ଚନ୍ଦନ ହଜୁରୀ ଓରଫ ଚାଖି ଖୁଣ୍ଟିଆ ଶ୍ରୀକ୍ଷେତ୍ରର ହରଚଣ୍ଡୀସାହି ନିବାସୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଙ୍ଗ ଲାଗି ସେବକ ହଜୁରୀ ଭୀମ ସେନ ଖୁଣ୍ଟିଆ ଓ କମଳାବତୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ୧୮୨୭ ମସିହାର ଶାମ୍ବ ଦଶମୀ ଦିନ । କେତେକ ମତ ଦିଅନ୍ତି ତାଙ୍କର ଜନ୍ମ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ । ଦୁଇଗୋଟି ନାମରେ ସେ ସାରା ଭାରତବର୍ଷରେ ପରିଚିତ, ଚନ୍ଦନ ହଜୁରୀ ଓ ଚାଖି ଖୁଣ୍ଟିଆ । ଭୀମସେନ ଖୁଣ୍ଟିଆ ପୁଅଟିଏ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରତ୍ୟହ ପ୍ରାର୍ଥନା କରନ୍ତି । ସେ ଏକଦା ଠାକୁରଙ୍କ ପାଖରେ ଚନ୍ଦନଲାଗି କରୁଥିବାବେଳେ ସମ୍ବାଦ ପାଇଲେ, ତାଙ୍କର ପୁଅ ଟିଏ ହୋଇଛି । ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରୁଥିଲା ବେଳେ ସେ ପୁଅଟି ଜନ୍ମହୋଇଛି ଏଣୁ ସେ ତା ନାମ ରଖିଲେ ଚନ୍ଦନ । ଶୈଶବରେ ଚନ୍ଦନ ଥିଲେ ଅତୀବ ଚପଳମତି ଓ ନଟଖଟ । ତାଙ୍କ ଦୁଷ୍ଟାମୀକୁ ଲକ୍ଷ୍ୟକରି ପଡ଼ୋଶୀ ମାନେ ତାଙ୍କୁ ‘ ଚାକୁ ‘(ଛୁରୀ )ବୋଲି ସମ୍ବୋଧନ କରୁଥିଲେ । ଏହି ସମ୍ବୋଧନ ସମୟ କ୍ରମେ ଚାଖି ହୋଇଗଲା । ଅନ୍ୟ ଏକ କଥା ଅନୁଯାୟୀ ପିଲା ଦିନେ ତାଙ୍କର ଥିଲା ସୁଆଦିଆ ଖାଦ୍ୟ ଲାଳସା । ତେଣୁ ଘରେ ଯାହା ରୋଷେଇ ହୁଏ ତାକୁ ପ୍ରଥମେ ଚାଖି ଦିଅନ୍ତି । ତେଣୁ ତାଙ୍କୁ ବାପା, ମାଆ ଶ୍ରଦ୍ଧାରେ ଚାଖି ବୋଲି ଡାକୁଥିଲେ । ଏମିତି ଭାବେ ଚନ୍ଦନ ହଜୁରୀ ହୋଇଥିଲେ ଚାଖି ଖୁଣ୍ଟିଆ । ପିଲା ଦିନରୁ ଚାଖି କୁସ୍ତି କସରତକୁ ବହୁତ ଭଲ ପାଉଥିଲେ । ବଡ଼ ହେବାରୁ ଯାଇ ପୁରୀର ଜାଗା ଆଖଡ଼ା ମାନଙ୍କରେ ସେ କୁସ୍ତିକସରତ ଶିକ୍ଷା ତଥା ଅଭ୍ୟାସ କରିବାକୁ ଲାଗିଲେ, କିଛିଦିନ ପରେ ସେ ହୋଇଗଲେ ଜାଗା ଆଖଡ଼ାର ଅପ୍ରତିଦ୍ଵନ୍ଦୀ ମଲ୍ଲ । ଏହା ସହିତ ଚାଖିଙ୍କର ଥିଲା ସୁନ୍ଦର ଏବଂ ବଳିଷ୍ଠ ଚେହେରା । ଦିନକର କଥା, ତାଙ୍କର ବ୍ରତୋପୟନ ଥାଏ । ଶ୍ରୀମନ୍ଦିର ଜୟବିଜୟ ଦ୍ଵାର ପାଖରେ ସେ ହାତରେ ଶ୍ରୀଫଳଟିଏ ଧରି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥାନ୍ତି । ଜନୈକ ଗୋଛିକାର ସେବକ ତାଙ୍କ ହାତରୁ ନଡ଼ିଆଟି ଛଡ଼ାଇନେବାକୁ ଚେଷ୍ଟା କଲା । ନଡ଼ିଆରେ ପିଟି ପିଟି ସେ ଉକ୍ତ ସେବକକୁ ଆହତ କରିଦେଲେ । ମନ୍ଦିର ଭିତରେ ଏବଂ ସମଗ୍ର ପୁରୀ ସହରରେ ସେଦିନ ଏହା ଚର୍ଚ୍ଚାର ବିଷୟ ହୋଇଗଲା । ସତର ବର୍ଷ ବୟସରେ ଯୁବକ ଚନ୍ଦନ ଜଣେ ବଡ଼ ମଲ୍ଲ ଯୋଦ୍ଧା ଭାବେ ପରିଚିତ ହୋଇ ଯାଇଥିଲେ । ଦିନେ ଶ୍ରୀ ଗୁଣ୍ଡିଚା ଯାତ୍ରା ପରେ ନନ୍ଦିଘୋଷ ରଥର ଏକ ଚକ ହାତରେ ଭାଙ୍ଗି ଚୁରମାର କରି ଦେଇ ସେ ଚର୍ଚ୍ଚାକୁ ଆସି ଯାଇଥିଲେ । ସେହିଦିନ ଠାରୁ ପ୍ରତି ବର୍ଷ ଶ୍ରୀ ଗୁଣ୍ଡିଚା ଯାତ୍ରା ପରେ ନନ୍ଦିଘୋଷ ରଥର ଗୋଟିଏ ଚକ ହରଚଣ୍ଡିସାହି ସ୍ଥିତ ଚନ୍ଦନ ହଜୁରୀଙ୍କ ଘରକୁ ପଠାଇବାର ପରମ୍ପରା ଚଳି ଆସୁଛି ।
ପରମ୍ପରା କ୍ରମେ ଚାଖି ଖୁଣ୍ଟିଆଙ୍କ ବଂଶଧର ଥିଲେ ମଧ୍ୟ ଭାରତ ଏବଂ ଉତ୍ତର ଭାରତର ପୂଜା ପଣ୍ଡା । ଏଣୁ ଅଠର ବର୍ଷ ବୟସ ବେଳକୁ ଚାଖି ଖୁଣ୍ଟିଆଙ୍କୁ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ଓ ନିର୍ମାଲ୍ୟ ନେଇ ମଧ୍ୟ ଭାରତ, ଉତ୍ତର ଭାରତର ବିଭିନ୍ନ ସ୍ଥାନକୁ ଯିବାକୁ ହେଲା । ଚନ୍ଦନହଜୁରୀଙ୍କ ହିନ୍ଦୀ ଭାଷାରେ ଦକ୍ଷତା ଥିଲା । ବାଲ୍ୟ କାଳରେ ସେ ସଂସ୍କୃତ ଏବଂ ହିନ୍ଦୀ ଭାଷା ଶିକ୍ଷା କରିଥିଲେ ପଣ୍ଡିତ ଶ୍ରୀରାମ ଦୟାଲ ଠାକୁରଙ୍କଠାରୁ । ତାଙ୍କର କାମ ଥିଲା, ମଧ୍ୟ ଏବଂ ଉତ୍ତର ଭାରତ ବୁଲି ସେଠିକାର ଶ୍ରଦ୍ଧାଳୁ ମାନଙ୍କୁ ଶ୍ରୀକ୍ଷେତ୍ର ଅଭିମୁଖୀ କରାଇବା । ବୁଲି ବୁଲି ଦିନେ ଏମିତି ଚନ୍ଦନ ପୁଣେରେ ପହଞ୍ଚି ଥିଲେ । ସେତେ ବେଳେ ସେ ଅଞ୍ଚଳରେ ଶ୍ରୀ ମୋରାପନ୍ତ ମରହଟ୍ଟା ଶାସକ ଚିମାଜୀଙ୍କ ଦେବାନ ଥାଆନ୍ତି । ସେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଏବଂ ବହୁବାର ସେ ପୁରୀ ଆସିଛନ୍ତି । ପୂର୍ବରୁ ପରିଚିତ ଚନ୍ଦନ ତାଙ୍କୁ ସାକ୍ଷାତ କରନ୍ତେ ଶ୍ରୀଜଗନ୍ନାଥଙ୍କ ସୂତ୍ରରେ ଦୁହେଁ ହୋଇଗଲେ ପରମ ମିତ୍ର । ଏହା ଥିଲା ୧୮୪୫ ମସିହାର ଘଟଣା । ଏହା ପରଠାରୁ ଚନ୍ଦନହଜୁରୀ ହୋଇଗଲେ ମୋରାପନ୍ତ ପରିବାରର ପରମ ବନ୍ଧୁ ଓ ଶୁଭେଚ୍ଛୁା । ନଭେମ୍ବର ୧୯ ତାରିଖ ୧୮୨୮ ମସିହାରେ ମୋରାପନ୍ତଙ୍କର ଏକ କନ୍ୟାସନ୍ତାନ ଜାତହେଲା । ସେ କନ୍ୟାର ନାମ ରଖା ଗଲା ମନୁବାଇ । ଥରେ କନ୍ୟା ମନୁକୁ ଧରି ସପରିବାରେ ଜଗନ୍ନାଥ ଦର୍ଶନ ପାଇଁ ମୋରାପନ୍ତ ପୁରୀ ଆସିଲେ ୧୮୩୭ ମସିହା ଜୁଲାଇ ସାତ ତାରିଖ ଦିନ । ଚନ୍ଦନଙ୍କ ଘରେ ସେ ଆସି ଅତିଥି ଭାବେ ରହିଲେ । ଚନ୍ଦନଙ୍କର ପିତା ଭୀମସେନ ଖୁଣ୍ଟିଆ ଥିଲେ ଜ୍ୟୋତିଷ ବିଶାରଦ । କନ୍ୟା ମନୁର ଜାତକ ଗଣନା କରି ସେ କହିଲେ ଭବିଷ୍ୟତରେ ଏ କନ୍ୟା ଜଣେ ରାଜରାଣୀ ହେବା ଶ୍ରୀକ୍ଷେତ୍ରରେ ସେ ସ୍ଵଳ୍ପକାଳ ରହଣୀ ମଧ୍ୟରେ ଦୁଇ ପରିବାର ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା ଏବଂ କନ୍ୟାଟିକୁ ନିଜର ଭଉଣୀ ବୋଲି ସ୍ୱୀକାର କରି ନେଇ ଥିଲେ ପ୍ରାୟ ସମ ବୟସ୍କ ଚନ୍ଦନ । ସେହି କନ୍ୟା ମନୁକୁ ୨୦ବର୍ଷ ବୟସ ହୋଇଥିବା ବେଳେ ୧୮୪୮ ମସିହାରେ ମୋରାପନ୍ତ ତାଙ୍କର ବିବାହ କରାଇ ଦେଲେ ଝାନସୀର ଅଧିଶ୍ଵର ଶ୍ରୀ ଗଙ୍ଗାଧର ରାଓଙ୍କ ସହ ଏବଂ ମନୁବାଈ ପରିଚିତ ହେଲେ ଲକ୍ଷ୍ମୀବାଈ ଭାବେ ଭାରତ ବର୍ଷର ଅଗ୍ରଗଣ୍ୟା, ଚିରନମସ୍ୟା, ବୀରାରମଣୀ, ଝାନସୀରାଣୀ ଲକ୍ଷ୍ମୀବାଈ । କିଛିଦିନ ପରେ ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ହେଲେ । କିନ୍ତୁ ତାଙ୍କ ଭାଗ୍ୟର ବିଡମ୍ବନା, ବିବାହର ତିନି ବର୍ଷ ପୂରିବାକୁ ଯାଉଛି, ଲକ୍ଷ୍ମୀବାଈ ପୁତ୍ରକୁ ହରାଇଲେ, ପରେ ପରେ ରାଜା ଗଙ୍ଗାଧର ରାଓ ମଧ୍ୟ ଆଖି ବୁଜିଲେ । ଅସହାୟ ହୋଇପଡ଼ିଲେ ରାଣୀ ଲକ୍ଷ୍ମୀବାଇ । ସେ ବଂଶର ନିଜ ଉତ୍ତରାଧିକାରୀ ପାଇଁ ପୋଷ୍ୟପୁତ୍ର ଗ୍ରହଣ କଲେ । ମାତ୍ର ଫିରିଙ୍ଗି ସରକାର ଏହାକୁ ସ୍ୱୀକୃତି ଦେଲେ ନାହିଁ । ପ୍ରଜାସ୍ୱତ୍ୱଲୋପ ଆଇନ ବଳରେ (Doctrine of Lapse) ଝାନସୀ ରାଜ୍ୟକୁ କବଳିତ କରିବାପାଇଁ ଚକ୍ରାନ୍ତ ଚଳାଇଲେ । ପାଞ୍ଚବର୍ଷ କାଳ ଛକା ପଞ୍ଝା ଭିତରେ ଦୁଶ୍ଚିନ୍ତାରେ କାଳ କଟାଉ ଥାନ୍ତି ରାଣୀ ଲକ୍ଷ୍ମୀବାଈ । ଉପାୟ ନପାଇ ଚିଠି ଖଣ୍ଡେ ଲେଖିଲେ ୧୮୫୬ ମସିହା ମେ ମାସ ୧୧ ତାରିଖରେ ପ୍ରିୟ ଭାଇ ଚନ୍ଦନ ହଜୁରୀଙ୍କ ନିକଟକୁ ପରାମର୍ଶପାଇଁ । ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଦାନା ବାନ୍ଧୁଥାଏ । ବିଳମ୍ବ ନକରି ସ୍ତ୍ରୀ ପିଲାଙ୍କୁ ଛାଡ଼ି ଝାନସୀ ଯିବା ନିମନ୍ତେ ବାହାରି ପଡ଼ିଲେ ଚନ୍ଦନ ହଜୁରୀ । ଏହାକୁ ଲକ୍ଷ୍ୟ କରି ରାଧାମୋହନ ଗଡ଼ନାୟକ ଲେଖିଲେ :-
ବିପଦରେ ପଡ଼ି ଚିଟାଉ ଲେଖିଛି
ଝାନସୀର ରାଣୀ ଲକ୍ଷ୍ମୀବାଈ ।
କେତେ ଉପହାର କେତେ ସମ୍ପଦ
ପଠାଇ ଦେଇଛି ଆମରି ପାଇଁ ।।
ଜାନୁଆରୀ ୨୪ ତାରିଖ ୧୮୫୭ମସିହା । ଚନ୍ଦନ ହଜୁରୀ ହାଜର ହେଲେ ଭଉଣୀ ଲକ୍ଷ୍ମୀ ବାଈଙ୍କ ନିକଟରେ । ସେତେବେଳେ ରାଜ୍ୟ ପରିସ୍ଥିତି ଅତି ଶୋଚନୀୟ । ରାଜ୍ୟର କର୍ମଚାରୀ ମାନେ ଚରମ ବିଶ୍ୱାସ ଘାତକତାରେ ଲିପ୍ତ । ଅର୍ଥ ଲୋଲୁପ ମନ୍ତ୍ରୀ ମଣ୍ଡଳ ଇଂରେଜ ସରକାରଙ୍କୁ ସମସ୍ତ ଗୁପ୍ତ ତଥ୍ୟ ଯୋଗାଇବାରେ ମଗ୍ନ । ହେଲେ ରାଣୀ ଲକ୍ଷ୍ମୀବାଈ କୌଣସି ଆଶାହରା ନହୋଇ, ଥାଆନ୍ତି ନିର୍ବିକାର । ଦରକାର ହେଲେ ଇଂରେଜଙ୍କ ସହିତ ଯୁଦ୍ଧ କରି ଝାନସୀକୁ ରକ୍ଷା କରିବା ପାଇଁ ନେଇ ଥାନ୍ତି ଦୃଢ଼ ସଂକଳ୍ପ । ଭାଈ ଚନ୍ଦନ ହଜୁରୀଙ୍କ ଉପସ୍ଥିତି ତାଙ୍କ ମନରେ ଶତ ଉତ୍ସାହ ସୃଷ୍ଟି କଲା । ଚନ୍ଦନ ହଜୁରୀ ସବୁ କଥା ଯାଇ ଜାଣିଲେ । ଲକ୍ଷ୍ମୀ ବାଈଙ୍କୁ ସେ ପରାମର୍ଶ ଦେଲେ, ଇଂରେଜ ମାନଙ୍କ ଦୃଷ୍ଟିରୁ ନିଜକୁ ଏଡ଼େଇ ରଖ, ସେମାନେ ଅସନ୍ତୁଷ୍ଟ ହେଲାଭଳି କିଛିକାର୍ଯ୍ୟ କରନାହିଁ । ପୁଣି ନିଜେ ସେ ଛଦ୍ମବେଶରେ ଘୁରି ବୁଲିଲେ ଝାନସୀ ସ୍ଵାଧୀନତା ରକ୍ଷାପାଇଁ, ଲୋକମାନଙ୍କୁ ବୁଝାଇବା ସହ ସୈନ୍ୟଠୁଳ କରିବାରେ ଲାଗିପଡ଼ିଲେ ଚନ୍ଦନ । ପଡ଼ୋଶୀ ରାଜ୍ୟ ମାନଙ୍କୁ ଯାଇ, ସେଠିକା ପରିସ୍ଥିତି ଅନୁଧ୍ୟାନ କଲେ । ସେ ଲୋକ ମାନଙ୍କୁ ଇଂରେଜ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ପ୍ରବର୍ତ୍ତାଇବା ଆରମ୍ଭ କରିଦେଲେ । ୧୮୫୭ ମସିହାରେ ଆରମ୍ଭ ହୋଇ ଥିବା ସିପାହୀ ବିଦ୍ରୋହ ଜ୍ଵାଳାମୁଖୀର ରୂପ ନେଇ ସାରିଥାଏ । ମିରଟ, ବୀଠୁର, ବରେଲୀ, ଲକ୍ଷ୍ନୌ, କାଶୀ, କାନପୁର, ଗୋଆଲିଅର ଆଦି ରାଜ୍ୟରେ ବିଦ୍ରୋହ ଇଂରେଜ ମାନଙ୍କୁ ବଡ଼ ଅସ୍ତ ବ୍ୟସ୍ତ କରି ଦେଇଥାଏ । ରାଜସ୍ଵତ୍ତ୍ଵଲୋପ ଆଇନଦ୍ୱାରା ରାଜ୍ୟ ହରାଇଥିବା ସତାରା, ନାଗପୁର, ଜୈତପୁର ଆଦି ରାଜ୍ୟର ରାଜନ୍ୟବୃନ୍ଦ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥାନ୍ତି । ଚାଖି ଦେଖିଲେ ନାନାସାହେବଙ୍କ ପୋଷ୍ୟ ପୁତ୍ର ଗ୍ରହଣ ବ୍ରିଟିଶ ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି, ତାନ୍ତିଆ ତୋପେ ନିଜର ବିଠୁର୍ ରାଜ୍ୟ ହରାଇବା ପାଇଁ ଯାଉଛନ୍ତି । ସେହିମାନଙ୍କ ସହିତ ପରାମର୍ଶ କରି ଯୁଦ୍ଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ହେଲେ ଚନ୍ଦନ ହଜୁରୀ । କେବଳ ଶୃଙ୍ଖଳିତ ସୈନ୍ୟମାନଙ୍କୁ ସଙ୍ଗଠିତ କରି ଝାନସୀରୁ ଆରମ୍ଭ କରିଦେଲେ ସେ ଯୁଦ୍ଧଂ ଦେହି ଡାକରା । ଝାନସୀର ମାଟି ଥରି ଉଠିଲା ରଣ ହୁଙ୍କାରରେ । ବୀର ଦର୍ପରେ ମାଡ଼ି ଚାଲିଲେ ଝାନସୀ ବାହିନୀ । କିନ୍ତୁ କାଳରାତ୍ରି ମାଡ଼ି ଆସିଲା ୧୮୫୮ ଜାନୁଆରୀ ୨୫ ତାରିଖ ଦିନ । ଝାନସୀଦୁର୍ଗ ରକ୍ଷାପାଇଁ ଚନ୍ଦନ ହଜୁରୀଙ୍କ ପରାମର୍ଶ, ଯୁଦ୍ଧ ରତ ସେନାଙ୍କ ନିଷ୍ଠା ହେତୁ ଅପରାଜେୟ ହୋଇ ଉଠୁଥିଲେ ଝାନସୀ ରାଣୀ ଲକ୍ଷ୍ମୀ ବାଈ । ଅଣ୍ଟିଛୁରୀ ତଣ୍ଟି କାଟେ । କୂଟନୀତି ପ୍ରବୀଣ ବ୍ରିଟିଶ ସରକାର ହାତେଇ ନେଲେ ବୁନ୍ଦେଲଖଣ୍ଡ ସର୍ଦ୍ଦାର ଠାକୁର ଲାଲାଜୀଙ୍କୁ । ବିଶ୍ୱାସଘାତକ ସେ ସର୍ଦ୍ଦାର ଲାଲା ଝାନ୍ସୀ ଦୁର୍ଗ ପ୍ରବେଶ ଦ୍ଵାର ଖୋଲିଦେଲେ । ଶତ୍ରୁ ସୈନ୍ୟ ଦୁର୍ଗ ଭିତରକୁ ଧସେଇ ପଶିଗଲେ । ସମ୍ଭାଳି ପାରିଲେ ନାହିଁ ରାଣୀ ଲକ୍ଷ୍ମୀବାଈ, ଚନ୍ଦନ ହଜୁରୀ । ଲକ୍ଷ୍ମୀ ଦୁର୍ଗାମୂର୍ତ୍ତି ଧରି ଆରୋହଣ କଲେ ନିଜ ଘୋଡ଼ା ‘ବିବେକ’ ପୃଷ୍ଠରେ । ଲକ୍ଷ୍ମୀବାଈ ତୀକ୍ଷ୍ଣ କୃପାଣ ଘାତରେ ନିପାତ କରି ଚାଲିଲେ ଶହ ଶହ ଇଂରେଜ ସୈନ୍ୟଙ୍କୁ, ଚାଖି ଖୁଣ୍ଟିଆ ମଧ୍ୟ ତୀକ୍ଷ୍ଣ ଖଡ୍ଗ ଧରି ହାଣି ଚାଲିଲେ ଶତ୍ରୁକୁ । ଯୁଦ୍ଧର ଘନ ଘଟାକୁ ଲକ୍ଷ୍ୟ କରି କବି ଶ୍ରୀ ରାଧାମୋହନ ଗଡ଼ନାୟକ ଲେଖିଲେ :-
