜେପି ଆଗେଇଥିବା ବେଳେ ଭୋଟ ଦୃଷ୍ଟିରୁ ତିନି ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଚଳିତ ଥର ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । କାରଣ ପଞ୍ଚାୟତ ନିର୍ବାଚନ ଫଳାଫଳର ଝଲକ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା । ଜିଲ୍ଲାର ୫ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡ଼ାଇଥିଲା । କିନ୍ତୁ ଲୋକ ସଭାରେ ବିଜେପି ତା’ର ସ୍ଥିତି ଜାହିର କରି ବିଜୟୀ ହୋଇଥିଲେ । ତେଣୁ ବିଧାନସଭା ଧାରାକୁ ପଞ୍ଚାୟତ ନିର୍ବାଚନରେ ବଜାୟ ରଖିବାକୁ ବିଜେଡି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଜେଡି ବଡ ଚେହେରା ଭାବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାନ୍ଧରେ ରହିଛି ପଞ୍ଚାୟତ ଲଢ଼େଇର ଭାର । ସେ ତାଙ୍କ କିଛି କରିସ୍ମା ଦେଖାଇ ଗୋଟିଏ ଜିଲ୍ଲା ପରିଷଦ ଆସନ ଏବଂ ଗୋଟିଏ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିସାରିଲେଣି । ଅପରପକ୍ଷରେ ଅନ୍ୟ ଚାରିଜଣ ବିଧାୟକ ମଧ୍ୟ ଜୋର୍‌ରଦାର୍ କସରତ୍ ଆରମ୍ଭ କରିଥିବା ପରିଲକ୍ଷିତ ହେଲାଣି । ତେବେ ଜିଲ୍ଲାର କେତେକ ସ୍ଥାନରେ ବିଜେଡିର ଫଳାଫଳକୁ ଗୋଷ୍ଠୀ କନ୍ଦଳ କିଛି ମାତ୍ରାରେ ପ୍ରଭାବିତ କରିପାରେ । ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ବିଜେପି ଓ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନିକଟରେ କଂଗ୍ରସର ଏବଂ ଭାଜପା ବିଭିନ୍ନ ଅଞ୍ଚଳରେ ସମାବେଶ କରି ଅନ୍ୟଦଳର କିଛି ଛାମୁଆ ନେତାଙ୍କୁ ଦଳରେ ସାମିଲ କରି ବିଜେଡିର ଚିନ୍ତାକୁ ବଢ଼ାଇ ଦେଇଛନ୍ତି । ସେହିଭଳି ବିଜେପି ମଧ୍ୟ ଏହି ରେସରେ ପଛରେ ନାହିଁ ଦଳ ମୋଦି ସରକାରଙ୍କ ଜନ କଲ୍ୟାଣୀ କାର୍ଯ୍ୟକ୍ରମର ଦ୍ୱାହି ଦେଇ ଭୋଟରଙ୍କ ଭରଷା ଜିତିବାକୁ ଉଦ୍ୟମ କରୁଛି । ସାଂସଦ ସୁରେଶ ପୂଜାରୀ ଦଳର ମଙ୍ଗ ଧରିଥିବା ବେଳେ ଜିଲ୍ଲାରେ କଂଗ୍ରେସ ଦଳ ମଧ୍ୟରେ ସେଭଳି ଜଣାଶୁଣା ଚେହେରା ନଥିବା ଯୋଗୁଁ ଦଳୀୟ ପ୍ରାର୍ଥୀ ନିଜ ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ବିଜେଡି ଚଳିତ ନିର୍ବାଚନରେ ଆସନ ସଂଖ୍ୟା ବୃଦ୍ଧି ସହ ଜିଲ୍ଲା ପରିଷଦ ଅଧକ୍ଷ ପଦ ହାତେଇବାକୁ ପ୍ରସ୍ତୁତ ହେଉଛି । ତେବେ ବିଜେଡ଼ିକୁ ଏତେ ସହଜରେ ବାଟ ଛାଡ଼ିବେନି ଉଭୟ ବିଜେପି ଓ କଂଗ୍ରେସ । ବିଜେପି ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିବା ବେଳେ କଂଗ୍ରସର ପାରମ୍ପରିକ ଭୋଟ ବଳରେ ବରଗଡ଼ ଗଡ଼ ଜିତିବାକୁ ଆଶା ରଖିଛି । ଭାଜପାର ସ୍ଥିତି ମଜବୁତ୍‌ ଯୋଗୁଁ ଶାସକ ବିଜେଡି ପାଇଁ ରାଜବୋରାସମ୍ବର, ଗାଇସିଲେଟ, ପାଇକମାଲ, ଅତାବିରା ଗଡ ଭେଦ କରିବା ଏତେ ସହଜ ନୁହେଁ । ତେବେ ଗତ ଥର ଏଥର ଉଭୟ ଦଳ ଶାସକ ବିଜେଡ଼ିକୁ କଡା ଟକ୍କର ଦେଇପାରୁଛନ୍ତି ନା ବିଜେଡି ନିଜ ନିଜର ସଙ୍ଗଠନ ବଳରେ ସହଜରେ ବିଜୟ ହାସଲ କରିପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.