ଆଜି ଆମ ପ୍ରିୟ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ । ଯାହା କଥାରେ ମେଘାସନରେ ମେଘ ଗର୍ଜୁ ଥିଲା, ମହାନଦୀରେ ରକ୍ତର ଢେଉ ଉଠୁଥିଲା, ସେ ଥିଲେ ସୁଭାଷ ବୋଷ । ଯାହାର ଜନ୍ମ ଅଛି ମୁତ୍ୟୁ ନାହିଁ । ୧୮୯୭ ଜାନୁୟାରୀ ୨୩ ତାରିଖ କଟକର ଓଡ଼ିଆ ବଜାରରେ ଜନ୍ମ । ବାପା ସୁନାମ ଧନ୍ୟ ଓକିଲ ଜାନକୀ ନାଥ ବୋଷ ଓ ମା ପ୍ରଭାବତୀ ଦେବୀ । ନିଜ ଗାଁ ପଶ୍ଚିମ ବଙ୍ଗର କାଜଲିଆ ହେଲେ ମଧ୍ୟ ରହୁଥିଲେ, କଟକର ଓଡ଼ିଆ ବଜାରରେ । ଓଡ଼ିଆ ବଜାରରେ ତାଙ୍କର ନିଜସ୍ୱ ଘର ଥିଲା । କେନ୍ଦ୍ରାପଡ଼ା ଅଞ୍ଚଳରେ ଜମିଦାରୀ ଥିଲା । ସୁଭାଷ ରେଭେନ୍ସା କଲେଜିଏଟରୁ ମାଟ୍ରିକ ପାସ୍ କରିଥିଲେ । ସମଗ୍ର ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ତା’ପରେ କଲିକତାର ପ୍ରେସିଡେନ୍ସି କଲେଜରେ ପାଠ ପଢା ବିଏ ପାସ୍ ପରେ ଆଇସିଏସ୍ ଦେଇ ସୁବାଷ ଚତୁର୍ଥ ସ୍ଥାନ ଅଧିକାର କଲେ । ପିଲା ଦିନର ସାଙ୍ଗ ଥିଲେ ମହାନଦୀର ପାଣି, ମହାନଦୀର ବାଲି, ଓଡ଼ିଆ ବଜାରରେ ହିନ୍ଦୁ, ମୁସଲିମ ସାଙ୍ଗ । ପ୍ରଧାନ ଶିକ୍ଷକ ବେଣୀ ମାଧବ ଦାସ ଥିଲେ ସୁଭାଷ ବୋଷଙ୍କ ଦିଗ୍ ଦର୍ଶକ । ଇଂଲଣ୍ଡରୁ ଫେରିବା ପରେ ସୁଭାଷ ବୋଷ ଅସହଯୋଗ ଆନ୍ଦୋଳନରେ ଝାଁସ ଦେଲେ । ବଙ୍ଗଳାର ଗାଁ ଗଣ୍ଡା ବୁଲି ଛାତ୍ର, ଶିକ୍ଷକ, କୃଷକ ଓ ଶ୍ରମିକ ମାନଙ୍କୁ ଅସହଯୋଗରେ ଯୋଗ ଦେବାକୁ ଆହ୍ୱାନ ଦେଲେ । ଉଗ୍ର ଜାତୀୟ ବୀର ଦେଶ ବନ୍ଧୁ ଚିତ୍ତରଞ୍ଜନ୍ ଦାସଙ୍କ ଡାହାଣ ହାତ ଥିଲେ ସୁଭାଷ ବୋଷ । ତାଙ୍କ ଜ୍ଵାଳାମୟୀ ଅଗ୍ନି ବର୍ଷି ଭାଷଣରେ ବିଶ୍ୱବାସୀ ଉଦ୍ବୁଦ୍ଧ ହେଲେ । ମନଛୁଆଁ କଥା ରକ୍ତତତା ଗୀତ ସମସ୍ତଙ୍କୁ ଆକୃଷ୍ଟ କଲା । ସେଥିପାଇଁ ସୁଭାଷ ଦୁଇ ଦୁଇ ଥର ଜାତୀୟ କଂଗ୍ରେସର ଅପ୍ରତି ଦ୍ଵନ୍ଦି ସଭାପତି ହେଲେ । ଯେଉଁ ଦିନ ଆଇଏନ୍ଏ ରେଡ଼ିଓରୁ ସୁଭାଷ ବୋଷ ଗର୍ଜି ଉଠିଲେ ‘ଆମି ସୁଭାଷ ବୋଲ ଛେନ୍’ ବୋଲି ସେ ଦିନସାରା ବିଶ୍ୱରେ ଭୂ କମ୍ପନ ହେଲା । ସାଗରରେ ସୁନାମି ଉଠିଲା । ଆଜଦ୍ ହିନ୍ଦ ଫୌଜ ଗଢ଼ାହେଲା । ଫୌଜୀ ମାନଙ୍କ ଭିତରେ ଥିଲେ ଅନେକ ଓଡ଼ିଆ । ୧୯୪୨ର ଅଗଷ୍ଟ ବିପ୍ଳବ ପରେ ୧୯୪୪ ମସିହାରେ ନେତାଜୀଙ୍କ ନବ ଗଠିତ ଆଜାଦ୍ ହିନ୍ଦ୍ ଫୌଜ ଇଂରେଜ ସୈନ୍ୟକୁ ଅନେକ ଯୁଦ୍ଧ କ୍ଷେତ୍ରରେ ପରାସ୍ତ କରିଥିଲେ । ସୁଭାଷ ବୋଷ ‘ଦିଲ୍ଲୀ ଚଲୋ’ ଡାକରା ଦେଇଥିଲେ । ସୁଭାଷ ବୋଷଙ୍କ ଆହ୍ୱାନରେ ୪୦ କୋଟି ଭାରତୀୟ ବୁଝିସୁଝି ମରଣକୁ ବରଣ କଲେ । ନିଆଁକୁ ଡେଇଁଲେ । ସେ ନିଆଁ ଇଂରେଜ ଶାସନକୁ ଭସ୍ମ କରି ଦେଇଥାନ୍ତା । କିନ୍ତୁ ଅକାଳରେ ବଜ୍ରପାତ ହେଲା । ତାଇହୋକ୍ ବିମାନ ଘାଟିରେ ସୁଭାଷ ବୋଷଙ୍କ ଦେହାନ୍ତ ହେଲା । କିନ୍ତୁ କେତେକ କହୁଛନ୍ତି, ନେତାଜୀ ଜୀବିତ । ଆଜିର ପବିତ୍ର ଦିବସରେ ସେହି ମହାପୁରୁଷଙ୍କୁ କୋଟି ପ୍ରଣାମ ।
Prev Post