ଘୋଟକ ବାହନେ ପୁରୁଷର ବେଶେ
ଅସୀ ଚଳାଇଲେ ଲକ୍ଷ୍ମୀବାଈ ।
ଚାଖି ଖୁଣ୍ଟିଆ ବଇରୀ ହାଣିଲେ
ଝାନସୀ ରାଣୀର ପାଶରେ ଥାଇ ।।
ଵୀରା ରମଣୀ ଲକ୍ଷ୍ମୀ ବାଇଙ୍କ ଅସୀମ ବୀରତ୍ଵକୁ ବର୍ଣ୍ଣନା କରି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବୟିତ୍ରୀ ସୁଭଦ୍ରା କୁମାରୀ ଚୌହାନ ତାଙ୍କର ଝାନ୍ସୀ ରାଣୀ କବିତାରେ ଲେଖିଛନ୍ତି :-
ଚମକ ଉଠି ସନ୍ ସତ୍ତାବନ ମେଁ
ୟହ ତଲୱାର ପୁରାନି ଥି ।
ବୁନ୍ଦେଲ ହର ବୋଲୋ ମୁହଁ ହମନେ
ସୁନି ୟେ କହାନି ଥି ।
ଖୁବ୍ ଲଢ଼ି ମର୍ଦାନୀ ଓ ତୋ
ଝାନସୀ ବାଲି ରାନୀ ଥି ।।
ଅପୂର୍ବ ବିରତ୍ୱ ସହକାରେ ରାଣୀ ଲଢ଼ିଥିଲେ ମଧ୍ୟ ବିପୁଳ ଇଂରେଜ ସୈନ୍ୟ, ଆଧୁନିକ ଗୁଳି ଗୋଳା, କମାଣ, ବିଶ୍ୱାସଘାତକତା ଏବଂ ଅନ୍ତର୍ଘାତୀ କାର୍ଯ୍ୟ ରାଣୀଙ୍କ ବିଜୟରେ ଅନ୍ତରାୟ ହେଲା । ଝାନ୍ସୀର ପତନ ଅବଶ୍ୟମ୍ଭାବୀ ଦେଖି ଚାଖି ରାଣୀ ଲକ୍ଷ୍ମୀଙ୍କୁ ପରାମର୍ଶ ଦେଲେ, ଦୁର୍ଗକୁ ପରିତ୍ୟାଗ କରି ଚାଲିଯିବା ପାଇଁ । ତଦାନୁଯାୟୀ ରାଣୀ ଦୁର୍ଗ ଛାଡ଼ି ଅଶ୍ୱ ପୃଷ୍ଠରେ ଗୋଆଲିଅର୍ ଅଭିମୁଖେ ପ୍ରସ୍ଥାନକଲେ । ବିଜୟର ଆଶା କ୍ଷୀଣଃ ଅନନ୍ୟୋପାୟ ହୋଇ ଚନ୍ଦନ ହଜୁରୀ ମଧ୍ୟ ଅନ୍ତର୍ହିତ ହୋଇଗଲେ । କିନ୍ତୁ ରାହା କାହିଁ ! ଗୋଆଲିଅର୍ ଦୁର୍ଗ ବି ପତନହେଲା । ରାଣୀ, ପୃଷ୍ଠରେ ଶିଶୁ ପୁତ୍ରକୁ ବସାଇ, ବାଧ୍ୟ ହେଲେ ପଳାୟନ କରିବାକୁ । ତୀବ୍ର ଗତିରେ ଅଶ୍ୱପୃଷ୍ଠରେ ଲକ୍ଷ୍ମୀବାଈ ଧାଇଁ ଥାନ୍ତି ଅଜଣା ଆଶ୍ରୟ ସନ୍ଧାନେ । ଲହୁ ଲୁହାଣ କ୍ଷତବିକ୍ଷତ ତାଙ୍କର କାୟାକୁ ବ୍ରିଟିଶ ସେନା ପଶ୍ଚାତ୍ଧାବନ କଲେ । ଅଭିମନ୍ୟୁ ଚକ୍ରବ୍ୟୁହ ମଧ୍ୟରେ ପଡ଼ିଥିଲା ଭଳି ଆକ୍ରମଣ ଆରମ୍ଭ କଲେ ଇଂରେଜ ମାନେ । କିଛି ସମୟ ପରେ ସବୁ କିଛି ଶେଷ । ରାଣୀଙ୍କ ମୃତ ପ୍ରାୟ ଶରୀରକୁ ଇଂରେଜ ସୈନ୍ୟ ଫିଙ୍ଗି ଦେଲେ ଅବୁର ନଦୀ କୂଳରେ ଥିବା ଏକ ମଠ ନିକଟରେ । ମଠାଧୀଶ ସେଇ ଚାଖି, ନାମ କିନ୍ତୁ ଗଙ୍ଗାଦାସ । ଅନେକ ଦିନରୁ ଅପେକ୍ଷା କରି ରହିଥିଲେ ରାଣୀ ଲକ୍ଷ୍ମୀବାଈଙ୍କୁ । ସେହି ଘନ ଅନ୍ଧକାର ଭିତରେ ରକ୍ତାକ୍ତ ମୁହଁଟିଏ ଦେଖି ଚମକି ପଡ଼ିଲେ ଚାଖି, ରକ୍ତ ଜୁଡ଼ୁବୁଡ଼ୁ ମୁହଁଟି ଧୋଇଦେଇ ଦେଖିଲେ, ଆରେ ଏ ତ ମୋର ସେ ପ୍ରୀୟ ଭଉଣୀ ମନୁ ! ଗଙ୍ଗାଜଳ ଟିକିଏ ପାଟିରେ ଦେଲେ । ପ୍ରିୟ ଭାଈର କୋଳରେ ମୁଣ୍ଡ ଆଉଯାଇ ଶୋଇଗଲେ ରାଣୀ ଚିର ନିଦ୍ରାରେ । ଝାନସୀ ରାଣୀ ଲକ୍ଷ୍ମୀବାଇ, ସବୁ ଶେଷ । ଏଠାରେ ଆଉ ରହି ଲାଭ କଣ ? ସେ ମଠକୁ ଭାଙ୍ଗି ଦେଇ ଗଙ୍ଗାଦାସ ଚାଲିଲେ ନେପାଳ ସରକାର ଏଣେ ଖୋଜି ବୁଲୁଥାଏ ଚାଖି ଖୁଣ୍ଟିଆକୁ । ସେ ଗୋଟିଏ ପୋଲ ତଳେ ଲୁଚି ରହିଲେ ସତର ଦିନ । ପରେ ପହଞ୍ଚିଲେ ଯାଇ ନେପାଳରେ । ନିଜକୁ ପରିଚୟ ଦେଲେ ପୁରୋହିତ ଏବଂ ପୁରୋହିତ କାର୍ଯ୍ୟକରି ଜୀବିକା ନିର୍ବାହ କଲେ । ଝାନସୀ ଏବେ ବ୍ରିଟିଶ ମାନଙ୍କ ପଦାନତ, ଲକ୍ଷ୍ମୀବାଈ ସ୍ଵର୍ଗବାସୀ, ସିପାହୀ ବିଦ୍ରୋହର ମଧ୍ୟ ଅବସାନ ହୋଇଛି, ଆଉ ବାକି ରହିଲା କଣ ? ଏସବୁ ଦ୍ୱନ୍ଦ୍ୱ, ଯାତନା ମନ୍ଥି ଦେଉଥାଏ ଚାଖିଙ୍କ ହୃଦୟକୁ । ତାଙ୍କର ମନେ ପଡ଼ିଲେ ମହାପ୍ରଭୁ ଜଗନ୍ନାଥ, ମନେ ପଡ଼ିଗଲା ଦୀର୍ଘ ଦିନ ଧରି ସମ୍ପର୍କ ଛିନ୍ନ ହୋଇଥିବା ପରିବାର କଥା । ନାଁ, ଆଉ ରହି ହେବନାହିଁ !
ଗଙ୍ଗାଦାସ ବାହାରିଲେ ଶ୍ରୀକ୍ଷେତ୍ର, ନୟନ ପଥରେ ଉଦ୍ଭାସିତ ହୋଇଉଠୁଥାନ୍ତି ଚକାନୟନ । ଅନେକ ଶ୍ରମ କରି, ନଦୀ ନାଳ ବନ ପର୍ବତ ଅତିକ୍ରମ କରି ଚାଖି ପହଞ୍ଚିଲେ ଶ୍ରୀକ୍ଷେତ୍ରରେ । ଶ୍ରୀକ୍ଷେତ୍ରରେ ତ ଚାଖି ମରି ସାରିଥିଲେ । ପତ୍ନୀ ମଧ୍ୟ ବିଧବା ହୋଇ ସାରିଥିଲେ । ସେ ଘରକୁ କେମିତି ଯିବେ ? ପ୍ରଥମ ଭେଟ ଜଗବନ୍ଧୁଙ୍କୁ ହିଁ କରିବାକୁ ହେବ । ତାଙ୍କୁ ହିଁ ଗୁହାରୀ କରିବାକୁ ପଡ଼ିବ । ସେ ପହଞ୍ଚିଲେ ଯାଇ ସିଂହଦ୍ୱରରେ । ଗରୁଡ଼ସ୍ତମ୍ଭ ପଛରେ ଛିଡ଼ା ହୋଇ ଚାଖି ଉଦ୍ଦାତ୍ତ କଣ୍ଠରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାଇଲେ ନିଜ ରଚିତ ହୃଦୟସ୍ପର୍ଶୀ ଜଣାଣଟିଏ :-
ଚକା ନୟନକୁ ପତିତ କେହି,
ତକାଇ ଖର ନିଶ୍ୱାସ ପକାଇ,
ଡକା ପକାଇ ଗରୁଡ଼ ପଛରେ,
ବକାରୀ ! ମୋ ଆର୍ତ୍ତ ଶୁଣ ସତ୍ୱରେ ହେ !
ଢକ୍କା ବାଜୁଛି ମହିମା ହେ !
ଠକାର କରି କର୍ଣ୍ଣେ ଗୀର ନ ଶୁଣ,
କିମ୍ପାଇଁ ବିଚିତ୍ର କର୍ମା ହେ !
