ସୌମେନ୍ଦ୍ର ଜେନା
ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଥିଲା ବେଳେ ଆସନ୍ତାବର୍ଷ ଇସ୍ରାଏଲ ମଧ୍ୟ ତାର ସ୍ୱାଧୀନତାର ୭୫ବର୍ଷ ପାଳନ କରିବ । ଇତି ମଧ୍ୟରେ ଦୁଇ ଦେଶର ସ୍ୱୀକୃତ ମୈତ୍ରୀକୁ ମାତ୍ର ତିନି ଦଶନ୍ଧି ପୂରଣ ହୋଇଛି । ୨୯ଜାନୁଆରୀ ୨୦୨୨ଦିନ ଦୁଇ ଦେଶର ନେତୃତ୍ୱ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଦୁଇ ଦେଶର ମୈତ୍ରୀ ଅଧିକ ନିିବିଡ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଇସ୍ରାଏଲ ନିଜର ଜ୍ଞାନକୌଶଳ, ଗବେଷଣା, ପ୍ରତିରକ୍ଷା ଉତ୍ପାଦନ, ଆଧୁନିକ କୃଷି ପ୍ରଣାଳୀରେ ଅଧିକ ଉତ୍ପାଦନ ପାଇଁ ପ୍ରତିଷ୍ଠା ଲାଭ କରିଛି । ଭାରତ ପରି ବଡ ଦେଶ ନିଜ ଦେଶର କୃଷି ଓ ଜଳସେଚନର ବିକାଶ, ଶତ୍ରୁରାଷ୍ଟ୍ରର ମୁକାବିଲା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ଉଚ୍ଚତର ଗବେଷଣାଗତ ଜ୍ଞାନକୌଶଳ ପାଇଁ ଇସ୍ରାଏଲ ଉପରେ ନିର୍ଭରଶୀଳ ରହିଛି । ସେମିିତି ଏକ କୋଟିରୁ କମ୍ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲ ନିଜର ମୋଟ ପ୍ରତିରକ୍ଷା ସାମଗ୍ରୀର ୪୩ପ୍ରତିଶତ ଭାରତକୁ ବିକ୍ରି କରି ରପ୍ତାନୀର ଏକ ନମ୍ବର ସ୍ଥାନରେ ରଖିଛି । ଅପରପକ୍ଷେ ଆବଶ୍ୟକ ବେଳେ ଖୁବ୍ କମ୍ ସମୟରେ ପ୍ରତିରକ୍ଷା ସାମଗ୍ରୀ ପାଉଥିବା ହେତୁ ବିଗତ ବର୍ଷମାନଙ୍କରେ ଭାରତ କ୍ରୟ ତାଲିକାରେ ଇସ୍ରାଏଲକୁ ପ୍ରାଧାନ୍ୟ ଦେଇଆସିଛି । ଫଳରେ ଇସ୍ରାଏଲର ଜନସଂଖ୍ୟା ଏକ କୋଟି ପାଖାପାଖି ଥିଲେ ମଧ୍ୟ ସେମାନେ ଭାରତପରି ଏକ ବଡ ରାଷ୍ଟ୍ରର ଏକଶହ କୋଟିରୁ ଅଧିକ ଜନସାଧାରଣଙ୍କର ଅକୁଣ୍ଠ ସମର୍ଥନ ପାଇପାରିଛନ୍ତି । ଭିନ୍ନ ଭିନ୍ନ ସମୟରେ ଇସ୍ରାଏଲକୁ ସମାଲୋଚନା କରିବାକୁ ସାମାଜିକ ଗଣମାଧ୍ୟମରେ ଉଦ୍ୟମ ହେବାବେଳେ ସଂଖ୍ୟାଧିକ ଭାରତୀୟ ଇସ୍ରାଏଲ ସମର୍ଥନରେ ବାହାରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ପାଲେଷ୍ଟାଇନର ହାମାସ୍ ଗୋଷ୍ଠୀର ଇହୁଦୀଙ୍କ ଉପରେ ଆକ୍ରମଣ ହେଉ ଅଥବା ଦୁଇଦେଶ ମଧ୍ୟରେ ସଂଘର୍ଷମୂଳକ ପରିସ୍ଥିତିରେ ଭାରତର ଲୋକେ ଇସ୍ରାଏଲକୁ ସମର୍ଥନ କରିଆସିଛନ୍ତି । ଅତୀତରେ ଇସ୍ରାଏଲ ମାଟିରୁ ବିଦେଶୀ ଆକ୍ରମଣକାରୀମାନେ ଇହୁଦୀଙ୍କୁ ଆକ୍ରମଣକରି ତଡି ଦେବାପରେ ସେମାନେ ଯେପରି ଭାରତରେ ଶରଣ ନେଇ ସୁରକ୍ଷିତ ଭାବେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିପାରିଥିଲେ ତାହା ଯେମିତି ଉଲ୍ଲେଖନୀୟ, ଠିକ୍ ସେମିତି ପ୍ରଥମ ବିଶ୍ୱଯୁଦ୍ଧ ପରେ ଇସ୍ରାଏଲକୁ ଇହୁଦୀମାନଙ୍କୁ ଦେବାପାଇଁ ବ୍ରିଟିସ ସେନାଙ୍କ ପ୍ରୟାସରେ ସଫଳତାର ମୂଳଭିତ୍ତି ପକାଇଥିଲେ ଭାରତର ରାଜସ୍ଥାନ ଏବଂ କର୍ଣ୍ଣାଟକର ଘୋଡସବାର ସେନାବାହିନୀ । ସେମାନେ ଅଦମ୍ୟ ସାହସ ଓ ବଳିଦାନ ବଳରେ ଯେପରି ତୁର୍କୀର ଅଟୋମନ ସେନାଙ୍କ ହାତରୁ ଇସ୍ରାଏଲର ବନ୍ଦର ସହର ହାଇଫାକୁ ଛଡାଇ ଆଣିବାକୁ ସକ୍ଷମ ହୋଇଥିଲେ ତାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ସହ ପ୍ରତ୍ୟେକ ଇହୁଦୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକର ବିଷୟ ହୋଇଛି । ଆଧୁନିକ ଇସ୍ରାଏଲ ରାଷ୍ଟ୍ରର ଗଠନ ଭାରତର ସ୍ୱୀଧୀନତାର ପରବର୍ଷ ହୋଇଥିଲେ ମଧ୍ୟ ଇସ୍ରାଏଲକୁ ଏକ ରାଷ୍ଟ୍ରଭାବେ ମାନ୍ୟତା ଦେବାପାଇଁ ଭାରତକୁ ପାଖାପାଖି ·ରିଦଶନ୍ଧିରୁ ଅଧିକ ସମୟ ଲାଗିଗଲା । ଅଥଚ ସେହି ·ଳିଶ ବର୍ଷରେ ଯେତେବେଳେ ବି ଭାରତ ଯୁଦ୍ଧ ସଙ୍କଟରେ ପଡିଛି, ଇସ୍ରାଏଲ କୂଟନୀତିକ ସ୍ୱୀକୃତି ନପାଇ ମଧ୍ୟ ବାରମ୍ବାର ଭାରତକୁ ଆବଶ୍ୟକ ଅସ୍ତ୍ର ଯୋଗାଇ ସହାୟତା କରିବାକୁ ଭୁଲିନାହିଁ । କିନ୍ତୁ ତତ୍କାଳୀନ ସରକାରମାନଙ୍କ ଆନ୍ତର୍ଜାତିକ କ୍ଷେତ୍ରରେ ଅପାରଗତା ହେଉ କିମ୍ବା ନିଜ ମନରେ ଥିବା ସଂକୀର୍ଣ୍ଣତା ଯୋଗୁ ହେଉ ସେମାନେ ଇସ୍ରାଏଲ ସହ ମୈତ୍ରୀ ସ୍ଥାପନାରୁ ଦୂରେଇ ରହିଥିଲେ । ଅର୍ଥ ଦେଇ ଲୁଚାଛପାରେ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିଲେ ମଧ୍ୟ ଇସ୍ରାଏଲକୁ ଏକ ରାଷ୍ଟ୍ରଭାବେ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରୁଥିଲେ । ଆମେରିକା ଓ ସୋଭିଏତ୍ ରୁଷ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଶେଷ ସମୟ ଅର୍ଥାତ୍ ସୋଭିଏତ୍ ବିଭାଜନ କାଳ ପର୍ଯ୍ୟନ୍ତ ଭାରତର ବିଦେଶ ନୀତିରେ ଇସ୍ରାଏଲ ନଥିଲା । କିନ୍ତୁ ସୋଭିଏତ ରୁଷର ବିଭାଜନ ସଙ୍ଗେ ସଙ୍ଗେ ଭାରତର ନିଦ୍ରା ଭଙ୍ଗ ହେଲା । ରୁଷିଆ ଯେ ଆଉ ଅଧିକକାଳ ଭାରତକୁ ସବୁ ସୁରକ୍ଷା ସାମଗ୍ରୀ ଯୋଗାଣ ସହ ଆନ୍ତର୍ଜାତିକ ସ୍ତରରେ ସହଯୋଗ କରିପାରିବ ନାହିଁ ସେ ନେଇ ଭାରତର କଳ୍ପଲୋକଜନିତ ତନ୍ଦ୍ରା ତୁଟିଥିଲା । ଫଳରେ ଅସ୍ତ୍ରଶସ୍ତ୍ରର କ୍ରିୟ, ଆଧୁନିକୀକରଣ, ତୁରନ୍ତ ଯୋଗାଣ ପାଇଁ ବିକଳ୍ପ ଖୋଜିବାକୁ ଯାଇ ଭାରତକୁ ୨୯ଜାନୁଆରୀ ୧୯୯୨ରେ ଇସ୍ରାଏଲ ସହ ଆଧିକାରୀକ ସ୍ତରରେ କୂଟନୀତିକ ସଂପର୍କ ସ୍ଥାପନ କରିବାକୁ ହେଲା । ପିଭି ନରସିଂହରାଓଙ୍କ ସମୟରେ ଇସ୍ରାଏଲକୁ ରାଷ୍ଟ୍ରର ମାନ୍ୟତା ଦେବା ସତ୍ତେ୍ୱ ଭାରତର ନେତୃତ୍ୱ ସେତେବେଳେ ସେତେଟା ସକାରାତ୍ମକ ନଥିଲେ । ତେଣୁ ୮ବର୍ଷପରେ ପ୍ରଥମ ବଡ ନେତା ଭାବେ ଗୃହମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଜୁନ୍ ୨୦୦୦ରେ ଇସ୍ରାଏଲ ଗସ୍ତରେ ଯାଇ ତେଲ ଆଭିବଠାରେ ତତ୍କାଳୀନ ଇସ୍ରାଏଲ ରାଷ୍ଟ୍ରପତି ୱେଜ୍ମାନଙ୍କୁ ସାକ୍ଷାତ କରିଥିଲେ । ପାଲେଷ୍ଟାଇନ ଏବଂ ଅନ୍ୟ ମଧ୍ୟ ପ୍ରାଚ୍ୟର ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଇସଲାମିକ ସନ୍ତ୍ରାସବାଦ ସୃଷ୍ଟିକଲା ପରି ଭାରତ ବିରୋଧରେ ପାକିସ୍ଥାନର ଇସଲାମିକ ସନ୍ତ୍ରାସବାଦ କିପରି କ୍ଷତି କରୁଛି ସେ ତାହା ଉତ୍ଥାପନ କରିଥିଲେ । ଭାରତର ରାଜନୀତିକ ଶବ୍ଦକୋଷକୁ ସୀମାପାର ଆତଙ୍କବାଦ ପରି ଶବ୍ଦ ଆଡଭାନୀ ଦେଇଥିଲେ । ଦୀର୍ଘ ଦେଢ ଦଶନ୍ଧିରୁ ଅଧିକ ସମୟ ପାଇଁ ସେ ଏହି ବିଷୟରେ ନିଜ ଦଳ ଭିତରେ ଏବଂ ସାଧାରଣରେ ଆଲୋଚନା କରିଆସୁଥିଲେ । କାର୍ଗିଲ ଯୁଦ୍ଧରୁ ଶିକ୍ଷା ପାଇବା ପରେ ଆଭ୍ୟନ୍ତରୀଣ ଏବଂ ସୀମାର ସୁରକ୍ଷା ପାଇଁ ଇଲେକ୍ଟ୍ରୋନିକ୍ ତାରବାଡ, ଚାଳଳକବିହୀନ ଡ୍ରୋନ ଆଦି ନିରୀକ୍ଷଣ କରିବା ସହ ବେନ୍ ଗୁରିିଅନ ବିମାନ ବନ୍ଦର ସୁରକ୍ଷା ବ୍ୟବସ୍ଥାକୁ ବୁଲି ଦେଖିଥିଲେ । ସେ ତାଙ୍କ ଗସ୍ତ କାଳରେ ରାଷ୍ଟ୍ରପତି ଇଜେର ୱେଜମାନଙ୍କୁ ବାଦ ଦେଲେ ଗୁପ୍ତଚର ସଂସ୍ଥା ମୋସାଦର ମୁଖ୍ୟ ଇଫ୍ରେମ ହାଲେଭି ଏବଂ ସୁରକ୍ଷା ସେବା ସଂସ୍ଥା ଶାବକର ମୁଖ୍ୟ ଏଭି ଡିଚଟରଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେହି ସମୟରେ ଆମେରିକାର ଏକ ପ୍ରତିନିଧିଦଳ ଇସ୍ରାଏଲ ଗସ୍ତରେ ଆସି ୨୭ଟି ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି ନକରିବା ପାଇଁ ଯେଉଁ ତାଲିକା ଦେଇଥିଲେ ସେଥିରେ ଭାରତର ନାମ ରହିଥିଲା । ଆଡଭାନୀଙ୍କ ଗସ୍ତର ଗୋଟିଏ ସପ୍ତାହ ପରେ ବିଦେଶମନ୍ତ୍ରୀ ଯଶୋବନ୍ତ ସିଂହ ଇସ୍ରାଏଲ ଗସ୍ତରେ ଯାଇ ଦୁଇ ରାଷ୍ଟ୍ର ମଧ୍ୟରେ ବୈଦେଶିକ ସଂପର୍କକୁ ସୁଦୃଢ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳେ ଭାରତର ଗଣମାଧ୍ୟମ ଗୁଡିକ ଦୁଇଦେଶ ମଧ୍ୟରେ ଏହି ବନ୍ଧୁତାକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ ଏବଂ ଆଡଭାନୀଙ୍କ ଗସ୍ତରୁ ଇସ୍ରାଏଲୀ ଅଧିକାରୀ ଅଧିକ ଉତ୍ସାହିତ ନଥିବା କଥା ପ୍ରକାଶ କରିଥିଲେ । ଯେହେତୁ ଗଣମାଧ୍ୟମ ଗୁଡିକରେ ଗୁଲି କରିବାର ଏକ ପୁରୁଣା ପରମ୍ପରା ରହିଛି ଏବଂ ନିଜର ମତକୁ ରଖିବାକୁ ଜନୈକ ଅଧିକାରୀ କିମ୍ବା ଜନୈକ ପ୍ରତିରକ୍ଷା ବିଶେଷଜ୍ଞ କହିଲେ ବୋଲି ଉଲ୍ଲେଖ କରିଦେଇ ବଜାରକୁ ଛାଡିଦେବାର ବ୍ୟବସ୍ଥା ରହିଛି, ତେଣୁ ସେହି ଗସ୍ତକୁ ଗୌଣ କରିବାକୁ ଇଣ୍ଡିଆ ଟୁଡେଠାରୁ ଆରମ୍ଭ କରି ଦି ହିନ୍ଦୁ ଖବରକାଗଜ ପର୍ୟ୍ୟନ୍ତ ସମସ୍ତେ ଉଦ୍ୟମ କରିଥିଲେ । ସେମାନଙ୍କ ନକାରାତ୍ମକ ବିବରଣୀ ଆମମାନଙ୍କ ସମ୍ମୁଖରେ ଏବେବି ରହିଛି । ଏକଥା ସତ ଯେ ଦୀର୍ଘଦିନ ଧରି ଯଥାବତ୍ ବିଦେଶନୀତିକୁ ଦେଖିଆସିଥିବା ଭାରତର ଗଣମାଧ୍ୟମଗୁଡିକ ଆଦୌ ସକ୍ରୀୟ ବିଦେଶନୀତି, ପରିବର୍ତ୍ତିତ ପରିସ୍ଥିତି ଓ ନୂତନ ଆଭିମୁଖ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏବଂ ପରେ ନରେନ୍ଦ୍ର ମୋଦିଙ୍କ ସରକାର ଦୁଇରାଷ୍ଟ୍ର ମଧ୍ୟରେ ବନ୍ଧୁତାକୁ ଭିନ୍ନ ଭିନ୍ନ ସ୍ତରକୁ ନେବାକୁ ସଫଳ ହେଲେ । ଆଉ ଏବେ ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଅର୍ଥନୀତିର ପ୍ରଚଳନ ପାଇଁ ଆଲୋଚନା ଜାରି ରହିଛି । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ତତ୍କାଳୀନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟଙ୍କ ସହ ଉତ୍ତମ ସଂପର୍କ ରଖିଆସିଛନ୍ତି । ନିକଟ ଅତୀତରେ ମୋଦିଙ୍କୁ ସାକ୍ଷାତକାଳରେ ନଫ୍ତାଲି ତାଙ୍କ ଦଳରେ ଯୋଗ ଦେବାପାଇଁ କହି ସେ ଇସ୍ରାଏଲରେ ସବୁଠୁ ଅଧିକ ଲୋକପ୍ରିୟ ନେତା ବୋଲି କହିଥିଲେ । ମୈତ୍ରୀ ସନ୍ଧିର ତିନି ଦଶନ୍ଧିରେ ୨୯ ଜାନୁଆରୀ ୨୦୨୨ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟରେ ଦୁଇଦେଶର ସଂପର୍କ ସୁଦୃଢ ହୋଇଥିବା କଥା କହିଥିଲେ । ୨୮ତାରିଖ ଦିନ ଦୁଇ ଦେଶର ବିଦେଶମନ୍ତ୍ରୀଙ୍କ ଏକ ମିଳିତ ଲେଖା ଇସ୍ରାଏଲର ଏକ ଖବରକାଗଜ ଛାପିଥିଲା ଯେଉଁଥିରେ ଦୁଇମନ୍ତ୍ରୀ ସୁରକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ବୃଦ୍ଧିପାଇଁ ଏକମତ ହୋଇଥିଲେ । ଦୁଇଦେଶର ମୈତ୍ରୀର ତିନିଦଶନ୍ଧି ପୂର୍ତ୍ତିପାଇଁ ଏକ ସ୍ୱତନ୍ତ୍ର ଲୋଗୋ ପ୍ରସ୍ତୁତ ହୋଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ତାଙ୍କ ବାର୍ତ୍ତାରେ ସାଂସ୍କୃତିକ, ସାମରିକ, ଆର୍ଥିକ ସଂପର୍କକୁ ସୁଦୃଢ କରିବା ଉପରେ ଜୋର ଦେଇଛନ୍ତି । ଏହି ଅବସରରେ ଇସ୍ରାଏଲ ମରୁଭୂମିରେ ଦୁଇଦେଶର ଜାତୀୟ ପତାକା ଶୋଭା ପାଇବା ସହ ଇସ୍ରାଏଲର ମାସାଡା ଦୁର୍ଗକୁ ଆଲୋକରେ ସଜ୍ଜାଯାଇଥିବାର ଏକ ଭିଡିଓକୁ ଭାରତରେ ନିଯୁକ୍ତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ ଛାଡିଛନ୍ତି । ଇସ୍ରାଏଲରେ ଥିବା ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ କରିବା ସପକ୍ଷରେ ମତ ଦେଇଛନ୍ତି । ଭାରତ- ଇସ୍ରାଏଲ ମୈତ୍ରୀର ଉଷ୍ଣତା ମଧ୍ୟରେ ଆମେରିକାର ଗାତ୍ରଦାହୀ ଗଣମାଧ୍ୟମ ଦି ନିୟୁୟର୍କ ଟାଇମ୍ସ ଏଥିରେ ପ୍ରତିବନ୍ଧକ ସୃଷ୍ଟିପାଇଁ ଠିକ୍ ଏହି ସମୟରେ ଭାରତ ୨ ବିଲିଅନ ଡଲାର ପ୍ରଦାନ କରି ଇସ୍ରାଏଲଠାରୁ ପେଗାସସ୍ ଗୋଇନ୍ଦା ସଫ୍ଟୱେର ୨୦୧୭ରେ କିଣିଥିବା ଖବର ପ୍ରକାଶ କଲାପରେ ଭାରତର ବିରୋଧୀପକ୍ଷ ନେତାମାନେ ଦୁଇଦେଶର ସଂପର୍କ ସପକ୍ଷରେ ପଦେ ନକହି ଅନେକ ବିଷୋଦ୍ଗାର କରିବାରେ ଲାଗିପଡିଛନ୍ତି, ବର୍ଣ୍ଣଲ ଧରିି ବୁଲୁଛନ୍ତି । ଦେଶର ରାଜନେତାଙ୍କ ଠାରୁ ବ୍ୟବସାୟୀ, ଅଧିକାରୀଙ୍କଠାରୁ ଧର୍ମଗୁରୁଙ୍କ ପର୍ୟ୍ୟନ୍ତ ଅନେକ ଆଜି ଦୌନିକ ରାଷ୍ଟ୍ରବିରୋଧୀ ମନ୍ତବ୍ୟ ଓ ଷଡଯନ୍ତ୍ରରେ ବ୍ୟସ୍ତ ରହି ବିଦେଶୀ ବ୍ୟାଙ୍କରେ ଟଙ୍କା ରଖୁଥିଲା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଓ ସାଧାରଣ ଅର୍ଥର ସୁରକ୍ଷା ପାଇଁ ପ୍ରତ୍ୟେକଟି ବ୍ୟକ୍ତି ଉପରେ ଚବିଶ ଘଣ୍ଟା ପାଇଁ ସତର୍କ ଓ ସନ୍ଦେହୀ ଦୃଷ୍ଟି ରଖାଯିବା ଆବଶ୍ୟକ । କୌଣସି ବ୍ୟକ୍ତି ଦେଶର ସୁରକ୍ଷାଠାରୁ ବଡ ନୁହେଁ । ନେତାମାନେ ଦେଶର ବିଧି ଓ ବ୍ୟବସ୍ଥାକୁ ନେଇ ବିଦେଶରେ ନିନ୍ଦାରଟନା କଲାବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ବ୍ୟବସ୍ଥା ସରକାର କରିବା ଦରକାର । ତେଣୁ ପେଗାସସ୍ ସଫ୍ଟୱେର ଦେଶର ସୁରକ୍ଷା ପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଶ୍ଚୟ । ଏହା ଦେଶ ବିରୋଧୀଙ୍କ ଗାତ୍ରଦାହ ଅନବରତ ସୃଷ୍ଟି କରିବ ସତ, କିନ୍ତୁ ସାଧାରଣଙ୍କ ସୁରକ୍ଷା, ଷଡଯନ୍ତ୍ରକାରୀଙ୍କୁ ଧରିବାରେ ବିଶେଷ ସହାୟକ ହେବ ।
ଭାରତୀୟ ସମ୍ବାଦ ସେବା (ଭାସ୍)