ସନ୍‌ଡେ ସମ୍ବାଦ-୪ ଅବସରରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସହିତ ଆଲୋଚନା କଲେ ଡ. ହର୍ଷବର୍ଦ୍ଧନ

• ୪୦୦-୫୦୦ ନିୟୂତ କୋଭିଡ-୧୯ ଟୀକା ହାସଲ କରିବା ଏବଂ ସେଗୁଡ଼ିକୁ ଉପଯୋଗ କରିବା କରିବା ଲାଗି ସରକାର ଯୋଜନା କରିଛନ୍ତି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
• ଜୁଲାଇ ୨୦୨୧ ସୁଦ୍ଧା ୨୦-୨୫ କୋଟି ଲୋକଙ୍କୁ କଭର କରିବାକୁ ସରକାରଙ୍କ ଲକ୍ଷ୍ୟ
• ଅକ୍ଟୋବର ଶେଷ ସୁଦ୍ଧା ପ୍ରଥମେ ଟୀକା ପାଇବାକୁ ଥିବା ଲୋକମାନଙ୍କ ତାଲିକା ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ
• କୋଭିଡ-୧୯ ଟୀକାକରଣରେ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ସର୍ବୋଚ୍ଚ ପ୍ରାଥମିକତା
• କେନ୍ଦ୍ରୀୟ ସ୍ତରରେ ଟୀକା କ୍ରୟ କରାଯିବ ଏବଂ ସଠିକ ସମୟରେ ଟୀକାର ପ୍ରତ୍ୟେକ କନସାଇନମେଣ୍ଟ ହାସଲ କରାଯିବ
• ଭାରତୀୟ ଟୀକା ପ୍ରସ୍ତୁତକାରୀଙ୍କ ପ୍ରତି ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି
• ସମାନ ଭାବେ ଟୀକା ବିତରଣ ଲାଗି ସମସ୍ତ ଉପାୟ ସୁନିଶ୍ଚିତ କରିବେ ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସଣ୍ଡେ ସମ୍ବାଦର ଚତୁର୍ଥ ଅଧ୍ୟାୟରେ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀମାନଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଅଧିକାଂଶ ପ୍ରଶ୍ନକର୍ତ୍ତା କୋଭିଡ ଟୀକା ବିଷୟରେ ଜାଣିବାକୁ ଚାହିଁଥିଲେ । ଡ. ହର୍ଷବର୍ଦ୍ଧନ କୋଭିଡ ପ୍ଲାଜମା ଥେରାପୀର ଉପଯୋଗ, କୋଭିଡ ମହାମାରୀ ପରିପ୍ରେକ୍ଷୀରେ ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ଉନ୍ମୁଳନ ଏବଂ ଭାରତରେ ସ୍କୁଲ ଖୋଲିବା ବିଷୟରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଦେଇଥିଲେ ।
ଟୀକା ବିତରଣକୁ ପ୍ରାଥମିକତା ଦିଆଯିବା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ରାଜ୍ୟଗୁଡ଼ିକୁ ଟୀକା ପ୍ରଦାନ କରାଯିବା ଲାଗି ପ୍ରାଥମିକ ଜନସଂଖ୍ୟା ସମୂହଙ୍କ ତାଲିକା ଦେବାକୁ କୁହାଯାଇଛି । ବିଶେଷ କରି କୋଭିଡ-୧୯ ପରିଚାଳନାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଥିରେ ସାମିଲ କରାଯିବ । ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କ ତାଲିକାରେ ସରକାରୀ ସହିତ ଘରୋଇ କ୍ଷେତ୍ରର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସ୍ୱଚ୍ଛତା କର୍ମଚାରୀ, ଆଶା କର୍ମୀ, ଅନୁଧ୍ୟାନ ଅଧିକାରୀ ଏବଂ ଅନେକ ବ୍ୟବସାୟିକ ଶ୍ରେଣୀର କର୍ମୀମାନଙ୍କୁ ସାମିଲ କରାଯିବ ଯେଉଁମାନେ ରୋଗୀଙ୍କ ଚିହ୍ନଟ, ପରୀକ୍ଷଣ ଏବଂ ସେମାନଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ପ୍ରଥମେ ଟୀକା ନେବାକୁ ଥିବା ଜନସଂଖ୍ୟା ସମୂହଙ୍କ ଚୟନ ପ୍ରକ୍ରିୟା ଚଳିତ ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବା ପରେ ରାଜ୍ୟଗୁଡ଼ିକୁ କୋଲ୍ଡ ଚେନ ସୁବିଧା ଏବଂ ଅନ୍ୟ ମୌଳିକ ଭିତ୍ତିଭୂମିର ବିବରଣୀ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯିବ । ଏହି ସୂଚନାର ଆବଶ୍ୟକତା ବ୍ଲକସ୍ତରରେ ରହିବ । କେନ୍ଦ୍ର ସରକାର ମାନବ ସମ୍ବଳ, ପ୍ରଶିକ୍ଷଣ, ପର୍ୟ୍ୟବେକ୍ଷଣର ନିର୍ମାଣ କ୍ଷମତା ବିକାଶ ଲାଗି ବ୍ୟାପକ ସ୍ତରରେ କାମ କରୁଛନ୍ତି । ମୋଟାମୋଟି ଅନୁମାନ କରାଯାଉଛି ଯେ ଜୁଲାଇ ୨୦୨୧ ସୁଦ୍ଧା ଦେଶର ପାଖାପାଖି ୨୦-୨୫ କୋଟି ଲୋକଙ୍କୁ ଦିଆଯିବା ନିମନ୍ତେ ୪୦୦-୫୦୦ ନିୟୁତ ଟୀକା ଭାରତ ହାସଲ କରି ଉପଯୋଗ କରିପାରିବ । ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ସରକାର ଏହି ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ସମୟରେ କୋଭିଡ-୧୯ ସମ୍ବନ୍ଧିତ ପ୍ରତିରକ୍ଷା ଡାଟା ଉପରେ ମଧ୍ୟ ନଜର ରଖିଛନ୍ତି ।
ଶ୍ରୀ ହର୍ଷ ବର୍ଦ୍ଧନ କହିଥିଲେ ଯେ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଶ୍ରୀ ଭି.କେ ପଲଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମିତି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଖସଡ଼ା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସ୍ତରରେ ଟୀକା କ୍ରୟ କରାଯିବ । ଯେପର୍ୟ୍ୟନ୍ତ ସବୁଠୁ ଅଧିକ ଆବଶ୍ୟକତ ଲୋକଙ୍କୁ ଟୀକା ଯୋଗାଇ ଦିଆନଯାଇଛି ଯେପର୍ୟ୍ୟନ୍ତ ଟୀକାର ପ୍ରତ୍ୟେକ କନସାଇନମେଣ୍ଟ ଉଚିତ ସମୟରେ ହାସଲ କରାଯିବ । ସେ କହିଥିଲେ ଯେ ଏହି ସମିତି ଦେଶରେ ବିଭିନ୍ନ ଟୀକାର ଉପଲବ୍ଧତା ସମୟସୀମାକୁ ବୁଝିବା ଲାଗି କାମ କରୁଛି । ଭାରତର ମାଲ ସୂଚୀ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନା ଲାଗି ଅଧିକରୁ ଅଧିକ ସଂଖ୍ୟାରେ ଟୀକା ଖୋରାକ ଉପଲବ୍ଧ କରିବା ଲାଗି ଟୀକା ଉତ୍ପାଦନକାରୀମାନଙ୍କ ଠାରୁ ସହମତି ହାସଲ କରୁଛି । ଏହାବ୍ୟତୀତ ଅଧିକ ବିପଦ ଥିବା ସମୁଦାୟଙ୍କୁ ପ୍ରାଥମିକତା ଦିଆଯିବ । ଏହି କାର୍ୟ୍ୟ ପ୍ରଗତି ପଥରେ ରହିଛି । ଯାହାଫଳରେ ଟୀକାକରଣ କାର୍ୟ୍ୟକ୍ରମକୁ ଦ୍ରୁତ ଗତିରେ ଆରମ୍ଭ କରିବା ଲାଗି ସଠିକ ସମୟରେ ଟୀକା ପ୍ରାପ୍ତ କରାଯାଇପାରିବ ।
