‘ଉତ୍କଳ ମେଲ’ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ଆଧ୍ୟାତ୍ମିକ ସମାବେଶ

  • ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ, ଜୀବନରେ ଯଦି ଈଶ୍ୱର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ

ଭୁବନେଶ୍ୱର/ରାଉରକେଲା, (ସସ୍ମିତା ପ୍ରଧାନ) : ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ ତଥା ଜୀବନରେ ଯଦି ଈଶ୍ବର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ ବୋଲି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓ ସ୍ବାମୀ ସୁଧାନନ୍ଦ ସରସ୍ବତୀ ଉତ୍କଳ ମେଲର ସ୍ବନକ୍ଷତ୍ର ଦିବସ ଓ ଆଧ୍ୟାତ୍ମିକ ସମାବେଶରେ ମତ ପ୍ରକାଶ କରିଥିଲେ । ‘ଉତ୍କଳ ମେଲ’ର ଭୁବନେଶ୍ବର ସଂସ୍କରଣର ୩୨ତମ ସ୍ବନକ୍ଷତ୍ର ଦିବସ ଓ ଆଧ୍ୟାତ୍ମିକ ସମାବେଶ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ମେଲର ସଂପାଦକ ତଥା ପ୍ରକାଶକ ଡଃ ପୀତବାସ ମିଶ୍ରଙ୍କ ସଭାପତିତ୍ବ ଓ କାର୍ୟ୍ୟକାରୀ ସଂପାଦକ ଭାଗବତ ପ୍ରସାଦ ତ୍ରିପାଠୀଙ୍କ ଆବାହକତ୍ବ ତଥା କାର୍ୟ୍ୟକ୍ରମର ସଂଯୋଜକ ବିବେକାନନ୍ଦ ଦାସ ଓ ସମାଜସେବୀ କୃପାନିଧି ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି ଆଧ୍ୟାତ୍ମିକ ସମାବେଶରେ ଆଲୋଚ୍ୟ ବିଷୟ ‘ଗ୍ରାର୍ହସ୍ଥ୍ୟ ଜୀବନରେ ଆଧ୍ୟାତ୍ମିକତା’ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରେଣ୍ୟ ଅତିଥି ତଥା ଆଲୋଚକ ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ନରସିଂହପୁର କଲେଜ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡଃ ବିଜୟ କୁମାର ପରିଡା, ଶୃତିନ୍ୟାସର ଅଧ୍ୟକ୍ଷ ତଥା ବେଦ ପ୍ରବକ୍ତା ସ୍ବାମୀ ସୁଧାନନ୍ଦ ସରସ୍ବତୀ, ଭୁବନେଶ୍ବର ଓୟୁଏଟିର ପ୍ରାକ୍ତନ ଡିନ୍‌ ପ୍ରଫେସର ଡଃ ହୃଷିକେଶ ସେନାପତି, କଟକ ସିବିଏଫସିର ଆଂଚଳିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟା ନନ୍ଦିନୀ ଶତପଥୀ, ଆଧ୍ୟାତ୍ମିକ ପ୍ରବକ୍ତା ପ୍ରଦୀପ ଚୌଧୁରୀ, ଅନ୍ୟତମ ପ୍ରବକ୍ତା ଚିତ୍ତରଂଜନ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚକ ପଣ୍ଡିତ ଶ୍ରୀ ପଣ୍ଡା ଗୃହସ୍ଥ ଜୀବନକୁ ଶ୍ରେଷ୍ଠ ଜୀବନ, ଭଲକାମ କରିବାକୁ ବ୍ରତ, ଅଗ୍ନି ସଂସାରର ଏକମାତ୍ର ଦେବତା, ସୁବିଧା ଦେଖି ଧର୍ମ ନକରିବାକୁ ତଥା ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ ଭଳି ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରଫେସର ଡଃ ପରିଡା ନିଜ ବକ୍ତବ୍ୟରେ କହିଲେ ଯେ, ସଦଗୁଣ ଯାହା ଗତିଶୀଳ ତାହା ହେଲା ଆଧ୍ୟାତ୍ମିକତା । କେବଳ ବକ୍ତବ୍ୟ ନୁହେଁ ଦୃଷ୍ଟାନ୍ତ ଜୀବନରେ ପରିବର୍ତ୍ତନ ଆଣିପାରିବ ଓ ଜୀବନରେ ବଧୁ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ମତ ରଖିଥିଲେ । ବେଦ ପ୍ରବକ୍ତା ସ୍ବାମୀ ସୁଧାନନ୍ଦ କହିଲେ ଯେ, ଗୃହସ୍ଥ ଜୀବନ ଯେତେ ନିରୋଗ ରହିବ ସମାଜ ସେତେ ସୁସ୍ଥ ହେବ । ସବୁଠାରୁ ପବିତ୍ର ହେଲେ ପରମାତ୍ମା । ଗୃହିଣୀଙ୍କ ମାନ ଉପରେ ପରିବାର ସ୍ଥାୟିତ୍ବ ନିର୍ଭର କରେ । ସେହିପରି ଜୀବନରେ ଯଦି ଈଶ୍ବର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ ବୋଲି କହିଥିଲେ । ଅନ୍ୟତମ ପ୍ରବକ୍ତା ଶ୍ରୀ ଚୌଧୁରୀ କହିଲେ ଯେ, ପଙ୍କ ଯେତେ ପଙ୍କିଳ ସେତେ ସୁନ୍ଦର ପଦ୍ମ ଫୁଟେ । ଆଧ୍ୟାତ୍ମିକର କୌଣସି ପରିସୀମା ନଥାଏ । ସବୁ କଳାକୁ ଗ୍ରହଣ କରି ଜଗନ୍ନାଥ ସ୍ବତନ୍ତ୍ର ଓ ଅଦ୍ବିତୀୟ । ସେ ଖଣ୍ଡିଆ ହେଲେ ମଧ୍ୟ ସଂପୂର୍ଣ୍ଣ । ପ୍ରଫେସର ଡଃ ସେନାପତି କହିଲେ ଯେ, ଗୁରୁଙ୍କ ଉପାସନା ବାଦ୍ ଦେଲେ ସବୁ ନିରର୍ଥକ । ସୁସନ୍ତାନ ସମାଜକୁ ଦାନ ଦେବାକୁ ନେଇ ଦାମ୍ପତ୍ୟ ଜୀବନ ଆରମ୍ଭ ହୁଏ । ସଂପ୍ରତି ବିକୃତ ଭାବନା ନେଇ ଆମେ ଗୃହସ୍ଥ ଜୀବନ ବିତଉଛେ । ଏହିଠାରୁ ଦୂରେଇ ରହିବା ଆବଶ୍ୟକ । ଅନ୍ୟତମ ଅତିଥି ଶ୍ରୀମତୀ ଶତପଥୀ ଆଧ୍ୟାତ୍ମିକତା ଓ ଗୃହସ୍ଥ ଜୀବନର ସାମଞ୍ଜସ୍ୟ ସହ ଶୁକମୂନୀଙ୍କ କଥା ତଥା ବେଶୀ ଆଶା ଦୁଃଖର କାରଣ ବୋଲି କହିଥିଲେ । ଆଶା କମ କଲେ ଦୁଃଖ ଦୂର ହେବ ଯାହା ଆଧ୍ୟାତ୍ମିକତାର କିଛି ଅଂଶ । ବରିଷ୍ଠ ପ୍ରବକ୍ତା ଶ୍ରୀ ମିଶ୍ର ଓ ଶ୍ରୀ ତ୍ରିପାଠୀ ପରିବାରର ମୁଖ୍ୟ ଓ ଗୁରୁଙ୍କୁ ସମ୍ମାନ ଓ ସୁଯୋଗ୍ୟ ସନ୍ତାନ ସୃଷ୍ଟି ସହ ଏଭଳି ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ସହ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ମିଶ୍ର ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥବା ବେଳେ ସଂଯୋଜକ ଶ୍ରୀ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜର ବିଶିଷ୍ଟ କବି, ସାହିତ୍ୟିକ, ସାମ୍ବାଦିକ ଓ ସମାଜସେବୀ ସୂର୍ଯ୍ୟପ୍ରକାଶ ମହାପାତ୍ର, ଜଗନ୍ନାଥ ବାରିକ, କୁଞ୍ଜବିହାରୀ ରାଉତ, କବିସାରଥି ଶ୍ରୀଚନ୍ଦନ ମହାପାତ୍ର, ସତ୍ୟବ୍ରତ ପାତ୍ର, ଗୋପୀନାଥ ପରିଡା, ଡଃ ତ୍ରିନାଥ ମହାରଣା, ଗୋପୀନାଥ ତ୍ରିପାଠୀ, ଅରବିନ୍ଦ ରାଉତ, କମଳଲୋଚନ ପଣ୍ଡା, ମହମ୍ମଦ ମୋତିହାର ୟୁସୁଫ, ସରୋଜ କୁମାର ସାହୁ, ବିପ୍ଳବ ମହାନ୍ତି, ଗୀତାଞ୍ଜଳୀ ବିଶ୍ବାଳ, ଅମୀୟ ରଂଜନ ରାଉତ, ଅଭୟ କୁମାର ପରିଡା, ଶୁଭେନ୍ଦୁ କାନୁନଗୋଙ୍କୁ ମାନପତ୍ର, ଉପଢୌକନ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଡଃ ତ୍ରିନାଥ ମହାରଣାଙ୍କ ପୁସ୍ତକ ‘ଅସ୍ତରାଗର ରଙ୍ଗ’କୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଇତିଶ୍ରୀ ଦୀକ୍ଷିତ ଜଗନ୍ନାଥଙ୍କ ଜଣାଣ ଓ ନିରୁପମା କର, ମୁନିକା ମହାପାତ୍ର, ଚମକ ଚାନ୍ଦିନୀ ଦାସ, ତନୁଶ୍ରୀ ସାମଲ ସ୍ବାଗତ ସଂଗୀତ ଗାନ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅକ୍ଷୟ ଧଳ, ମୀନକେତନ ବିଶ୍ବାଳ, ଗଜେନ୍ଦ୍ର ବେହେରା, ରବି ମହାନ୍ତି, ସବିତା ଶୁଭଦର୍ଶନୀ, ନମିତା ପ୍ରିୟଦର୍ଶନୀ, ରାମଚନ୍ଦ୍ର ସ୍ବାଇଁ, ଅର୍ଜୁନ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.