ସେ ଦିନ ଥାଏ ଅକ୍ଷୟ ତୃତୀୟା,୧୮୫୨ ମସିହା । ସୌମ୍ୟ, ବଳିଷ୍ଠ ବପୁ ଯୁବକ ଜଣକ ଏ ପ୍ରାଣସ୍ପର୍ଶୀ ଜଣାଣଟି ଗାଉ ଥାନ୍ତି । ପୂର୍ବ ପରିଚିତ ବନ୍ଧୁ ଦିବ୍ୟ ସିଂହ ମିଶ୍ରଙ୍କ ସହିତ ଭେଟ ହୋଇଗଲା । ମିଶ୍ରେ ଆଶ୍ଚର୍ୟ୍ୟ ! ଆରେ ଇଏ କ’ଣ ସେହି ଚାଖି ? ଚାଖି ତାଙ୍କୁ ସବୁ କଥା ଗୋଟି ଗୋଟି କରି କହିଗଲେ । କଥା ପ୍ରଘଟ ହୋଇଗଲା, ଚନ୍ଦନ ଫେରି ଆସିଛି, ଚାଖି ଫେରି ଆସିଛି ! ବିଧବା ହୋଇଥିବା ପତ୍ନୀ ପୁଣି ସିନ୍ଦୁର ପିନ୍ଧି ସଧବା ହେଲେ । ପାରି ନାନୀ ଭାଈକୁ ଚିହ୍ନି ପକାଇ ଗାଇ ଉଠିଲେ :-
” ନଈରେ ବାଳିଆ ଚହଟିଲା
କଜଳ ସିନ୍ଦୁର ନାଆ ଲୋ ! ମଣି (ରାଣ୍ଡ )
ପୁଣି ଚାଖିଆ ଲେଉଟିଲା “
ଶ୍ରୀକ୍ଷେତ୍ରରେ ସେ ଦିନ ଚହଳ ପଡ଼ିଗଲା, ଚନ୍ଦନ ଫେରି ଆସିଛି, ଚାଖି ଫେରି ଆସିଛି ! ମୁକ୍ତି ମଣ୍ଡପ ପରାମର୍ଶ କ୍ରମେ ଯଜ୍ଞ ଅନୁଷ୍ଠାନ କରାଯାଇ ଗଙ୍ଗା ଦାସ ହେଲେ ଚାଖିଖୁଣ୍ଟିଆ ଓରଫ୍ ଚନ୍ଦନହଜୁରୀ । ସେ ଯେ ସେହି ଝାନ୍ସୀର ଅପରାଜେୟ ବୀର ଚାଖି ଖୁଣ୍ଟିଆ, ଏ କଥା ଜାଣି ନେଲା ବ୍ରିଟିଶ ସରକାର । ଜିଲ୍ଲାପାଳଙ୍କ ଆଦେଶରେ ତୁରନ୍ତ ବନ୍ଦୀ ହେଲେ ଚାଖି ଖୁଣ୍ଟିଆ । କିଛିଦିନ ପରେ ବ୍ରିଟିଶ ମହାରାଣୀ, ଭିକ୍ଟୋରିଆ ସମସ୍ତ ଯୁଦ୍ଧବନ୍ଦୀ ମାନଙ୍କୁ ରାଜକ୍ଷମା ପ୍ରଦାନ କଲେ, ଚାଖି ଲେଉଟି ଆସିଲେ ଶ୍ରୀମନ୍ଦିର ବେଢ଼ାକୁ, କ୍ଷମାନୁକମ୍ପାଧର ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କ କଣ୍ଠରେ ଭାସି ଉଠିଥିଲା :-
ମନ୍ଦର ଧର ନୀଳଗିରି ବାସୀ ।
କନ୍ଦରବାସୀ ପ୍ରାୟେ ଅଛ ବସି ।।
ପନ୍ଦର ନେତ୍ର, ଧାତା ପୁରନ୍ଦର,
ବନ୍ଦନ କରନ୍ତି ଯେଉଁ ପୟର ହେ
ଛନ୍ଦ ଛାଡ଼ ଦେବରାଜେ ହେ
ନନ୍ଦନନ୍ଦନ ଶ୍ରୀଚରଣାବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ ।
ଅବଶିଷ୍ଟ ଜୀବନ ତକ ସେ ଶ୍ରୀଜଗନ୍ନାଥଙ୍କ ପୂଜନ ବନ୍ଦନ କରି ୧୮୭୦ ମସିହାରେ ମାତ୍ର ୪୩ ବର୍ଷ ବୟସରେ ତାଙ୍କରି ପଦ୍ମ ପୟରରେ ଲୀନ ହୋଇଗଲେ । ଏ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ ବୀର ଚାଖି ଖୁଣ୍ଟିଆ ବା ଚନ୍ଦନହଜୁରୀ । ତାଙ୍କ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଓଡ଼ିଆ ପ୍ରାଣ ତନ୍ତ୍ରୀରେ ପୁଲକ ସୃଷ୍ଟି ହୁଏ । ସେ ଏକାଧାରାରେ ଜାତୀୟ ବୀର, ଜାତିର ବିପ୍ଲବୀ, ନିର୍ଭୀକ ଦେଶପ୍ରେମୀ, ମହା ପରାକ୍ରମୀ, ସ୍ଵାଧୀନ ଚେତା ରଣ କୌଶଳୀ, ଦୃଢ଼ ସଙ୍ଗଠକ, ବିଜ୍ଞ ପରାମର୍ଶ ଦାତା, ସିପାହୀ ବିଦ୍ରୋହର ମହା ରଥୀ, କବି ଏବଂ ସର୍ବୋପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ !
- ଦିଲ୍ଲୀପ କୁମାର ଧାଉଡ଼ିଆ