ପଞ୍ଜାବରେ ଗୁଜବ ସୃଷ୍ଟି କରୁଥିବା ଲୋକମାନଙ୍କ ମାନସିକତାରେ ବ୍ୟାପ୍ତ ଭ୍ରାନ୍ତିଗୁଡ଼ିକୁ ଦୂର କରି ଡ. ହର୍ଷ ବର୍ଦ୍ଧନ ସେ ସମସ୍ତ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ କୋଭିଡ-୧୯ ମହାମାରୀ ସରକାରଙ୍କର ଏକ ଷଡ଼ଯନ୍ତ୍ର । ସୁସ୍ଥ ଲୋକମାନଙ୍କ ଶରୀରର ଅଙ୍ଗ ହାସଲ କରିବା ନିମନ୍ତେ ସରକାର ଏହି ଷଡ଼ଯନ୍ତ୍ର କରିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ସରକାର ବିଶ୍ୱ ବ୍ୟାଙ୍କ, ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କରୁ କୋଭିଡ-୧୯ ପରିଚାଳନା ଲାଗି ୧୫ ହଜାର କୋଟି ଟଙ୍କା ଋଣ ଆଣିଛନ୍ତି । ଏହା ପ୍ରମାଣିତ କରୁଛି ଯେ କୋଭିଡ-୧୯ଜରୁରିକାଳୀନ ମୁକାବିଲା ନିମସ୍ତେ ସରକାର କୌଣସି ଆର୍ଥିକ ସଂସ୍ଥାର ରାଜସ୍ୱ ଉପରେ ନିର୍ଭର କରି ବାନ୍ଧି ହୋଇ ରହିନାହାନ୍ତି ।
ଟୀକାର କଳାବଜାରୀ କିମ୍ବା ବାଟମାରଣା ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ ପ୍ରାଥମିକତା ଏବଂ କ୍ରମବଦ୍ଧ ଢଙ୍ଗରେ ଟୀକା ବିତରଣ କରାଯିବ । ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ବିବରଣୀ ଆଗାମୀ ମାସଗୁଡ଼ିକୁ ସର୍ବସାଧାରଣରେ ପ୍ରକାଶ କରାଯିବ । ସ୍ୱାସ୍ଥ୍ୟକର୍ମୀ, ବୟସ୍କ କିମ୍ବା ଅସୁସ୍ଥ ଲୋକଙ୍କ ଉପରେ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ ।
ସେହିପରି ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ଟୀକା ଶ୍ରେଷ୍ଠ କି ନୁହେଁ ସେ ସମ୍ପର୍କରେ ଟିପ୍ପଣୀ କରିବା ସମ୍ଭବ ନୁହେଁ । ତେବେ ଆମ ପାଖରେ ଯେତିକି ଟୀକା ଉପଲବ୍ଧ ହେବ ସେସବୁ ସୁରକ୍ଷିତ ହେବ ଏବଂ କରୋନା ଭାଇରସ ମୁକାବିଲା ନିମନ୍ତେ ଆବଶ୍ୟକ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରିବ ।
ଡ. ହର୍ଷବର୍ଦ୍ଦନ କହିଥିଲେ ଯେ ଭାରତରେ ସମସ୍ତ ଟୀକାର କ୍ଲିନିକାଲ ପରୀକ୍ଷା ସମସ୍ତ ନିର୍ଦ୍ଧାରିତ ସିଦ୍ଧାନ୍ତ ଉପଯୋଗ କରି କରାଯାଇଛି । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଦ୍ୱାରା ଗଠିତ ବିଷୟ ବିଶେଷଜ୍ଞ ସମିତି ଏହାର କଡ଼ା ସମୀକ୍ଷା କରିଛି । ନିକଟରେ ଡିଜିସିଆଇ ପକ୍ଷରୁ ଭାରତରେ କୋଭିଡ-୧୯ଟୀକା ଲାଇସେନ୍ସ ନିମନ୍ତେ ନିୟାମକ ଆବଶ୍ୟକତା ଉପରେ ଦିଶାନିର୍ଦ୍ଦେଶ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଭାରତରେ ରୁଷର “ସ୍ଫୁଟନିକ-ଭି”ର ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଏହି ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି ଏବଂ ତୃତୀୟ ପର୍ୟ୍ୟାୟ ପରୀକ୍ଷା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଟୀକାକରଣ ପରେ ହେଉଥିବା ପ୍ରତିକ୍ରିୟାଗୁଡ଼ିକ ମଧ୍ୟରେ ଛୁଞ୍ଚି ଲଗାଉଥିବା ସ୍ଥାନରେ ଦରଜ ହେବା, ହାଲୁକା ଜ୍ୱର ଏବଂ ଲାଲ ପଡ଼ିଯିବା, ମାନସିକ ଉଦବେଗ, ଅଚେତ ହୋଇଯିବା ଆଦି ସାମିଲ । ଏହି ଘଟଣା କ୍ଷଣିକ, ଆତ୍ମସୀମିତ ଏବଂ ଟୀକାର ସୁରକ୍ଷାତ୍ମକ ପ୍ରତିକ୍ରିୟାକୁ ପ୍ରଭାବିତ କରିନଥାଏ । ସେହିପରି ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ସେ ହ୍ୟୁମାନ ଚ୍ୟାଲେଞ୍ଜ ଏକ୍ସପେରୀମେଣ୍ଟର ନୈତିକ ଚିନ୍ତା ବିଷୟରେ ବିସ୍ତୃତ ଭାବେ କହିଥିଲେ । ସେ କହିଥିଲେ, “ଯେପର୍ୟ୍ୟନ୍ତ ବିଶ୍ୱସ୍ତରୀୟ ଅଭିଜ୍ଞତାରୁ ଏକ ସ୍ଥାୟୀ ଲାଭର ପ୍ରମାଣ ନମିଳିଛି ସେପର୍ୟ୍ୟନ୍ତ ଭାରତରେ ଏପରି ପ୍ରୟୋଗ କରାଯିବ ନାହିଁ । ଭାରତରେ ଟୀକା ସୁନିଶ୍ଚିତ କରିବା ଲାଗି ଏକ ସୁଦୃଢ଼ ପ୍ରକ୍ରିୟା ରହିଛି ଯାହା କ୍ଲିନିକାଲ ପରୀକ୍ଷଣକୁ ସଫଳତା ପୂର୍ବକ ପୂରଣ କରିଛି ଏବଂ ସେଗୁଡ଼ିକ ନୋଭେଲ କରୋନା ଭୂତାଣୁ ବିରୋଧରେ ସୁରକ୍ଷିତ ଏବଂ ପ୍ରଭାବୀ ହେବ ।”
ଦୁଇ ଡୋଜ ଟୀକା ଦିଆଯିବା ସମ୍ପର୍କରେ ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ମହାମାରୀ ଉପରେ ତ୍ୱରିତ ନିୟନ୍ତ୍ରଣ ଲାଗି ଗୋଟିଏ ଡୋଜ ପ୍ରଥମେ ଦେବା ଜରୁରି । ତେବେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଦ୍ୱିତୀୟ ଡୋଜର ଆବଶ୍ୟକତା ରହିଛି । ଯାହା ଶରୀରର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜଭୁତ କରିବ ।
ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ପ୍ରାଥମିକତା ଦିଆଯାଇଛି ଚିକିତ୍ସା ଓ ଯାଞ୍ଚ ନିମନ୍ତେ ସରକାର କଡ଼ା ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ବରିଷ୍ଠ ନାଗରିକମାନଙ୍କର ଅଭିଯୋଗକୁ ଗମ୍ଭୀରତା ପୂର୍ବକ ଶୁଣିବା ନିମନ୍ତେ ସରକାରୀ କଲ ସେଣ୍ଟରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ ।
କୋଭିଡ-୧୯ମହାମାରୀ କାରଣରୁ ଯକ୍ଷ୍ମା ମୁକାବିଲା କ୍ଷେତ୍ରରେ ଅର୍ଜିତ ଲାଭ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଏହାକୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ମହାମାରୀ ସମୟରେ ଯକ୍ଷ୍ମା ଚିହ୍ନଟ ପରୀକ୍ଷାଗାର ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି । ଔଷଧର ବିସ୍ତାରିତ ଅବଧି, ଯକ୍ଷ୍ମା ରୋଗୀଙ୍କ ପାଇଁ ଅତିରିକ୍ତ ସତର୍କତା ସ୍ୱରୂପ ଘରେ ଔଷଧ ପହଞ୍ଚାଇବା ଏବଂ ପରାମର୍ଶ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସଂକ୍ରମଣ, ନିରାକରଣ, ନିୟନ୍ତ୍ରଣ ଗତିବିଧି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ଯକ୍ଷ୍ମାର ସାମାଜିକ କାରକ ଯେପରିକି ଦାରିଦ୍ର୍ୟ, କୁପୋଷଣ, ଆବାସର ଖରାପ ସ୍ଥିତି, ଗୋଷ୍ଠୀ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖରାପ ବ୍ୟବହାର ସତ୍ତ୍ୱେ ୨୦୨୫ ସୁଦ୍ଧା ଯକ୍ଷ୍ମାର ଉନ୍ମୁଳନ ନିମନ୍ତେ ସରକାର ଗୁରୁତ୍ୱାରୋପ କରୁଛନ୍ତି ।
ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ “ଜୀବନ ଅଛି ତ’ ଦୁନିଆ ଅଛି” ବୋଲି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଆମ ସମସ୍ତଙ୍କୁ ପାଳନ କରିବାକୁ ହେବ । ପାର୍ବଣ ଋତୁରେ ସମସ୍ତ ଆବଶ୍ୟକତା ସତର୍କତା ସମସ୍ତେ ମାନିବା ଉଚିତ । ସରକାର ଏଥିପାଇଁ ଆବଶ୍ୟକ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି ।
ଖୁବ ସାବଧାନତା ପୂର୍ବକ କୋଭିଡ ସଂକ୍ରାନ୍ତ ସମସ୍ତ ନିୟମ ପାଳନ କରିବା ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ହେବା ନିମନ୍ତେ ଡ. ହର୍ଷ ବର୍ଦ୍ଧନ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ସଣ୍ଡେ ସମ୍ବାଦନର ଚତୁର୍ଥ ଅଧ୍ୟାୟ ଦେଖିବା ନିମନ୍ତେ ଦୟାକରି ଏସବୁ ଲିଙ୍କରେ କ୍ଲିକ କରନ୍ତୁ ।
ଟ୍ୱିଟର-https://twitter.com/drharshvardhan/status/1312659867224612864
ଫେସବୁକ-https://www.facebook.com/watch/?v=3281142565296376
ୟୁଟ୍ୟୁବ- https://www.youtube.com/watch?v=fF1Vpsn4Z2w
ଡିଏଚଭି ଆପ୍- http://app.drharshvardhan.com/download

Leave A Reply

Your email address will not be published.